ଜିତେଇଦେଲେ ଚନ୍ଦ୍ର ବୁଲେଇନେବି

ଇଂ. ଶକ୍ତି ପ୍ରସାଦ ଦାସ

ନିକଟରେ ତାମିଲନାଡ଼ୁର ଦକ୍ଷିଣ-ମଦୁରାଇ ନିର୍ବାଚନମଣ୍ଡଳୀରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଜିତିଲେ ଭୋଟରଙ୍କୁ ମାଗଣାରେ ଚନ୍ଦ୍ର ବୁଲାଇ ନେବାର ପ୍ରତିଶ୍ରୁତି ଦେଇଛନ୍ତି। ଘର ପିଛା ଗୋଟିଏ ମିନି ହେଲିକପ୍ଟର, ବାର୍ଷିକ ୧ କୋଟି ଟଙ୍କାର ଜମା, ବିବାହ ପାଇଁ ସୁନା ଅଳଙ୍କାର, ତିନି ମହଲା ଘର ଇତ୍ୟାଦି ଇତ୍ୟାଦି। ନାମାଙ୍କନପତ୍ର ଦାଖଲ କରିବା ପାଇଁ କୋଡ଼ିଏ ହଜାର ଟଙ୍କାର ଅମାନତ ଜମା ବାବଦ ରାଶି ସୁଧରେ ଋଣ ନେଇଛନ୍ତି ସେ। ତାଙ୍କର ଅସଲ ଉଦ୍ଦେଶ୍ୟ ହେଉଛି, ରାଜନୈତିକ ଦଳଗୁଡ଼ିକ ଦ୍ୱାରା ମାଗଣା ତୁଷ୍ଟୀକରଣ ଯୋଜନାରେ ଭଳି ନ ଯାଇ ଭଲ ପ୍ରାର୍ଥୀ ଚୟନ କରିବାକୁ ସାଧାରଣ ଜନତାଙ୍କୁ ଚେତାଇ ଦେବା।
୩୦୦ ନିୟୁତ ଗରିବ ଜନତାଙ୍କ ବୋଝ ବୋହୁଥିବା ଭାରତ ଭଳି ଦେଶରେ, ଜନ-ମଙ୍ଗଳ ରାଜନୀତି ଜରିଆରେ ମାଗଣା ତୁଷ୍ଟୀକରଣ ଯୋଜନାସବୁ ଘୋଷଣା କରି ନର୍ବାଚନ ବୈତରଣୀ ପାରିହେବାର ଲୋଭରୁ କୌଣସି ରାଜନୈତିକ ଦଳ ବର୍ତ୍ତି ପାରିନାହାନ୍ତି। ନିର୍ବାଚନୀ ଇସ୍ତାହାରରେ ତୁଷ୍ଟୀକରଣ ଯୋଜନାସବୁ ପ୍ରମୁଖ ସ୍ଥାନ ଅଧିକାର କରିଥିବାବେଳେ ବିକାଶ-ଆଧାରିତ ଉତ୍ତମ ଶାସନ ପଛ ସିଟ୍‌ ନେଇଛି । ସମାନତା, ସାମାଜିକ ନ୍ୟାୟ ଓ ସମାବେଶୀ ବିକାଶର ପରିଭାଷା ଏହା ମଧ୍ୟରେ ବଦଳି ଯିବା ପରି ଲାଗୁଛି।
ସେ କଂଗ୍ରେସର ଉପା ସରକାର ହେଉ କିମ୍ବା ଭାଜପାର ଏନ୍‌ଡିଏ ସରକାର, ଅଥବା ବିଭିନ୍ନ ଆଞ୍ଚଳିକ ଦଳର ସରକାର, ସମସ୍ତେ ଅଳ୍ପ ବହୁତେ ଏହି ମାଗଣା ତୁଷ୍ଟୀକରଣ ଯୋଜନାସବୁର ଆଶ୍ରୟ ନେଇ ଭିନ୍ନଭିନ୍ନ ସମୟରେ ଶାସନଗାଦି ହାତେଇବାକୁ ସକ୍ଷମ ହୋଇଛନ୍ତି। ଚଳିତ ନିର୍ବାଚନରେ ତାମିଲନାଡୁ ରାଜ୍ୟରେ ଦୁଇ ପରସ୍ପର ବିରୋଧୀ ରାଜନୈତିକ ଦଳ ଡିଏମ୍‌କେ ଓ ଏଆଇଡିଏମ୍‌କେ ‘ମାଗଣା-ଟ୍ୟାଗ୍‌’ଯୁକ୍ତ ଯୋଜନାସବୁ ଘୋଷଣା କରିବା ଦୌଡ଼ରେ ଏଭଳି ପ୍ରତିଯୋଗିତା କରୁଛନ୍ତି ଯେ, ସାମାନ୍ୟତମ ଲଜ୍ଜା ଟିକକ ଭୁଲିଯାଉଛନ୍ତି। ଡିଏମ୍‌କେ ଘରୋଇ ଖର୍ଚ୍ଚ ପାଇଁ ମାସିକ ୧୦୦୦ ଟଙ୍କା ଭତ୍ତା ଘୋଷଣା କରିଥିଲେ। ଏଆଇଡିଏମ୍‌କେ ଆଉ ଦି’ ପାଦ ଆଗକୁ ଯାଇ ଏହି ଭତ୍ତାକୁ ୧,୫୦୦ ଟଙ୍କା ଘୋଷଣା କରିଛି। ଏଆଇଡିଏମ୍‌କେ ପରିବାର ପିଛା ବର୍ଷକୁ ୬ଟି ମାଗଣା ଏଲ୍‌ପିଜି ସିଲିଣ୍ଡର, ମାଗଣା ୱାଶିଂ ମେଶିନ୍‌, ସମସ୍ତଙ୍କ ପାଇଁ ଗୃହ, ସୌର ଚୁଲା, ଶିକ୍ଷାଋଣ ଛାଡ଼, ବିନା ସରକାରୀ ଚାକିରିଆ ଥିବା ପରିବାର ପିଛା ସରକାରୀ ଚାକିରି ଇତ୍ୟାଦି ପ୍ରତିଶ୍ରୁତି ଦେଇଥିବାବେଳେ ଡିଏମ୍‌କେ କୋଭିଡ୍‌-୧୯ ପ୍ରଭାବିତ ଚାଉଳ-ରାସନ କାର୍ଡଧାରୀଙ୍କୁ ୪୦୦୦ ଟଙ୍କାର ସହାୟତା, ସ୍ଥାନୀୟ ଲୋକଙ୍କ ପାଇଁ ୭୫% ଚାକିରି ସଂରକ୍ଷଣ ଓ ବିଭିନ୍ନ ଋଣଛାଡ଼ର ପ୍ରତିଶ୍ରୁତି ଦେଇଛି। ଡିଏମ୍‌କେ ମୁଖ୍ୟ ସ୍ବର୍ଗତ ଏମ୍‌. କରୁଣାନିଧି ୨୦୦୬ ମସିହାରୁ ଏହି ପରମ୍ପରା ଆରମ୍ଭ କଲେ ଏବଂ ସ୍ବର୍ଗତା ଜୟଲଳିତା ମାଗଣା ରଙ୍ଗିନ ଟିଭି ସେଟ୍‌, ମାଗଣା ଲାପ୍‌ଟପ୍‌, ଦୁଧିଆଳୀ ଗାଈ, ମିକ୍ସର୍‌-ଗ୍ରାଇଣ୍ଡର୍‌, ମଙ୍ଗଳସୂତ୍ର ପାଇଁ ସୁନା ଇତ୍ୟାଦି ସହ ଏହାକୁ ଖୁବ୍‌ ଜାକଜମକରେ ଆଗେଇନେଲେ।
ଏସବୁ ଶସ୍ତା ଜନପ୍ରିୟ ଭତ୍ତା ଓ ମାଗଣା ତୁଷ୍ଟୀକରଣ ଯୋଜନାର ବର୍ଷା କରିବା ପୂର୍ବରୁ ତଜ୍ଜନିତ ଆର୍ଥିକ ବୋଝ କେହି କେବେ ହିସାବ କରିଛନ୍ତି କି? ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଏକ ସୁଦୃଢ଼ ଆର୍ଥିକ ଢାଞ୍ଚା ବିକାଶ କରିବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ନିବେଶର ଅଭାବରେ, ସରକାରଙ୍କ ରୋଜଗାର ବୃଦ୍ଧିର ଆଶା କମିବାବେଳେ, ବୋଧହୁଏ ନାଗରିକମାଙ୍କୁ ନିଶାପାଣିରେ ବୁଡ଼ାଇ ତହିଁରୁ ଶୁଳ୍କ ଆଦାୟ କରି ଏହି ନିଅଣ୍ଟ ଭରଣା କରିବେ ବୋଲି ରାଜନେତାମାନେ ଚିନ୍ତା କରିଛନ୍ତି। ଏପଟରେ ମାଗଣା ଯୋଜନାସବୁରେ ନାଗରିକମାନଙ୍କ ମନ ମୋହୁଥିବାବେଳେ, ସେପଟେ ନିଶାପାନକୁ ପରୋକ୍ଷ ଭାବରେ ପ୍ରୋତ୍ସାହିତ କରି ରାଷ୍ଟ୍ର ସେମାନଙ୍କର ଅଣ୍ଟାରୁ ପଇସା ଲୁଟି ଅକାଳରେ ମରଣଯନ୍ତାକୁ ଠେଲି ଦେବାର ବ୍ୟବସ୍ଥା ଏହା ନୁହେଁ ତ? ବାସ୍ତବରେ, ବର୍ଷ ବର୍ଷ ଧରି ଭାରତର ନିର୍ବାଚନ ଓ ବିକାଶର ରାଜନୀତି ସ୍ବଳ୍ପକାଳୀନ କାର୍ଯ୍ୟକ୍ରମ, ସୁଦୂରପ୍ରସାରୀ ବିକାଶ ଲକ୍ଷ୍ୟର ଅଭାବ, ସ୍ବଳ୍ପ କାର୍ଯ୍ୟକାରିତା ଓ ଦୁର୍ବଳ ମୂଲ୍ୟାଙ୍କନ ଭିତରେ ଗୋଳମାଳିଆ ହୋଇ ବିପଥଗାମୀ ହୋଇଛି।
ଏହି କ୍ରମବର୍ଦ୍ଧିଷ୍ଣୁ ମାଗଣା ଯୋଜନା ବାସ୍ତବରେ ଦେଶର ଜନତାଙ୍କୁ ଅଳସୁଆ କରି ସାରିଲାଣି। ଉଦ୍‌ଯୋଗୀ ପ୍ରବୃତ୍ତିରୁ ବଞ୍ଚତ୍ତ ସଂଖ୍ୟାଧିକ ଥିଲାବାଲା ଜନତା ସାମାନ୍ୟତମ ଦୁଃସ୍ଥିତିର ସଙ୍କେତ ଦେଇ ସରକାରଙ୍କଠାରୁ କୌଣସି ନା କୌଣସି ମାଗଣା ସହାୟତା ମାଗିବାକୁ ସଂକୋଚବୋଧ କରୁନାହାନ୍ତି। ବନ୍ୟା, ମରୁଡ଼ି, ଟ୍ରେନ୍‌ ଦୁର୍ଘଟଣା, ଭୂସ୍ଖଳନ ଇତ୍ୟାଦିରେ ପୀଡ଼ିତ ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା ତୁରନ୍ତ ଆର୍ଥିକ ସହାୟତା କିମ୍ବା କ୍ଷତିପୂରଣ ଘୋଷଣା କରାଯାଉଥିବାବେଳେ ଏହି ମାନସିକତା ଊଣା ଅଧିକେ ସମାଜର ସବୁ ସ୍ତରର ଲୋକଙ୍କୁ ଏକ କୋଢ଼ିଆ ସଂସ୍କୃତି ଆଡ଼କୁ ଟାଣିନେଉଛି।
ଅସଲ କଥା ହେଲା, ଶାସନରେ ଥିବା ରାଜନୈତିକ ଦଳ ନିଜ ଶାସନକାଳ ମଧ୍ୟରେ ସାଧାରଣ ବିକାଶମୂଳକ ପ୍ରକଳ୍ପଗୁଡ଼ିକ ସାରିବାରେ ବିଫଳ ହେବା କାରଣରୁ, ଭୋଟରଙ୍କ ବିଶ୍ୱସ୍ତତା ହାସଲ କରିବାକୁ ନିର୍ବାଚନ ପୂର୍ବରୁ ମାଗଣା ଯୋଜନାର ଭେଳିକି ଦେଖାଇବାକୁ ବାଧ୍ୟ ହେଉଛନ୍ତି। ଯଦି ପାଞ୍ଚ ବର୍ଷ ମଧ୍ୟରେ ଘୋଷିତ ବିକାଶମୂଳକ କାର୍ଯ୍ୟ କରାଯାଇପାରନ୍ତା, ତେବେ ଏଭଳି ଶସ୍ତା, ସ୍ବଳ୍ପ ଅବଧିଯୁକ୍ତ ଯୋଜନାସବୁ ଆବଶ୍ୟକ ହୁଅନ୍ତା ନାହିଁ।
କେତେକଙ୍କ ମତରେ, ଏହି ସହାୟତା ଲୋକଙ୍କ ସାମର୍ଥ୍ୟକୁ ବଢ଼ାଇଥାଏ। ସମାଜ ମଙ୍ଗଳ ଅର୍ଥନୀତି ଓ ସଂସ୍କାର ବିଷୟରେ, UNDP ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟିର ‘ଦାରିଦ୍ର୍ୟ ଓ ମାନବ ବିକାଶ ପ୍ରୟାସ’ର ସେପ୍ଟେମ୍ବର ୨୦୧୮ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୫-୧୬ ସୁଦ୍ଧା ଶେଷ ହୋଇଥିବା ଦଶନ୍ଧିରେ ଭାରତର ଦାରିଦ୍ର୍ୟ ହାର ୨୮%କୁ ହ୍ରାସ ପାଇଛି। ୨୭୧ ନିୟୁତ ଲୋକ ଦାରିଦ୍ର୍ୟ ସୀମାରୁ ବାହାରି ଆସିବାକୁ ସକ୍ଷମ ହୋଇଛନ୍ତି। ହୋଇପାରେ, ଜନକଲ୍ୟାଣକାରୀ ଅର୍ଥନୀତିଜ୍ଞ ଓ ନୀତି ନିର୍ଣ୍ଣୟକାରୀମାନେ ସମାଜର ଅଭାବୀ ବ୍ୟକ୍ତିଟି ପାଇଁ କିଛି ସବ୍‌ସିଡି ଲାଗି ସହମତ ହୋଇପାରନ୍ତି। କିନ୍ତୁ, ସାର୍ବଜନୀନ ଏବଂ ସର୍ବକାଳୀନ ସବ୍‌ସିଡି ରହିବା ଉଚିତ କି ନୁହେଁ ଏହା ଗୋଟିଏ ବଡ଼ ବିତର୍କର ପ୍ରଶ୍ନ। ଆପଣ ଯାହା ବ୍ୟବହାର କରୁଛନ୍ତି, ସେଥିପାଇଁ ଆପଣଙ୍କୁ ମୂଲ୍ୟ ଦେବାକୁ ପଡିବ-ଏହାକୁ ମୋଟାମୋଟି ଭାବରେ ଗ୍ରହଣ କରିବାକୁ ପଡ଼ିବ।
୨୦୧୩ରେ ସୁପ୍ରିମକୋଟ ନିର୍ବାଚନ ପ୍ରକ୍ରିୟାର ଶୁଦ୍ଧତାକୁ ନିଶ୍ଚିତ କରିବା ପାଇଁ ଭାରତର ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ ଇସ୍ତାହାରର ବିଷୟବସ୍ତୁ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ନୈତିକ ଆଚାର ସଂହିତାର ଅଷ୍ଟମ ଅନୁଚ୍ଛେଦ ନିର୍ଦ୍ଦେଶାବଳୀରେ କହିଲେ ଯେ, ରାଜନୈତିକ ଦଳଗୁଡ଼ିକ ସେଭଳି ପ୍ରତିଶ୍ରୁତି ଦେବାଠାରୁ ଦୂରେଇ ରହିବା ଉଚିତ; ଯାହା ନିର୍ବାଚନ ପ୍ରକ୍ରିୟାର ପବିତ୍ରତାକୁ ଭଙ୍ଗ କରିବାର ସମ୍ଭାବନା ରଖିଥିବ ଅଥବା ନିଜର ମତାଧିକାରକୁ ପ୍ରୟୋଗ କରିବାରେ ମତଦାତାଙ୍କ ଉପରେ ଅନୁଚିତ ପ୍ରଭାବ ପକାଉଥିବ। ରାଜନୈତିକ ଦଳଗୁଡ଼ିକ ଏସବୁ ନିର୍ଦ୍ଦେଶାବଳୀକୁ କେତେ ମାନିଲେ ବା ନ ମାନିଲେ- ପାଠକେ ଅନୁଭବ କରୁଥିବେ।
ଚଳିତ ମାର୍ଚ୍ଚ ୩୧ ତାରିଖ ଦିନ ମାଡ୍ରାସ ହାଇକୋର୍ଟ ନିର୍ବାଚନ ଋତୁରେ ରାଜନୈତିକ ଦଳଗୁଡ଼ିକ ମାତିଥିବା ମାଗଣା ଯୋଜନା ସଂସ୍କୃତି ବିରୋଧରେ ଦୃଢ ମତ ପ୍ରକାଶ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଏକ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହା ହେଉଛି ବାସ୍ତବତା। ଯଦି ଏପରି ବ୍ୟବସ୍ଥା ଚାଲୁରହେ, ଲୋକେ ଭଲ ନେତା କିପରି ଆଶା କରିବେ? ମାଡ୍ରାସ୍‌ ହାଇକୋର୍ଟ ଲୋକ ପ୍ରତିନିଧି ଅଧିନିୟମ-୧୯୫୧ରେ ସଂଶୋଧନ କରିବାକୁ ଆହ୍ବାନ ଦେଇଛନ୍ତି, ଯଦ୍ଦ୍ବାରା ରାଜନୈତିକ ଦଳଗୁଡ଼ିକ ପ୍ରଦାନ କରୁଥିବା ମାଗଣା ଯୋଜନାଗୁଡ଼ିକ ପରିଚ୍ଛେଦ-୨୩ରେ ‘ଦୁର୍ନୀତିଗ୍ରସ୍ତ ଅଭ୍ୟାସ’ ଭାବରେ ପରିଗଣିତ ହେବ।
ଆମକୁ ମୁଣ୍ଡପିଛା ଆୟ ଅଧିକ ଦରକାର, ମାଗଣା ଦ୍ରବ୍ୟ ଓ ସେବାଗୁଡ଼ିକର ମୁଣ୍ଡପିଛା ବ୍ୟବହାର ଅଧିକ ଆବଶ୍ୟକ ନାହିଁ ! ଚନ୍ଦ୍ରକୁ ବୁଲାଇ ନେବାର ସ୍ବପ୍ନ ଦେଖାଇ ଭୋଟ ହାତେଇବାର ଏହି କୌଶଳ ବେଶିଦିନ ତିଷ୍ଠିବ ନାହିଁ। ଆମର ଯୁବପିଢ଼ିଙ୍କୁ ବିକାଶ ଆବଶ୍ୟକ, ରୋଜଗାର ଆବଶ୍ୟକ। ଆମକୁ ନାଗରିକ ଭାବରେ ଦେଖିବା ଆବଶ୍ୟକ- ଗରିବୀ ଆଉ ବେରୋଜଗାରି ମଧ୍ୟରେ ଭୋଟରଙ୍କ ପରି ନୁହେଁ।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର,
ମୋ: ୯୪୩୭୧୬୪୬୧୧
Email:saktiprasaddyahoo.in


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri