ରାଜ୍ୟ ଦାୟିତ୍ୱ ମିଳିଲେ ମାନିବି

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକ ସଭା ଆସନରୁ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିଛି। କୋରାପୁଟ ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି ସପ୍ତଗିରି ଉଲ୍ଲାକା। ପ୍ରଥମ ଥର ଲାଗି ଲୋକ ସଭାକୁ ଯାଇଥିବା ସପ୍ତଗିରି ହେଉଛନ୍ତି ପୂର୍ବତନ ବିଧାୟକ ତଥା ଏମ୍‌ପି ଏବଂ ଆଦିବାସୀ ଅଞ୍ଚଳର ଜଣେ ଜଣାଶୁଣା ନେତା ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ। ଇନ୍‌ଫୋସିସ୍‌ର ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିବା ଉଲ୍ଲାକା ଉଚ୍ଚ ଦରମା ପାଇ ବିଦେଶରେ ରହୁଥିଲେ। ହେଲେ ପିଲାବେଳୁ ବାପାଙ୍କ ସହ ରାଜନୈତିକ ପ୍ରଚାରରେ ସାମିଲ ହେଉଥିବା ସପ୍ତଗିରି ସକ୍ରିୟ ରାଜନୀତି ପାଇଁ ମନ ବଳାଇଥିଲେ। ରାଜନୀତିରେ ରୁଚି ରଖିଥିବାରୁ ଚାକିରି ଛାଡ଼ି ବର୍ତ୍ତମାନ ପାର୍ଲାମେଣ୍ଟ ସଦସ୍ୟ ହୋଇଥିବା ସପ୍ତଗିରି ଉଲ୍ଲାକାଙ୍କ ସହ ଧରିତ୍ରୀର ସୁନୀତ୍‌ ମିଶ୍ରଙ୍କ ଆଳାପ।

ପ୍ରଶ୍ନ – ରାଜ୍ୟର ୨୧ ଲୋକ ସଭା ଆସନ ମଧ୍ୟରୁ ସବୁଠାରେ କଂଗ୍ରେସ ପରାଜୟର ସ୍ବାଦ ଚାଖିଥିବା ବେଳେ କେବଳ କୋରାପୁଟ ଆସନରେ ଆପଣ ଜିତିଛନ୍ତି। ଏହା ଆପଣଙ୍କ ଗୁରୁତ୍ୱ ଦଳରେ କିପରି ବଢ଼ାଇଛି?
ଉତ୍ତର: ରାଜ୍ୟର ଗୋଟିଏ ଆସନ ସେଇଟା ପୁଣି କୋରାପୁଟରେ ମୁଁ ନିଜେ ଜିତିଛି। ଲୋକମାନେ କେବଳ ମତେ ଜିତାଇ ନାହାନ୍ତି ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଛନ୍ତି। ନିଶ୍ଚିତ ରୂପେ ଏଥିଯୋଗୁ କେବଳ ଓଡ଼ିଶାରେ ନୁହେଁ ବରଂ ପାର୍ଲାମେଣ୍ଟରେ ମୋର ଗୁରୁତ୍ୱ ବଢ଼ିଯାଇଥିବା ଭଳି ମନେହେଉଛି। ଯଦି କଂଗ୍ରେସ ଆଉ ୩ରୁ ୪ଟି ଆସନରେ ବିଜୟୀ ହୋଇପାରି ଥାଆନ୍ତା ତେବେ ଅଧିକ ଭଲ ହୋଇଥାଆନ୍ତା।
ପ୍ରଶ୍ନ – ରାଜ୍ୟବାସୀ ୨୦ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇବା ସତ୍ତ୍ୱେ ଆପଣଙ୍କ ସପକ୍ଷରେ ଜନମତ ଯିବାର କାରଣ କ’ଣ ହୋଇପାରେ ବୋଲି ଭାବୁଛନ୍ତି?
