ଭାରତ କେତେ ପ୍ରସ୍ତୁତ

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁର ଗୁଣବତ୍ତା ଅତି ନିମ୍ନ ସ୍ତରକୁ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚଳିତ ଥର ଲା ନିନା ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଶାରଦମାନେ ଆକଳନ କରିଛନ୍ତି। ତେଣୁ ଏହି ବର୍ଷ ଉତ୍ତର ଭାରତରେ ଅତ୍ୟଧିକ ଶୀତ ପଡ଼ିବାର ସମ୍ଭାବନା ରହିଛି। ସେଭଳି ସ୍ଥଳେ ଖେତରେ ଥିବା ଖୁଣ୍ଟାକୁ ପୋଡ଼ିଦିଆଗଲେ ତାହାର ଧୂଆଁ ବାୟୁମଣ୍ଡଳକୁ ଅଧିକ ଦୂଷିତ କରିଦେବ। ଚଳିତ ବର୍ଷ ଦୀପାବଳି ସମୟରେ ଲୋକେ ନିୟମ ଉଲ୍ଲଂଘନ କରି ବାଣଫୁଟାଇବାରୁ ସେଠାରେ ପ୍ରଦୂଷଣ ବୃଦ୍ଧି ପାଇଛି। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ତଥା ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାଏ କହିଛନ୍ତି, ବିରୋଧୀ ଦଳ ପ୍ରରୋଚନାରେ ଉତ୍ସାହିତ ହୋଇ କିଛି ଲୋକ ଦୀପାବଳିକୁ ଧର୍ମୀୟ ରଙ୍ଗ ଦେଇ ବାଣ ଫୁଟାଇବାରୁ ଦିଲ୍ଲୀ ଅଧିକ ପ୍ରଦୂଷିତ ହୋଇଛି। ଦେଖିବାକୁ ଗଲେ ଧର୍ମ ନାମରେ ଏଭଳି କରାଯିବା ଦ୍ୱାରା ଆମ ପିଲା ଓ ପରବର୍ତ୍ତୀ ପିଢ଼ିର ସ୍ବାସ୍ଥ୍ୟକୁ ଆମେ ଖରାପ କରିଦେଉଛେ। ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଆଗକୁ ଅଧିକ ବିଗିଡ଼ିଯିବ ଏଇଥିପାଇଁ ଯେ, ଚଳିତବର୍ଷ ମୌସୁମୀ ଅଧିକ ସମୟ ସକ୍ରିୟ ରହିଥିବାରୁ ଅମଳ ସମୟ ଗଡ଼ିଯାଇଛି। ଡିସେମ୍ବର୨୦୨୧ରୁ ଫେବୃୟାରୀ ୨୦୨୨ ଯାଏ ଅତ୍ୟଧିକ ଶୀତ ପଡ଼ିବ ବୋଲି କୁହାଯାଉଛି। ଏହି ସମୟରେ ଖୁଣ୍ଟା ପୋଡ଼ିବା କାର୍ଯ୍ୟ ବଢ଼ିଗଲେ ଦିଲ୍ଲୀ ସମେତ ଉତ୍ତର ଭାରତର ଲୋକେ ଦୂଷିତ ବାୟୁ ଯୋଗୁ ଆକ୍ତାମାକ୍ତା ହେବାର ଆଶଙ୍କା ରହିଛି।
ଏବେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୬ ଜାରି ରହିଛି। ଏଥିରେ ବିକଶିତ ରାଷ୍ଟ୍ରଗୁଡ଼ିକ ଉପରେ ପ୍ରଦୂଷଣ ରୋକିବା ଲାଗି ଆର୍ଥିକ ଖର୍ଚ୍ଚ ବହନ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକ ଅଙ୍ଗାରକାମ୍ଳ ନିର୍ଗମନ କମାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ବୋଲି ପ୍ରସ୍ତାବ ରହିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ କହିଛନ୍ତି, ୨୦୭୦ ସୁଦ୍ଧା ଦେଶ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବ। ସେ ଏହା କହିଦେଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହାକୁ ପାଳନ କରିବା କଷ୍ଟକର ମନେହେଉଛି। ଜଳବାୟୁ ନୀତି ବିଶେଷଜ୍ଞ ଅପୂର୍ବ ମିତ୍ର ଏହାକୁ ଏକ ସୀମାହୀନ ଟାର୍ଗେଟ ବୋଲି ଯାହା କହିଛନ୍ତି ତାହା ଏବର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଦେଖିଲେ ବୁଝି ହୋଇଯାଉଛି। ବାସ୍ତବରେ ନେଟ୍‌ ଜିରୋ ସ୍ତର ହାସଲ କରିବା ଲାଗି ସରକାରଙ୍କୁ ଉପଯୁକ୍ତ ଲେଆଉଟ୍‌ ଆଙ୍କିବାକୁ ପଡ଼ିବ। ଏହା କରାଯାଇପାରି ନ ଥିବା ବେଳେ ପ୍ରଧାନମନ୍ତ୍ରୀ କେଉଁ ଆଧାରରେ ଉପରୋକ୍ତ ମତ ଦେଇଛନ୍ତି, ତାହା ବୁଝିବା କଷ୍ଟକର।
ଏବେ କ୍ଲାଇମେଟ୍‌ କ୍ଲକ୍‌ର ତଥ୍ୟ ଅନୁଯାୟୀ ବିଶ୍ୱ ଗୋଟିଏ ବର୍ଷ ମଧ୍ୟରେ ୧.୫ ଡିଗ୍ରୀ ସେଲ୍‌ସିୟସ ଅଧିକ ତାପନର ନିକଟତର ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ପ୍ୟାରିସ୍‌ ଚୁକ୍ତି ବେଳେ ବିଶ୍ୱତାପନ ବୃଦ୍ଧିକୁ ସର୍ବନିମ୍ନ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରଖିବା ଲାଗି ସ୍ଥିର କରାଯାଇଥିଲା। ୨୦୨୦ରେ କୋଭିଡ୍‌-୧୯ ଯୋଗୁ କରାଯାଇଥିବା ଲକ୍‌ଡାଉନ ସକାଶେ ବିଶ୍ୱତାପନ ହ୍ରାସ ପାଇଥିଲା। ହେଲେ ଏହା ବଢ଼ିବାରେ ଲାଗିଲାଣି ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ ପ୍ରତିଜ୍ଞା କରିଛନ୍ତି, ଆଗାମୀ ଦିନରେ ବିଦ୍ୟୁତ୍‌ ଉତ୍ପାଦନର ଅଧା ଶକ୍ତି ନବୀକରଣୀୟ, ଜଳ ଓ ଆଣବିକ ଶକ୍ତି ଉତ୍ସରୁ ପୂରଣ ହେବ। ତେବେ ଦେଶ ଏତେ ଶୀଘ୍ର ଏ ଦିଗରେ ପଦକ୍ଷେପ କିପରି ନେବ ସେ ବିଷୟରେ କିଛି ସ୍ପଷ୍ଟ ଜଣାନାହିଁ। ଭାରତ ଏ ପର୍ଯ୍ୟନ୍ତ ତାପଜ ବିଦ୍ୟୁତ୍‌ ଉପରେ ଅଧିକ ନିର୍ଭରଶୀଳ ରହିଛି। କେବଳ ନିର୍ଭରଶୀଳ ନୁହେଁ, ଏବେବି ସେହି ଶକ୍ତି କେନ୍ଦ୍ରଗୁଡ଼ିକର ସମ୍ପ୍ରସାରଣ କରାଯାଉଛି। ଏକ ଦଶନ୍ଧି ହେବ ଦେଖାଯାଉଛି ଯେ, ଓଡ଼ିଶା ସମେତ ଦେଶର ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ ଯେଉଁ ମେଶିନ୍‌ ବ୍ୟବହାର କରାଯାଉଛି ସେଗୁଡ଼ିକ ଚାଇନାରୁ ଆମଦାନୀ କରାଯାଇଛି। ଚାଇନା ନିର୍ମିତ ମେଶିନ୍‌ ନିମ୍ନମାନର ଓ ପରିବେଶ ଅନୁକୂଳ ହୋଇ ନ ଥିବାରୁ ତାହା ଦ୍ୱାରା ପ୍ରଦୂଷଣ ସ୍ତର ବୃଦ୍ଧି ପାଉଛି।
ଶୂନ ଅଙ୍ଗାରକାମ୍ଳ ନିର୍ଗମନ ହାସଲ କରିବା ଏକ ବିରାଟ ଲକ୍ଷ୍ୟ। ଶିଳ୍ପ, ଭିତ୍ତିଭୂମି, ପରିବହନ ଆଦି ସବୁ କ୍ଷେତ୍ରରେ ପୁରୁଣା ପ୍ରଯୁକ୍ତି ଓ ଢାଞ୍ଚାକୁ ଛାଡ଼ି ନୂତନ ପ୍ରଯୁକ୍ତିରେ ଅର୍ଥ ବିନିଯୋଗ କରିବାକୁ ପଡ଼ିବ। ଏହା କରିବାକୁ ବର୍ତ୍ତମାନର ମାନବ ସମ୍ବଳ, ମେଶିନ୍‌ ଓ ଅନ୍ୟ ସବୁ ଭିତ୍ତିଭୂମିକୁ ମଧ୍ୟ ପଛରେ ଛାଡ଼ି ଅଭିନବ ତଥା ସବୁଜ ପ୍ରଯୁକ୍ତି ଆପଣାଇବା ଆବଶ୍ୟକ। ଏଥିପାଇଁ ଯେଉଁ ସ୍ତରର ଅଙ୍ଗୀକାରବଦ୍ଧତା ଦରକାର ତାହା ଭାରତ ପାଖେ ଅଛି ନା ନାହିଁ, ଆଗାମୀ ଦିନର ନୀତି ଦର୍ଶାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri