ମୁଁ ପିଆଜ କହୁଛି

ଡ. କୁଳାଙ୍ଗାର

ମୁଁ ପିଆଜ! ମୋତେ ଆପଣ ତ ଚିହ୍ନିଥିବେ!! କିନ୍ତୁ ଆପଣ ଏ କଥା ଜାଣି ନ ଥିବେ କି ମୁଁ ହେଉଛି ବିକାଶର ଭାଇ!!! କ’ଣ କହିଲେ, କୋଉ ବିକାଶ? ସେଇ ବିକାଶ ଯାହାକୁ ଆପଣ ଜମାରୁ ଦେଖିପାରନ୍ତି ନାହିଁ ସେଇ ବିକାଶ। କିନ୍ତୁ ହେଇ ଦେଖ… ହେଇ ଦେଖ… ବିକାଶ ଆସିଛି ବିକାଶ ଆସିଛି ବୋଲି ନେତାମାନେ ଚିତ୍କାର କରନ୍ତି! ମାନେ ନାନା ଉନ୍ନତି ଓ ସୁବିଧା ବ୍ୟବସ୍ଥା କଥା।
ହେ ହେ…! ଏବେ ବୁଝିଲେ ତ? ଓଃହ, ତଥାପି ବୁଝି ପାରୁନାହାନ୍ତି କି ମୁଁ ବିକାଶର ଭାଇ ହେଲି କେମିତି? ହଉ, ଜମା ବ୍ୟସ୍ତ ହୁଅନ୍ତୁନି। ମୁଁ ଭଲରେ ବୁଝାଇ ଦେଉଛି।
ଦେଖନ୍ତୁ ଆମେ ଦୁଇ ଭାଇ ଏକା ବର୍ଣ୍ଣର। ମାନେ ଗୋଲାପୀ ଗୋଲାପୀ। ବିକାଶର ଗୋଲାପୀ ରଙ୍ଗ ଆପଣଙ୍କୁ ତ ଅନେକ ଦେଖା ଯାଇଥିବ। ମୋର ରଙ୍ଗ ମଧ୍ୟ ସେୟା। ଆମ ଉଭୟଙ୍କର ରଙ୍ଗ ଭାରି ଲୋଭିଲା।
ଅନେକ ଲୋକ ମୋ ପରି ବିକାଶର ପାଖୁଡ଼ା ଖୋଲିବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ନିରାଶ ହୋଇଥାଆନ୍ତି। ଯେମିତି ବିକାଶର ମଞ୍ଜ କି ମଞ୍ଜି ନ ଥାଏ, ସେମିତି ମୋର ମଧ୍ୟ ନ ଥାଏ। ଆମେ ବାହାରୁ ଭିତର ଖାଲି ଚୋପାମୟ। ଉପର ଗୋଲାପୀ ସିନା, ଯେତେ ଭିତରକୁ ଯିବ ସେତେ ଧଳା।
ବିକାଶ ଓ ମୁଁ ଉଭୟ ଆଇଁଷିଆ। ଆମେ କେହି ରକ୍ତମାଂସଧାରୀ ନୁହେଁ। କିନ୍ତୁ ଆମ ଚରିତ୍ରକୁ ଚାହିଁ ଆମର ଏପରି ପରିଚୟ। ଆମେ ଦୁହେଁ କାଳେ ମଣିଷକୁ ଉତ୍ତେଜିତ କରାଉ। ତେବେ ବିକାଶ ଲୁଚିଯାଏ ଆଉ ମୁଁ ବିଚରା ଚିହ୍ନା ପଡ଼େ।
ଆମେ ଦୁହେଁ ସର୍ବଦା ମଣିଷ ଆଖିରୁ ଲୁହ ଝରାଇବା ପାଇଁ ତପତ୍ର। ମୋତେ କାଟିବା ମାତ୍ରେ ଆପଣଙ୍କ ଆଖିରୁ କୁହ ଝରିବାଟା ଥୟ। ମଣିଷ ସହିତ ମଣିଷର ଯେମିତି ପଡ଼େ ନାହିଁ ସେମିତି ମୋତେ ଆଗ ପନିକି ଅଗରେ ଗେଞ୍ଜିଦେଲେ ମୁଁ ଅନ୍ୟ ପିଆଜର ରାଗକୁ କାଟିଦେଇପାରିବି ବୋଲି ଅନେକେ ବିଶ୍ୱାସ କରିଥାଆନ୍ତି।
ତେବେ ରକ୍ତ ମାମଲାରେ ଆମର ସମ୍ପର୍କ ନିଆଁ-ପାଣିର। ଭାଇ ଭାଇ ହୋଇଥିବାରୁ ଆମେମାନେ ବି ଟିକେ ମାଡ଼ଗୋଳ ଲାଗିବୁ କି ନାଇଁ? ତେଣୁ ମୁଁ ମଣିଷଙ୍କ ଶରୀରରେ ରକ୍ତବୃଦ୍ଧିରେ ସହାୟକ ହେଉଥିଲା ବେଳେ ବିକାଶ କିନ୍ତୁ ସେମାନଙ୍କ ରକ୍ତ ଶୋଷିବାରେ ବ୍ୟସ୍ତ ଥାଏ।
ସେଥିପାଇଁ ବିକାଶ ବହୁ ଭାଷଣରେ ଥାଏ, କିନ୍ତୁ ମୋର ନାମକୁ କ୍ୱଚିତ୍‌ ଲୋକେ ଭାଷଣ ବେଳେ ଧରିଥାଆନ୍ତି।
ଟିଭି ଚାନେଲଗୁଡ଼ିକ ସହ ମୋର ଟିକେ ଅଲଗା ଭାବ। ସେମାନେ ସବୁବେଳେ ମୋର ଦରବୃଦ୍ଧି ପାଇଁ ମନାସି ଥାଆନ୍ତି। କାରଣ ମୋର ଦରବୃଦ୍ଧି ହେଲେ ତାଙ୍କର ଦର୍ଶକ ବଢ଼ିଥାଆନ୍ତି। ତେଣୁ ମୋର ଦର ବଢ଼ିବା ଆଗରୁ ସେମାନେ ଏମିତି ବଢ଼େଇ ଚଢ଼େଇ ଖବର ପ୍ରସାରଣ କରନ୍ତି ଯେ ମୋର ଦର ଆପେ ବଢ଼ିଯାଏ। ଓଡ଼ିଶାରେ ଯଦିଓ ମୋର ଦର ପଚିଶ ତିରିଶ ଟଙ୍କା ଥାଏ, ମହାରାଷ୍ଟ୍ରରେ ପିଆଜ କିଲୋ ପଚାଶ ଟଙ୍କା ହେଲାଣି ବୋଲି ଏଇ ଚାନେଲଗୁଡ଼ିକ ଘନ ଘନ ଘୋଷଣା କରିବା ଫଳରେ ପଚିଶରେ ବିକ୍ରି କରୁଥିବା ପିଆଜର ଦାମ୍‌କୁ ଦୋକାନୀମାନେ ତତ୍‌କ୍ଷଣାତ ପଚାଶ କରିଦେଇ ଥାଆନ୍ତିି। ଏହାପରେ ପିଆଜକୁ ନେଇ ବ୍ରେକିଂ ନ୍ୟୁଜ୍‌, ପିଆଜ ବିଶେଷ ଆଉ ପିଆଜ ବିତର୍କରେ ଚାନେଲଗୁୁଡ଼ିକ ଉଛୁଳି ପଡ଼ନ୍ତି।
ମୋର ଦରବୃଦ୍ଧି ଅନେକଙ୍କୁ କଷ୍ଟ ଦିଏ ସତ, କିନ୍ତୁ ଏ କଥା ବି ସତ କି ଅନେକଙ୍କ ପାଇଁ ଏହା ମଧ୍ୟ ଲାଭଦାୟକ ହୋଇଥାଏ। ସେମିତି ପିଆଜ ଦରବୃଦ୍ଧି ବେଳର କଥା। ‘ଯୁବକଟିଏ ତା’ର ଆକାଂକ୍ଷିତ ଯୁବତୀଟିର ହୃଦୟ ଜୟ କରିବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥାଏ। ସେଦିନ ଥାଏ ରବିବାର।
ମେସ୍‌ରେ ମାଂସ ରାନ୍ଧି ଖାଇବା ପାଇଁ ଯୁବତୀ ଓ ତା’ର ସାଥୀମାନେ ମାଂସ ତ ନେଇ ଆସିଲେ କିନ୍ତୁ ଦେଖିଲା ବେଳକୁ ପିଆଜ ନାହିଁ। କ’ଣ କରାଯିବ? ପାଖ ଦୋକାନକୁ ଯାଇ ମାଗିବାରୁ ସିଏ କହିଲା- ପିଆଜର ଦର ଏତେ ବଢ଼ିଯାଇଛି ଯେ ତାକୁ ଦେଖିବାକୁ ଲୋକଙ୍କୁ ଡର ମାଡୁଛି। ତେଣୁ ମୁଁ ପିଆଜ ରଖିନି!
ଏମିତି ଆଖପାଖର ଦୋକାନଗୁଡ଼ିକରେ ପିଆଜ ସନ୍ଧାନରେ ବୁଲି ବୁଲି ନିରାଶ ହୋଇ ଯୁବତୀ ଓ ତା’ର ବାନ୍ଧବୀମାନେ ଫେରୁଥିବା ବେଳେ ଉପରୋକ୍ତ ଯୁବକଟି ଗୋଦାମରୁ ଦୁଇ କିଲୋ ପିଆଜ ଆଣି ଯୁବତୀ ସାମ୍ନାରେ ଦଣ୍ଡାୟମାନ ହୋଇ ପିଆଜ ମୁଣାଟି ଧରାଇଦେଲା। ଏଥର ଯୁବତୀ ଭାବପ୍ରବଣ ହୋଇ କହିଲା- ମୁଁ ତୁମକୁ ବହୁତ ଭଲପାଏ। ‘ଦେଖନ୍ତୁ ବାବାଜିଆ ଲୋକ; ଯେଉଁମାନେ ପାରିବାରିକ ବିକାଶକୁ ଥୁ କରିଦେଇ ନିଶଦାଢ଼ିର ବିକାଶକୁ ପ୍ରାଧାନ୍ୟ ଦେଇଥାଆନ୍ତି, ସେମାନଙ୍କ ନିକଟରେ ମୁଁ ନ ଥାଏ। ଉପରକୁ ସେମାନେ ଖାଲି କହନ୍ତି କି ମୁଁ ପିଆଜ ଖାଏନା, ଆମେ ହେଲୁ ନିରାମିଷ! କି କଥା ମୁଁ କ’ଣ କୋଉ ଜନ୍ତୁଜୁନ୍ତା ହେଇଚି ଯେ ମୋତେ ନ ଖାଇଲେ ଆପଣ ନିରାମିଷ ହୋଇଗଲେ? ପ୍ରକୃତ କଥା ହେଲା ମୋତେ ନେବାକୁ ସେମାନଙ୍କର ଦମ୍‌ ନ ଥାଏ। କିନ୍ତୁ ବାବାଜିଆ ବେଶରେ ଥିବା ଅନେକ ଲୋକ ଯେଉଁମାନେ ନାନା ଫନ୍ଦି ଫିକର କରି ଭିତିରିଆ ନିଜର ତଥା ପରିବାରର ବିକାଶରେ ମନୋନିବେଶ କରିଥାଆନ୍ତି, ସେମାନଙ୍କ ଖାଇବା ଥାଳିରେ ମୁଁ ଥାଏ।
ଯେହେତୁ ମୋର ଭାଇ ବିକାଶ ସେଠାରେ ଲୁଚିକରି ଥାଏ, ମୋର ଉପସ୍ଥିତି ମଧ୍ୟ ପ୍ରକାଶିତ ହୁଏ ନାହିଁ।
ମୋର ଦର ଏତେ ଯେ ସମସ୍ତେ ମୋତେ ପାଇପାରନ୍ତି ନାହିଁ। ତେଣୁ ବିକାଶ ଯୋଉଠି ମୁଁ ସେଇଠି। ଅର୍ଥାତ ଯାହାର ଆର୍ଥିକ ବିକାଶ ହୋଇଥାଏ ତା’ ପାଖରେ ଟଙ୍କା ଥାଏ। ଯା’ ପାଖରେ ଟଙ୍କା ଥାଏ, ତା ପାଖରେ ମୁଁ ଥାଏ। ଏବେ କୁହନ୍ତୁ ବିକାଶ ମୋର ଭାଇ କି ନାଇଁ?
ଚାଷୀ ହେଲା ମୋର ପାଳନକର୍ତ୍ତା, ସେବକ। ସିଏ ରାତିଦିନ ଏକ କରି ଖଟିଖଟି ମୋତେ ପାଳିପୋଷି ଛୋଟରୁ ବଡ଼ କରିଥାଏ। ଚାଷୀ ନିକଟରୁ ମୁଁ ଆସେ ବ୍ୟବସାୟୀ ନିକଟକୁ। ତା’ ପରେ ମୋର ଦେଖ ଭାଉ।
ମୁଁ ବେଶ୍‌ ଉପାଦେୟ ଓ ଦାମୀ ପାଲଟିଯାଏ। କାରଣ ବ୍ୟବସାୟୀ ନିକଟରେ ମୋର ଭାଇ ବିକାଶ ଥାଏ!
ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ବିକାଶକୁ ନ ଧରିଲେ କ’ଣ ପିଆଜକୁ ଧରି ହେବ ନାଇଁ? ପକେଟରେ ଧନ ନ ଥିବାରୁ ଆପଣ ମୋତେ ଜୁଳୁଜୁଳୁ ଚାହୁଁଥିବେ ଆଉ ମୁଁ ଆପଣଙ୍କୁ ଖତେଇ ହେଉଥିବି! ପିଆଜ କ’ଣ ଖାଲି ଧନୀର? ତା ହେଲେ ଧୀରେ ଧୀରେ ପିଆଜର ପ୍ରାପ୍ତି କ’ଣ ନିର୍ଧନ ପାଇଁ ସ୍ବପ୍ନ ହୋଇଯିବ?
ଏହି ପ୍ରଶ୍ନର ସଳଖ ଉତ୍ତର ହେଲା-ଯଦି ଆପଣଙ୍କ ପାଖରେ ବିକାଶର ଚିହ୍ନବର୍ଣ୍ଣ ନାହିଁ ତା’ହେଲେ ମୋତେ ମଣିଷପଣିଆ ପରିତ୍ୟାଗ କରିବାକୁ ହେବ ଏବଂ ଷଣ୍ଢ ପରି ବିଚ୍‌ ବଜାରରେ ମୋତେ ଟେକି ନେବାକୁ ପଡ଼ିବ।
ନରସିଂହପୁର, କଟକ
ମୋ-୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri