ମଣିଷ ପ୍ରକୃତିକୁ ଫେରୁଛି

ବିଭାବତୀ ଦାଶ

 

ଜହ୍ନ ଯେତେଦିନ ଯାଏ ମାମୁ ହୋଇ ରହିଥିଲା, ସେତେଦିନ ଯାଏ ଜୀବନ କେତେ ସରଳ, ସ୍ବଚ୍ଛନ୍ଦ, ନିର୍ବିକାର ଥିଲା। ତାରାମାନେ ଥିଲେ ସାଙ୍ଗ। ତାରାକୁ ତାରା ଯୋଡ଼ି ଦା’ବେଣ୍ଟ ପରି ସପ୍ତର୍ଷି ମଣ୍ଡଳକୁ ସଞ୍ଜ ଆକାଶରେ ଖୋଜି ପାଇଗଲେ, ନିଜକୁ ବୈଜ୍ଞାନିକ ଭଳି ମନେହେଉଥିଲା। ପୋଖରୀ କୂଳରେ ବସି ଗୋଟି ଗୋଟି ଟେକା ପଥର ଫିଙ୍ଗି ତରଙ୍ଗ ଗଣିବାରେ ମଜା ଆସୁଥିଲା। ଖରାଛୁଟି ଦ୍ୱିପହର ବେଳେ ବୋଉ କୋଳରୁ ଚୁପ୍‌କି ଉଠିଯାଇ ଗାଁ ପିଲାଙ୍କ ସହ ଦାଣ୍ଡରେ ଲୁଚକାଳି, ବୋହୂଚୋରି, ବାଲିଘର, କବାଡି, କିତିକିତି ଖେଳିବାରେ ହେଉ କି କଞ୍ଚା ଆମ୍ବ, ତେନ୍ତୁଳି, ଆମ୍ବୁଲ ଚକଟି ଖଟାପାଣି କରି ମୁନ୍ଦେ ମୁନ୍ଦେ ବାଣ୍ଟି ପିଇବାରେ ହେଉ, ସବୁଥିତ୍ରେ ଥିଲା ଖୁସି। ମାଟି, ପାଣି, ଗଛ, ଜୀବଜନ୍ତୁଙ୍କ ସହ ସହବସ୍ଥାନ ଶିଖାଇଥିଲା ପିଲାଦିନ। ସକାଳୁ ଗାଈର ହମ୍ବାରଡିରେ ନିଦ ଭାଙ୍ଗୁଥିଲା। ରାତିରେ ବୋଉ କୋଳରେ ମୁହଁ ଗୁଞ୍ଜି ଦେଲେ ନିଦ ଲହଡ଼ି ଭାଙ୍ଗି ମାଡିଆସୁଥିଲା। ବୋଉ ଶୁଆଇଦେଲା ବେଳେ ବଉଳା ଗାଈ ଗୀତଟିକୁ ବୋଲୁଥିଲା ସବୁଦିନ। ବଉଳା ଗାଈ ତା’ ବାଛୁରୀକୁ କ୍ଷୀର ପିଆଇଦେଲା ପରେ ବାଘ ପାଖକୁ ଫେରିଯିବା ପାଇଁ ବାଛୁରୀକୁ ଗେଲ କରିବା ଧାଡ଼ିଟି ଗାଇବା ବେଳକୁ ବୋଉର କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା। ସ୍ବର କରୁଣ ହେଇଯାଉଥିଲା ତା’ ଆଖିରେ ଲୁହ ବି ଆସିଯାଉଥିଲା। ଯେମିତି ବୋଉ ବଉଳା ଗାଈ ପାଲଟି ଯାଉଥିଲା ଆଉ ମୁଁ ତା’ ବାଛୁରୀ। ମୋ ଆଖିରେ ବି ଲୁହ ଆସୁଥିଲା। ଥଣ୍ଡା କାଶ ଜର ହେଲେ ବୋଉ ରାତି ରାତି ନ ଶୋଇ ଜଗି ବସୁଥିଲା। ମୁଣ୍ଡରେ ଠାକୁରଙ୍କ ନାମ ନେଇ ପାଣିପଟି ପକାଉଥିଲା। ସବୁ କଷ୍ଟ ତାକୁ ଦେଇ ମୋ’ ଦେହ ଭଲ କରିଦେବା ପାଇଁ ଠାକୁରଙ୍କୁ ନେହୁରା ହେଉଥିଲା। ଜନ୍ମ ଦିନରେ ଭଳିକି ଭଳି ପିଠା ଖିରି କରି ସାହି ଛୁଆଙ୍କୁ ଖୁଆଉଥିଲା। ନିର୍ଦ୍ଦିଷ୍ଟ ପର୍ବପର୍ବାଣିରେ ନୂଆ ଡ୍ରେସ୍‌ ଆସୁଥିଲା। ନୂଆ ଡ୍ରେସ୍‌ ପିନ୍ଧିବା ଖୁସିରେ ପୂର୍ବଦିନ ଆଖିରେ ନିଦ ଆସୁ ନ ଥିଲା। ଆମ ପିଲାଦିନରେ ଆମ ଖୁସିର ଉତ୍ସ ଥିଲା ପ୍ରକୃତି ଓ ପରିବାର।
ଏବେ ମୁଁ ଯଥେଷ୍ଟ ବଡ଼ ହୋଇସାରିଛି। ବଡ଼ ବଡ଼ କଲେଜ ଓ ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କରି ସରକାରୀ ଚାକିରି କରୁଛି। ଭଲ ଦରମା ବି ପାଉଛି। ସହରରେ ବିରାଟ ବଙ୍ଗଳା କିଣିଛି। ଏସି, ମୋବାଇଲ୍‌, ଲାପ୍‌ଟପ୍‌, ଟିଭି ବିନା କ୍ଷଣଟିିଏ ବି ଅତିଷ୍ଠ ଲାଗୁଛି। ଅଫିସ୍‌ରେ ଦିନସାରା ଖଟି ଖଟି ଫେରିଲା ପରେ ମୋ ରୁମ୍‌ରୁ ବାହାରିବା ଅସମ୍ଭବ, ମୋ ପାଇଁ କେତେ କେତେ ରୋଗ ମୋ ଦେହକୁ ଅକ୍ତିଆର କରିଛନ୍ତି। ମାସକୁ ମାସ ଡାକ୍ତର, ରକ୍ତ ପରୀକ୍ଷା, ଔଷଧ, ଇଞ୍ଜେକ୍ସନ ଇତ୍ୟାଦିରେ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏବେ ଜୀବନରେ ରୋମାନ୍ସ କମ୍‌, ଜଞ୍ଜାଳ ବେଶି। ବେଳେବେଳେ ଜୀବନଟା ଜଳ ଭଳି ରଙ୍ଗହୀନ, ସ୍ବାଦହୀନ, ଗନ୍ଧହୀନ ଲାଗୁଛି। ବର୍ତ୍ତମାନର ପିଲାମାନଙ୍କୁ ଖେଳିବା ପାଇଁ କହିଲେ, ସେମାନେ ମୋବାଇଲ ଦରକାର କରନ୍ତି। ପାଟି ସୁଆଦ ପାଇଁ ପ୍ଲାଷ୍ଟିକ୍‌ ଜରି ଓ କଳାଧଳା ଡବାରେ ଖାଦ୍ୟ ହୋଟେଲରୁ ମଗାଇ ଖାଆନ୍ତି। ତାଙ୍କ ଜୀବନ ଓ ଖୁସି ଯନ୍ତ୍ରକେନ୍ଦ୍ରିତ।
କିନ୍ତୁ ବୋଉ ଠିକ୍‌ ସେମିତି ଅଛି, ଯେମିତି ଥିଲା ସେଦିନ। ମୋର ଦି’ ଗୁଣ ବୟସରେ ବି ମୋଠୁ ଅଧିକ ନୀରୋଗ, ନିର୍ଭେଜାଲ ଜୀବନ ବଞ୍ଚୁଛି। ଆଜି ବି ସେ ଡାକ୍ତର ପାଖକୁ ଯିବା ପୂର୍ବରୁ ତା’ ବାଡି ବଗିଚାର ଚେରମୂଳି ଖାଇ ନିଜକୁ ସୁସ୍ଥ କରୁଛି। ପରିଣତ ବୟସରେ ବି ବୋଉ ସୂର୍ଯ୍ୟ ଉଇଁବା ପୂର୍ବରୁ ବିଛଣାରୁ ଉଠି ଘରକାମ ସାରୁଛି। ଆଗଭଳି ଆଜି ବି ସେ ସକାଳୁ ଆମ ଭଳି ପାଟିସୁଆଦିଆ ଜଳଖିଆ ଅପେକ୍ଷା ଶାଗ ପଖାଳ ଖାଇବାକୁ ଭଲ ପାଉଛି। ଆକ୍ୱାଗାର୍ଡ ପାଣି ନୁହେଁ, ବରଂ ଫୁଟା ଛଣା ପାଣି ମାଠିଆରେ ରଖି ପିଉଛି। ସେ ମୋବାଇଲ ବ୍ୟବହାର ବେଶି ଜାଣିନି ଓ ମନ ଆନମନା କରିବାକୁ ବହି ପଢ଼ୁଛି।
ବୋଉ କୁହେ ସେ ଛୁଆଦିନେ ମାଣ୍ଡିଆଯାଉ ଖାଇ ଚାଟଶାଳିକୁ ଯାଉଥିଲା। ଏବେ ଡାକ୍ତର ଓ ଡାଏଟିସିଆନଙ୍କ ଉପଦେଶ ଅନୁସାରେ ମୁଁ ମାଣ୍ଡିଆ, ଖଣ୍ଡିଗହମ (ଦଲିଆ), ଗହମ ଯଅ ଚୁଡା(ଓଟସ୍‌), ମକା ଚୁଡା (କର୍ନଫ୍ଲେକ୍ସ), ଗୁଡ଼ କି ମହୁ ଦେଇ ସିଝାଇ ବା ଭିଜେଇ ଖାଉଛି। ସେଗୁଡା କୁଆଡେ ଦେହ ପାଇଁ ହିତକର। ବୋଉ ବିନା କ୍ଷୀର ବାଲା ନାଲି ଚା’ ପିଏ। ମୁଁ ଏବେ ବ୍ଲାକ-ଟି ନ ହେଲେ ଗ୍ରୀନ୍‌-ଟି ପିଉଛି। କାରଣ ମେଡିକାଲ ସାଇନ୍ସ କହୁଛି, ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର।
