Posted inଫୁରସତ

ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ମାନସ ରଞ୍ଜନ ପଟ୍ଟନାୟକ

ଖୋର୍ଦ୍ଧା ଜିଲା ସଦର ବ୍ଲକ ଅନ୍ତର୍ଗତ ବାଜପୁର ଗାଁରେ ମୋ ଜନ୍ମ। ଭୁବନେଶ୍ୱର ୮ନଂ ହାଇସ୍କୁଲ୍‌ରୁ ଏକାଦଶ ପାସ୍‌ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇ.ଏସ୍‌ସି ପଢିଥିଲି। ତା’ପରେ ଆଲ୍ଲାହାବାଦ୍‌ସ୍ଥିତ କୁଲଭାସ୍କର ଆଶ୍ରମ କୃଷି ଇଣ୍ଟର କଲେଜରୁ ଡିପ୍ଲୋମା ଏ.ଜି. ଏବଂ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ବି.ଏସ୍‌ସି. ଏ.ଜି. ପାସ୍‌ କରିବା ପରେ ୧୯୯୪ରେ ଏଗ୍ରିକଲ୍‌ଚର ଫାଇନାନ୍ସ କର୍ପୋରେଶନରେ ଅନିୟମିତ ଭାବେ ଇନ୍‌ଭେଷ୍ଟିଗେଟର ପଦବୀରେ ଜଏନ୍‌ କରିଥିଲି। ଉକ୍ତ ଚାକିରିରୁ ଯେଉଁ ପ୍ରଥମ ଦରମା ପାଇଥିଲି, ତାହାକୁ ନେଇ ବାପାଙ୍କୁ ଦେଇଥିଲି। ବାପା ସେହି ଟଙ୍କାରୁ କିଛି ନେଇ ଠାକୁରଙ୍କ ପାଖେ ପ୍ରଥମେ ଭୋଗ କରିଥିଲେ। ତା’ସହିତ ମୋ ପାଇଁ ସାଇକେଲ୍‌ଟିଏ ମଧ୍ୟ କିଣି ଦେଇଥିଲେ। ବାପା ସୁରେନ୍ଦ୍ର କୁମାର ପଟ୍ଟନାୟକ ଥିଲେ କୃଷି ବୈଷୟିକ ମହାବିଦ୍ୟାଳୟର ଜଣେ ସ୍ବଳ୍ପ ବେତନଭୋଗୀ କର୍ମଚାରୀ। ଅଳ୍ପ ଦରମା ପାଉଥିଲେ ବି ପାଠ ପଢାଇ ମୋତେ ମଣିଷ କରିବାରେ ସେ କେବେ ଅବହେଳା କରି ନଥିଲେ। ତେଣୁ ଇଚ୍ଛା ଥିଲା ଯେବେ ଚାକିରି କରିବି ପ୍ରଥମ ଦରମା ନେଇ ବାପାଙ୍କ ହାତରେ ଦେବି। ନିଜ ଇଚ୍ଛା ପୂରଣ କରିପାରିଥିବାରୁ ମୋତେ ଖୁବ୍‌ ଖୁସି ଲାଗୁଥିଲା। ତେବେ ଉକ୍ତ ସଂସ୍ଥାରେ କିଛିିଦିନ କାମ କରିସାରିବା ପରେ ରାଉରକେଲା ପ୍ରଗତିକେନ୍ଦ୍ର (ଏନ୍‌.ଜି.ଓ)ରେ ପ୍ରୋଜେକ୍ଟ କୋଅର୍ଡିନେଟର ଭାବେ ଯୋଗ ଦେଇଥିଲି। ସେଠାରେ ମୁଁ ଚାରାରୋପଣ କାର୍ଯ୍ୟନିର୍ବାହ କରୁଥିଲି। ଆଉ ସେହି ସମୟ ମଧ୍ୟରେ ଓୟୁଏଟିର ଏମ୍‌.ଏସ୍‌ସି. କୃଷି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କୃଷି ଅର୍ଥନୀତିରେ ଡିଗ୍ରୀ ହାସଲ କଲି। ତା’ପରେ ୧୯୯୯ରେ ଓୟୁଏଟିର ଏକ ଫିଲପାଇନସ୍‌ (ଇରି) ପ୍ରୋଜେକ୍ଟରେ ଅନିୟମିତ ଭାବେ କାର୍ଯ୍ୟ କରିଥିଲି। ଉକ୍ତ ପ୍ରୋଜେକ୍ଟରେ କାର୍ଯ୍ୟ କରିବା ମଧ୍ୟରେ ପ୍ରଫେସର୍‌ ଡ.ଲକ୍ଷ୍ମୀନାରାୟଣଙ୍କ ତତ୍ତ୍ୱାବଧାନରେ କୃଷି ଦୁନିଆ ସଂସ୍ଥାରେ ମଧ୍ୟ ପ୍ରଶ୍ନୋତ୍ତର ତଥା ସ୍କ୍ରିପ୍ଟ ରାଇଟିଂରେ ସହାୟକ ଭାବେ କାର୍ଯ୍ୟ କରୁଥିଲି। ତା’ପରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ରିସର୍ଚ୍ଚ ଆସୋସିଏଟ୍‌ ଭାବେ ଦାୟିତ୍ୱ ଗ୍ରହଣ କଲି। କିଛିଦିନ ପରେ ପୁନର୍ବାର ଓୟୁଏଟିର ଏନ୍‌.ଏ.ଟି.ପି ପ୍ରୋଜେକ୍ଟରେ ସିନିୟର୍‌ ରିସର୍ଚ୍ଚ ଆସୋସିଏଟ୍‌, ତା’ପରେ ସରକାରୀ ମୃତ୍ତିକା ସଂରକ୍ଷଣ ବିଭାଗ, କଳାହାଣ୍ଡିରେ ଜଳଛାୟା ପ୍ରକଳ୍ପରେ ମଧ୍ୟ କାର୍ଯ୍ୟନିର୍ବାହ କରିଥିଲି। ୨୦୦୬ରେ କୃଷି ବିଜ୍ଞାନ କେନ୍ଦ୍ର, ଓୟୁଏଟିରେ କ୍ଷେତ୍ର ପରିଚାଳକ ଭାବେ କାର୍ଯ୍ୟ କରି ବର୍ତ୍ତମାନ ଓୟୁଏଟିର ଆଗ୍ରୋପଲିଟେକ୍‌ନିକ୍‌ ସେଣ୍ଟର, ବୌଦ୍ଧରେ ଅଧ୍ୟକ୍ଷ ଭାବେ ଅବସ୍ଥାପିତ। ପିଲାଟିଦିନରୁ ମୁଁ କୃଷିକୁ ତଥା ଜୈବିକ କୃଷିକୁ ପ୍ରାଧାନ୍ୟ ଦେଇଆସିଛି। ଆଉ ଭବିଷ୍ୟତରେ ଜୈବିକ କୃଷି କିପରି ଆଗେଇବ ଓ ପ୍ରତିଟି ଚାଷୀ କିଭଳି ଜୈବିକ କୃଷିରେ ଅଧିକରୁ ଅଧିକ ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ କାର୍ଯ୍ୟ କରିବା ମଧ୍ୟ ଆରମ୍ଭ କରିଦେଇଛି। ଏ କ୍ଷେତ୍ରରେ ମୋ ଧର୍ମପତ୍ନୀ ପ୍ରଫେସର୍‌ ପୁଷ୍ପାଞ୍ଜଳୀ ସାମନ୍ତରାୟଙ୍କର ଅବଦାନ ମଧ୍ୟ ବହୁତ ରହିଛି। ସେ ବର୍ତ୍ତମାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତା। ଏତଦ୍‌ବ୍ୟତୀତ ରେଡ଼ିଓ, ଖବରକାଗଜ ତଥା ବୁକ୍‌ଲେଟ୍‌ ପାଇଁ ବି କୃଷି ଭିତ୍ତିକ ଲେଖା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?