ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ ଭାରି ଆକ୍ତାମାକ୍ତା ଲାଗେ ଜୀବନ। ଅଣନିଃଶ୍ବାସୀ ମନେହୁଏ ଏକଲାପଣ। ମନେହୁଏ, ସତେଯେମିତି ଦୁନିଆର ଯାବତୀୟ ଦୁଃଖତକ ଭଗବାନ କେବଳ ତା’ ମୁଣ୍ଡରେ ହିଁ ଲଦି ଦେଇଛନ୍ତି। ଏଣୁ ବିଚରା ମଣିଷ ଚେଷ୍ଟା କରେ ଦୁଃଖ ସହିତ ଯୁଝିବା ପାଇଁ। ପାରୁ ପର୍ଯ୍ୟନ୍ତ ଜାରିରଖେ ତା’ ଲଢେଇ। ସଂଘର୍ଷ ଭିତରେ ଶେଷରେ ପାଇଯାଏ ସଫଳତା। ଶେଷକୁ ସେ ଅଡୁଆ ଭିତରୁ ମୁକୁଳି ଆସିବାକୁ ସମର୍ଥ ହୁଏ। ଏହା ହିଁ ତ ଜୀବନ। ଏଥିରେ ତ ନିହିତ ଥାଏ ସଫଳ ହେବାର ରାହା ଟିକକ। ଆଉ ତା’ ସହିତ ବଞ୍ଚିବାର ଆବେଗ।
ଦୁଃଖ ତ ସମସ୍ତେ ଦେଇଜାଣନ୍ତି। କିନ୍ତୁ ଖୁସି ଦେଇପାରୁଛି କିଏ ! ଆମ ପାଖରେ ଖୁସି ବାଣ୍ଟିବାର ସମ୍ବଳ ଥାଇ ସୁଦ୍ଧା ସେଥିରେ ଆମର ଥାଏ କାର୍ପଣ୍ୟଭାବ। କାହିଁକିନା ଅନ୍ୟର ଖୁସି ହିଁ ଆମ ପାଇଁ ସାଜିଥାଏ ଈର୍ଷାର କାରଣ। ଅଧିକାଂଶ ମଣିଷଙ୍କ ପ୍ରକୃତି ଏୟା ଯେ ଏ ଦୁନିଆରେ କେବଳ ସେମାନେ ହିଁ ଖୁସିରେ ରୁହନ୍ତୁ। ଅନ୍ୟମାନଙ୍କ ଖୁସି ସହିତ ମୋର ବା ସମ୍ପର୍କ କ’ଣ ! ଏଇ ଭାବଧାରା ଟିକକ ମଣିଷକୁ ଏମିତି କବଳିତ କରି ରଖିଛି ଯେ ସେ ଚାହିଁଲେ ବି ଏଥିରୁ ମୁକୁଳି ପାରୁନି। ତେବେ ବାସ୍ତବତା ଏଇଆ ଯେ ଅନ୍ୟକୁ ଖୁସି ଟିକିଏ ଦେଇପାରିଲେ ସାର୍ଥକ ହୁଏ ଜୀବନ। ମିଳିଥାଏ ପ୍ରଚୁର ଆତ୍ମସନ୍ତୋଷ।
ଅନେକ କ୍ଷେତ୍ରରେ ମଣିଷ ସ୍ବାର୍ଥ ଟିକକ ପାଇଁ ଅନ୍ୟ ସହିତ ଝଗଡ଼ା କରି ବସେ। ମତାନ୍ତରରୁ ହୁଏ ମନାନ୍ତର। ସମ୍ପର୍କ ଭଟ୍ଟା ପଡିଯାଏ। ବନ୍ଦ ହୋଇଯାଏ କଥାବାର୍ତ୍ତା। ଘଟଣା ବୋହିଯାଏ ପାଣିପରି, କିନ୍ତୁ କଥାଟାକୁ ଜାବୁଡ଼ି ଧରିଥିବା କାରଣରୁ ପୂର୍ବର ସେ ମଧୁର ସମ୍ପର୍କ ଆଉ ଫେରିପାଏନା। ଗାଳିଗୁଲଜ କରି ତା’ ଚଉଦ ପୁରୁଷ ଉଭେଇଥିବା ଖୁସିରେ ଭାବବିହ୍ବଳ ହୋଇପଡ଼ିଥିବା ମଣିଷଟି ସମ୍ପର୍କ ତୁଟାଇପାରି ଜିତିବାର ଗର୍ବ ଅନୁଭବ କରୁଥାଏ ସତ, କିନ୍ତୁ ପରୋକ୍ଷରେ ସେ ହାରିଯାଇଥାଏ ଦୁନିଆ ଆଖିରେ। ହାରି ଯାଇଥାଏ ବିବେକ ପାଖରେ। ଭାଇ ସହିତ ଲଢ଼େଇ କରି ହଣାକଟା କରି ଭାଇ ଭାଗରୁ ଅଧିକ ସମ୍ପତ୍ତି ଲୁଟି ନେଇଥିବା ସାନଭାଇ ଜିତିଗଲା ବୋଲି ଖୁସିରେ ସିନା ଆତ୍ମବିଭୋର ହୋଇପଡିଥାଏ, ହେଲେ ରକ୍ତ ପାଖରେ ହାରିଯାଇଥାଏ ସେ।
କୋଟି କୋଟି ଟଙ୍କା ରୋଜଗାର କରୁଥିବା ଜଣେ ଅଫିସର ହାଟ ବଜାରରୁ ବାଇଗଣ କିଲେ କିଣି ତିରିଶ ଟଙ୍କା ବଦଳରେ କୋଡିଏ ଟଙ୍କା ଦେଇଥିଲେ। ଶସ୍ତାରେ ବୁଢ଼ୀ ମାଉସୀଠୁ ବାଇଗଣ ହାତେଇ ଥିବାରୁ ବିଜୟ ସୈନିକ ପରି ଜଣାପଡୁଥିଲେ। କିନ୍ତୁ ପ୍ରକୃତରେ ସେ ହାରିଯାଇଥିଲେ ମଣିଷପଣିଆଠାରୁ। ଅଫିସରେ ସତ୍‌ କାମକରି ଅସତ୍‌ ଉପାୟରେ ହିତାଧିକାରୀଙ୍କଠାରୁ ଦିନ ଦ୍ୱିପ୍ରହରରେ ଲାଞ୍ଚ ନେଉଥିବା କିରାଣି କି ବାବୁଜଣକ ସେଦିନ ଜିତିଯାଇଥିଲେ ବୋଲି ସିନା ଗର୍ବ ଅନୁଭବ କରୁଥିଲେ କିନ୍ତୁ ସେ ବିବେକ ପାଖରେ ହାରି ଯାଇଥିଲେ।
ସେଦିନ ଏକ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନରୁ ସମ୍ମାନିତ ହୋଇଥିବା ଖୁସିରେ ଗର୍ବରେ ପାଦ ତଳେ ଲାଗୁ ନ ଥିଲା ନୂଆ ନୂଆ କବିତା ଲେଖୁଥିବା ଜଣେ କବିଙ୍କର। ଖୁସିରେ ବେଶ୍‌ କୁଣ୍ଢେମୋଟ ହୋଇଯାଉଥିଲା ତାଙ୍କ ଛାତି। ଚାରିଆଡୁ ତାଙ୍କ ପାଖକୁ ଛୁଟୁଥିଲା ଶୁଭେଚ୍ଛାର ସୁଅ। ଏକ ବିଜୟୀ ସୈନିକ ପରି ସେ ମାନପତ୍ରକୁ ବୁଲି ବୁଲି ସମସ୍ତଙ୍କୁ ଦେଖାଉଥିଲେ। ସ୍ବାମୀଙ୍କ ପ୍ରତିଭାକୁ ମନେମନେ ପ୍ରଶଂସା କରି ବସିଥିବା ସ୍ତ୍ରୀ ଆଗରେ କବି ସତଟା ଉଗାଳିଦେଲେ – ଆହେ ମାନପତ୍ରଟା ଟିକେ ଯତ୍ନରେ ରଖିବ। ଏଥିପାଇଁ ମୋତେ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି!
କଳିଙ୍ଗ ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିନିମୟରେ ବିଜୟ ହାସଲ କରିଥିବା ସମ୍ରାଟ ଅଶୋକ ସତରେ କ’ଣ ଜିତିପାରିଥିଲେ! ନା ଜିତିବାର ଛଳନା କରିଥିଲେ। ଜିତିବାର ପରବର୍ତ୍ତୀ ମୁହୂର୍ତ୍ତରେ ସେ ଯେଉଁ ବିଜୟ ଉତ୍ସବ ପାଳନ କରିଥିଲେ, ସେଇଠି ହିଁ ସେ ହୃଦୟଙ୍ଗମ କରିଥିଲେ ଜିତିବାର ସଂଜ୍ଞା ଓ ସ୍ବରୂପ। ଉପଲବ୍ଧି କରିପାରିଥିଲେ ସେ, ତରବାରିର ଜୟ ପ୍ରକୃତ ଜୟ ନୁହେଁ, ସ୍ନେହ ଓ ପ୍ରେମ ଦ୍ୱାରା ଅନ୍ୟ ହୃଦୟକୁ ଜୟ କରିବା ହିଁ ପ୍ରକୃତ ବିଜୟ। ସୁତରାଂ ସେ ଫିଙ୍ଗି ଦେଇଥିଲେ ତରବାରି। ପାଲଟି ଯାଇଥିଲେ ଚଣ୍ଡାଶୋକରୁ ଧର୍ମାଶୋକ।
ଭରା କୁରୁସଭାରେ କୌରବମାନେ କରିଥିଲେ ସତୀ ସାଧ୍ୱୀ ଦ୍ରୌପଦୀଙ୍କ ବସ୍ତ୍ର ହରଣ। ଭାବିଥିଲେ ଜିତିଯାଇଥିଲେ ସେମାନେ। ହେଲେ ନା, ଏହା ଥିଲା ପ୍ରତିହିଂସାର ଜୟ। ଅନ୍ଧ ଅହମିକାର ଜୟ। ଶାନ୍ତି ଓ ମମତାର ଜୟର ସତ୍ତା ସୁଦ୍ଧା ଏଥିରେ ନ ଥିଲା। ଗାନ୍ଧୀଙ୍କ ଜୟ ଥିଲା ସତ୍ୟ, ଅହିଂସା, ଧର୍ମ ଓ ନ୍ୟାୟର ଜୟ, ଯାହା ଆଗରେ ଶକ୍ତିଶାଳୀ ଇଂରେଜ ସରକାର ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଥିଲା। ଜିତିବାର ଖୁସି ଖାଲି ବିହ୍ବଳ କରେନାହିଁ ବରଂ ଏହା ଶିରାପ୍ରଶିରାରେ ସ୍ପନ୍ଦନ ଖେଳାଇଦିଏ। ଉତ୍ସାହ ଓ ଆନନ୍ଦ ପ୍ରଦାନ କରେ। ଗୋଟିଏ ପରେ ଗୋଟିଏ ସଫଳତା ପାଇବାର ମାର୍ଗ ଉନ୍ମୋଚନ କରେ।
ମିଛକୁ ମୋହରା କରି ସତକୁ ଜିଣୁଥିବା ମଣିଷ ଜିତିବାର ଖୁସି ଜାହିର କରିପାରେ ସିନା ଅନୁଭବ କରିପାରି ନ ଥାଏ। ମିଛକୁ ଥୋପ ପକାଇ ଜିତିବାକୁ ଜିଦ୍‌ ଧରିଥିବା ମଣିଷର ଜୟଜୟକାର ଧ୍ୱନି ହୃଦୟରୁ ନୁହେଁ କେବଳ ମୁଖରୁ ହିଁ ଉଚ୍ଚାରିତ ହୋଇଥାଏ। ଯେଉଁଠି ବିଜୟ ଆତ୍ମସନ୍ତୋଷ ଦେଇପାରେନି ସେଠି ଭୋଗିବାକୁ ହୋଇଥାଏ ପରାଜୟର ଗ୍ଲାନି। ସୁତରାଂ ଏହି ମିଛ ବିଜୟର ସାର୍ଥକତା ଆଉ କେଉଁଠି ଯେ! ସନ୍ତୋଷ ଯେଉଁଠି ଆତ୍ମଗୋପନ କରେ, ଖୁସି ଯେଉଁଠି ପ୍ରହେଳିକା ପାଲଟେ ସେଠି ଜିତିବା ଏକ ବିଡ଼ମ୍ବନା ମାତ୍ର। ଏଣୁ ମିଛ ଓ ଅନ୍ୟାୟରେ ଜିତିବାକୁ ପଛରେ ପକାଇ ସତ ଓ ନ୍ୟାୟରେ ହାରିବାରେ ହିଁ ପ୍ରକୃତ ମାନବୀୟ ଚେତନାର ଉତ୍ତରଣ ବୋଲି କୁହାଯାଇପାରେ। କର୍ମ ପ୍ରତି ନିଷ୍ଠା ଓ ଆନ୍ତରିକତା ସହିତ ଏକ ଉତ୍ସର୍ଗୀକୃତ ଭାବନା ହିଁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ।
ଶିକ୍ଷକ, କିଶୋରନଗର ଉଚ୍ଚ ବିଦ୍ୟାଳୟ
ରାଜ କିଶୋରନଗର, ଅନୁଗୋଳ,
ମୋ: ୯୪୩୭୫୪୭୧୪୬


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?