କେମିତି ବୁଝେଇବେ

ବିଦେଶରୁ ଭାରତ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିବା ବିଷୟ ଯେତେବେଳେ ଆଲୋଚନାକୁ ଆସେ ସେତେବେଳେ ବୋଫର୍ସ ଦୁର୍ନୀତି କଥା ମନେପଡ଼େ। ଏବେ କିଛି ବର୍ଷ ହେବ ବୋଫର୍ସକୁ ପଛରେ ପକାଇ ଅଗୁସ୍ତା ଓ୍ବେଷ୍ଟଲାଣ୍ଡ୍‌ ଓ ୨୦୧୬ରେ ରାଫାଲ ଯୁଦ୍ଧବିମାନ କିଣା ବେଳେ ହୋଇଥିବା ଆର୍ଥିକ ଅନିୟମିତତା ବିଷୟ ଆଗକୁ ଚାଲିଯାଇଛି। ତା’ପୂର୍ବରୁ ଏଚ୍‌ଡିଡବ୍ଲ୍ୟୁ ବୁଡ଼ାଜାହାଜଠାରୁ ଆରମ୍ଭ କରି କଫିନ୍‌ କିଣା ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତି ହେଉଥିବା ସମ୍ପର୍କରେ ଆମେ ଦେଶବାସୀ ପଢ଼ିବାକୁ ପାଇଆସୁଛୁ। ଆମକୁ କୁହାଯାଏ ଯେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍‌ ବ୍ୟବସ୍ଥା। କିନ୍ତୁ ଭାରତୀୟ ସେନାଠାରେ ଅସହାୟ ସ୍ଥିତି ସବୁବେଳେ ଲାଗିରହିଥିବା ବିଷୟ ଶୁଣିବାକୁ ମିଳେ। ଦେଶର ସୀମାନ୍ତଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ସଶସ୍ତ୍ର ସେନାର ଦୁର୍ବଳତାର ପ୍ରମାଣ ମିଳୁଛି। ସୀମାରେ ଥିବା ଉରି, ପଠାନକୋଟ୍‌ଠାରୁ ନେଇ ପୁଲ୍‌ଓ୍ବାମା ପର୍ଯ୍ୟନ୍ତ ଏବଂ ସଦ୍ୟ ଛତିଶଗଡ଼ର ସୁକ୍‌ମା ବିଜାପୁର ଅଞ୍ଚଳରେ ଭାରତର ସଶସ୍ତ୍ର ବଳ ନିଜର ମନୋବଳ ବଜାୟ ରଖିଥିଲେ ମଧ୍ୟ ଆବଶ୍ୟକ ସରକାରୀ ସହଯୋଗ ମିଳୁ ନ ଥିବାରୁ ନିଜର ଅଭିଯାନରେ ବାରମ୍ବାର ବିଫଳ ହେଉଛନ୍ତି। ଏଠାରେ ଦୋଷ ଯବାନମାନଙ୍କର ନୁହେଁ ଓ ସେମାନଙ୍କ ବଳିଦାନକୁ କେହି କେବେ ଗୌଣ କରିପାରିବେ ନାହିଁ। ଦୋଷ ସମ୍ପୂର୍ଣ୍ଣ ଭାବେ ରାଜନୈତିକ ନେତୃତ୍ୱ ଉପରେ ଲଦିହେବ, କାରଣ ସବୁ ଅଘଟଣକୁ ରାଜନୈତିକ ମୋଡ଼ ଦେଇ ଲାଭ ଉଠାଇବା ବ୍ୟତୀତ କ୍ଷମତାସୀନ ବ୍ୟକ୍ତିମାନେ ବାହିନୀର ବାସ୍ତବ ଚାହିଦାକୁ ବୁଝିବା ପାଇଁ କେବେହେଲେ ଚେଷ୍ଟା କରୁ ନାହାନ୍ତି।
ପ୍ରତିରକ୍ଷା ସଂକ୍ରାନ୍ତ ତଥ୍ୟ ସାଧାରଣରେ ପ୍ରକାଶ କରାଯିବା ଉପରେ ପ୍ରତିବନ୍ଧକ ଥିବାରୁ ସେ ସମ୍ପର୍କରେ କେହି ପ୍ରଶ୍ନ କରିପାରି ନ ଥାନ୍ତି। ଭାରତର ଗୋଇନ୍ଦା ଓ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ ଦକ୍ଷ ନ ଥିବାରୁ ଏଭଳି ଚୁକ୍ତି ବେଳେ ହେଉଥିବା ଗୋପନୀୟ କାରବାରକୁ ଧରାଯାଇପାରି ନ ଥାଏ। ଇତିହାସ ଦେଖିଲେ ବିଦେଶୀ ତଦନ୍ତକାରୀ ସଂସ୍ଥା ବା ଗଣମାଧ୍ୟମ ଏ ସଂକ୍ରାନ୍ତ ଅନିୟମିତତାକୁ ପଦାକୁ ଆଣିଥାଆନ୍ତି। ଏବେ ଏକ ବିଦେଶୀ ସଂସ୍ଥା ଦ୍ୱାରା ସତ୍ୟ ପ୍ରକାଶ ପାଇବା ପରେ ଭାରତ ସରକାର ଉଲଗ୍ନ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦେଖିଲେ କେନ୍ଦ୍ରରେ ନରେନ୍ଦ୍ର ମୋଦି କ୍ଷମତାସୀନ ହେବା ପରେ ୨୦୧୬ରେ ଫ୍ରାନ୍ସଠାରୁ ରାଫାଲ ଯୁଦ୍ଧ ବିମାନ କିଣାଯିବା ନେଇ ଏହାର ନିର୍ମାତା ଡାସଲ୍ଟ ଆଭିଏଶନ ସହ ହୋଇଥିବା ଚୁକ୍ତି ବିବାଦୀୟ ହୋଇପଡ଼ିଥିଲା। ପରବର୍ତ୍ତୀ ସମୟରେ ଦେଖାଯାଇଥିଲା ଯେ ଡାସଲ୍ଟ କମ୍ପାନୀ ଅନ୍ତର୍ଜାତୀୟ ଚୁକ୍ତିକୁ ଉଲ୍ଲଂଘନ କରି ଆର୍ଥିକ ହେରଫେର କରିଛି। ୫ ଏପ୍ରିଲ ୨୦୨୧ରେ ଫ୍ରାନ୍ସର ଦୁର୍ନୀତି ଜଗୁଆଳି ସଂସ୍ଥା ଏଜେନ୍ସି ଫ୍ରାନ୍‌ସେଜ୍‌ ଆଣ୍ଟିକରପ୍‌ସନ୍‌ (ଏଏଫ୍‌ଏ) ପକ୍ଷରୁ କୁହାଯାଇଛି ଯେ, ଡାସଲ୍ଟ ଆଭିଏଶନ୍‌ ଏଥିଲାଗି ସୁସେନ୍‌ ଗୁପ୍ତାଙ୍କ ମାଲିକାନାରେ ଥିବା ଡେଫ୍‌ସିସ୍‌ ସଲ୍ୟୁଶନକୁ ୧୧ ଲକ୍ଷ ୟୁରୋ ଦେଇଛି। ଅର୍ଥାତ୍‌ ଏହି ଭାରତୀୟ ମଧ୍ୟସ୍ଥଙ୍କ ଆକାଉଣ୍ଟକୁ ଡାସଲ୍ଟ ଆଭିଏଶନରୁ ଉପହାର ହିସାବରେ ଯାଇଥିବା ଅର୍ଥକୁ ଫ୍ରାନ୍ସର ଦୁର୍ନୀତି ନିରୋଧୀ ସଂସ୍ଥା ଅଡିଟ୍‌ କଲା ବେଳେ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ ଯେ, ଫ୍ରାନ୍ସରେ ପ୍ରତିରକ୍ଷା କ୍ଷେତ୍ରରେ ହେଉଥିବା ଚୁକ୍ତି ବେଳେ ଉପହାରକୁ ଅତି ଗମ୍ଭୀର ଭାବେ ଦେଖାଯାଇଥାଏ।
ଏହା ସ୍ବାଭାବିକ କଥା ଯେ, ପ୍ରତିରକ୍ଷା ସଂକ୍ରାନ୍ତ ବିଷୟରେ ସ୍ବଚ୍ଛତା ରହିବା କୌଣସି ସରକାର ପାଇଁ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱ ବହନ କରିଥାଏ। ସେଥିପାଇଁ ସମ୍ଭବତଃ ଉପହାରକୁ ଗର୍ହିତ ତାଲିକାରେ ଫ୍ରାନ୍ସ ରଖିଛି। ଭାରତରେ ସେହି ବିଷୟକୁ ପ୍ରାଧାନ୍ୟ ଦିଆଯାଉ ନ ଥିବାରୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ ବେଳେ ଆର୍ଥିକ ଦୁର୍ନୀତି ପରିମାଣ ବୃଦ୍ଧି ପାଉଛି। ୨୦୧୩ରେ ଉପା-୨ ସରକାର ବେଳେ ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ଦୁର୍ନୀତି ହୋଇଥିବା ବିଷୟ ଚହଳ ପଡ଼ିଥିଲା। ସେତେବେଳେ ବିରୋଧୀ ଆସନରେ ଥିବା ଭାଜପା ଚିଲାଇ କହିଥିଲା ଯେ, କଂଗ୍ରେସ ଅମଳରେ ସବୁ ବଡ଼ ପ୍ରତିରକ୍ଷା ଦୁର୍ନୀତି ହୋଇଛି। ଜନସାଧାରଣ ଦେଶରୁ କଂଗ୍ରେସକୁ ନ ହଟାଇଲେ ଭାରତର ସୁରକ୍ଷା ବିପନ୍ନ ହେବ ବୋଲି ଭାଜପାର ତୁଙ୍ଗନେତାମାନେ ବାରମ୍ବାର କହୁଥିଲେ। ଆଜି ଯେତେବେଳେ କେନ୍ଦ୍ରରେ ଭାଜପା ସରକାର ଦ୍ୱାରା ରାଫାଲ ଚୁକ୍ତି ବେଳେ ହୋଇଥିବା ଦୁର୍ନୀତି ସର୍ବସମ୍ମୁଖକୁ ଆସିଛି, ଏହାର ନେତାମାନେ କାହିଁକି ନୀରବ ରହୁଛନ୍ତି ବୋଲି ପ୍ରତିରକ୍ଷା ସମୀକ୍ଷକମାନେ ପ୍ରଶ୍ନ କରିବା ସ୍ବାଭାବିକ। ଆଶ୍ଚର୍ଯ୍ୟର ବିଷୟ ଯେ ଫ୍ରାନ୍ସର ଦୁର୍ନୀତି ନିରୋଧୀ ସଂସ୍ଥା ଯେଉଁ ଗୁପ୍ତାଙ୍କ କଥା କହିଛି, ସେହି ବ୍ୟକ୍ତି ୨୦୧୩ ଅଗୁସ୍ତା ଓ୍ବେଷ୍ଟଲାଣ୍ଡ୍‌ ହେଲିକପ୍ଟର କିଣା ବେଳେ ମଧ୍ୟସ୍ଥ ଭାବେ ପ୍ରବଳ ଲାଞ୍ଚ ନେଇଥିବାରୁ ୨୦୧୯ରେ ଗିରଫ ହୋଇଥିଲେ। ଏଥିରୁ ବୁଝିବାକୁ ହେବ ଯେ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଭିତିରି ସମ୍ପର୍କ ରଖିଥିବା ବ୍ୟବସାୟ ଗୋଷ୍ଠୀ ସରକାରଙ୍କ ଗୋପନୀୟ ଦଲିଲ ହାତେଇବାରେ ସକ୍ଷମ ହେଉଛନ୍ତି ଏବଂ ଯେଉଁ ରାଜନେତା କ୍ଷମତାକୁ ଆସନ୍ତୁ ପଛେ ସମସ୍ତେ ଗୋଟିଏ ଗାତରେ ପଶି ରାମ୍ପିବାକୁ ଚାହୁଁଛନ୍ତି। ଏଥିରେ ଦଳ ପରିବର୍ତ୍ତନ ଘଟିଲେ ଚରିତ୍ର ପରିବର୍ତ୍ତନ ଘଟୁନାହିଁ। ସ୍ପଷ୍ଟ ବୁଝିବାକୁ ହେବ ଯେ ଯେଉଁ ସରକାରୀ ଭିତିରି ବୁଝାମଣାରେ ଆକର୍ଷଣୀୟ ଅର୍ଥ ଏବଂ ଅନ୍ୟାନ୍ୟ ସୁବିଧାସୁଯୋଗ ରହିଛି, ସେହି ଯନ୍ତାରେ ସବୁ ଲୋଭୀ ଜନ୍ତୁ ପଡ଼ିଯାଉଛନ୍ତି। ସେଭଳି ସ୍ତରରେ କେହି କାହାଠାରୁ ଭିନ୍ନ ନୁହନ୍ତି। ତେଣୁ କେନ୍ଦ୍ରରେ ଯେଉଁ ଦଳ ସରକାର ଗଢ଼ିଲେ ମଧ୍ୟ ଏଭଳି ମଧ୍ୟସ୍ଥଙ୍କ ପାଇଁ କିଛି ତଫାତ୍‌ ରହୁନାହିଁ।
ରାଫାଲ ଯୁଦ୍ଧ ବିମାନ କ୍ରୟରେ ଦୁର୍ନୀତି ଘଟିଥିବା ବିଷୟ ଯେତେବେଳେ ପଦାକୁ ଆସିଲା ସେତେବେଳେ ଡାସଲ୍ଟ ଆଭିଏଶନ ଭାରତରେ ଦୀର୍ଘବର୍ଷର ଅଭିଜ୍ଞତା ଥିବା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌) ପରିବର୍ତ୍ତେ ଏକ ଘରୋଇ କମ୍ପାନୀକୁ ବିଦେଶୀ ସହଯୋଗୀ ଭାବେ ନେଇଥିବା ଜଣାପଡ଼ିଥିଲା। ଫଳରେ ଭାଜପା ସରକାରକୁ ବିରୋଧୀମାନେ ଘେରିଥିଲେ। ଏବେ ଫ୍ରାନ୍ସର ଦୁର୍ନୀତି ନିରୋଧୀ ସଂସ୍ଥା ଏଏଫ୍‌ଏ ଯେତେବେଳେ ଭାରତୀୟ ମଧ୍ୟସ୍ଥଙ୍କ ସମ୍ପୃକ୍ତି ବିଷୟ ଉଲ୍ଲେଖ କରିଛି, ସେଥିରୁ ବୁଝିବାକୁ ହେବ ଯେ ରାଫାଲ ଯୁଦ୍ଧବିମାନ କିଣାରେ ନିଶ୍ଚିତ ବଡ଼ ଧରଣର ଆର୍ଥିକ ହେରଫେର ଘଟିଛି। ଦର୍ଶାଯାଇଥିବା ଆର୍ଥିକ ପରିମାଣ ଆଖିକୁ କେବଳ ଦିଶୁଛି। ଭିତରକୁ କେତେ ଗଭୀର ପରିମାଣ ବୁଡ଼ିରହିଛି ତାହା ଜାଣିବା କାହା ପାଇଁ ସମ୍ଭବପର ନୁହେଁ। କେବଳ ମୁହଁରୁ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ କଥା ଶୁଣି ଜନସାଧାରଣ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି। କାରଣ ପ୍ରାୟ ପ୍ରତିଦିନ ଭାରତୀୟ ଯବାନ ବିନା କାରଣରେ ମରୁଛନ୍ତି। ଏବେ ଦେଶରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଚାଲିଛି। ଏଭଳି ସମୟରେ ରାଫାଲ ଚୁକ୍ତିର କୁତ୍ସିତ ଚେହେରା ସାମ୍ନାକୁ ଆସିଯାଇଥିବାରୁ ଭାଜପା ପାଇଁ ଅଡ଼ୁଆ ସ୍ଥିତି ଆରମ୍ଭ ହୋଇଗଲା। ଭୋଟରଙ୍କୁ ବୁଝେଇବା ସକାଶେ ଭାଜପା ଆଉ କି ବାହାନା ଦେଖାଇବ ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri