ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଫେକ୍‌ କଲ୍‌ ସେଣ୍ଟର

ଭୁବନେଶ୍ୱର,୧୭ା୧୦(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ଚାଲିଥିଲା ବଙ୍ଗୀୟ ସାଇବର ଠକଙ୍କ ଅନ୍ତର୍ଜାତୀୟ କଲ୍‌ ସେଣ୍ଟର। ଓଡ଼ିଶାରେ ବସି ବୈଷୟିକ ଉପକରଣ ଜରିଆରେ ଦେଶ ବିଦେଶର ଲୋକଙ୍କୁ ଫସାଇ ଟଙ୍କା ଠକୁଥିଲେ। ଏହା ଜଣାପଡ଼ିବା ପରେ କମିଶନରେଟ୍‌ ପୋଲିସ ବୁଧବାର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ବଳଭଦ୍ରପୁରସ୍ଥିତ ଜଟଣୀ ରୋଡ ପାର୍ଶ୍ୱରେ ଥିବା କୋକିଳା କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢ଼ାଉ କରି ୬ବଙ୍ଗୀୟ ଯୁବକଙ୍କୁ ଗିରଫ କରିଛି। ସାଇବର ଠକମାନେ ଆପାର୍ଟମେଣ୍ଟ ଏ’ ବ୍ଲକ୍‌ର ଦ୍ୱିତୀୟ ମହଲାସ୍ଥିତ ୨୦୫ ନମ୍ବର ଫ୍ଲାଟ୍‌କୁ ଭଡ଼ାରେ ନେଇ ଏହି ନେଟ୍‌ୱର୍କ ଚଳାଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ କୋଲ୍‌କାତାର ସମୀର ମୋବିନ(୨୬), ଏମ୍‌ଡି. ଜାଭେଦ ହୁସେନ୍‌ (୨୬), ଏମ୍‌ଡି. ତୋସିଫ୍‌ (୨୩), ଫୈଜାନ୍‌ ଆଲାମ୍‌ (୨୪), ସାଇବ ରାଜା (୨୨) ଓ ଏମ୍‌ଡି. ହାଇଦର ଅଲ୍ଲି (୩୪)। ଉକ୍ତ ଫ୍ଲାଟ୍‌ରୁ ୬ଟି ଲାପଟପ୍‌, ୧୧ଟି ମୋବାଇଲ ସମେତ ଜିଓ ଏୟାର ଫାଇବର, କେବୁଲ୍‌, ୱାଇ-ଫାଇ ରାଉଟର ଆଦି ଜବତ ହୋଇଛି।

ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପକ୍ଷରୁ ଏନେଇ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌), ଆଇଟି ଆକ୍ଟ ଓ ଇଣ୍ଡିଆନ ଟେଲିଗ୍ରାଫ୍‌ ଆକ୍ଟର ବିଭିନ୍ନ ଦଫାରେ ଏକ ମାମଲା (ନଂ.୨୬୪/୨୦୨୪) ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କୁ ପୋଲିସ ପକ୍ଷରୁ ଅଧିକ ପଚରାଉଚରା କରାଯାଉଛି। ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଅଧିକ ତଦନ୍ତ ପାଇଁ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।

ତଦନ୍ତ ବେଳେ ଜଣାପଡ଼ିଛି, ଠକମାନେ ମାକାଫି ଏବଂ ନୋର୍ଟନ୍‌ ଆଣ୍ଟିଭାଇରସ୍‌ ସବ୍‌ସ୍କ୍ରାଇବର୍‌ ଥିବା ଦେଶ ଓ ବିଦେଶର ଗ୍ରାହକମାନଙ୍କୁ ଟାର୍ଗେଟ୍‌ କରୁଥିଲେ। ଅଭିଯୁକ୍ତମାନେ ନିଜକୁ ମାକାଫି ଏବଂ ନୋର୍ଟନ୍‌ର କଷ୍ଟମର୍‌ କେୟାର ଅଧିକାରୀ ବୋଲି ପରିଚୟ ଦେଉଥିଲେ। ଗ୍ରାହକମାନଙ୍କୁ ବିଭିନ୍ନ ସମସ୍ୟା ଥିବା ଜଣାଇ ପ୍ରଥମେ ଫେକ୍‌ ମେଲ୍‌ ପଠାଉଥିଲେ। ଉକ୍ତ ମେଲ୍‌ରେ (+୧୮୪୫୪୭୮୪୨୩୬) ନମ୍ବର ଦିଆଯାଉଥିଲା। ଉକ୍ତ ନମ୍ବରକୁ ଗ୍ରାହକମାନେ କଲ୍‌ କରିବା ପରେ ସାଇବର ଠକମାନେ ସେମାନଙ୍କୁ ଫସାଉଥିଲେ। କଲ୍‌ ଆସିବା ପରେ ତାହା ସ୍କାଇପ୍‌ ଓ ଭିଓଆଇପି କଲ୍‌କୁ ବଦଳି ଯାଉଥିଲା। ଏହାପରେ ସାଇବର ଠକମାନେ କଲ୍‌ କରିଥିବା ଗ୍ରାହକଙ୍କ ଲାପଟପ୍‌ ଓ କମ୍ପ୍ୟୁଟରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରି ନେଉଥିଲେ। ପରେ ଠକମାନେ ଗିଫ୍‌ଟ କାର୍ଡ ଜରିଆରେ ଡଲାର ଟଙ୍କା ପଠାଇବା ପାଇଁ ଦାବି କରୁଥିଲେ। ଗ୍ରାହକମାନେ ଗିଫ୍ଟ କାର୍ଡ ପଠାଇବା ପରେ ଠକମାନେ ବିଭିନ୍ନ ମାଧ୍ୟମରେ ହାୱାଲା କାରବାର ଜରିଆରେ ଉକ୍ତ ଡଲାରକୁ ଭାରତୀୟ ମୁଦ୍ରାରେ ରୂପାନ୍ତର କରିନେଉଥିଲେ। ତେବେ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଅଭିଯୁକ୍ତମାନେ ଟାର୍ଗେଟ୍‌ କରିଥିଲେ। ସାଇବର ଠକଙ୍କ ଲୋକେଶନ୍‌କୁ କମିଶନରେଟ୍‌ ପୋଲିସକୁ କେନ୍ଦ୍ରୀୟ ଏଜେନ୍‌ସି ପଠାଇଥିଲା। ମଙ୍ଗଳବାର ସାଇବର ପୋଲିସ ଘଟଣାସ୍ଥଳରେ ଯାଞ୍ଚ କରିବା ପରେ ଏହାର ପ୍ରମାଣ ମିଳିଥିଲା। ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ନାମରେ ଉକ୍ତ ଫ୍ଲାଟ୍‌ ଥିବାବେଳେ ଅଭିଯୁକ୍ତମାନେ ଭଡ଼ାରେ ନେଇ ନେଟୱର୍କ ଚଳାଉଥିଲେ।

ତେବେ ଉକ୍ତ ଟୋଲଫ୍ରି ନମ୍ବରର (+୧) ୟୁଏସ୍‌ଏ, କାନାଡା ଓ କିଛି କାରବିୟାନ ଦେଶର କଣ୍ଟ୍ରି କୋଡ୍‌ ହୋଇଥିବାବେଳେ ଉକ୍ତ ଦେଶର ଲୋକଙ୍କୁ ଠକମାନେ ଅଧିକ ଟାର୍ଗେଟ୍‌ କରୁଥିଲେ ବୋଲି ଜଣାପଡ଼ିଛି। ତେବେ ଏହି ଠକମାନେ ଅନ୍ୟ ଉପାୟରେ ମଧ୍ୟ ଠକୁଥିବା ଆଶଙ୍କା କରାଯାଉଛି। ଏପରିକି ନିକଟରେ ସିମ୍‌ବକ୍ସ ମାମଲାରେ ଗିରଫ ହୋଇଥିବା ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳଙ୍କ ସହ ଲିଙ୍କ୍‌ ଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି। ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି, ଜବତ ହୋଇଥିବା ବୈଷୟିକ ଉପକରଣକୁ ସାଇବର ବିଶେଷଜ୍ଞ ଦଳ ଯାଞ୍ଚ କରୁଛି। ତଦନ୍ତର ଅଗ୍ରଗତି ପରେ ଏନେଇ ବହୁତ କିଛି ଜଣାପଡ଼ିବ ବୋଲି ଡିସିପି ମିଶ୍ର କହିଛନ୍ତି। ତେବେ ଉକ୍ତ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡଙ୍କ କହିବା ଅନୁଯାୟୀ, ଅଭିଯୁକ୍ତମାନେ ଗଣେଶ ପୂଜା ପରେ ଏଠାରେ ରହିଥିଲେ। ଯୁବକମାନେ କୌଣସି ଲୋକଙ୍କ ସହ କଥାବର୍ତ୍ତା ହେଉ ନ ଥିଲେ। ଉକ୍ତ ଫ୍ଲାଟ୍‌ ସବୁବେଳେ ବନ୍ଦ ରହୁଥିଲା। ତେବେ ସେମାନେ ଅତ୍ୟାବଶ୍ୟକ ସାମଗ୍ରୀକୁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିବାବେଳେ କାର୍‌ରେ ଯାତାୟାତ କରୁଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?