ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର

 

‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ ଏହିପରି। ଥରେ ଜଣେ ଗୃହସ୍ଥଙ୍କ ଘରେ ଚୋରଟିଏ ପଶିଲା। ସେ ଚୋରି କରିବାକୁ ଉଦ୍ୟତ ହେଉଥିଲାବେଳେ ଘରର ପୁଅଟିଏ ତାକୁ କୌଶଳରେ ଧରିପକେଇ ଉଚ୍ଚସ୍ବରରେ ଡାକ ପକେଇଲା, ବାପା, ଆମଘରେ ଚୋର ପଶିଛି। ମୁଁ ତାକୁ କାବୁ କରିନେଇ କୁଣ୍ଢେଇ ଧରିଛି। ତୁମେ ଶୀଘ୍ର ରଶିଟିଏ ଆଣ, ତାକୁ ବାନ୍ଧି ପକେଇବା। ଅନ୍ୟଘରେ ଥିବା ବାପା ଉଚ୍ଚସ୍ବରରେ ଜବାବ ଦେଲେ, ତାକୁ ଭଲଭାବରେ ଜାବୁଡ଼ିଧରିଥା, ଯେମିତି ସେ ଖସିପାରିବନି। ମୁଁ ତାକୁ ଏମିତି ଧରିଛି ଯେ ସେ ମୋଟେ ହଲଚଲ ହୋଇପାରୁନି, ଖସିଯିବ କ’ଣ! ଠିକ୍‌ଅଛି, ତାକୁ ଏମିତି ଧରିଥା ଯେପରି ସେ ମୁହଁ ବୁଲେଇ ତୋ ପିଠିକି କାମୁଡି ପାରିବନି! ଅକଳିଆରେ ପଡ଼ିଯାଇ ଛାଟିପିଟି ହେଉଥିବା ଚୋରଟି ମୁକୁଳିବାକୁ କିଛି ଉପାୟ ନ ପାଇ ଅସହାୟ ହୋଇପଡ଼ୁଥିବା ବେଳେ ଗୃହସ୍ଥଙ୍କ କଥା ତା’କାନରେ ପଡ଼ିଲା । ଏବେ ତାକୁ ଉପାୟ ମିଳିଗଲା ଏବଂ କାଳବିଳମ୍ବ ନ କରି ତତ୍‌କ୍ଷଣାତ୍‌ ତା’ର ସମସ୍ତ ଶକ୍ତି ସଞ୍ଚୟକରି ପୁଅର ପିଠିକୁ ସେ ଏତେ ଜୋରରେ କାମୁଡି ଧରିଲା ଯେ ଯନ୍ତ୍ରଣାରେ ଚିତ୍କାର କରି ପୁଅଟି ତାକୁ ଛାଡି ତା’ପିଠି ଆଉଁସିବାକୁ ହାତ ବଢ଼େଇଲା। ସଙ୍ଗେସଙ୍ଗେ ଚୋରଟି ଯଥାଶୀଘ୍ର ଦ୍ରୁତଗତିରେ ଘରୁ ବାହାରି ଦୌଡ଼ି ପଳେଇଲା।
ଅନ୍ୟର କଥା ବା କାମରୁ ନିଜକୁ କିପରି ଉପକାର ମିଳେ ଏହି ବାର୍ତ୍ତାବହନ କରୁଥିବା ସମ୍ପୃକ୍ତ ସୂକ୍ତିଟି ଏବେ ଆମର ନିତିଦିନିଆ ଜୀବନକୁ ପ୍ରଭାବିତ କରୁଛି, ଯାହାର ଦୃଷ୍ଟାନ୍ତର ଅଭାବ ନାହିଁ । ନୂଆ ଚାକିରିଆଟିଏ ନିରୀହ ଭାବରେ ନିଜର କାମକୁ ଖୁବ୍‌ ଆଗ୍ରହର ସହିତ କରୁଥିବାବେଳେ ତା’କାମ ଦ୍ୱାରା ଉପକୃତ ହେଉଥିବା ଲୋକେ ଖୁସିରେ ଓ ବିନା ଯାଚଜ୍ଞାରେ ନିଜଆଡୁ ତାକୁ କିଛି ଉପଢ଼ୌକନ, ପୁରସ୍କାର, ଉପହାର, ଭେଟି ଏପରି କି ପାନଖଣ୍ଡେ ଦେଇ କୃତଜ୍ଞତା ପ୍ରକାଶ କରନ୍ତି। ଧୀରେ ଧୀରେ ଏସବୁ ତା’ର ଅଭ୍ୟାସରେ ପଡ଼ିଯାଇ ଦାବିରେ ପରିଣତ ହୋଇଯାଏ ଏବଂ ଯିଏ ତା’ର ଦାବିକୁ ପୂରଣ ନ କରେ ତା’ର କାମହୁଏନା। ଏହିପରି ଭାବରେ ଉତ୍କୋଚ, ଲାଞ୍ଚ ବା ଘୁସ୍‌ ସୃଷ୍ଟି ହୁଏ, ଯାହା ବଡ଼ବଡ଼ ଦୁର୍ନୀତି ପାଇଁ ପଥ ପ୍ରଶସ୍ତ କରିଦିଏ। ସାଧାରଣ ଲୋକମାନେ ହିଁ ନିଜର ସ୍ବାର୍ଥ ପାଇଁ ନୀତିକୁ ବୁଲେଇ ବଙ୍କେଇ ଦୁର୍ନୀତିରେ ପରିଣତ କରିବାକୁ ପ୍ରଶ୍ରୟ ଦିଅନ୍ତି। ସେହିପରି ଜଣେ ଲୋକଠାରୁ ସତକଥା ଜାଣିବା ପାଇଁ ତା’ ଆଗରେ ଜାଣିଶୁଣି କିଛି ମିଥ୍ୟା ତଥ୍ୟ ପ୍ରକାଶ କଲେ ପ୍ରତିବାଦସ୍ବରୂପ ହେଉ କି ସଂଶୋଧନ କରିବା ପାଇଁ ହେଉ ତା’ ମୁହଁରୁ ସତ କଥା ବାହାରିପଡ଼େ। ଦୁଇଜଣଙ୍କ ଭିତରେ କଳିଝଗଡ଼ା ଲାଗିଥିଲା ବେଳେ ଅତ୍ୟଧିକ ଉତ୍ତେଜନାବଶତଃ ଜଣେ ଅପରପକ୍ଷ ବିରୋଧରେ କି ପଦକ୍ଷେପ ନେବ ତାହା ପ୍ରକାଶ କରିଦିଏ। ଫଳରେ ସମ୍ପୃକ୍ତ ପକ୍ଷଟି ଚାଲାକ ହୋଇଯାଇ ତା’ର ପ୍ରତିକାର ପାଇଁ ବ୍ୟବସ୍ଥା କରେ। କେବେ କେବେ ସେବା ଶୁଶ୍ରୂଷା କରି ତ କେବେ ଅତି କୋମଳ ମଧୁର କଥା କହି କିମ୍ବା ନିଶା କି ମାଦକଦ୍ରବ୍ୟର ସାହାରା ନେଇ ଅସଲକଥା ଆଦାୟ କରିହୁଏ। କିଛି ଲୋକ ଅନ୍ୟ ଲୋକ ମନରେ ବିଶ୍ୱାସ ଜନ୍ମେଇ ଗୁପ୍ତ କଥା ଆଦାୟ କରି ନିଅନ୍ତି ତ କିଛି ଲୋକ ପରକୁ ଅତି ଆପଣାର କରିବା ପାଇଁ ଗୁମର କଥା ଖୋଲି କହିଦିଅନ୍ତି। ହନିଟ୍ରାପିଂ ଏହାର ଏକ ଉଦାହରଣ। ସମ୍ପ୍ରତି ଯେତେସବୁ ସାଇବର୍‌ ଅପରାଧ ଘଟୁଛି ତା’ର ମୂଳକାରଣ ଅନ୍ୟଠାରୁ ସଂଗୃହୀତ ସୂଚନା। ଯେନତେନପ୍ରକାରେଣ କୌଣସି ଲୋକଠାରୁ ତା’ର ବ୍ୟାଙ୍କ ବିବରଣୀ, ପାସ୍‌ ୱାର୍ଡ, ସିକ୍ରେଟ କୋଡ୍‌, କେୱାଇସି ଇତ୍ୟାଦି ହାସଲକରି ତାକୁ ସର୍ବସ୍ବାନ୍ତକରିବା କିମ୍ବା ତା’ର ଏଟିଏମ୍‌ ହ୍ୟାକିଂ କରିବା ଭଳି ଅପରାଧ ଆଜିକାଲି ବଢ଼ିବଢ଼ି ଚାଲିଛି। ଏହାର ଏକ କାରଣ ସାଧାରଣ ଲୋକଟିଏ ଅଜ୍ଞତାବଶତଃ ନିଜର ଗୁପ୍ତତଥ୍ୟ ଅନ୍ୟକୁ ପ୍ରଦାନ କରି ତାକୁ ଚାଲାକ କରିଦିଏ। ଆଉ କିଛିଲୋକ ନିଜ ଲୋକଙ୍କ ମାଧ୍ୟମରେ ଅନ୍ୟମାନଙ୍କର ବ୍ୟକ୍ତିଗତ ବିବରଣୀ ସଂଗ୍ରହକରି ପ୍ରଥମେ ସେମାନଙ୍କ ମନରେ ତାଙ୍କ ପ୍ରତି ଗଭୀର ବିଶ୍ୱାସ ଜନ୍ମାନ୍ତି ଏବଂ ତା’ପରେ ନିଜକୁ ଆତ୍ମଘୋଷିତ ବାବା କିମ୍ବା ଭଗବାନ୍‌ ବୋଲି ପରିଚୟ ସୃଷ୍ଟିକରି ସେମାନଙ୍କୁ ଠକି ଚାଲନ୍ତି। ତେଣୁ ଉଦ୍ଦେଶ୍ୟ ସାଧନ ପାଇଁ ଠକମାନେ ଯେତେସବୁ ଉପାୟ ଅବଲମ୍ବନ କରନ୍ତି ପ୍ରାୟ ଅଧିକାଂଶ କ୍ଷେତ୍ରରେ ଅନ୍ୟର ସହଯୋଗ ସେଥିରେ ସହାୟତା ଯୋଗାଏ ।
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri