ସୁଧାର ଆଧାର ସଙ୍ଗୀତ ସୁଧାକର

ପ୍ରଫୁଲ୍ଲ କର

ପ୍ରାଣହୀନ ସଙ୍ଗୀତ ବୃକ୍ଷହୀନ ଟାଙ୍ଗରା ଭୂଇଁ ପରି। ପ୍ରାଣ ନ ଥିବା ସଙ୍ଗୀତ ପାଗଳର ପ୍ରଳାପ ପରି ବୋଧହୁଏ। ତେବେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସଙ୍ଗୀତର ବିଶେଷତ୍ୱ ହେଲା, ସଙ୍ଗୀତରେ ପ୍ରାଣ ସଞ୍ଚାର। ଈଶ୍ୱର ପ୍ରଦତ୍ତ କଣ୍ଠର ମାଧୁର୍ଯ୍ୟ, ଉପଯୁକ୍ତ ଭାବର ପ୍ରକାଶ, ଭାଷାର ଶୁଦ୍ଧ ଓ ସ୍ପଷ୍ଟ ଉଚ୍ଚାରଣ ପାଇଁ ଓଡ଼ିଶାର ପୁରପଲ୍ଲୀରେ ସେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଥିଲେ। ଗାଇବା ବେଳେ ଉପଯୁକ୍ତ ଶବ୍ଦ ବିନ୍ୟାସ ସହ ଭାବର ରଞ୍ଜକ ଏପରି ଭରିଦିଅନ୍ତି ଯେ, ତାହା ଯେକୌଣସି ଶ୍ରୋତାର ପ୍ରାଣକୁ ଛୁଇଁଯାଏ; ଯାହାର ଅଭାବ ଆଜିକାଲିର ଗାୟକମାନଙ୍କ ପାଖରେ ପରିଲକ୍ଷିତ ହୁଏ। ଖୋଲା ଗଳାରେ ସ୍ବର କରିବା ବେଳେ ସେ ଯେଭଳି ସ୍ପଷ୍ଟ ଭାବରେ ଓ ଓଜନ ଦେଇ ପରିବେଷଣ କରନ୍ତି, ତାହା ବିରଳ ମନେହୁଏ। ତାଙ୍କ କଣ୍ଠନିଃସୃତ ସଙ୍ଗୀତ ବିତିଲା ତ ଯାମିନୀ… ଓ ମୋହନ ହେ ମୋହନ… କେବଳ ଶ୍ରୋତାଙ୍କୁ ଚମତ୍କୃତ କରେନାହିଁ, ତାଙ୍କ ସଙ୍ଗୀତର ମହନୀୟତାକୁ ପ୍ରମାଣିତ କରିଦିଏ।
ସଙ୍ଗୀତର ପ୍ରତିଟି କ୍ଷେତ୍ରରେ ତାଙ୍କର ପ୍ରବେଶ ଥିଲା। ଚଳଚ୍ଚିତ୍ର, ଓଡ଼ିଶୀ ନୃତ୍ୟ, ନୃତ୍ୟନାଟିକା, ବେତାର, ଦୂରଦର୍ଶନରେ ଉଚ୍ଚକୋଟୀର ନିର୍ଦ୍ଦେଶନା ପାଇଁ ସଙ୍ଗୀତ ସୁଧାକର ଚିର ସ୍ମରଣୀୟ ହୋଇ ରହିବେ। ତାଙ୍କର ଆଉ ଏକ ବିଶେଷତ୍ୱ ହେଲା, ଗୀତର ସ୍ବର ସଂରଚନା ସମୟରେ ସେ ଓଡ଼ିଆ ପାରମ୍ପରିକ ଛାପ ଦେବାକୁ ଭଲ ପାଉଥିଲେ। ତେଣୁ ଶ୍ରୋତାମାନେ ସେଇ ଗୀତରେ ନିଜକୁ ମଜାଇ ରଖୁଥିଲେ। ପ୍ରଚ୍ଛଦପଟ ସଙ୍ଗୀତ ନିର୍ଦ୍ଦେଶନାରେ ବି ସେ ଥିଲେ ସିଦ୍ଧହସ୍ତ। ମୁଖ୍ୟତଃ ସଂଗୀତ ନିର୍ଦ୍ଦେଶନାରେ ଦୁଇଟି ଗୁରୁଦାୟିତ୍ୱ ନ୍ୟସ୍ତ ଥାଏ। ଗୋଟିଏ ହେଲା ସ୍ବର ସଂଯୋଜନା ଏବଂ ଅନ୍ୟଟି ସେଇ ଗୀତକୁ ଖାପ ଖୁଆଇବା ଭଳି ବାଦ୍ୟଯନ୍ତ୍ରରେ ସ୍ବର ସଂଯୋଜନା। ଏହା ବ୍ୟତୀତ ନାଟକ, ଗୀତିନାଟ୍ୟ, ଚଳଚ୍ଚିତ୍ରରେ ପ୍ରଚ୍ଛଦ ସଙ୍ଗୀତ କରିବାରେ ବାଳକୃଷ୍ଣ ସାର୍‌ ଥିଲେ ଧୁରନ୍ଧର। ପାରିପାର୍ଶ୍ୱିକ ସ୍ଥିତିକୁ ବିଚାରରେ ରଖି ଗୀତର ସ୍ବର ରଚନା କରିବାରେ ସେ ମାହିର ଥିଲେ।
ଗୋଟିଏ ଗୀତକୁ ଏକା ସ୍ବର ଓ ଏକ ତାଳରେ ଶହ ଶହ ଗାୟକ ଗାଇପାରନ୍ତି, କିନ୍ତୁ ଜଣେ ଜଣେ ଗାୟକଙ୍କ କଣ୍ଠରେ ସେ ଗୀତ ଶ୍ରୋତାଙ୍କ ପ୍ରାଣକୁ ଛୁଇଁଯାଏ। କାରଣ ସେ ଗାୟକ, ସେ ଗୀତରେ ପ୍ରାଣ ସଞ୍ଚାର କରିବାର ମନ୍ତ୍ର ଜାଣିଥାଏ। ଏହି ମନ୍ତ୍ରକୁ ଆମେ ସଙ୍ଗୀତ ଭାଷାରେ କହୁ ‘ଭାବ’। ସେମିତି ଭାବର ମନ୍ତ୍ର ଜାଣିଥିଲେ ସଙ୍ଗୀତ ସୁଧାକର। ସେଇଥିପାଇଁ ସେ ମଞ୍ଚରେ ଗାଇବା ବେଳେ ଶ୍ରୋତାମାନେ କେବଳ ମନ୍ତ୍ରମୁଗ୍ଧ ହୋଇଯାଉ ନ ଥିଲେ, ବରଂ ଅତି ଭୌତିକ ସ୍ତରକୁ ଚାଲିଯାଉଥିଲେ। ସେହିଭଳି ଓଡ଼ିଆ ଚଳଚ୍ଚିତ୍ର ଲକ୍ଷ୍ମୀ, ଅଦିନ ମେଘ, ଅମଡ଼ା ବାଟ, ଶ୍ରୀଲୋକନାଥ, ଶଙ୍ଖମହୁରି, ଅଭିନେତ୍ରୀ, ମାଣିକଯୋଡ଼ି, ଜୀବନସାଥୀ, ଭାଇଭାଉଜ, ମଥୁରା ବିଜୟ, ଜୟଦେବ ଆଦି ଚଳଚ୍ଚିତ୍ରରେ ବାଳକୃଷ୍ଣ ସାର୍‌ଙ୍କ ନିର୍ଦ୍ଦେଶିତ ସଙ୍ଗୀତ ଆଜି ବି ଅବିସ୍ମୃତ ହୋଇ ରହିଛି ଓ ରହିଥିବ ମଧ୍ୟ। ମୁଁ ବାଳକୃଷ୍ଣ ସାର୍‌ଙ୍କ ନିର୍ଦ୍ଦେଶିତ ‘ଭୁଜ ତଳେ ମୋତେ ରଖ ମହାବାହୁ…’ ଗାଇଥିବା ବେଳେ ଓଡ଼ିଆ ସଙ୍ଗୀତ ଜଗତକୁ ସେ ଏହିଭଳି ବହୁ କାଳଜୟୀ ସଙ୍ଗୀତ ଭେଟି ଦେଇଛନ୍ତି। ମୋ ସମେତ ରଘୁନାଥ ପାଣିଗ୍ରାହୀ, ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ମହମ୍ମଦ ସିକନ୍ଦର ଆଲାମ, ମାନ୍ନା ଦେ, ବାଣୀ ଜୟରାମ, ନିର୍ମଳା ମିଶ୍ର, ଆରତି ମୁଖାର୍ଜୀ, ସନ୍ଧ୍ୟା ମୁଖାର୍ଜୀ, ଶେଖର ଘୋଷ, ସୁଧା ମିଶ୍ରଙ୍କ ଭଳି ବହୁ ଦିଗ୍‌ଗଜ କଣ୍ଠଶିଳ୍ପୀଙ୍କ କଣ୍ଠରେ ଚିର ସବୁଜ ସଙ୍ଗୀତ ଭେଟି ଦେଇ ବିଦଗ୍ଧ ଓଡ଼ିଆଙ୍କ ହୃଦ ଆକାଶରେ ସେ ଚିରକାଳ ପ୍ରକାଶ ପାଉଛନ୍ତି, ପାଉଥିବେ।
ଜଣେ ସଙ୍ଗୀତକାର ଭାବେ ବାଳକୃଷ୍ଣ ସାର୍‌ଙ୍କ ଜୀବନଚର୍ଯ୍ୟା ବି ଥିଲା ପ୍ରାଣବନ୍ତ। ତାଙ୍କର ପୋଷାକ, ପରିଚ୍ଛେଦ, ଖାଇବା ପିଇବା, ଚାଲିର ଠାଣି, କଥାର ଭଙ୍ଗୀ ସବୁ ପ୍ରାଣବନ୍ତ ଥିଲା। ଗିଲକରା ଅଦିକନାର ପଞ୍ଜାବି ଏବଂ ମୁଣିଆ କୁଞ୍ଚକରା ଶାନ୍ତିପୁରୀ ଧୋତି ପିନ୍ଧିବାର ସଉକ ସେ ଶେଷ ନିଃଶ୍ୱାସ ନେବା ପର୍ଯ୍ୟନ୍ତ ଛାଡ଼ିପାରି ନ ଥିଲେ। ତାଙ୍କ ପାଖରୁ କ୍ରୋଧ ଯେପରି ବହୁ ଦୂରକୁ ଅପସରି ଯାଇଥିଲା। ପ୍ରେମ ହିଁ ଥିଲା ତାଙ୍କ ଜୀବନଚର୍ଯ୍ୟାର ପରିଭାଷା। ତାଙ୍କ ପରି ଜଣେ ସମ୍ପୂର୍ଣ୍ଣ କଳାମୟ ମହାପୁରୁଷ କେବେ ପୁଣି ଉତ୍କଳ ମାତାର କୋଳରେ ଜନ୍ମ ନେବେ, ସେ କଥା ଭାବିଲା ବେଳକୁ ଆଖି ପାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri