ବିନାଶର ଅବଗଣନା

ଓଡ଼ିଶାକୁ ଏକ ବିକଶିତ ରାଜ୍ୟ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। କିନ୍ତୁ ବିକାଶର ସଂଜ୍ଞା ଯଦି ବାଚନିକ ବା ଦାପ୍ତରିକ କଳ୍ପିତ ତଥ୍ୟଭିତ୍ତିକ ହୁଏ ତେବେ ବାଡ଼ି ବାଇଗଣ ପୋଥି ବାଇଗଣ ମଧ୍ୟରେ ଥିବା ବୈଷମ୍ୟ ରାଜ୍ୟର ପ୍ରଗତି ବା ବିକାଶରେ ପରିଦୃଷ୍ଟ ହେବା ସ୍ବାଭାବିକ। ଘରର ସ୍ଥାୟିତ୍ୱ ଦୀର୍ଘ ହେବା ପାଇଁ ମଜଭୁତ ମୂଳଦୁଆ ନିର୍ମାଣର ଆବଶ୍ୟକତା ପରି ସୁସ୍ଥ ଦୃଢ଼ ଓ ବିକଶିତ ସମାଜ ଗଠନରେ ଶିକ୍ଷାର ଗୁରୁତ୍ୱ ରହିଛି। ଶିକ୍ଷାର ବିକାଶରେ ଶୈକ୍ଷିକ ପରିବେଶ ସହ ଦକ୍ଷ ଶିକ୍ଷକଙ୍କର ଭୂମିକା ଥାଏ। କିନ୍ତୁ ବିଧାନସଭାରେ ସରକାର ଆସର (ଆନୁଆଲ ଷ୍ଟାଟସ ଅଫ୍‌ ଏଜୁକେସନ ରିପୋର୍ଟ) ଅନୁଯାୟୀ ସ୍ବୀକାର କରିଛନ୍ତି ଯେ ୨୦୧୪ ମସିହାରେ ଅଷ୍ଟମ ଶ୍ରେଣୀରେ ୬୩.୪ ଶତାଂଶ ଛାତ୍ରୀଛାତ୍ରଙ୍କୁ ଫେଡାଣ ଆସୁ ନ ଥିଲା ବେଳେ ୩୭.୯ ଶତାଂଶ ଛାତ୍ରୀଛାତ୍ର ହରଣ ଜାଣି ନ ଥିଲେ। ଏବେ ତାହା ଯଥାକ୍ରମେ ୬୯.୫ ଓ ୪୮.୮ ଶତାଂଶ ହୋଇଯାଇଛି। ସେହି ରିପୋର୍ଟ ଅନୁଯାୟୀ ମାତ୍ର ୬ ଓ ୧୧ ଶତାଂଶ ଛାତ୍ରୀଛାତ୍ର ଯଥାକ୍ରମେ ଫେଡାଣ ଓ ହରଣ ସମାଧାନ କରିପାରୁଛନ୍ତି। ଏହି ଅବକ୍ଷୟମୁଖୀ ପରିସଂଖ୍ୟାନ ଦୁଇଟି ସାଂଘାତିକ ସତ୍ୟ ସ୍ପଷ୍ଟ କରୁଛି। ୨୦୧୪ରୁ କ୍ରମାଗତ ଭାବରେ ୯୦ ଶତାଂଶରୁ ଅଧିକ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ ୨୦୧୪ ରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଏଭଳି ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅନେକେ ସ୍ନାତକ ବା ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି। ତନ୍ମଧ୍ୟରୁ କେତେଜଣ ମଧ୍ୟ ନିକଟ ଅତୀତରେ ନିଯୁକ୍ତି ପାଇଥିବା ପଚିଶ ହଜାରରୁ ଅଧିକ ଶିକ୍ଷୟିତ୍ରୀ ଶିକ୍ଷକ ଓ ଅନ୍ୟାନ୍ୟ ସରକାରୀ ପଦବୀରେ ନିଶ୍ଚିତ ନିଯୁକ୍ତି ପାଇଥିବେ। ସେମାନଙ୍କ ଦ୍ବାରା ଶିକ୍ଷା ବିଭାଗ ଓ ସରକାରୀ ସେବା କେତେ ସୁଦୃଢ଼ ହେଉଛି ବା ହେବ ତାହା ବେଶ୍‌ ଅନୁମେୟ। ଛାତ୍ରୀଛାତ୍ରମାନଙ୍କ ପାଇଁ ଖାଦ୍ୟ ପୋଷାକ ପୁସ୍ତକ ଆଦିର ମାଗଣା ଯୋଜନା ସତ୍ତ୍ୱେ ଶିକ୍ଷା ବିଭାଗ ନିଜ ଲକ୍ଷ୍ୟ ପୂରଣରେ ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଛି। ୨୦୧୪ରୁ ଏଯାବତ୍‌ ବିଦ୍ୟାଳୟ ଗୃହ ଓ ଶ୍ରେଣୀକକ୍ଷ ନବକଳେବରରେ ଅନେକ ହଜାର କୋଟି ଟଙ୍କା ବ୍ୟୟ ହୋଇଛି। ସ୍ମାର୍ଟ ସ୍କୁଲର ଡିଣ୍ଡିମ ବାଜିଛି। କିନ୍ତୁ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରୁ ଅନେକଙ୍କର ନିଶ୍ଚିତ ଦକ୍ଷତା ଅଭାବରୁ ସଫଳତା ଭୟଙ୍କର ଭାବରେ ନିମ୍ନଗାମୀ ହୋଇଛି। ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଏବଂ ଦେୟମୁକ୍ତ ଦୂରଭାଷ ସଂଖ୍ୟା ଜାରି ମଧ୍ୟ ଏହି ଅସଫଳତା ପାଇଁ କେତେକାଂଶରେ ଦାୟୀ। ଏବେବି ୧୨୪୮୪ ପ୍ରଧାନ ଶିକ୍ଷକ ପଦବୀ ସହ ୧୬୦୦୦ରୁ ଅଧିକ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ପଦବୀ ଖାଲିପଡ଼ିଛି। ପ୍ରତ୍ୟେକ ମାଧ୍ୟମିକ ଓ ନୋଡାଲ ସ୍କୁଲରେ ହଜାର ସଂଖ୍ୟକ କମ୍ପ୍ୟୁଟର ଥିଲେ ମଧ୍ୟ ଶିକ୍ଷକ ଅଭାବରୁ ତାହା ଉପଯୋଗୀ ହୋଇ ନ ପାରି ନଷ୍ଟ ହେଉଛି। ଏହାର ସମାଧାନ ପରିବର୍ତ୍ତେ ମଧ୍ୟାହ୍ନ ଭୋଜନରେ ନବମ ଓ ଦଶମ ଶ୍ରେଣୀକୁ ସାମିଲ ପାଇଁ ସରକାର ଘୋଷଣା କରିଛନ୍ତି ଏବଂ ସମସ୍ତ ୭୬୯୪ ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି।
ମାଟ୍ରିକ ଓ ଯୁକ୍ତ୨ରେ ପାସ୍‌ ହାର ବୃଦ୍ଧି ଯୋଗୁ ପ୍ରତ୍ୟେକ ସରକାରୀ ଯୁକ୍ତ୨ ଓ ଯୁକ୍ତ ୩ ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ାଇବା ସହ ଯୁକ୍ତ ୨ ଓ ଯୁକ୍ତ ୩କୁ ପୃଥକ କରାଯାଇଛି । ମାତ୍ର ତଦନୁଯାୟୀ ଅଧ୍ୟାପକ ନ ଥିବାରୁ ଉତ୍ତରଦାୟିତ୍ୱ ନ ଥିବା ଅତିଥି ଅଧ୍ୟାପକରେ ଶିକ୍ଷାଦାନ ଏବଂ ଯଥେଷ୍ଟ ବିଜ୍ଞାନାଗାର ନ ଥିବା ସତ୍ତ୍ୱେ ପରୀକ୍ଷାରେ ସଫଳତା ଧର୍ମକୁ ଆଖିଠାରର ତଥ୍ୟ ନିଶ୍ଚିତ ସରକାର ଜାଣିଛନ୍ତି। ୨୦୦୦ ପରେ ସରକାର ୨୨ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ଦେଇ ସେଠାରେ ସ୍ନାତକ, ସ୍ନାତକୋତ୍ତର ଓ ବୈଷୟିକ ପାଠ୍ୟକ୍ରମ ଚଳାଇଛନ୍ତି। ଆବଶ୍ୟକ ଅଧ୍ୟାପକ ନ ଥିବାବେଳେ ସେହି ମହାବିଦ୍ୟାଳୟର ୯୫ ଶତାଂଶରୁ ଅଧିକ ଛାତ୍ରୀଛାତ୍ର କିନ୍ତୁ ଉତ୍ତୀର୍ଣ୍ଣ ହୋଇ ଚାଲିଛନ୍ତି। ପୂର୍ବରୁ ସେହି ମହାବିଦ୍ୟାଳୟର ପରୀକ୍ଷା ବିଶ୍ୱବିଦ୍ୟାଳୟ ଦ୍ବାରା ପରିଚାଳିତ ହେଉଥିଲା ବେଳେ ସର୍ବାଧିକ ୭୦ ଶତାଂଶ ପରୀକ୍ଷାର୍ଥୀ କୃତିତ୍ୱ ହାସଲ କରୁଥିଲେ।
୨୦୦୦ରେ ରାଜ୍ୟରେ ଥିବା ୬ଟି ବିଶ୍ବବିଦ୍ୟାଳୟରୁ ୩ଟି ଶିକ୍ଷା ବିଶ୍ୱବିଦ୍ୟାଳୟ ଥିଲା। ଏବେ ତା’ର ସଂଖ୍ୟା ୧୭ ହୋଇଛି। ମାତ୍ର ସେଠାରେ ମଞ୍ଜୁରିପ୍ରାପ୍ତ ୨୦୦୩ ଅଧ୍ୟାପକ ପଦବୀରୁ ୧୩୦୭ ଅର୍ଥାତ୍‌ ୬୫ ଶତାଂଶ ଏଂ ମଞ୍ଜୁରିପ୍ରାପ୍ତ ୨୬୯୨ ଅଣଶିକ୍ଷକ ପଦବୀରୁ ୧୯୧୦ ଅର୍ଥାତ୍‌ ୭୧ ଶତାଂଶ ପଦବୀ ଖାଲିପଡ଼ିଛି। ଅବସ୍ଥା ଏପରି ହୋଇଛି ଯେ ଖଲ୍ଲିକୋଟ ଏକକ, ଧରଣୀଧର, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ପଦବୀ ସହ ପାଞ୍ଚଟି କୁଳପତି ପଦବୀ ମଧ୍ୟ ଖାଲିପଡ଼ିଛି। ଏହାକୁ ମଧ୍ୟ ସରକାର ସ୍ବୀକାର କରିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ ସଂସ୍କୃତି ବିଶ୍ବବିଦ୍ୟାଳୟର ଅବସ୍ଥା ମଧ୍ୟ ତତୋଧିକ। ଏତଦ୍‌ବ୍ୟତୀତ ୭ଟି ବୈଷୟିକ ବିଶ୍ୱବିଦ୍ୟାଳୟର ମଧ୍ୟ ସେହି ଅବସ୍ଥା। ତଥାପି ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର ୯୦ ଶତାଂଶରୁ ଅଧିକ ହେଉଥିବାରୁ ସେମାନଙ୍କର ଦକ୍ଷତା କେବଳ ପ୍ରମାଣପତ୍ରରେ ସୀମିତ ରହୁଛି। ଫଳତଃ ରାଜ୍ୟରେ ଡିଗ୍ରୀଧାରୀ ମୂର୍ଖ ହିଁ ସୃଷ୍ଟି ହେଉଛନ୍ତି।
ରାଜ୍ୟରେ ୨୦୦୦ ମସିହାରେ ୩ଟି ଭେଷଜ ମହାବିଦ୍ୟାଳୟ ଥିଲା। ଏବେ ଏମ୍‌ସ ବ୍ୟତୀତ ୯ଟି ସରକାରୀ ଭେଷଜ ମହାବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିବା ବେଳେ ତାଳଚେର ଓ ଫୁଲବାଣୀରେ ନୂତନ ଭେଷଜ ମହାବିଦ୍ୟାଳୟ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ ବୋଲି ସରକାରୀ ସୂଚନା ରହିଛି। ଏତଦ୍‌ବ୍ୟତୀତ ୮୫୦ ଛାତ୍ରୀଛାତ୍ରଙ୍କ ପାଇଁ ସୁଯୋଗ ଥିବା ୫ଟି ବେସରକାରୀ ଭେଷଜ ମହାବିଦ୍ୟାଳୟ ମଧ୍ୟ କାର୍ଯ୍ୟକ୍ଷମ ଅଛି। କିନ୍ତୁ ସମସ୍ତ ନୂତନ ଭେଷଜ ମହାବିଦ୍ୟାଳୟ କେବଳ କୋଠା ନିର୍ମାଣରେ ସୀମିତ ରହିଛି। ଶିକ୍ଷାଦାନ ପାଇଁ ଆବଶ୍ୟକ ଅଧ୍ୟାପକ ନିଯୁକ୍ତି ହୋଇ ନ ଥିବାବେଳେ ନିଜସ୍ବ ଚିକିତ୍ସାଳୟ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟକୁ ମହାବିଦ୍ୟାଳୟ ସହ ସଂଲଗ୍ନ କରାଯାଇଛି। କିନ୍ତୁ ରୋଗୀ ଚିକିତ୍ସାରେ ଆବଶ୍ୟକ ସରଞ୍ଜାମ ଓ ଆନୁଷଙ୍ଗିକ ଯନ୍ତ୍ରପାତି କିଣା ହୋଇଥିଲେ ବି ତାହା ଗୋଦାମରେ ପଡିରହିଛି। ତାକୁ ଜଗିବା ପାଇଁ ଏବଂ ଛାତ୍ରୀଛାତ୍ରଙ୍କୁ ଜିଲା ଚିକିତ୍ସାଳୟକୁ ନେବାପାଇଁ ପରିବହନଜନିତ ଅନେକ ଅର୍ଥ ବ୍ୟୟ ହୋଇଚାଲିଛି ।
ବେସରକାରୀ ଭେଷଜ ମହାବିଦ୍ୟାଳୟର ନିଜସ୍ବ ଚିକିତ୍ସାଳୟ ଥିଲେ ମଧ୍ୟ ଆବଶ୍ୟକ ଅଧ୍ୟାପକ ଅଛନ୍ତି କି ନାହାନ୍ତି ତା’ର ତର୍ଜମା କରାଯାଉନାହିଁ। ଏହା ସତ୍ୟ ଯେ ସେମାନେ ଚିକିତ୍ସାଳୟ ମାଧ୍ୟମରେ ରାଜ୍ୟ ସରକାରଙ୍କଠାରୁ ଶହଶହ କୋଟି ଅର୍ଥ ସ୍ବାସ୍ଥ୍ୟକାର୍ଡ ମାଧ୍ୟମରେ ନେଉଥିବା ବେଳେ ଛାତ୍ରୀଛାତ୍ରଙ୍କଠାରୁ ଶତାଧିକ କୋଟି ଟଙ୍କା ନେଉଛନ୍ତି। କେବଳ କୋଠାବାଡ଼ି ନିର୍ମାଣ କରି ସରକାର ଭେଷଜ ମହାବିଦ୍ୟାଳୟ ଖୋଲିବା ପୂର୍ବରୁ ରାଜ୍ୟରେ ଶିକ୍ଷାଦାନ ପାଇଁ ଉପଯୁକ୍ତ ଅଧ୍ୟାପକ ଅଛନ୍ତି କି ନାହାନ୍ତି ଜାଣିବା ଦରକାର ଥିଲା। ଏଇ ବ୍ୟବସ୍ଥା ଲାଗିରହିଲେ ଏପରି ମହାବିଦ୍ୟାଳୟର ଡାକ୍ତରୀ ଡିଗ୍ରୀ ମୂଲ୍ୟହୀନ ଓ ଚିକିତ୍ସା ଅଭିଶାପ ହୋଇଯିବ ।
ଶିକ୍ଷା ଓ ସ୍ବାସ୍ଥ୍ୟସେବା ହେଉଛି ନାଗରିକର ମୌଳିକ ଆବଶ୍ୟକତା। ତାହାକୁ ଅଣଦେଖା କଲେ ଫଳ ବିଷମୟ ହେବା ନିଶ୍ଚିତ। ତେଣୁ ପ୍ରଥମେ ଏହି ଦୁଇଟି ସମସ୍ୟାର ସମାଧାନ କରାଯାଉ। ଅଯୋଗ୍ୟ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇ ବିଭାଗୀୟ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଉ। ଯୁଦ୍ଧକାଳୀନ ଭିତ୍ତିରେ ଏବଂ ଆବଶ୍ୟକ ସ୍ଥଳେ ଭେଷଜ ମହାବିଦ୍ୟାଳୟର ଅଧ୍ୟାପକ ରାଜ୍ୟ ବାହାରୁ ନିଯୁକ୍ତି କରାଯାଇ ଚିକିତ୍ସାଳୟକୁ କାର୍ଯ୍ୟକ୍ଷମ କରାଯାଉ। ନତୁବା ରାଜ୍ୟ ବିକାଶର ପାହାଚ ଅତିକ୍ରମ ପରିବର୍ତ୍ତେ ବିନାଶ ଅବଗଣନାର ସମ୍ମୁଖୀନ ହେବା ନିଶ୍ଚିତ।

ହରିଶଙ୍କର ମିଶ୍ର
୧୧୩- ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୭୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?