ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ ବୋଝେଇ ସ୍କୁଟି ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଗଜପତି ଜିଲା ଅଡ଼ବା ଥାନା ବିରିକୋଟ ଗ୍ରାମର ଫିରୋଜ ନାୟକ ଏବଂ ମୋହନା ଥାନା ମୋହନା ମେରୀ ନଗରର କୁନା ବିଷୋୟୀ।
ମିଳିଥିବା ସୂଚନା ଅନୁଯାୟୀ, ସ୍କୁଟିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଗୁପ୍ତ ଖବର ପାଇବା ପରେ ଆଇଆଇସି (IIC) ଦୀପ୍ତି ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ ୩୨୬ ନମ୍ବର ଜାତୀୟ ରାଜପଥ ପୋଡ଼ାମାରି ପୋଲିସ ଫାଣ୍ଡି ନିକଟରେ ଛକି ରହିଥିଲେ। ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ସ୍କୁଟିକୁ ପୋଲିସ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଏକ ଜରିବସ୍ତାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା।
ସନ୍ଧ୍ୟାରେ ଘଟଣାସ୍ଥଳରେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବାରୁ ତାହା ୨୩ କେଜି ୭୦୦ ଗ୍ରାମ ହୋଇଥିଲା। ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଥାନାକୁ ଆଣିବା ସହ ସେମାନଙ୍କ ନିକଟରୁ ସ୍କୁଟି ଓ ଗଞ୍ଜେଇ ଜବତ କରିଛି। ଏସ୍ଆଇ (SI) ଏସ୍.କେ. ଇମାଦାଦ ତରଫଦାରଙ୍କ ଏତଲା ଆଧାରରେ ଥାନା ମାମଲା ନମ୍ବର ୩୧୧/୨୬ ଅନୁଯାୟୀ କେସ୍ ରୁଜୁ କରାଯାଇଛି। ବୁଧବାର ଉଭୟ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ୍ କୋର୍ଟକୁ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍ଆଇ ତ୍ରିନାଥ ଭୋଇ ସୂଚନା ଦେଇଛନ୍ତି।

