ପୁରୀ,୩୦ା୯(ଅଜିତ୍ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍ରେ ସର୍ବସାଧାରଣଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲାଯାଇଛି। ପ୍ରଥମେ ଶ୍ରଦ୍ଧାଳୁଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରବେଶ କରିଥିଲେ।
ସୂଚନାଯୋଗ୍ୟ, ମହାମାରୀ କୋଭିଡ୍ ପରଠାରୁ ଭକ୍ତଙ୍କ ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ଚାଲୁ ରହିଥିଲା। ତେଣୁ ଘୋଷଯାତ୍ରାକୁ ଛାଡ଼ିଦେଲେ ଭକ୍ତଙ୍କ ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପ୍ରତିଦିନ ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ରହିବ। ମନ୍ଦିର ଖୋଲିବା ପରେ ପ୍ରଥମ ୩ଦିନ ଭକ୍ତଙ୍କଠାରୁ କୌଣସି ପ୍ରବେଶ ଶୁଳ୍କ ଆଦାୟ କରାଯିବ ନାହିଁ। ପରବର୍ତ୍ତୀ ସମୟରେ ପ୍ରବେଶ ପାଇଁ ୧୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି। ତେବେ ଶିଶୁ, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼ ରହିବ। ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର ନିକଟରେ ମାଗଣା ଜୋତା ଷ୍ଟାଣ୍ଡ ଓ ମୋବାଇଲ୍ ଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଛି। ଦର୍ଶନ ସମୟରେ ଶୃଙ୍ଖଳା ବଜାୟ ରଖିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ବ୍ୟାରିକେ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ।
Dharitri – Odisha’s No.1 Odia Daily

