ଦାରିଙ୍ଗବାଡ଼ି, ୧୬।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ପଞ୍ଚାୟତର କାରିପାଙ୍କା ଗ୍ରାମରେ ମହୁମାଛି ଆକ୍ରମଣରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏଥିରେ ଜଣେ ବୃଦ୍ଧା ଓ ଜଣେ ବୃଦ୍ଧ ଗୁରୁତର ହୋଇପଡ଼ିଛନ୍ତି। ସେମାନେ ହେଲେ ଗ୍ରାମର ପାରାପାଙ୍ଗାଲୁ ପ୍ରଧାନ (୬୨) ଓ ବୁଡ଼ା ପ୍ରଧାନ (୬୦)।
ଗୁରୁତର ଦୁଇଜଣଙ୍କୁ ପ୍ରଥମେ ସିମନବାଡ଼ିସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଚିକିତ୍ସା କରୁଥିବା ଡାକ୍ତର ଅବିନାଶ ମଲ୍ଲିକ ପରାମର୍ଶ ଦେଇଛନ୍ତି।
ପ୍ରକାଶ ଯେ, ଗ୍ରାମର କିଛି ଲୋକ ଜଙ୍ଗଲରୁ ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ଗାଁ ଭିତରେ ଥିବା ଏକ ସଲପ ଗଛରେ ଗତ କିଛି ଦିନ ହେଲା ମହୁମାଛି ବସା ବାନ୍ଧିଥିଲେ। ହଠାତ୍ ମହୁମାଛିମାନେ ଲୋକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବୁଡ଼ା ପ୍ରଧାନଙ୍କୁ ଶତାଧିକ ମହୁମାଛି ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମହୁମାଛିର ଶୁଙ୍ଖ ବା କଣ୍ଟା ଲାଗି ରହିଥିବାରୁ ସେ ପ୍ରବଳ ଯନ୍ତ୍ରଣା ଭୋଗୁଥିବା ଡାକ୍ତର କହିଛନ୍ତି। ଉଭୟଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ରହିଥିବା ଡାକ୍ତର ସୂଚନା ଦେଇଛନ୍ତି।

