ମୁମ୍ବାଇ: ବିଗତ ଦିନରେ ଚଳଚ୍ଚିତ୍ର ନାୟିକାଙ୍କ ଲାଗି ପ୍ରଶଂସକ ପାଗଳପ୍ରାୟ ଥିଲେ। ଫିଲ୍ମର ଚରିତ୍ର ଭଲ ଲାଗିଲେ ବେଶ୍ କିଛି ବର୍ଷ ଯାଏ କଳାକାରଙ୍କୁ ମନେ ରଖାଯାଉଥିଲା। ସେଭଳି ଗୋଟିଏ ଫିଲ୍ମ ଥିଲା ‘କହୋ ନା ପ୍ୟାର ହୈ’। ଇତିମଧ୍ୟରେ ଫିଲ୍ମକୁ ବିତିଯାଇଛି ୨୫ ବର୍ଷ। ତଥାପି ପ୍ରଶଂସକଙ୍କ ଭଲପାଇବାକୁ ଦେଖି ନିର୍ମାତା ଫିଲ୍ମଟିକୁ ପୁଣିଥରେ ରିଲିଜ କରିଛନ୍ତି, ଯାହାକୁ ନେଇ ବେଶ୍ ଖୁସି ଅଛନ୍ତି ନାୟକ ହ୍ରିତିକ୍ ରୋଶନ ଏବଂ ନାୟିକା ଅମିଷା ପଟେଲ।
ସେଦିନର ସ୍ମୃତିକୁ ମନେ ପକାଇ ଅମିଷା କହିଛନ୍ତି, ୨୦୦୦ରେ ଫିଲ୍ମ ରିଲିଜ ପରେ ପ୍ରଶଂସକମାନଙ୍କ ମଧ୍ୟରେ କ୍ରେଜ୍ ବହୁତ ଥିଲା। ହ୍ରିତିକ ଏବଂ ମୋତେ ବିବାହ ପ୍ରସ୍ତାବ ଆସୁଥିଲା। ଲୋକେ ଆମ ଫଟୋ ସହ ମନ୍ଦିରରେ ବିବାହ କରୁଥିଲେ। ଏମିତିକି ମୋତେ ରକ୍ତରେ ଲେଖାଯାଇଥିବା ପ୍ରେମଚିଠି ମିଳିଥିଲା। ଏସବୁ ଦେଖି ଡର ଲାଗିଥିଲା। ବଡିଗାର୍ଡ ରଖିବାକୁ ବାଧ୍ୟ ହୋଇଥିଲି। ପୁରୁଣା ଢ଼ଙ୍ଗରେ ରେଷ୍ଟୁରାଣ୍ଟରେ ଖାଇବା ଏବଂ ସେଲୁନ୍ ଯିବା ସହଜ ନ ଥିଲା ବୋଲି ଅଭିନେତ୍ରୀ କହିଛନ୍ତି।
କେବଳ ଅମିଷା ନୁହନ୍ତି ହ୍ରିତିକ ମଧ୍ୟ ଫିଲ୍ମର ସଫଳତା ପରେ ମହିଳା ପ୍ରଶଂସକଙ୍କ ପ୍ରଥମ ପସନ୍ଦ ପାଲଟିଥିଲେ। ତାଙ୍କ ଭଳି ପୋଷାକ ପିନ୍ଧିବାକୁ ଲୋକେ ପସନ୍ଦ କରୁଥିଲେ। ମୋଟାମୋଟି କହିବାକୁ ଗଲେ ଫିଲ୍ମଟିର ପ୍ରେମକାହାଣୀ ସମସ୍ତଙ୍କ ହୃଦୟ ଜିତି ନେଇଥିଲା। ଫିଲ୍ମରେ ହ୍ରିତିକ, ଅମିଷାଙ୍କ ବ୍ୟତିତ ଅନୁପମ ଖେର, ଦିଲୀପ ତାହିଲ, ମୋହନିଶ ବହଲ ପ୍ରମୁଖ ନଜର ଆସିଥିଲେ।