କାଏରୋ,୯।୧୧: ଇଜିପ୍ଟର ରାଜଧାନୀ କାଏରୋ ନିକଟରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ୨୦୨୬ ନଭେମ୍ବର ୮ରେ, ଗିଜାରୁ ଫାଇୟୁମ ଅଭିମୁଖେ ଯାଉଥିବା ଏକ ଟ୍ରେନ, କାଏରୋରୁ ଆସ୍ବାନ ସହର ଆଡ଼କୁ ଯାଉଥିବା ଅନ୍ୟ ଏକ ଟ୍ରେନ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଯୋଗୁ ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।
ଇଜିପ୍ଟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରାଥମିକ ତଥ୍ୟ ଅନୁଯାୟୀ, ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ ଜଣ ଗୁରୁତର ଆହତ ହୋଇଛନ୍ତି।
ଏହି ଭୟଙ୍କର ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରି ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତାହ ଏଲ-ସିସି କହିଛନ୍ତି ଯେ ସେ ଏହି ଘଟଣାକୁ ନେଇ ଗଭୀର ଚିନ୍ତିତ ଅଛନ୍ତି ଏବଂ ତୁରନ୍ତ ତଦନ୍ତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ, ‘ଯେଉଁମାନେ ଅବହେଳା କରିଥିବେ ସେମାନଙ୍କୁ ଛଡ଼ାଯିବ ନାହିଁ; ଦାୟୀ ବ୍ୟକ୍ତିମାନଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ଭୋଗିବାକୁ ପଡ଼ିବ।’
ରେଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଉଦ୍ଧାରକାରୀ ଦଳଗୁଡ଼ିକ ଦୁର୍ଘଟଣାସ୍ଥଳରୁ ଭଙ୍ଗା ଅଂଶଗୁଡ଼ିକୁ ହଟାଇବା ପାଇଁ ଏକାଧିକ କ୍ରେନ ବ୍ୟବହାର କରିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଚାଲିଥିବା କଥା ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଏହି ଘଟଣା ଗିଜାର ‘ଅଲ-ଆୟାତ’ (Al-Ayyat) ଅଞ୍ଚଳରେ ଘଟିଛିଯେଉଁ ସ୍ଥାନରେ ପୂର୍ବରୁ ଇଜିପ୍ଟ ଇତିହାସର କିଛି ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ଘଟିସାରିଛି।

