ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ ମାଡ଼୍ରାସ ହାଇକୋର୍ଟ ବିଚାରପତି ଜି.ଜୟଚନ୍ଦ୍ରନ ଶୀର୍ଷ ଅଦାଲତଙ୍କୁ ସମାଲୋଚନା ପରିସରକୁ ଆଣିଛନ୍ତି। ଜଣାପଡ଼ିଛି ଯେ, ୨୦୧୬ ମସିହାର ତାମିଲନାଡ଼ୁର ରାଧାପୁରମ ବିଧାନସଭା ନିର୍ବାଚନମଣ୍ଡଳୀରେ ଡିଏମ୍‌କେ ପ୍ରାର୍ଥୀ ଏମ.ଆପ୍ପାଭୁ ଓ ଏଆଇଡିଏମ୍‌କେ ପ୍ରାର୍ଥୀ ଆଇ.ଏସ.ଇମ୍ବାଦୁରାଇଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ନିର୍ବାଚନ କମିଶନର ଏହି ସମୟରେ ଆପ୍ପାଭୁଙ୍କ ସପକ୍ଷରେ ଥିବା ୧୫୩ଟି ପୋଷ୍ଟାଲ ବାଲଟକୁ ଅଗ୍ରାହ୍ୟ କରି ଏଆଇଏଡିଏମକେ ପ୍ରାର୍ଥୀଙ୍କୁ ୪୯ ଭୋଟ ବ୍ୟବଧାନରେ ବିଜୟୀ ଘୋଷଣା କଲେ। ନିୟମ ଅନୁଯାୟୀ ପୋଷ୍ଟାଲ ବାଲଟର ବୈଧତା ଜଣେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୈଧ ଘୋଷଣା କରିପାରିବେ। ଏ କ୍ଷେତ୍ରରେ ନିର୍ବାଚନ ଅଧିକାରୀ ତାହା ଏଡ଼ାଇଗଲେ। ନିର୍ବାଚନ କମିଶନରଙ୍କ ଫଳାଫଳ ଘୋଷଣା ବିରୋଧରେ ଡିଏମକେ ପ୍ରାର୍ଥୀ ହାଇକୋର୍ଟରେ ଆବେଦନ କଲେ। ହାଇକୋର୍ଟ ତତ୍ତ୍ୱାବଧାନରେ ୨୦୧୯ରେ ପୁନର୍ବାର ପୋଷ୍ଟାଲ ଭୋଟ ଗଣତି ଚାଲିଥିବା ସମୟରେ ବିପକ୍ଷ ଏଆଇଏଡିଏମକେ ପ୍ରାର୍ଥୀ ସୁପ୍ରିମକୋର୍ଟରୁ ଫଳାଫଳ ପ୍ରକାଶ ଉପରେ ୨୦୧୯ ମସିହାରେ ରହିତାଦେଶ ଆଣିବାରେ ସମର୍ଥ ହେଲେ। ଫଳରେ ସେହି ମସିହାରୁ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଲା। ଶେଷକୁ ବିଧାନସଭା କାର୍ଯ୍ୟକାଳ ସମାପ୍ତ ହୋଇଥିବା ଦର୍ଶାଇ ମାମଲାକୁ ସୁପ୍ରିମକୋର୍ଟ ମାଡ଼୍ରାସ ହାଇକୋର୍ଟଙ୍କ ବିଚାର ପାଇଁ ଫେରାଇ ଦେଇଥିଲେ। ଏଠାରେ ମାଡ଼୍ରାସ ହାଇକୋର୍ଟର ବିଚାରପତିଙ୍କୁ ଧନ୍ୟବାଦ ଦେବା କଥା, କାରଣ ପୁନର୍ବାର ଶୁଣାଣି କରି ଆପ୍ପାଭୁ ୧୦୩ଟି ଭୋଟରେ ବିଜୟୀ ହୋଇଥିବା ବିଚାରପତି ଜୟଚନ୍ଦ୍ରନ ଜୁନ୍‌ ୩ ତାରିଖରେ ରାୟ ପ୍ରଦାନ କଲେ। ଇତିିମଧ୍ୟରେ ୧୦ ବର୍ଷ ଚାଲିଗଲା। ଆପ୍ପାଭୁ ପଦ ଫେରି ପାଇଲେ ନାହିଁ। ଏହି ପରିପ୍ରେକ୍ଷୀରେ ବିଚାରପତି ଜୟଚନ୍ଦ୍ରନ କହିଛନ୍ତି ଯେ, ଯଦି କୋର୍ଟ ନିଜର ପୂର୍ବ ରାୟ, ଅର୍ଥାତ ୬ ମାସ ମଧ୍ୟରେ ନିର୍ବାଚନ ମାମଲାର ପରିସମାପ୍ତିର (ମହମ୍ମଦ ଆକବର ବନାମ ଅଶୋକ ସାହୁ) ଅବଜ୍ଞା କରନ୍ତି ତାହାଲେ ମାତ୍ର ୭୫ ବର୍ଷର ସ୍ବାଧୀନ ଭାରତ ଏକ ‘ସ୍ବେଚ୍ଛଚାରୀ ଶାସନ ବ୍ୟବସ୍ଥା’ ଆଡ଼କୁ ଗତି କରିବ। ହାଇକୋର୍ଟ ବିଚାରପତିଙ୍କ ଏହି ରାୟ ଓ ମନ୍ତବ୍ୟ ବର୍ତ୍ତମାନ ପରିସ୍ଥିତିରେ ବିଶେଷ ଗୁରୁତ୍ୱ ରଖୁଛି। ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରା ପ୍ରତି ହାଇକୋର୍ଟଙ୍କ ଏପ୍ରକାର ମନ୍ତବ୍ୟ ସାଧାରଣ ନାଗରିକଙ୍କୁ ଆନ୍ଦୋଳିତ କରିବା ମଧ୍ୟ ସ୍ବାଭାବିକ। ଏ କ୍ଷେତ୍ରରେ ହାଇକୋର୍ଟଙ୍କ ମନ୍ତବ୍ୟ ଉପରେ ସୁପ୍ରିମକୋର୍ଟ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି। କିନ୍ତୁ ଏହା ହୋଇନାହିଁ। ଆପ୍ପାଭୁଙ୍କ ପରି ଜଣେ ଜନ ପ୍ରତିନିଧି ଯଦି ନିଜ ମୌଳିକ ଅଧିକାର ବଜାୟ ରଖିପାରିଲେ ନାହିଁ ତାହାଲେ ସାଧାରଣ ନାଗରିକ ଦେଶରେ କିପରି ନିଜର ମୌଳିକ ଅଧିକାର ସୁରକ୍ଷିତ କରିପାରିବେ ତାହା ଏବେ ପ୍ରଶ୍ନବାଚୀ ଘେରରେ ରହୁଛି।
ଗତ ଜୁଲାଇ ୧୦ରେ ଜଣେ ମହକିଲ ଆଲ୍ଲାହାବାଦ ହାଇକୋର୍ଟ ରାୟ ବିରୋଧରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟ ମଧ୍ୟରେ ପିଟିଶନ ନକଲ ପିଙ୍ଗାଫୋପଡ଼ା କରିଥିଲେ। ଗହୀରେଇକି ଦେଖିଲେ ଏକଥା କୁହାଯାଇପାରିବ ଯେ, ଅଦାଲତଙ୍କ କାର୍ଯ୍ୟଧାରାରେ ଅତିଷ୍ଠ ହୋଇ ସମ୍ପୃକ୍ତ ଆବେଦନକାରୀ ଏପ୍ରକାର କାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ମନ୍ତବ୍ୟକୁ ଲକ୍ଷ୍ୟ କରିବାର କଥା। ବିଚାରପତି କେ.ଭି. ବିଶ୍ୱନାଥନ ଓ ଆଲୋକ ଆରୋଧେଙ୍କ ଖଣ୍ଡପୀଠକୁ ଲକ୍ଷ୍ୟକରି ଆବେଦନକାରୀ ପ୍ରବଳ ପ୍ରତାପ କହିଥିଲେ ଯେ, ‘ମୁଁ ଆପଣଙ୍କୁ ନିର୍ଦ୍ଦେଶ ଦେଉଛି’, ଆପଣମାନେ ‘ନ୍ୟାୟିକ ଚାକର’। ଏଥିରେ ଖଣ୍ଡପୀଠ ହତଚକିତ ହୋଇ ପଡ଼ିଥିଲେ। ସମ୍ପୃକ୍ତ ଆବେଦନକାରୀ ଆଇନର ଛାତ୍ର। ଏଣୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ ନିଶ୍ଚିତ ସଚେତନ ଥିବେ। ଅର୍ଥାତ ଅଦାଲତ ଅବମାନନା ବା ଫୌଜଦାରି ମାମଲା ସମ୍ପର୍କରେ ସଚେତନ ଥାଇ ମଧ୍ୟ ଅଦାଲତ ପ୍ରତି ସେ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଉପରୋକ୍ତ ଦୁଇ ଘଟଣା ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ନକାରାତ୍ମକ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ପରି ମନେହୁଏ। ଯଦି ୨୦୨୫ ମସିହାର ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ବର୍ମାଙ୍କ ମାମଲାକୁ ଆସିବା ତାହାଲେ ଭାରତୀୟ ନ୍ୟାୟପାଳିକା ପ୍ରତି ଘଟଣାଟି ଅଧିକ ଅନାସ୍ଥା ଭାବ ସୃଷ୍ଟି କରୁଛି। ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ସରକାରୀ ବାସଗୃହରେ ହଠାତ୍‌ ନିଆଁ ଲାଗିଗଲା। ଏହି ସମୟରେ ସେ ଦିଲ୍ଲୀ ବାହାରେ ଥିଲେ। ଅଗ୍ନିଶମ ସେବା ବାହିନୀ ସେଠାରେ ପହଞ୍ଚି ନିଆଁ ଲିଭାଇବା ବେଳକୁ ଗଦାଗଦା ନଗଦ ଟଙ୍କା ପୋଡ଼ି ଯାଉଥିବା ଦେଖିବାକୁ ପାଇଥିଲେ। ମୋଟ ୧୫ କୋଟିର ଦରପୋଡ଼ା ଓ ଭଲ ନୋଟ ଜବତ ହେଲା। ସମ୍ପୃକ୍ତ ବିଚାରପତିଙ୍କୁ ବିନା କାର୍ଯ୍ୟରେ ଅନ୍ୟ ଅଦାଲତକୁ ବଦଳି କରାଗଲା। ସୁପ୍ରିମକୋର୍ଟ କମିଟିର ତଦନ୍ତରେ ଏହି ଟଙ୍କା ହିସାବ ବହିର୍ଭୂତ ଓ ବେଆଇନ ଭାବେ ଠୁଳ ବୋଲି ପ୍ରମାଣିତ ହେଲା। ସଂସଦୀୟ କମିଟିର କାର୍ଯ୍ୟାନୁଷ୍ଠାନ ନିମନ୍ତେ ତତ୍କାଳୀନ ପ୍ରଧାନ ବିଚାରପତି ସିୟୀ ଖାନ୍ନା ସୁପାରିସ କଲେ। ବ୍ୟବସ୍ଥା ବିଳମ୍ବିତ ହେଲା। ନିକଟରେ ବର୍ମା ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ଇସ୍ତଫା ଅଦ୍ୟାବଧି ଗ୍ରହଣ ହୋଇ ନାହିଁ। ଦୁର୍ନୀତିମୂଳକ ଭାବେ ଅର୍ଥ ଗଚ୍ଛିତ ରଖିଥିବା ଅଭିଯୋଗରେ ବର୍ମା କେଉଁ ‘ଆଇନ’ ବଳରେ ଅଦ୍ୟାବଧି ଭାରତୀୟ ଆଇନ ପରିସରଭୂକ୍ତ ହୋଇପାରି ନାହାନ୍ତି? ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ତଥା ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ସିଦ୍ଧାର୍ଥ ମୃଦୁଳ ନିଜ ନ୍ୟାୟିକ କାଳ ମଧ୍ୟରେ ୧୬ ବର୍ଷ ଧରି ଏକ ରନ୍ଧନ ଗ୍ୟାସ ବିତରଣ ଏଜେନ୍ସି ପରିଚାଳନା କଲେ। ଅର୍ଥାତ ଶପଥର ବିରୁଦ୍ଧାଚରଣ କରି ସେ ଲାଭଜନକ ବ୍ୟବସାୟିକ କାର୍ଯ୍ୟରେ ଜଡ଼ିତ ରହିଲେ। ତାଙ୍କ ବିରୋଧରେ ଏବେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହୋଇପାରିବ?
ଏଣୁ ତୃତୀୟ ସ୍ତମ୍ଭ ପ୍ରତି ଭ୍ରଷ୍ଟାଚାର ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଉଭୟ ନ୍ୟାୟପାଳିକା ଓ ବ୍ୟବସ୍ଥାପିକା ବିଫଳ ହୋଇଥିବା ଜଣାପଡ଼ୁଛି।
ମାଡ଼୍ରାସ ହାଇକୋର୍ଟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟରୁ ନ୍ୟାୟିକ ପ୍ରଶ୍ନର ଯେଉଁ ଉତ୍ତର ଖୋଜିଛନ୍ତି ତାହା ପ୍ରଣିଧାନଯୋଗ୍ୟ। ଆଇନ ସମସ୍ତଙ୍କ ପାଇଁ ସମାନ ନା ନୁହେଁ? ଯେଉଁ ଅଦାଲତ ୬ ମାସ ମଧ୍ୟରେ ରାୟ ପ୍ରକାଶ କରିବା ପାଇଁ କହୁଛନ୍ତି ସେହି ଅଦାଲତ ଦୀର୍ଘ ଦିନ ଧରି ରାୟ ଘୋଷଣା କରୁନାହାନ୍ତି। ଦେଖାଯାଉଛି ସମାନ ମାମଲାରେ ଜଣେ ବିଚାରପତି ଯେଉଁ ରାୟ ଦେଉଛନ୍ତି ଅନ୍ୟ ଜଣେ ବିଚାରପତି ଭିନ୍ନ ରାୟ ପ୍ରଦାନ କରୁଛନ୍ତି। ଅର୍ଥାତ ବିଚାରପତି ବଦଳିଲେ ନ୍ୟାୟିକ ତର୍ଜମା ମଧ୍ୟ ବଦଳୁଛି। ରାୟ ମଧ୍ୟ ବଦଳୁଛି। ଏପରି ପରିସ୍ଥିତିରେ ଦେଶରେ ଆଇନର ଶାସନ ଚାଲିବ ନା ନ୍ୟାୟିକ ତର୍ଜମାର ଶାସନ ଚାଲିବ ତାହା ତର୍ଜମାର ବିଷୟ ହେବା ଆବଶ୍ୟକ। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ୩ଟି ସ୍ତମ୍ଭ ଧାରଣ କରିଛି। ଏଗୁଡ଼ିକ ହେଲା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା। ତେବେ ଏହି ୩ ସ୍ତମ୍ଭ ମଧ୍ୟରୁ ନ୍ୟାୟପାଳିକା ଜନତାଙ୍କ ଶେଷ ଆଶ୍ରୟ ହୋଇଥାଏ। ତେବେ ନ୍ୟାୟପାଳିକାରେ ଯଦି ସମାନ ମାମଲାରେ ଭିନ୍ନଭିନ୍ନ ରାୟ ରହିବ ତାହାଲେ ଏହାକୁ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି କୁହାଯାଇପାରିବ କି? ଦିଲ୍ଲୀ ଅବକାରୀ ମାମଲାରେ ନିମ୍ନ ଅଦାଲତରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ। ଏହି ରାୟ ବିରୋଧରେ ସିବିଆଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ। ମାମଲାର ଶୁଣାଣି ବିଚାରପତି ସ୍ବର୍ଣ୍ଣକାନ୍ତ ଶର୍ମାଙ୍କ ଅଦାଲତରେ ହେଲା। ତେବେ ଜଷ୍ଟିସ ଶର୍ମା ପୂର୍ବରୁ ଭାଜପା-ଆରଏସ୍‌ଏସ୍‌ ଆଦର୍ଶରେ ଅନୁପ୍ରାଣିତ ଅଖିଳ ଭାରତୀୟ ଅଧିବକ୍ତା ପରିଷଦ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ନ୍ୟାୟ ନିରପେକ୍ଷ ନ ହେବା ଅଭିଯୋଗ ଆଣି ସମ୍ପୃକ୍ତ ବିଚାରପତି ମାମଲାରୁ ଓହରିବା ପାଇଁ କେଜ୍ରିୱାଲ ପତ୍ର ଲେଖିଲେ। କିନ୍ତୁ ଜଷ୍ଟିସ ଶର୍ମା ମାମଲାରୁ ନ ଓହରିବାରୁ କେଜ୍ରିୱାଲ ଓ ତାଙ୍କ ସହଯୋଗୀ ଶୁଣାଣିରେ ଅଂଶଗ୍ରହଣ ପାଇଁ ମନା କରିଦେଇଥିଲେ। ଶେଷକୁ ମାନହାନି ମାମଲା ଦାୟର କରି ମକଦ୍ଦମା ଅନ୍ୟ ଖଣ୍ଡପୀଠକୁ ପଠାଇବା ନିମନ୍ତେ ଜଷ୍ଟିସ ଶର୍ମା ନିର୍ଦ୍ଦେଶ ଦେଇଥିଲେ। ଧର୍ମାବତାରମାନଙ୍କ ନ୍ୟାୟିକ ତର୍ଜମା କାହା ପାଇଁ କେମିତି ରହୁଛି ଉପରୋକ୍ତ ଘଟଣାଗୁଡ଼ିକ ପରିପ୍ରେକ୍ଷୀରେ ତାହା ଏବେ ତର୍ଜମା କରାଯିବାର ସମୟ।

ସୌଭାଗ୍ୟ ସୁନ୍ଦରରାୟ
ମୋ: ୯୪୩୭୨୨୯୨୩୩

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri