ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ):ଜାତୀୟ ବିପର୍ଯ୍ୟୟ ପରିଚାଳନା ଦିବସରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ମାତ୍ର ୧୨ ଘଣ୍ଟାର ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଅନେକ ଗ୍ରାମ ଜଳବନ୍ଦୀ ହୋଇଛି। ଘରେ ବନ୍ୟାଜଳ ପଶିବା ସହ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି। ଭଞ୍ଜନଗରରୁ ବ୍ରହ୍ମପୁର ଓ ଭୁବନେଶ୍ୱରକୁ ଯୋଗାଯୋଗ ବ୍ୟାହତ ହୋଇଛି। ଫସି ରହିଥିବା ଲୋକଙ୍କୁ ତୁରନ୍ତ ଓଡ୍ରାଫ ଟିମ ସହାୟତାରେ ଉଦ୍ଧାର କରାଯାଉଛି, ରିଲିଫ ଓ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଭଞ୍ଜନଗର ସହର ତଳିର ଅନେକ ପକ୍କା ଘର ପାଣିରେ ବୁଡ଼ିଯାଇଥିବା ବେଳେ ଲୋହରାଖଣ୍ଡି ନଦୀରେ ବନ୍ୟାଜଳ ବୃଦ୍ଧି ପରିସ୍ଥିତିକୁ ଜଟିଳ କରିଛି। ଭଞ୍ଜନଗର-ବ୍ରହ୍ମପୁର ରାସ୍ତାର ଦମକଳ କେନ୍ଦ୍ର ନିକଟରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି।
ସେହିପରି ଭଞ୍ଜନଗର-ଭୁବନେଶ୍ୱର ମୁଖ୍ୟ ରାସ୍ତାର ଜାମପଲ୍ଲୀ ମନ୍ଦିର ନିକଟରେ ଲୋହରାଖଣ୍ଡି ନଦୀଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ ହୋଇଯାଇଛି। ଅନ୍ୟପକ୍ଷରେ କଳିଙ୍ଗା ଘାଟି ରାସ୍ତା ମଧ୍ୟ ବନ୍ଦ ରହିଛି। ତେବେ ଭଞ୍ଜନଗର-ଦଶପଲ୍ଲା ରାସ୍ତାରେ ଯାନବାହନ ଚଳାଚଳ ସ୍ବାଭାବିକ ରହିଛି। କମାଳବାରି ତୋଟା ନିକଟରେ ବଡ଼ନଦୀର ଜଳସ୍ତର ବଢ଼ିଲେ ଏହି ରାସ୍ତା ମଧ୍ୟ ବନ୍ଦ ହେବାର ଆଶଙ୍କା ରହିଛି।

ସୂଚନା ଅନୁଯାୟୀ, ଡହ ଜଳଭଣ୍ଡାର ଅଞ୍ଚଳରେ ବୁଧବାର ସନ୍ଧ୍ୟାା ୬ଟାରୁ ଗୁରୁବାର ସକାଳ ୬ଟା ମଧ୍ୟରେ ୩୦୫ ମିଲିମିଟର ବର୍ଷା ହୋଇଥିବା ବେଳେ ସୋରଡ଼ା ଅଞ୍ଚଳରେ ୩୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଅଳ୍ପ ସମୟ ମଧ୍ୟରେ ଏତେ ପରିମାଣର ବର୍ଷା ହେବାରୁ ଲୋହରାଖଣ୍ଡି ଓ ବଡ଼ନଦୀର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଇଛି।
ବୁଧବାର ସନ୍ଧ୍ୟାରେ ଡହ ଜଳଭଣ୍ଡାରର ଜଳସ୍ତର ୭୧ ପ୍ରତିଶତ ଥିବା ବେଳେ ରାତି ୧୨ଟା ପରେ ଏହା ହଠାତ୍ ବଢ଼ିଥିଲା। ଗୁରୁବାର ଭୋର୍ ପ୍ରାୟ ୪ଟା ସମୟରେ ଜଳଭଣ୍ଡାର ପୂର୍ଣ୍ଣ ହୋଇଯିବାରୁ ଆଡ଼ିବନ୍ଧର ସୁରକ୍ଷା ଦୃଷ୍ଟିରୁ ଲୋହରାଖଣ୍ଡି ନଦୀକୁ ଜଳ ନିଷ୍କାସନ କରାଯାଇଥିଲା। ଫଳରେ ନଦୀର ଜଳସ୍ତର ବଢ଼ି ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି।
ଗୁରୁବାର ସକାଳୁ ଚଢ଼େୟାପଲ୍ଲୀ, ବାହାଡ଼ାପଦର, ବାଉଁଶଲୁଣ୍ଡି, ସାନକୋଦଣ୍ଡା, ଗମ୍ଭାରୀଗୋଚା, ଯୋଗୀମାରି, ଢୁଢୁଆ, କଇଠପଲ୍ଲୀ ଓ ଭଞ୍ଜନଗର ସହର ଉପକଣ୍ଠର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ଅନେକ ଘରେ ବନ୍ୟାଜଳ ପଶିଥିବା ବେଳେ ହଠାତ୍ ପାଣି ମାଡ଼ି ଆସିବାରୁ କେତେକ ସ୍ଥାନରେ ଚାଳଛପର ଘର ଭାଙ୍ଗିଯାଇଛି। ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ କେତେକ ପରିବାର ନିଜ ଉଦ୍ୟମରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଛୋଟ ପିଲାଙ୍କୁ ନେଇ ଅନେକ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି। ଗାଡ଼ି ଓ ଗୃହପାଳିତ ପଶୁ ବନ୍ୟାଜଳରେ ଭାସିଯାଇଥିବା ନେଇ ମଧ୍ୟ ଖବର ମିଳିଛି। ଖବର ପାଇ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପରିସ୍ଥିତି ଉପରେ ନଜର ରଖିବା ସହ ଧନଜୀବନର କ୍ଷୟକ୍ଷତି ରୋକିବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ ଓ ଭାଜପା ନେତା ବିଷ୍ଣୁ ପ୍ରସାଦ ପ୍ରଧାନ ପ୍ରମୁଖ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ବ୍ୟବସ୍ଥା କରିଛନ୍ତି। ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି।
ଭଞ୍ଜନଗର ଲୋହରାଖଣ୍ଡି ନଦୀରେ ଦୀର୍ଘଦିନ ଧରି ମାଡ଼ି ରହିଥିବା କାଶତଣ୍ଡୀ ଗଛ ଏବଂ ଲୋକେ ବିନା ନକ୍ସାରେ ମନ ଇଚ୍ଛା ଘର୍ କରିବା ଯୋଗୁଁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଫଳରେ ନଦୀର ଜଳ ଆଡ଼ିବନ୍ଧ ଡେଇଁ ତଳିଆ ଅଞ୍ଚଳକୁ ପ୍ରବେଶ କରିଛି।
ସୋରଡ଼ା ଅଞ୍ଚଳର ସ୍ଥିତି ମଧ୍ୟ ଜଟିଳ ରହିଛି। ଲଗାଣ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି।
ଭଞ୍ଜନଗର ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ ବୁଧବାର ସୋରଡ଼ା ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଗମନାଗମନ ବ୍ୟାହତ ହୋଇଥିବାରୁ ସେ ସେଠାରେ ଅଟକି ରହିଛନ୍ତି। ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର, ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା ଓ ଡହର ସହକାରୀ ନିର୍ବାହୀ ଯନ୍ତ୍ରୀ ପି. ଭେଙ୍କଟେଶ ପ୍ରମୁଖ ବନ୍ୟାଜଳ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଥିବା ଜଣାପଡ଼ିଛି।
୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜନସୁରକ୍ଷାର ଗୁରୁତ୍ୱ ସମସ୍ତେ ଅନୁଭବ କରିଥିଲେ। ଆଜି ପୁଣି ବିପର୍ଯ୍ୟୟ ପରିଚାଳନା ଦିବସରେ ଭଞ୍ଜନଗର ଉପଖଣ୍ଡରେ ବନ୍ୟା ବିପତ୍ତି ଦେଖା ଦେଇଛି। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ କାର୍ଯ୍ୟକ୍ରମ ଅଧିକାରୀ ବାବୁଲା ପ୍ରଧାନଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀମାନେ ଲୋକଙ୍କୁ ବନ୍ୟା ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ସହଯୋଗ କରୁଛନ୍ତି।
Dharitri – Odisha’s No.1 Odia Daily

