ନୂଆଦିଲ୍ଲୀ, ୨୯।୧୦: ୪ଟି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଉତ୍ତରପ୍ରଦେଶ ଓ କର୍ନାଟକରେ ଅନେକ ଆସନ ଜିତିଛନ୍ତି। ଅନ୍ୟପଟେ, ମହାରାଷ୍ଟ୍ରରେ ବିରୋଧୀ ମହା ବିକାଶ ଆଘାଡ଼ି (MVA) ନାଗପୁର ଆସନକୁ ନିଜ ଦଖଲରେ ରଖିବାରେ ସଫଳ ହୋଇଛି। ନାଗପୁର ଡିଭିଜନ ସ୍ନାତକ ନିର୍ବାଚନମଣ୍ଡଳୀରେ କଂଗ୍ରେସ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛି। ଏହି ଅଞ୍ଚଳକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ଗଡ଼ ବୋଲି ବିବେଚନା କରାଯାଏ।
ଏମ୍ଭିଏ ସମର୍ଥିତ କଂଗ୍ରେସ ପ୍ରାର୍ଥୀ ଅଭିଜିତ ଗୋବିନ୍ଦରାଓ ୱଞ୍ଜାରୀ ଦୀର୍ଘ ସମୟ ଧରି ଚାଲିଥିବା ବାଲଟ ପେପର୍ ଗଣତି ପରେ ଭାଜପା ପ୍ରାର୍ଥୀ ସୁଧାକର କୋହଲେଙ୍କୁ ୩,୨୭୧ ଭୋଟରେ ପରାସ୍ତ କରିଛନ୍ତି। ଏମ୍ଭିଏରେ କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି (ଏସ୍ପି) ସାମିଲ ଅଛନ୍ତି। ଏହି ବିଜୟ ସହ କଂଗ୍ରେସ ୪ଟି ରାଜ୍ୟରେ ହୋଇଥିବା ବିଧାନ ପରିଷଦ ନିର୍ବାଚନରେ ନିଜ ଖାତା ଖୋଲିଛି।
ଗୋବିନ୍ଦରାଓ ୱଞ୍ଜାରୀ ଖବରଦାତାମାନଙ୍କୁ କହିଛନ୍ତି ଯେ, ନିର୍ବାଚନ ଜିତିବା ପାଇଁ ଭାଜପା ସବୁ ପ୍ରକାର ଉଦ୍ୟମ କରିଥିଲା, କିନ୍ତୁ ସଫଳ ହୋଇପାରିନଥିଲା। ୱଞ୍ଜାରୀ କହିଛନ୍ତି, ଭାଜପା ଏହି ନିର୍ବାଚନରେ ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲା। ଦଳର ବଡ଼ ବଡ଼ ନେତା ନାଗପୁରରେ ଉପସ୍ଥିତ ଥିଲେ। କିନ୍ତୁ ଭୋଟର ଆମ ସହ ଥିଲେ।
କର୍ନାଟକରେ ଏନଡିଏ ସମସ୍ତ ୪ଟି ଆସନ ଜିତିଛି। ଏହା କଂଗ୍ରେସ ସରକାର ପାଇଁ ଏକ ବଡ଼ ଝଟ୍କା ବୋଲି ମନେ କରାଯାଉଛି। ଭାଜପା ୩ଟି ଆସନ ଜିତିଛି। ଶଶୀଲ ଜି. ନମୋଶୀ ଉତ୍ତର-ପୂର୍ବ ଶିକ୍ଷକ ନିର୍ବାୁନମଣ୍ଡଳୀରୁ, ଏସ.ଭି. ସଙ୍କନୂର ପଶ୍ଚିମ ସ୍ନାତକ ନିର୍ବାଚନମଣ୍ଡଳୀରୁ ଏବଂ କେ.ଏମ. ସୁରେଶ ଦକ୍ଷିଣ-ପୂର୍ବ ସ୍ନାତକ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଛନ୍ତି।
ଏନଡିଏର ସହଯୋଗୀ ଜନତା ଦଳ (ସେକ୍ୟୁଲାର) ବା ଜେଡି(ଏସ) ଅବଶିଷ୍ଟ ଗୋଟିଏ ଆସନ ଜିତିଛି। ଏହି ଦଳର ପ୍ରାର୍ଥୀ ଏ.ପି. ରଙ୍ଗନାଥ ବେଙ୍ଗାଲୁରୁ ଶିକ୍ଷକ ନିର୍ବାଚନମଣ୍ଡଳୀରୁ ୯୦୮ ଭୋଟରେ ବିଜୟୀ ହୋଇଛନ୍ତି।
ବିହାରରେ ଭାଜପା ୨ଟି ଆସନ ଜିତିଛି। ନରେନ୍ଦ୍ର ସିଂହ ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀରୁ ଏବଂ ଏନ.କେ. ଯାଦବ କୋସି ସ୍ନାତକ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ଏହା ବ୍ୟତୀତ ଦରଭଙ୍ଗା ସ୍ନାତକ ନିର୍ବାଚନମଣ୍ଡଳୀରେ ମଧ୍ୟ ଭାଜପା ଆଗରେ ରହିଛି। ସେଠାରେ ଭୋଟ ଗଣତି ଜାରି ରହିଛି।
ଅନ୍ୟପଟେ, ଜେଡି(ୟୁ) ପ୍ରାର୍ଥୀ ନୀରଜ କୁମାର ପାଟନା ସ୍ନାତକ ଆସନରୁ ଏବଂ ଆରଜେଡି ପ୍ରାର୍ଥୀ ସଞ୍ଜୀବ କୁମାର ପାଟନା ଶିକ୍ଷକ ଆସନରୁ ବିଜୟୀ ହୋଇଛନ୍ତି। ଜନ ସୁରାଜ ପ୍ରାର୍ଥୀ ଏସ.ପି. ରାୟ ଦରଭଙ୍ଗା ଶିକ୍ଷକ ନିର୍ବାଚନମଣ୍ଡଳୀରୁ ବିଜୟ ହାସଲ କରିଛନ୍ତି।