ଜେଜେ କହୁଥିଲେ, ତାଙ୍କ ପିଲାବେଳେ ଏତେ ଗାଡିର ସୁବିଧା ନ ଥିଲା। ଦୂର ବାଟ ଯିବାକୁ ହେଲେ ସେତେବେଳେ ଲୋକମାନେ ଚାଲି ଚାଲି ଯାଉଥିଲେ। ମୋ ସମୟରେ କିନ୍ତୁ ଘରେ ଘରେ ଏକାଧିକ ଗାଡି। ସକାଳୁ ସକାଳୁ ସହର ଓ ଗାଁର ଲୋକମାନେ ଝାଳନାଳ ହୋଇ ରାସ୍ତା କଡ଼େ କଡ଼େ ଧାଡ଼ି ବାନ୍ଧି ଚାଲିଛନ୍ତି ମେଦ ଓ ରୋଗ କମ୍‌ କରିବା ପାଇଁ, ମୁଁ ବି ପାର୍କରେ ଦୌଡ଼ୁଛି, ବ୍ୟାୟାମ କରୁଛି। ସମସ୍ତଙ୍କ ପାଖେ ସମୟର ଘୋର ଅଭାବ। କେହି କାହା ସୁଖ ଦୁଃଖରେ ଠିଆ ହେବା ପାଇଁ ତର ନାହିଁ। ମୋବାଇଲରେ ସବୁ ସାନ୍ତ୍ୱନା, ଆଶ୍ୱାସନା ଦୁଇ ସେକେଣ୍ଡରେ ପଠାଇ ହେଉଛି। ମେଶିନ ସଂଖ୍ୟା ଘରେ ବଢ଼ୁଛି, ଲୋକ ସଂଖ୍ୟା କମୁଛି। ବନ୍ଧୁ ହେଉ କି ଘରର ଆସବାବ, ସବୁ ବିଦେଶୀ କରିବାରେ ଅନେକ ଦିନ ଆମେ ଗର୍ବ ଅନୁଭବ କରିବା ପରେ ଏବେ ଦେଶୀୟ ଖାଦ୍ୟ, ବସ୍ତ୍ର ଓ ଆଖପାଖ ମଣିଷଙ୍କ ମହତ୍ତ୍ୱ ହେଜୁଛୁ। ଯାନ୍ତ୍ରିକତାରେ ଜୀବନର ସବୁ ସୁଖ ଶାନ୍ତି ମିଳିପାରେ ନାହିଁ ବୋଲି ହୃଦୟଙ୍ଗମ କଲାବେଳେ, ଏବେ ଆମେ ଦେଶୀ ଆଡକୁ ମୁହଁାଉଛୁ। ଦେଶୀୟ ପଦ୍ଧତିରେ ଚାଷ କରୁଛୁ। ଉଜୁଡ଼ା ପ୍ରକୃତିକୁ ସଜାଡିବା ପାଇଁ ଅଣ୍ଟା ଭିଡୁଛୁ। ସହରଠୁ ଦୂର ଜାଗାରେ ଫାର୍ମହାଉସ୍‌ କରି ସେଠି ପ୍ରକୃତି ସହ ଅଧିକ ସମୟ ବିତାଉଛୁ। ମା, ମାଟି ଓ ପରିବେଶର ମୂଲ୍ୟ ବୁଝି ସେସବୁକୁ ସୁରକ୍ଷିତ ରଖିବାର ପ୍ରଚେଷ୍ଟା ଆରମ୍ଭ ହେଉଛି। ସୂର୍ଯ୍ୟଶକ୍ତି ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ପ୍ରକୃତି ଓ ଧରଣୀର ବିକାଶ ପାଇଁ ଆମେ ଏବେ ଅଧିକ ତତ୍ପର। ମଣିଷ ପ୍ରକୃତିରୁ ଦୂରେଇ ଅପ୍ରାକୃତିକ ସୁଖ ସ୍ବାଚ୍ଛନ୍ଦ୍ୟରେ ବେଶି ଦିନ ତିଷ୍ଠି ପାରିବନି- ଏକଥା ଏବେ ସେ ବୁଝି ସାରିଲାଣି। ତେଣୁ ମଣିଷ ପୁଣି ପ୍ରକୃତି କୋଳକୁ ଫେରୁଛି।
ଶାସ୍ତ୍ରୀନଗର, ଭୁବନେଶ୍ୱର
bibhabatidash@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri