ଭଲ ପିଲାର ସଂଜ୍ଞା

ରାସ୍ତାର ଦୁଇ ପଟେ ଦୁଇଟି ଗଛ। ଆମ୍ବ ଗଛ। ଦୁଇ ଗଛରେ ପ୍ରଚୁର ଆମ୍ବ ଫଳିଛି। ପାଚିଛି ଓ ସୁନ୍ଦର ଦିଶୁଛି। ଗୋଟିଏ ଗଛ ତଳେ ପିଲାମାନେ ରୁଣ୍ଡ ହୋଇଛନ୍ତି। ଆମ୍ବ ବିଛାଇବା ପାଇଁ ବିଭିନ୍ନ ଉପାୟ କରୁଛନ୍ତି। ଅନ୍ୟ ଗଛ ତଳେ କେହି ନାହାନ୍ତି। ଷଣ୍ଢଟିଏ ଶୋଇ ପାକୁଳି କରୁଛି। କାରଣ ସେ ଗଛଟିର ଆମ୍ବ ଖଟା। ଯେଉଁ ଗଛର ଆମ୍ବର ସାଦ ମଧୁର ସେଇ ଗଛ ତଳେ ପିଲାମାନଙ୍କର ଭିଡ଼। ଫଳ ହେଉଛି ଗଛର ପରିଚୟ। ଫଳ ଭଲ ହେଲେ ଗଛଟି ଭଲ। ଫଳ ଖଟା ହେଲେ ଗଛ ଭଲ ନୁହେଁ।
ବିଦ୍ୟାଳୟ ଯଦି ଗଛଟିଏ ହୁଏ ଛାତ୍ରୀଛାତ୍ରମାନେ ସେ ଗଛରେ ଫୁଲ ହୋଇ ଫୁଟିଛନ୍ତି। ଫଳ ହୋଇ ଫଳିଛନ୍ତି। ସେମାନଙ୍କ ପରିଚୟରେ ବିଦ୍ୟାଳୟ ନିଜର ପରିଚୟ ପାଇଥାଏ। ଯେଉଁ ବିଦ୍ୟାଳୟର ପିଲାମାନେ ଭଲ ସେ ବିଦ୍ୟାଳୟ ଓ ସେଠାରେ ଥିବା ଶିକ୍ଷକ ଶିକ୍ଷିକା ମାନେ ଭଲ ବୋଲି ପ୍ରଶଂସିତ ହୁଅନ୍ତି। ପ୍ରଶ୍ନ ହେଉଛି କେଉଁ ପିଲା ଭଲ? ସମୟର ବିବର୍ତ୍ତନରେ ଏଇ ଭଲ ପିଲାର ସଂଜ୍ଞା ଏବେ ବଦଳି ଯାଇଛି। ବର୍ତ୍ତମାନ ସମୟରେ କେବଳ ଯେଉଁ ପିଲାମାନେ ଭଲ ପଢ଼ୁଛନ୍ତି, ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି ସେମାନଙ୍କୁ ଭଲ ପିଲା କୁହାଯାଉଛି। ସେମାନଙ୍କ ବାପା, ମାଆ, ଅଭିଭାବକମାନେ କେବଳ ସେଇ ଗୋଟିଏ ଦିଗରେ ପିଲାମାନଙ୍କୁ ଆଗକୁ ନେବାକୁ ପ୍ରୟାସ କରୁଛନ୍ତି। ଏବଂ ସେଥିପାଇଁ ଯେ କୌଣସି କଳ କୌଶଳ, ଅନୈତିକ ହେଲେ ବି ତାହାକୁ ଅବଲମ୍ବନ କରିବାକୁ କୁଣ୍ଠାବୋଧ କରୁନାହାନ୍ତି। ସମସ୍ତେ ଚାହୁଁଛନ୍ତି ତାଙ୍କ ପିଲା ହିଁ ପରୀକ୍ଷାରେ ପ୍ରଥମ ହୁଅନ୍ତୁ। ଡାକ୍ତର ହୁଅନ୍ତୁ। ଇଞ୍ଜିନିଅର ହୁଅନ୍ତୁ। ପ୍ରଶାସନିକ ଉଚ୍ଚ ଅଧିକାରୀ ହୁଅନ୍ତୁ। ପ୍ରଚୁର ଧନ ଉପାର୍ଜନ କରନ୍ତୁ। ବର୍ତ୍ତମାନ ସମୟରେ ଯାହାର ଯେତେ ଅଧିକ ଧନ ତାହାର ଜୀବନ ସେତେ ସଫଳ: ଏମିତି ଏକ ବିଚାରଧାରା ମାତା ପିତାଙ୍କ ମନକୁ କବଳିତ କରିଛି। ଭଲ ଗୁଣ, ସତ୍‌ଚରିତ୍ର, ଏହା ଯେ ଭଲ ପିଲାର ବାସ୍ତବ ସଂଜ୍ଞା ତାହା ସେମାନେ ଭୁଲି ଯାଉଛନ୍ତି।
ବସ୍ତୁତଃ ପୂର୍ବରୁ ବିଦ୍ୟାଳୟରେ ପିଲାମାନଙ୍କର ଚରିତ୍ର ଗଠନ ହେଉଥିଲା। ବିଦ୍ୟା ଦାନ ସହିତ ସେଇ ବିଦ୍ୟାକୁ ନିରତ ବହନ କରିବା ନିମନ୍ତେ ଶିକ୍ଷକମାନେ ଛାତ୍ରଙ୍କୁ ଯୋଗ୍ୟ କରୁଥିଲେ। ଗୋଟିଏ ଛିଦ୍ର ଯୁକ୍ତ କଳସରେ ଯେତେ ଜଳ ପୂରାଇଲେ ମଧ୍ୟ ସମୟ କ୍ରମେ ତାହା ନିଃଶେଷ ହୋଇଯାଏ। ସେମିତି କୁଗୁଣଯୁକ୍ତ ଛାତ୍ରଠାରେ ବିଦ୍ୟାର ପ୍ରଭାବ ଅଧିକ ଦିନ ରହି ନ ଥାଏ। ସେଥିପାଇଁ ଶିକ୍ଷକମାନେ ବିଦ୍ୟାଳୟରେ ବିଦ୍ୟା ଦାନ ସହିତ ନୈତିକ ଶିକ୍ଷା ଓ ଶାରୀରିକ ଶିକ୍ଷା ଦେଇ ଛାତ୍ରମାନଙ୍କର ଚରିତ୍ର ଗଠନ କରୁଥିଲେ। ଏଥି ନିମନ୍ତେ ଆବଶ୍ୟକ ଅନୁଶାସନ ପାଇଁ ସେମାନେ କଠୋର ହେବାର ଅଭିନୟ କରୁଥିଲେ। ଦଣ୍ଡ ବିଧାନ ଆଳରେ ଶାରୀରିକ ବ୍ୟାୟାମ କରାଉଥିଲେ। କିନ୍ତୁ ସମୟ ବଦଳିବା ସହିତ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଘଟିଲା। କତିପୟ ଶିକ୍ଷକ ଅନୁଶାସନ ପାଇଁ ଛାତ୍ରଙ୍କୁ ଦଣ୍ଡ ଦେବା ସମୟରେ ନିଷ୍ଠୁର ବ୍ୟବହାର କଲେ। ଏକଦା ଯେଉଁ ଅଭିଭାବକ ନିଜ ପିଲାକୁ ଶାସନ କରିବା ପାଇଁ ଶିକ୍ଷକଙ୍କୁ ନିବେଦନ କରୁଥିଲେ ସେମାନେ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କଲେ। ଏବଂ ସରକାର ମହୋଦୟ ଅଭିଯୁକ୍ତ ଶିକ୍ଷକଙ୍କୁ ସୁଧାରିବାକୁ ପଦକ୍ଷେପ ନ ନେଇ ସିଧାସଳଖ ବିଦ୍ୟାଳୟଗୁଡ଼ି଼କୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କଲେ। ଯେଉଁ ଶିକ୍ଷକ ଏହାକୁ ପାଳନ କରିବେ ନାହିଁ ତାଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ବିଦ୍ୟାଳୟ କାନ୍ଥରେ ଟୋଲ ଫ୍ରି ନମ୍ବର ଲେଖିଲେ।
ଏକବିଂଶ ଶତାବ୍ଦୀର ଆରମ୍ଭରେ ସର୍ବଶିକ୍ଷା ନାମରେ ପ୍ରାଥମିକ ଶିକ୍ଷାରେ ଅତ୍ୟଧିକ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଥିଲା। ସବୁ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବା ପାଇଁ ବିବିଧ ଯୋଜନା ପ୍ରସ୍ତୁତ ହେଲା। ପାଠ୍ୟ ପୁସ୍ତକ ସହିତ ମାଗଣା ଖାଦ୍ୟ, ପୋଷାକ, ଜୋତା ଇତ୍ୟାଦି ବଣ୍ଟନ ହେଲା। ସ୍କୁଲ ଘରଗୁଡ଼ି଼କୁ ନୂତନ ଓ ସୁନ୍ଦର କରି ନିର୍ମାଣ କରାଗଲା। ଯେଉଁ ପିଲା ସ୍କୁଲକୁ ଆସୁନାହାନ୍ତି ସେମାନଙ୍କୁ ସ୍କୁଲକୁ ଆଣିବାକୁ ଯତ୍ନ କରାଗଲା। ବିଡ଼ମ୍ବନା ଯେ ଏସବୁ କାର୍ଯ୍ୟରେ ଶିକ୍ଷକମାନେ ହିଁ ନିଯୁକ୍ତ ହେଲେ। ସମୟ କ୍ରମେ ଶିକ୍ଷାଦାନ ଠାରୁ ଏହି କାର୍ଯ୍ୟଗୁଡ଼ିକ ସେମାନଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଗଲା। ସ୍କୁଲଗୁଡ଼ିକ ସରକାରୀ ଆବଣ୍ଟନ କେନ୍ଦ୍ର ଓ ଶିକ୍ଷକମାନେ ସେ କେନ୍ଦ୍ରର କିରାଣି ଅଥବା କର୍ମଚାରୀ ହୋଇଗଲେ। ପିଲାମାନଙ୍କୁ ନିର୍ଭୟ କରିବା ପାଇଁ ପରୀକ୍ଷାରେ ପାସ୍‌ ଓ ଫେଲ୍‌ ଦୁଇଟି ଫଳ ଯାହା ଶିକ୍ଷାର ଆରମ୍ଭ କାଳରୁ ରହିଥିଲା ସେଥିରେ ମଧ୍ୟ ପରିବର୍ତ୍ତନ ଆସିଲା। ଯିଏ ପରୀକ୍ଷା ଦେବେ ସମସ୍ତେ ପାସ୍‌ ଏହି ନୀତିକୁ ଶିକ୍ଷା ବ୍ୟବସ୍ଥାରେ ଅନୁପ୍ରବେଶ କରାଗଲା। ଫଳରେ ହୁଏତ ସ୍କୁଲରେ ଛାତ୍ରସଂଖ୍ୟା କିଛି ବୃଦ୍ଧିପାଇଲା କିନ୍ତୁ ଓଡ଼ିଆ ଅକ୍ଷର ସମ୍ପୂର୍ଣ୍ଣ ଶିଖି ନ ଥିବା ଅନେକ ପିଲା ଅଷ୍ଟମ ପାସ୍‌ କରି ନବମରେ ପ୍ରବେଶ କରିଗଲେ। ସେହି ତ୍ରୁଟିକୁ ସୁଧାରିବା ପାଇଁ ଏବେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀରେ ବୋର୍ଡ ପରୀକ୍ଷାର ବ୍ୟବସ୍ଥା ହୋଇଛି। କିନ୍ତୁ ତାହା ନାମକୁ ମାତ୍ର। ନିଜ ସ୍କୁଲରେ ପରୀକ୍ଷା। ସେଇ ସ୍କୁଲର ଶିକ୍ଷକ ଖାତା ଦେଖିବେ। ପିଲା ଯଦି ଫେଲ୍‌ ହେବେ ସେମାନଙ୍କୁ ସୁଧାରିବାକୁ ପୁଣି ପାଠ ପାଢ଼, ପୁଣି ପରୀକ୍ଷା। ଏତେ ଧନ୍ଦା କିଏ କରିବ? ଶିକ୍ଷକମାନେ ବାମ ହାତରେ ଲେଖି ଡାହାଣ ହାତରେ ନମ୍ବର ଦେଇ ସମସ୍ତଙ୍କୁ ପାସ୍‌ କରି ଦେଉଛନ୍ତି।
ଏବେ ଅବଶ୍ୟ ସର୍ବଶିକ୍ଷା ଆଉ ନାହିଁ। ୨୦୧୮- ୧୯ ମସିହାରୁ ତାହା ସମଗ୍ର ଶିକ୍ଷାରେ ସାମିଲ ହୋଇଛି। କିନ୍ତୁ ସର୍ବଶିକ୍ଷାର ଯୋଜନାଗୁଡ଼ିକ ପୂର୍ବପରି କାର୍ଯ୍ୟ କରୁଛି। ମଧ୍ୟାହ୍ନଭୋଜନରେ ନବମ ଓ ଦଶମ ପିଲାମାନେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସ୍କୁଲ କାମ ସହିତ ଭୋଟର ତାଲିକା, ଜନଗଣନା, ଶିକ୍ଷକମାନଙ୍କର ଅନ୍ୟାନ୍ୟ କାର୍ଯ୍ୟ ଏତେ ବଢ଼ିଛି ଯେ, ସେମାନେ ଠିକ୍‌ ସମୟରେ ପାଠ୍ୟକ୍ରମ ଶେଷ କରିବାକୁ ବ୍ୟସ୍ତ ହୋଇ ପଡୁଛନ୍ତି। ସୁତରାଂ ଛାତ୍ରୀଛାତ୍ରଙ୍କୁ ନୈତିକ ଶିକ୍ଷା ଦେଇ ସଚ୍ଚରିତ୍ର କରିବା ନିମନ୍ତେ ସେମାନେ ଏବେ ଆଉ ଅବସର ପାଉନାହାନ୍ତି।
ପୂର୍ବରୁ ସମାଜରେ ଶିକ୍ଷକମାନଙ୍କର ଯେଉଁ ମର୍ଯ୍ୟାଦା ଥିଲା ବର୍ତ୍ତମାନ ସମୟରେ ତାହା ଆଉ ଦେଖାଯାଉନାହିଁ। ଯେଉଁ ଦେଶରେ ଶିକ୍ଷକମାନଙ୍କର ମର୍ଯ୍ୟାଦା ନଷ୍ଟ ହେଉଛି ସେ ଦେଶରେ ଶିକ୍ଷାର ପ୍ରକୃତ ଅର୍ଥ ଯେ ଜ୍ଞାନ ଆହରଣ ଏକଥା ବୁଝିବ କିଏ? ସମସ୍ତେ କେବଳ ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ପଛରେ ଧାଇଁଛନ୍ତି। ସ୍କୁଲଗୁଡ଼ିକରେ ସୁନ୍ଦର ପକ୍କାଘର ନିର୍ମାଣ ହେଉଛି ଅଥଚ ଛାତ୍ରମାନଙ୍କର ଚରିତ୍ର ନିର୍ମାଣ ହୋଇ ପାରୁନାହିଁ। ପିଲାମାନେ କଞ୍ଚା ମାଟି ପିଣ୍ଡୁଳା। ଆମେ ଯେପରି ଗଢ଼ିବୁ ସେମାନେ ସେପରି ହେବେ। ହରି ସିଂ ପରି କେବଳ ବଡ଼ ହେବାର ନିଶା ପୁଅ ମନରେ ପୂରାଇ ଦେଲେ ସେମାନେ ଭବିଷ୍ୟତରେ କେବଳ ଗୋପାଳ ହିଁ ହୋଇପାରିବେ। ସୁତରାଂ ଅଭିଭାବକମାନେ ନିଜ ସନ୍ତାନମାନଙ୍କୁ ଶିକ୍ଷିତ କରିବା ସହିତ ସେମାନେ କିପରି ସଚ୍ଚରିତ୍ର ହେବେ ସେଥିପ୍ରତି ମଧ୍ୟ ଧ୍ୟାନଦେବା ଉଚିତ। ତା’ହେଲେ ଯାଇ ଭବିଷ୍ୟତରେ ଏକ ସୁନ୍ଦର ପରିବାର ଓ ସୁସ୍ଥ ସମାଜ ଗଠନ ହୋଇପାରିବ।

ଅଞ୍ଜନ ଚାନ୍ଦ
– ବିକାଶନଗର, ଅଙ୍ଗାରଗ, ବାଲେଶ୍ୱର
ମୋ : ୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ଆଶାର ଶେଷ ପତ୍ର

ପ୍ରବଳ ଶୀତଦିନେ ସହରରେ ପ୍ରାଣଘାତୀ ନିମୋନିଆ ବ୍ୟାପିଥିଲା। ଝିଅଟିଏ ଏହାର କବଳରେ ପଡ଼ିଗଲା। ରୋଗ ଏତେ ଗୁରୁତର ହେଲା ଯେ ଔଷଧର ପ୍ରଭାବ ବନ୍ଦ ହୋଇଗଲା। ଝିଅଟି…

ପରୀକ୍ଷା ସଂସ୍କାର ଚିନ୍ତା

ଦେଶରେ ବିଭିନ୍ନ ପରୀକ୍ଷାରେ ବାରମ୍ବାର ହେଉଥିବା ପ୍ରଶ୍ନପତ୍ର ପ୍ରଘଟକୁ ରୋକିବାରେ କେନ୍ଦ୍ର ସରକାରଙ୍କ ବିଫଳତା ପରିପ୍ରେକ୍ଷୀରେ ଉତ୍ତରଦାୟିତ୍ୱ ଦାବି କରି ଦିଲ୍ଲୀର ଜନ୍ତରମନ୍ତରରେ ଆରମ୍ଭ ହୋଇଥିବା ଛାତ୍ର…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

ଏଇ ଭାରତରେ

ଶକ୍ତିର ଅଭାବକୁ ଦେଖି ଦେଶରେ ସବୁଜ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଏବେ ସୌର ଗାଁ ସୃଷ୍ଟି କରାଯାଉଛି। ଏମିତି ଏହି ଗାଁ…

ଅର୍ଥନୈତିକ ଦକ୍ଷତାକୁ ଅଣଦେଖା

ମୁଁ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ପରେ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ ମୋଟ ସାତବର୍ଷ କାର୍ଯ୍ୟ କରିଛି। ଅର୍ଥନୀତି କେତେ ବିଚିତ୍ର, ତାହା…

ଆସ୍ଥାରେ ଆଘାତ

ଅଯୋଧ୍ୟା ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ଘଟଣା ଅନେକ କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ମନ୍ଦିରରୁ ଦାନ ଅର୍ଥ ଚୋରି ହେବା ମନ୍ଦିର…

ଯୁବ ଅଗ୍ରଦୂତ

ନୂଆଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଯୁବ ଆନ୍ଦୋଳନରେ ଜେନ୍‌-ଜିର ପ୍ରଭାବ ଦେଖିବାକୁ ମିଳିଲା। ପାରମ୍ପରିକ ପ୍ରତିବାଦ ଅପେକ୍ଷା ଏହି ପିଢ଼ି ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଓ ହାସ୍ୟରସକୁ ଆନ୍ଦୋଳନର ଅଂଶ…

ଜୈବ-ସ୍ବତ୍ୱ ଡକାୟତି

ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri