କାହାପାଇଁ ଅମୃତ ବେଳା

ଡ. ସନ୍ତୋଷ କୁମାର ମହାପାତ୍ର

ଗତ ଅଗଷ୍ଟ ୧୫ରେ ୭୬ତମ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଅମୃତବେଳା କଥା କହିଛନ୍ତି। ଗତବର୍ଷ ମଧ୍ୟ ସ୍ବାଧୀନତା ଦିବସରେ କହିଥିଲେ। ଚଳିତ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଧ୍ୟ ଏହି କଥା ଦୋହରାଇ ଥିଲେ। ଅମୃତବେଳା କହିଲେ ଶୁଭ ମୁହୂର୍ତ୍ତ। କିନ୍ତୁ ବର୍ତ୍ତମାନ କି ପ୍ରକାର ଶୁଭ ମୁହୂର୍ତ୍ତ ଓ କାହାପାଇଁ ଆସିଛି? ଆମ ମନରେ ସ୍ବତଃ ପ୍ରଶ୍ନ ଉଠେ କୋଟି କୋଟି ଗରିବ, ବାସହୀନ, କ୍ଷୁଧିତ, ଭିକାରି, ବେକାରି, ଅର୍ଥାଭାବରୁ ଶିକ୍ଷା, ସ୍ବାସ୍ଥ୍ୟ ତଥା ମୌଳିକ ସେବାରୁ ବଞ୍ଚତ୍ତ ଲୋକମାନେ; ଦୁରାରୋଗ୍ୟ ବ୍ୟାଧିରେ ଛଟପଟ ହୋଇ ମୃତ୍ୟୁକୁ ଅପେକ୍ଷା କରିରହିଥିବା ରୋଗୀମାନେ; ବାର୍ଦ୍ଧକ୍ୟ ଅବସ୍ଥାରେ ପିଲାଙ୍କ ଦ୍ୱାରା ଉପେକ୍ଷିତ ହୋଇ ଗଭୀର ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିବା ବୃଦ୍ଧା, ବୃଦ୍ଧମାନେ; ବଳାତ୍କାରର ଶିକାର ହୋଇଥିବା ବା ଯୌତୁକ ନିର୍ଯାତନାରେ ଝଟପଟ ହେଉଥିବା ମହିଳାମାନେ, ମହାମାରୀରେ ଅନେକ କିଛି ହରାଇଥିବା ପରିବାର ଓ ସର୍ବଦା ଅସୁରକ୍ଷିତ ମଣୁଥିବା ଲୋକମାନଙ୍କ ପାଇଁ କି ପ୍ରକାର ଅମୃତ ବେଳା ଆସିଛି। ଏକଥା ସରକାର କ’ଣ କେବେ ଚିନ୍ତା କରିଛନ୍ତି? ପେଟ ପୋଡ଼ିଗଲେ ସବୁ ଅନ୍ଧାର। ମଣିଷ ଖୁସିରେ ରହିଲେ ସିନା ମହୋତ୍ସବ ପାଳନ କରେ କିନ୍ତୁ ଦୁଃଖରେ ରହିଲେ କ’ଣ ପାଳନ କରିପାରିବ?
ଦୁଃଖର ବିଷୟ ହେଉଛି ସରକାର ସ୍ବାଧୀନତା ଦିବସ ପାଳନର ମୌଳିକ ଲକ୍ଷ୍ୟରୁ ଦୂରେଇ ଯାଉଛନ୍ତି। କେବଳ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି ବରଂ ସ୍ବାଧୀନତା ସହିତ ଲୋକଙ୍କର ଯେଉଁ ଭାବାବେଗ ଜଡିତ ରହିଛି ସେଥିରୁ ରାଜନୈତିକ ଫାଇଦା ନେବାପାଇଁ ଏହିପରି ମନଭୁଲାଣିଆ କଥା କହୁଛନ୍ତି। ପ୍ରଚାର ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରି ନିଜ ବିଫଳତା ଲୁଚାଇବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ସର୍ବାଧିକ ଭୋକିଲା, ଗରିବ, ବାସହୀନ ଓ ଆଧୁନିକ କ୍ରୀତଦାସ ଭାରତରେ ଅଛନ୍ତି । ବିଶ୍ବରେ ପ୍ରାୟ ୧୩୦ କୋଟି ଜନତା ବହୁମୁଖୀ ଦାରିଦ୍ର୍ୟ ଦ୍ୱାରା କବଳିତ ହୋଇଥିଲାବେଳେ, ଭାରତରେ ସେମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୭.୯ ପ୍ରତିଶତ। ନୀତିଆୟୋଗ ଅନୁସାରେ ଏହା ୨୫.୧ପ୍ରତିଶତ।
ବିଶ୍ୱର କ୍ଷୁଧା ସୂଚକାଙ୍କରେ ୧୧୬ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦୧, ଅର୍ଥାତ୍‌ ୧୦୦ଟି ଦେଶ ପଛରେ। କ୍ଷୁଧା ସ୍ତର ସାଙ୍ଘାତିକ। ପୁନଶ୍ଚ ସୁଷମ ଖାଦ୍ୟ ପାଇବାକୁ ଅସମର୍ଥ ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୦୧୯ରେ ୬୯.୪ପ୍ରତିଶତ ବା ୯୪.୮୬ କୋଟି ଭାରତୀୟ ସୁଷମ ଖାଦ୍ୟ ପାଇବାକୁ ଅସମର୍ଥ ଥିଲାବେଳେ ସେମାନଙ୍କ ସଂଖ୍ୟା ୨୦୨୦ରେ ୭୦.୫ପ୍ରତିଶତ ବା ୯୭.୩୩ କୋଟିକୁ ବୃଦ୍ଧି ପାଇଛି। ଭୋକିଲା ଲୋକଙ୍କ ସଂଖ୍ୟା ୨୦୧୯-୨୦ରେ ୨୨.୪ କୋଟିରେ ପହଞ୍ଚତ୍ଛି। ୨୦୧୧ଜନଗଣନା ଅନୁଯାୟୀ ଭାରତରେ ପ୍ରାୟ ୧.୭୭ ନିୟୁତ ବାସହୀନ ଅଛନ୍ତି, ସେଥିମଧ୍ୟରୁ ପ୍ରାୟ ୫୨ପ୍ରତିଶତ ଦେଶର ସହରାଞ୍ଚଳରେ ବାସ କରନ୍ତି। ଭାରତରେ ବିଶ୍ୱରେ ସର୍ବାଧିକ ଆଧୁନିକ କ୍ରୀତଦାସ ଅଛନ୍ତି, ଯାହାର ସଂଖ୍ୟା ୧.୪ କୋଟିରୁ ୧.୮ କୋଟି ହେବ। ନେଦରଲାଣ୍ଡର ଜନସଂଖ୍ୟା ଅପେକ୍ଷା ଭାରତରେ ଆଧୁନିକ କ୍ରୀତଦାସ ଅଧିକ।
ବାସ୍ତବରେ ଧନୀ, କର୍ପୋରେଟ ଓ କ୍ଷମତାଶାଳୀଙ୍କ ପାଇଁ ଅମୃତ ବେଳା ଆସିଛି ଏବଂ ଦେଶ ସ୍ବାଧୀନତାର ମୁଖ୍ୟ ଲକ୍ଷ୍ୟଠାରୁ ଦେଶ ଦୂରେଇ ଯାଉଛି । କୌଣସି ରାଷ୍ଟ୍ର ବା ଦେଶ କେବଳ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର କଥା ଚିନ୍ତା କରେନା ବରଂ ସବୁ ଶ୍ରେଣୀର ଜନତାଙ୍କ ହିତ ଚିନ୍ତାକରିବା ଉଚିତ। ଜାତିର ଜନକ ମହାତ୍ମା ଗାନ୍ଧୀ ଥରେ କହିଥିଲେ, ଜଣେ କୌଣସି ସିଦ୍ଧାନ୍ତ ବା ପଦକ୍ଷେପ ନେବା ପୂର୍ବରୁ ତାହାଦ୍ୱାରା ସମାଜର ସବୁଠାରୁ ଦୁର୍ବଳ ଶ୍ରେଣୀର ଲୋକଙ୍କର କେତେ ଉପକାର ହେବ ତାହା ଭାବିବା ଉଚିତ । କିନ୍ତୁ ସରକାର ମୁହଁରେ ଗରିବ, ଅବହେଳିତ କଥା କହିଲା ବେଳେ, କାର୍ଯ୍ୟରେ ଧନୀ, ପୁଞ୍ଜିପତି, ଶିଳ୍ପପତିଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି। ଏପରିକି ଧନିକ ଶ୍ରେଣୀ, ଶିଳ୍ପପତି ସରକାରଙ୍କ ବିଭିନ୍ନ ସିଦ୍ଧାନ୍ତରେ ହସ୍ତକ୍ଷେପ କରି ନିଜ ସପକ୍ଷରେ ଆଇନ ପ୍ରଣୟନ କରିବାରେ ସକ୍ଷମ ହେଉଛନ୍ତି। ଧନୀ ଓ ଗରିବ ମଧ୍ୟରେ ବୈଷମ୍ୟ ବୃଦ୍ଧିପାଇଲା ବେଳେ ଗରିବର ସ୍ବର ଆହୁରି କ୍ଷୀଣ, ନିଷ୍ପ୍ରଭ ହେଉଛି।
ଅକ୍ସଫାମ୍‌ ରିପୋର୍ଟ ୨୦୨୨ ଅନୁଯାୟୀ, କୋଭିଡ୍‌ -୧୯ ସଙ୍କଟ ସମୟରେ ଯେତେବେଳେ ଶବଦାହ ପାଇଁ ଲୋକେ ଧାଡ଼ି ବାନ୍ଧିଥିଲେ, ଶ୍ମଶାନ ଧୂଆଁ ଆକାଶକୁ ଆଚ୍ଛାଦିତ କରିଥିଲା, ୮୪ପ୍ରତିଶତ ପରିବାରଙ୍କ ଆୟ ହ୍ରାସ ପାଇଥିଲା ଏବଂ ୪.୬ କୋଟି ଲୋକ ଦାରିଦ୍ର୍ୟର ଗହ୍ବରକୁ ଠେଲି ହୋଇଯାଇଥିଲେ, ସେତେବେଳେ ଭାରତରେ ବିଲିୟନେୟାରଙ୍କ ସଂଖ୍ୟା ୪୦ ବୃଦ୍ଧିପାଇ ୧୪୨ରେ ପହଞ୍ଚତ୍ଛି ଏବଂ ସେମାନଙ୍କ ସମ୍ପଦ ୨୩. ୧୪ ଲକ୍ଷ କୋଟି ଟଙ୍କାରୁ ଦୁଇଗୁଣିତ ହୋଇ ୫୩. ୧୪ ଲକ୍ଷ କୋଟି ଟଙ୍କା ବା ୭୧୯ ବିଲିୟନ ଡଲାରରୁ ଅଧିକ ହୋଇଥିଲା, ଯାହା ଦେଶର ୪୦ପ୍ରତିଶତ ଜନତାଙ୍କ ସମ୍ପଦଠାରୁ ଅଧିକ। କ୍ରେଡିଟ୍‌ ସୁଇସର ୧୨ତମ ସମ୍ପଦ ରିପୋର୍ଟ ଅନୁସାରେ ଦେଶର ୧ପ୍ରତିଶତ ଧନିକ ଶ୍ରେଣୀଙ୍କ ହାତରେ ଦେଶର ମୋଟ ସମ୍ପଦର ୩୩ ପ୍ରତିଶତ ଥିବା ବେଳେ ୧୦ ପ୍ରତିଶତଙ୍କ ହାତରେ ଦେଶର ମୋଟ ସମ୍ପଦର ୬୪.୬ ପ୍ରତିଶତ ଥିବା ଜଣାପଡ଼ିଛି। ଅନ୍ୟପଟେ ଦେଶର ଅର୍ଦ୍ଧେକ ବ୍ୟକ୍ତିଙ୍କ ହାତରେ ମୋଟ ଜାତୀୟ ସମ୍ପଦର ମାତ୍ର ୫.୯ପ୍ରତିଶତ ରହିଥିବା ଜଣାପଡ଼ିଛି।
ଏସବୁ ସମ୍ଭବ କାରଣ ହେଲା ଧନିକ ଶ୍ରେଣୀଙ୍କ ସ୍ବାର୍ଥ କିପରି ସାଧନ ହେବ ସେହି ଅନୁସାରେ ଦେଶର ଓ ବିଶ୍ୱର ଆର୍ଥିକ ବ୍ୟବସ୍ଥା ହୋଇଛି ଏବଂ ନୀତି କାର୍ଯ୍ୟକାରୀ କରାଯାଉଛି। ଧନିକ ଶ୍ରେଣୀ ତାଙ୍କର କଳାଟଙ୍କା ବିଦେଶରେ ଟିକସ ଭୂସ୍ବର୍ଗରେ ରଖି ଟିକସ ଫାଙ୍କୁଛନ୍ତି। ବ୍ୟାଙ୍କ ଜାଲିଆତି, ଋଣ ରାଇଟ ଅଫ, ଟିକସ ରିହାତି ମାଧ୍ୟମରେ କୋଟି କୋଟି ଟଙ୍କା ହରିଲୁଟ କରି ନିଜ ସମ୍ପଦରେ ଯୋଗ କରୁଛନ୍ତି। ସୁଧ ହାର ହ୍ରାସ, କର୍ପୋରେଟ ଟିକସ ହାର ହ୍ରାସ ବା ଅତ୍ୟଧିକ କମ୍‌ ରହିବା ଯୋଗୁ ସେମାନେ ସମ୍ପଦ ଠୁଳ କରି ଚାଲିଛନ୍ତି। ୨୦୨୧-୨୨ରେ ଭାରତରେ କର୍ପୋରେଟମାନଙ୍କ ଲାଭ ବୃଦ୍ଧିପାଇ ଜିଡିପିର ୪.୩ପ୍ରତିଶତ ହୋଇଛି, ଯାହା ଗତ ୧୧ ବର୍ଷରେ ସର୍ବାଧିକ। ଅପରପକ୍ଷରେ ଗରିବଙ୍କୁ ବାଧୁଥିବା ଖାଦ୍ୟସାମଗ୍ରୀ, ବୀମା ପ୍ରିମିୟମ, ତୈଳ ଦ୍ରବ୍ୟ ଉପରେ ଅହେତୁକ ଟିକସ ଧାର୍ଯ୍ୟ କରୁଛନ୍ତି। ଦରଦାମ ଆଜି ନିୟନ୍ତ୍ରଣ ବାହାରେ।
ପୁନଶ୍ଚ ପ୍ରଧାନମନ୍ତ୍ରୀ ଯେତେବେଳେ ନାରୀଶକ୍ତି କଥା କହୁଛନ୍ତି, ସେତେବେଳେ ଗଣବଳାତ୍କାର ଓ ହତ୍ୟା ଦୋଷରେ ଅଭିଯୁକ୍ତ ୧୧ ଜଣଙ୍କୁ ଗୁଜରାଟ ସରକାର ମୁକ୍ତ କରିଦେଇଛନ୍ତି। ଅର୍ଥାତ୍‌ ଦୁର୍ନୀତିଗ୍ରସ୍ତ ଓ ଅପରାଧୀଙ୍କ ପାଇଁ କ’ଣ ଅମୃତ ବେଳ ଆସିଛି ବୋଲି ଭାବିବାକୁ ପଡ଼ିବ। ବର୍ତ୍ତମାନ ଭାରତୀୟ ଗଣତନ୍ତ୍ରକୁ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର କୁହାଯାଉଛି ଏବଂ ଗଣମାଧ୍ୟମର ସ୍ବାଧୀନତା ବିପନ୍ନ ହେଉଛି, ଯାହା ଶୁଭ ସୂଚନା ପ୍ରଦାନ କରୁନି। ବାସ୍ତବରେ ବର୍ତ୍ତମାନ ଯେଉଁ ଅମୃତବେଳା କଥା କୁହାଯାଉଛି ତାହା ଏକ ଭ୍ରମ।
ମୋ:୯୪୩୭୨୦୮୭୬୨
skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?