ଉତ୍ତର: କୋରାପୁଟବାସୀ ଜଣେ ଶିକ୍ଷିତ ଆଦିବାସୀ ପିଲାଙ୍କୁ ଚାହୁଁଥିଲେ। ଏଠାରେ ମୋଦି ଏବଂ ନବୀନଙ୍କ ବିରୋଧରେ ଜନମତ ଥିଲା। ତାକୁ ନିଜ ସପକ୍ଷରେ ନେଇ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରିଲୁ। ମୋ ବାପା ରାମଚନ୍ଦ୍ର ଉଲ୍ଲାକାଙ୍କ ନାଁ ଥିଲା। ଫଳରେ ନିର୍ବାଚନର ୬ ମାସ ଆଗରୁ ଯେତେବେଳେ ଲୋକଙ୍କ ପାଖକୁ ଗଲି ଆମ କ୍ୟାଡର ସକ୍ରିୟ ହୋଇ କାମ ଆରମ୍ଭ କରିଦେଲେ।
ପ୍ରଶ୍ନ – କଂଗ୍ରେସ ବାକି ଆସନଗୁଡ଼ିକରେ କାହିଁକି ଭଲ ପ୍ରଦର୍ଶନ କରିପାରିଲା ନାହିଁ ବୋଲି ଭାବୁଛନ୍ତି?
ଉତ୍ତର: ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁରରେ କମ୍‌ ଭୋଟ ବ୍ୟବଧାନରେ ହାରିଗଲୁ। ଆଉ ଟିକେ ପରିଶ୍ରମ କରିଥିଲେ ଭଲ ହୋଇଥାଆନ୍ତା। ଟିକେଟ ଦେବାରେ ବିଳମ୍ବ ହେବା ପରାଜୟର ମୁଖ୍ୟ କାରଣ। ୬ ମାସ ପୂର୍ବରୁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇଥିଲେ ଭଲ ଫଳ ହୋଇପାରି ଥାଆନ୍ତା। ପ୍ରାର୍ଥୀମାନେ ମଧ୍ୟ ନିଜେ ସଂଘର୍ଷ କରିପାରି ଥାଆନ୍ତେ। ନିର୍ବାଚନ ପ୍ରକ୍ରିୟା ଭୁଲ୍‌ ହେଲେ ସବୁ ଭୁଲ୍‌ ହେବ। ସେହିପରି ଦଳ ତରଫରୁ ପ୍ରଚାର ମଧ୍ୟ ବହୁ ବିଳମ୍ବରେ କରାଗଲା।
ପ୍ରଶ୍ନ – ତେବେ ବିଜେଡି ଓ ଭାଜପା ୬ ମାସ ପୂର୍ବରୁ ଟିକେଟ ନ ବାଣ୍ଟି ନିର୍ବାଚନ ସମୟରେ ପ୍ରାର୍ଥୀ ତାଲିକା ଘୋଷଣା କଲେ, ଏହାସତ୍ତ୍ୱେ ସେମାନେ କିପରି ଭଲ ପ୍ରଦର୍ଶନ କରିପାରିଲେ?
ଉତ୍ତର: କଥା ସେଇଆ ନୁହେଁ। କଂଗ୍ରେସ ଏକ ଗଣତାନ୍ତ୍ରିକ ଦଳ। ଏଠି ଜଣେ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି)ର ପର୍ଯ୍ୟବେକ୍ଷକ ନିର୍ବାଚନମଣ୍ଡଳୀକୁ ଯାଆନ୍ତି। ତା’ପରେ ପିସିସି(ପ୍ରଦେଶ କଂଗ୍ରେସ କମିଟି) ତାଲିକା ପ୍ରସ୍ତୁତ କରି ଏଆଇସିସି ନିକଟକୁ ପଠାଇଥାଏ। ଶେଷରେ ସ୍କ୍ରିନିଂ କମିଟି ବସି ଚୂଡ଼ାନ୍ତ ତାଲିକା କରେ। ଅନ୍ୟ ଦଳଗୁଡ଼ିକର ଟିକେଟ ବଣ୍ଟନ ବ୍ୟବସ୍ଥା ଭିନ୍ନ। ବିଜେଡିରେ ନବୀନ ବାବୁ ଯାହା ନିଷ୍ପତ୍ତି ନିଅନ୍ତି ତାହା ହିଁ ଚୂଡ଼ାନ୍ତ, ଏହା ଉପରେ କେହି ପ୍ରଶ୍ନ ଉଠାଇ ନ ଥାଆନ୍ତି। ମୋଦିଙ୍କ ହାଓ୍ବାରେ ଭାଜପା ଆଗକୁ ବଢ଼ିପାରିଲା। କଂଗ୍ରେସର ଟିକେଟ ବଣ୍ଟନ ପ୍ରକ୍ରିୟାରେ ପରିବର୍ତ୍ତନ ଆବଶ୍ୟକ।
ପ୍ରଶ୍ନ – ଆପଣଙ୍କ ମତରେ ଟିକେଟ ବଣ୍ଟନ ପ୍ରକ୍ରିୟାରେ କେଉଁଭଳି ପରିବର୍ତ୍ତନ ହେବା ଆବଶ୍ୟକ?
ଉତ୍ତର: ପ୍ରଥମ କଥା ବାରମ୍ବାର ପିସିସି ପରିବର୍ତ୍ତନ ହେବା ଠିକ୍‌ ନୁହେଁ। ଏହାଦ୍ୱାରା ଦଳର କ୍ଷତି ହେଉଛି। ଜଣଙ୍କୁ ୫ ବର୍ଷ ପାଇଁ ଦାୟିତ୍ୱ ମିଳିବା ଦରକାର। ଏହାଦ୍ୱାରା ଦଳର କର୍ମୀ ଦ୍ୱନ୍ଦ୍ୱରେ ପଡୁଛନ୍ତି ଏବଂ କିଏ ସେମାନଙ୍କ ନେତା ଜାଣିପାରୁ ନାହନ୍ତି। ଯିଏ ପିସିସି ଦାୟିତ୍ୱ ନେବେ ସେ ଆଗେ ପଞ୍ଚାୟତ ସ୍ତରରେ କେତେଜଣ ନେତାଙ୍କୁ ଦାୟିତ୍ୱ ଦେବା ଦରକାର। ତୃଣମୂଳ ସ୍ତରରେ ଦଳ ପାଇଁ କିଏ କାମ କରୁଛି ସେହି ଲୋକକୁ ଚିହ୍ନଟକରି ଟିକେଟ ମିଳିବା ଆବଶ୍ୟକ। ଏହାଦ୍ୱାରା ଜଣେ ବ୍ୟକ୍ତି ଗୋଟିଏ ନିର୍ବାଚନମଣ୍ଡଳୀରେ ସବୁ ଦାୟିତ୍ୱ ନେଇ ଯୁବ, ଛାତ୍ର, ମହିଳା ଏବଂ ଅନ୍ୟ ଭୋଟରଙ୍କ ପାଖରେ ରହି ସେମାନଙ୍କ ଆସ୍ଥାଭାଜନ ହୋଇପାରିବ।
ପ୍ରଶ୍ନ – ଏହିସବୁ କାରଣ ଯୋଗୁ ଯୁବ, ଛାତ୍ର ଭୋଟ ଆପଣଙ୍କ ସପକ୍ଷରେ ନ ଯାଇ ମୋଦି ଓ ନବୀନଙ୍କ ସପକ୍ଷରେ ଗଲା କି?
ଉତ୍ତର: ଯୁବ ଓ ଛାତ୍ର ବିଶେଷକରି ୧୮ରୁ ୨୫ ବର୍ଷର ନୂଆ ଭୋଟର ଆମ ବିପକ୍ଷରେ ଗଲେ। ସେମାନଙ୍କୁ ଆମେ ଟ୍ୟାଗ୍‌ କରିପାରିଲୁ ନାହିଁ। ଅଧିକାଂଶ ବିଜେଡି ସପକ୍ଷରେ ଏବଂ କିଛି ଭାଜପା ସପକ୍ଷରେ ରହିଲା। ହେଲେ ସେମାନଙ୍କୁ କଂଗ୍ରେସ ନିଜ ସପକ୍ଷରେ ନେଇପାରିବ। ବିଜେଡି ଜାଣିଶୁଣି କଲେଜ ନିର୍ବାଚନ ବନ୍ଦ କରି ରଖିଛି। ଏହା ବିରୋଧରେ ଆନ୍ଦୋଳନ ଆରମ୍ଭ ହେବ।
ପ୍ରଶ୍ନ – ଯୁବଭୋଟରଙ୍କୁ ନିଜ ସପକ୍ଷରେ ନେବା ଲାଗି କଂଗ୍ରେସ କ’ଣ ସବୁ କରୁଛି?
ଉତ୍ତର: ୧୮ରୁ ୨୫ ବର୍ଷ ଭୋଟରଙ୍କୁ ଫେରାଇବା ଆମ ସମସ୍ତଙ୍କ ଦାୟିତ୍ୱ। ସେଥିଲାଗି କଂଗ୍ରେସ ଯୁବଭୋଟରଙ୍କୁ ନିଜ ସପକ୍ଷରେ ନେବା ସକାଶେ ନିକଟରେ ତାଲିମ ଶିବିର ଆୟୋଜନ କରିବ ଏବଂ ବିଭିନ୍ନ ଯୁବ, ଛାତ୍ରଙ୍କୁ ନେଇ ବହୁ ପ୍ରସଙ୍ଗରେ ଆନ୍ଦୋଳନକୁ ଜୋର୍‌ଦାର କରିବାକୁ ସ୍ଥିର କରିଛି। କର୍ମୀ ଯେଉଁମାନେ ଆଶା ହରାଇ ପଳାଇଛନ୍ତି ସେମାନଙ୍କୁ ବିଶ୍ୱାସ ଦେଇ ଫେରାଇ ପାରିଲେ ଯେଉଁ ନେତାମାନେ ମଧ୍ୟ ଦଳ ଛାଡ଼ିଛନ୍ତି ସେମାନେ ଆପେ ଫେରିଆସିବେ। ଏଥିଲାଗି ଦଳକୁ ଜଣେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି।
ପ୍ରଶ୍ନ – ଆପଣ ମଧ୍ୟ ଜଣେ ଯୁବନେତା, ତେଣୁ ପିସିସି ଦାୟିତ୍ୱ ମିଳିଲେ ଏହା ତୁଲାଇବାକୁ ଆଗ୍ରହ ପ୍ରକାଶ କରିବେ କି?
ଉତ୍ତର: ମୋର କୌଣସି ଇଚ୍ଛା ଏଥିପ୍ରତି ନାହିଁ ବରଂ ମୁଁ ଜାତୀୟ ରାଜନୀତିରେ ରୁଚି ରଖୁଛି। ବର୍ତ୍ତମାନ ଏଆଇସିସିର ସମ୍ପାଦକ ଅଛି। ୨୦୨୩ରେ ଛତିଶଗଡ଼ ନିର୍ବାଚନରେ ଭଲ ଫଳ ଆଣିବା ମୋର ମୁଖ୍ୟ ଲକ୍ଷ୍ୟ। ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରାଇବାକୁ କାମ କରୁଛୁ। ଦଳ ଯଦି ଦାୟିତ୍ୱ ଦିଏ ନିଶ୍ଚୟ ମାନିବି। ଯୁବକମାନଙ୍କୁ ଏକାଠି କରିପାରିଲେ ଯାଇ ଓଡ଼ିଶାରେ କଂଗ୍ରେସ ଆଗକୁ ବଢ଼ିପାରିବ।
ପ୍ରଶ୍ନ – କଂଗ୍ରେସର ଜାତୀୟ ନେତାମାନେ ଯେତେବେଳେ ଦଳର ହାଇକମାଣ୍ଡଙ୍କ ବିରୋଧରେ ମେଳି ବାନ୍ଧିଲେଣି ସେତେବେଳେ ଯୁବଭୋଟର କେଉଁ ଭରସାରେ ଆପଣଙ୍କ ସହ ଯୋଡ଼ିହେବେ ବୋଲି ଭାବୁଛନ୍ତି?
ଉତ୍ତର: ଏହା ବିୟୁଟି ଅଫ୍‌ କଂଗ୍ରେସ ପାର୍ଟି। ଆମ ଦଳର ସର୍ବୋଚ୍ଚ ନେତାଙ୍କ ବିରୋଧରେ କହିବାର ମଧ୍ୟ ସୁଯୋଗ ରହିଛି, ଯାହା ଅନ୍ୟ କୌଣସି ଦଳରେ ନାହିଁ। ଯେଉଁମାନେ ମେଳି କରିଥିଲେ ସେମାନେ ଥଇଥାନ ହୋଇଛନ୍ତି। କାହାରିକୁ ମଧ୍ୟ ଦଳ କାଢ଼ି ନାହିଁ। ବିଜେଡି କିମ୍ବା ଭାଜପାରେ ଏତିକି ହୋଇଥିଲେ ସେମାନଙ୍କୁ ଦଳରୁ କାଢ଼ି ଦିଆଯାଇ ସାରନ୍ତାଣି। ଯୁବ ଭୋଟର ମଧ୍ୟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଗ୍ରହଣ କରିବା ଆରମ୍ଭ କଲେଣି।
ପ୍ରଶ୍ନ – ତେବେ ୨୦୨୪ ନିର୍ବାଚନରେ କଂଗ୍ରେସ ଯୁବ, ଛାତ୍ରଙ୍କୁ ନେଇ ଦେଶରେ ପୁନର୍ବାର ସରକାରକୁ ଫେରିବ ବୋଲି ଭାବୁଛନ୍ତି କି?
ଉତ୍ତର: ଏବେଠାରୁ କିଛି କହିବା ଅସମ୍ଭବ। ନିର୍ବାଚନ ଆସିଲେ ମୋଦି ନିଶ୍ଚୟ କିଛି କରିବେ। ୨୦୧୯ ନିର୍ବାଚନ ପୂର୍ବରୁ ଯେପରି ପୁଲ୍‌ଓ୍ବାମା ଆଟାକ୍‌ କରି ଭୋଟ ନେଇପାରିଲେ ସେହିପରି କିଛି କରିପାରନ୍ତି। ରାମମନ୍ଦିର ନିର୍ମାଣ କଥା କହିପାରନ୍ତି କିମ୍ବା ୫୪୨ ଏମ୍‌ପି ସଂଖ୍ୟା ବଢ଼ାଇ ହଜାରେ କରିଦେଇପାରନ୍ତି। ହେଲେ କଂଗ୍ରେସ ନିଶ୍ଚୟ ଏହା ବିରୋଧରେ ନିଜର ରଣନୀତି ପ୍ରସ୍ତୁତ କରି ଦେଶରେ ସରକାର କରିବାକୁ ଚେଷ୍ଟା କରିବ।
ପ୍ରଶ୍ନ – ୨୦୧୯ ନିର୍ବାଚନରେ ଜିତିବା ପରେ ଏହା ଭିତରେ ୨ ବର୍ଷ କରୋନାରେ ଚାଲିଗଲା। ଆଦିବାସୀ ବହୁଳ ଲୋକ ସଭା ନିର୍ବାଚନମଣ୍ଡଳୀର ଏମ୍‌ପି ଭାବେ ଆପଣଙ୍କ କାର୍ଯ୍ୟକୁ ନେଇ କେତେ ସନ୍ତୁଷ୍ଟ?
ଉତ୍ତର: ସବୁବେଳେ ଆଦିବାସୀ ଅଞ୍ଚଳର ଲୋକଙ୍କ ପାଇଁ କାମ କରୁଛି ଆଗକୁ ମଧ୍ୟ କରିବି। ଗୁଣପୁର-ଥେରୁବାଲି ରେଲଓ୍ବେ ଲାଇନ କାର୍ଯ୍ୟକୁ ଗୁରୁତ୍ୱ ଦେଇଛି। ୧୨୦ ଗ୍ରାମ ପଞ୍ଚାୟତରେ ମୋବାଇଲ ସଂଯୋଗ ନାହିଁ। ଝୋଡ଼ିଆ ଜାତିକୁ ଆଦିବାସୀ ମାନ୍ୟତା ପ୍ରଦାନ, ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଚଳାଇଛୁ, ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ସେଣ୍ଟାଲ ୟୁନିଭର୍ସିଟି ସହ ଜୟପୁରରେ ଉଡାନ୍‌ ଏୟାରପୋର୍ଟ କାମ କରିବା ପାଇଁ ଚେଷ୍ଟା ଚଳାଇଛି।
ପ୍ରଶ୍ନ – ଆପଣ ଖାଲି ସମୟରେ କ’ଣ କରିବାକୁ ଭଲ ପାଆନ୍ତି ଏବଂ ଶରୀର ପାଇଁ କ’ଣ କରନ୍ତି?
ଉତ୍ତର: ନେଟ୍‌ଫ୍ଲିକ୍ସରେ ବିଭିନ୍ନ ସିରିଜ ଦେଖିବାକୁ ଭଲ ପାଏ। ସ୍ପୋଟର୍‌ସ ଫଲୋ କରିବା ପାଇଁ ଭଲ ଲାଗେ। ରାଜନୀତିକୁ ଆସିଲା ପରେ ଆଉ ସମୟ ମିଳୁନି। ଖେଳାଖେଳି କରିବା ସହିତ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଓ୍ବାକିଂ କରେ।
ପ୍ରଶ୍ନ – ଆପଣଙ୍କୁ ଦେଶର କେଉଁ ସ୍ଥାନ ସବୁଠାରୁ ଭଲ ଲାଗେ?
ଉତ୍ତର: ଓଡ଼ିଶାର କଶ୍ମୀର ବୋଲି କୋରାପୁଟକୁ କୁହାଯାଏ। କୋରାପୁଟ ସବୁଠୁ ଭଲ ଲାଗେ। ଦିଲ୍ଲୀ ମଧ୍ୟ ବହୁତ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?