Posted inଜାତୀୟ

ଚିଠିରୁ ହଟଚମଟ

ମୁମ୍ବାଇ,୨୨ା୩: ଫେବୃୟାରୀ ୨୫ରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ବାହାରେ ଏକ ଏସ୍‌ୟୁଭିରୁ ୨୦ ଜିଲାଟିନ୍‌ ଷ୍ଟିକ୍‌ ଜବତ ହୋଇଥିଲା। କିଛି ଦିନ ପରେ ଉକ୍ତ କାର୍‌ର ମାଲିକ ତଥା ଠାଣେର ବ୍ୟବସାୟୀ ମନ୍‌ସୁଖ୍‌ ହିରେନ୍‌ଙ୍କୁ ହତ୍ୟା କରାଯାଇଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଓ୍ବାଜେଙ୍କୁ ଗିରଫ କରି ମାମଲାର ତନାଘନା ଚଳାଇଥିବାବେଳେ ମୋଡ଼ ବଦଳାଇଦେଇଛି ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂଙ୍କ ଏକ ଚିଠି। ବାର୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକରୁ ମାସକୁ ୧୦୦ କୋଟି ଟଙ୍କା ଅସୁଲ କରିବାକୁ ସଚିନଙ୍କୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟକୁ ପଠାଇଥିବା ୮ ପୃଷ୍ଠା ସମ୍ବଳିତ ପତ୍ରରେ ପରମବୀର ଦାବି କରିଛନ୍ତି। ଏହି ଚିଠି ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିବା ସହ ମହାବିକାଶ ଅଘାଡ଼ି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି।

ବିସ୍ଫୋରକ ଭର୍ତ୍ତି ଏକ କାର୍‌କୁ ନେଇ ଆରମ୍ଭ ହୋଇଥିବା ମାମଲା ଏବେ ରାଜନୈତିକ ବିସ୍ଫୋରଣର କାରଣ ପାଲଟିଛି। ଗିରଫ ହୋଇଥିବା ପୂର୍ବତନ ଆସିଷ୍ଟାଣ୍ଟ ପୋଲିସ ଇନସ୍ପେକ୍ଟର ସଚିନ ଓ୍ବାଜେଙ୍କୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶନିବାର ଅପରାଧର ସିନ୍‌ ରିକ୍ରିଏଟ୍‌ କରିଛି। ସେପଟେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟକୁ ପତ୍ର ଲେଖି ଦାବି କରିଛନ୍ତି ଯେ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପୂର୍ବରୁ କ୍ରାଇମ୍‌ ଇଣ୍ଟେଲିଜେନ୍ସ ୟୁନିଟର ନେତୃତ୍ୱ ନେଉଥିବା ସଚିନ ଓ୍ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ଅସୁଲ କରିବାକୁ କହିଥିଲେ। ମୁମ୍ବାଇରେ ପ୍ରାୟ ୧,୭୫୦ ବାର୍‌, ରେଷ୍ଟୁରାଣ୍ଟ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ପ୍ରତି ସଂସ୍ଥାରୁ ପ୍ରତି ମାସ ୨-୩ ଲକ୍ଷ ଟଙ୍କା ସଂଗ୍ରହ କଲେ ମାସିକ ୪୦ରୁ ୫୦ କୋଟି ଟଙ୍କା ଠୁଳ କରାଯାଇ ପାରିବ। ଟାର୍ଗେଟ ପୂରଣ ପାଇଁ ଅବଶିଷ୍ଟ ଅର୍ଥକୁ ସଚିନ ଅନ୍ୟ ସୂତ୍ରରୁ ସଂଗ୍ରହ କରିପାରିବେ। ସଚିନ ଏହି ବିଷୟ ପରମବୀରଙ୍କୁ କହିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ପରମବୀର ଏହି ଅଭିଯୋଗର ପ୍ରମାଣ ରୂପେ କେତେକ ହ୍ବାଟ୍ସଆପ୍‌ ଚାଟ୍‌ର ଅବତାରଣା କରିଛନ୍ତି। ସେ ଏହାକୁ ମାର୍ଚ୍ଚ ୧୬ ଓ ୧୯ ତାରିଖରେ ଆସିଷ୍ଟାଣ୍ଟ ପୋଲିସ କମିଶନର ସଞ୍ଜୟ ପାଟିଲଙ୍କ ସହ ହୋଇଥିବା ବାର୍ତ୍ତାଳାପ ବୋଲି ଦାବି କରିଛନ୍ତି। ବଟି ଅସୁଲକୁ ନେଇ ଗମ୍ଭୀର ଅଭିଯୋଗ ଅଣାଯାଇଥିବା ଉକ୍ତ ଚିଠି ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ନିକଟକୁ ମଧ୍ୟ ପଠାଯାଇଛି। ତେବେ ଉକ୍ତ ପତ୍ରରେ ପରମବୀରଙ୍କ ସ୍ବାକ୍ଷର ନାହିଁ, କିନ୍ତୁ ତାଙ୍କ ଲେଟରହେଡ୍‌ରେ ଏହା ଲେଖାଯାଇଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ସରକାରଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି ସରକାରଙ୍କ ପାଇଁ ଏହା ନୂଆ ସଙ୍କଟ ଛିଡ଼ା କରାଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷେ ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ପରମବୀର ନିଜକୁ ବଞ୍ଚାଇବା ପାଇଁ ମିଥ୍ୟା ଅଭିଯୋଗ ଆଣିଛନ୍ତି। କାରଣ ମୁକେଶ ଅମ୍ବାନୀ ଓ ଠାଣେ ବ୍ୟବସାୟୀ ମନସୁଖ ହିରେନ୍‌ଙ୍କ ହତ୍ୟା ମାମଲାର ତଦନ୍ତରେ ସଚିନ ଓ୍ବାଜେଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ପରମବୀର ସିଂ ମଧ୍ୟ ଏଥିରେ ସମ୍ପୃକ୍ତ ଥାଇପାରନ୍ତି। ପ୍ରକାଶ ଯେ କିଛିଦିନ ତଳେ ପରମବୀରଙ୍କୁ ପୋଲିସ କମିଶନର ପଦରୁ ହଟାଇ ହୋମଗାର୍ଡକୁ ବଦଳି କରାଯାଇଛି।

ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ
ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗ ଗମ୍ଭୀର। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ ବୋଲି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି।
ଖବରଦାତାମାନଙ୍କୁ ସମ୍ବୋଧିତ କରି ପାଓ୍ବାର କହିଛନ୍ତି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏ ସମ୍ପର୍କରେ ନିଷ୍ପତ୍ତି ଏବଂ ଦେଶମୁଖଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ। ସଚିନ ଓ୍ବାଜେଙ୍କୁ ଗତବର୍ଷ ପୋଲିସରେ ପୁନଃ ଅବସ୍ଥାପିତ କରିବାରେ ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କ କିଛି ଭୂମିକା ନ ଥିଲା। ପରମବୀର ଗତ ୧୭ ତାରିଖରେ ହୋମଗାର୍ଡକୁ ବଦଳି ହେବା ପରେ ଏହି ଅଭିଯୋଗ ଆଣିଛନ୍ତି। ରାଜ୍ୟର ଶିବସେନା-ଏନ୍‌ସିପି-କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି। କିନ୍ତୁ ତାହା ସଫଳ ହେବ ନାହିଁ।

ମନସୁଖ ହତ୍ୟା ମାମଲା: ୨ ଗିରଫ
ଏନ୍‌ଆଇଏ ଠାଣେ ବ୍ୟବସାୟୀ ମନ୍‌ସୁଖ ହିରେନଙ୍କ ହତ୍ୟା ମାମଲା ହାତକୁ ନେବାର ଦିନକ ପରେ ଏହାର ପର୍ଦ୍ଦାଫାଶ ହୋଇଥିବା ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଦାବି କରିଛି। ଏଟିଏସ୍‌ ଡିଆଇଜି ଶିବଦୀପ ଲାଣ୍ଡେ ରବିବାର ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଓ୍ବାଜେଙ୍କୁ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛନ୍ତି।
ଆଣ୍ଟିଲିଆ ବୋମା ଆତଙ୍କ ମାମଲାରେ ବ୍ୟବହୃତ ସ୍କର୍ପିଓର ମାଲିକ ହେଉଛନ୍ତି ମନ୍‌ସୁଖ। ଏହି ମାମଲାରେ ପୋଲିସ ମନ୍‌ସୁଖଙ୍କୁ ସମନ କରିଥିଲା। ପରେ ମାର୍ଚ୍ଚ ୫ରେ ତାଙ୍କ ମୃତଦେହ ଏକ କ୍ରିକ୍‌ରେ ମିଳିଥିଲା। ଏହି ମାମଲାରେ ଏଟିଏସ୍‌ ରବିବାର ନିଲମ୍ବିତ କନଷ୍ଟେବଳ ବିନାୟକ ସିନ୍ଧେ(୫୫) ଓ କ୍ରିକେଟ ବୁକି ନରେଶ ଧାରେ(୩୧)ଙ୍କୁ ଗିରଫ କରିଛି। ଉଭୟଙ୍କୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ନେଇଛି। ତଦନ୍ତ ବେଳେ ୩ ମୋବାଇଲ ଫୋନ୍‌ ଏବଂ ଗୁଜରାଟରେ ପଞ୍ଜୀକୃତ ୮ଟି ସିମ୍‌ କାର୍ଡ ସମେତ ମନସୁଖଙ୍କ ସୁନା ଚେନ୍‌, ମୁଦି, ଘଣ୍ଟା ଆଦି ଜବତ କରାଯାଇଛି। ଶିବଦୀପ ଏକ ଫେସ୍‌ବୁକ୍‌ ପୋଷ୍ଟରେ ସୂଚନା ଦେଇଛନ୍ତି। ସେପଟେ ସଚିନ ଓ୍ବାଜେ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଏନ୍‌ଆଇଏ ହାଜତରେ ରହିବେ ବୋଲି ଜଣାପଡ଼ିଛି।

ସରକାର ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି ପାଓ୍ବାର: ଫଡ୍‌ନବିସ୍‌
ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ଅଭିଯୋଗ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅଜାଣତରେ ସଚିନ ଓ୍ବାଜେଙ୍କୁ କିପରି ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ତଦନ୍ତ ଭାର ଦିଆଯାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଆଶ୍ୱସ୍ତି, ବଢିଲା ଇଡି ରିମାଣ୍ଡ

ନୂଆଦିଲ୍ଲୀ,୨୮।୩: ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆଶ୍ୱସ୍ତି ମିଳିନାହିଁ।...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଏହି ୫ ଭାଜପା ନେତା ର୍ନିଦ୍ୱନ୍ଦରେ ଜିତିବେ ନିର୍ବାଚନ, ପ୍ରାର୍ଥୀ ଛିଡ଼ା କରିବାକୁ ବିରୋଧୀ କରିପାରିଲାନି ସାହାସ

ନୂଆଦିଲ୍ଲୀ,୨୮।୩: ଦେଶରେ ଆରମ୍ଭ ହୋଇଛି ନିର୍ବାଚନର ବଡ଼ ପର୍ବ। ବିରୋଧୀଙ୍କୁ ଚିତାପଟ କରିବା ପାଇଁ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭୋଟରଙ୍କୁ ନିଜ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ: ଏହି କଥାକୁ ନେଇ ଚିନ୍ତାପ୍ରକଟ

ନୂଆଦିଲ୍ଲୀ,୨୮।୩: ଦେଶର ୬୦୦ରୁ ଅଧିକ ଓକିଲ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଛନ୍ତି। କୁହାଯାଇଛି ଯେ ଏକ ‘ନିର୍ଦ୍ଦିଷ୍ଟ ଗୋଷ୍ଠୀ’ ନ୍ୟାୟପାଳିକା ଉପରେ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

‘ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ’ ବୟାନକୁ ନେଇ ଚର୍ଚ୍ଚାରେ ଥିବା ଅର୍ଥମନ୍ତ୍ରୀ ସୀତାରମଣଙ୍କ ସମ୍ପତ୍ତି କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୩: ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଚାହୁଁଥିଲା ଯେ ସେ...

କୋର୍ଟରେ ଆଜି ବଡ଼ ଖୁଲାସା କରିବେ କେଜ୍‌ରିଓ୍ବାଲ!

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନିକଟରେ ମଦ ଦୁର୍ନୀତି ମାମଲାରେ କିଛି ପ୍ରମାଣ ରହିଛି। ଏହା ସମ୍ପୂର୍ଣ୍ଣ ପ୍ରସଙ୍ଗ ଉପରୁ ପରଦା ଉଠାଇପାରେ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri