ଦାରିଙ୍ଗବାଡ଼ି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ପୁଣି ଏକ ମାଲବୋଝେଇ ଟ୍ରକ ଫସି ରହିବାରୁ ଯାତାୟାତ ଠପ୍ ହୋଇଯାଇଛି। ଘାଟିର ଏକ ବୁଲାଣି ରାସ୍ତାରେ ଟ୍ରକ୍ଟି ଅଟକି ରହିଥିବାରୁ ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି।
ସୂଚନା ଅନୁଯାୟୀ, ବ୍ରହ୍ମପୁର ପଟରୁ ଦାରିଙ୍ଗବାଡ଼ି ଅଭିମୁଖେ ଏକ ମାଲ ବୋଝେଇ ଟ୍ରକ ଆସୁଥିଲା। ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଗାଜଲବାଡ଼ି ଗାଁଠାରୁ ଅଳ୍ପ ଦୂରରେ ଘାଟି ରାସ୍ତା ଆରମ୍ଭ ହେବା ପରେ ତୃତୀୟ ବୁଲାଣି ନିକଟରେ ଟ୍ରକ୍ଟି ଅଟକି ଯାଇଥିଲା। ବୁଲାଣି ରାସ୍ତାରେ ଟ୍ରକ୍ଟି ଠିକ ଭାବେ ମୋଡ଼ ନେଇପାରି ନ ଥିବାରୁ ଗୋଟିଏ ପାର୍ଶ୍ୱକୁ ଢଳି ରହିଥିଲା। ଟ୍ରକ୍ଟି ଓଲଟିଯିବାର ଆଶଙ୍କା ଥିବାରୁ ଚାଳକ ଆଉ ଆଗକୁ କିମ୍ବା ପଛକୁ ନ ନେଇ ଘାଟି ରାସ୍ତାରେ ହିଁ ଟ୍ରକ୍ଟିକୁ ଅଟକାଇ ଦେଇଥିବା ଜଣାପଡ଼ିଛି।
ଟ୍ରକ୍ଟି ଯେଉଁ ଅବସ୍ଥାରେ ବୁଲାଣି ରାସ୍ତାରେ ଅଟକି ରହିଛି, ସେଥିରେ ଏହାକୁ ସାମାନ୍ୟ ଆଗକୁ କିମ୍ବା ପଛକୁ ନେଲେ ମଧ୍ୟ ଓଲଟିଯିବାର ଆଶଙ୍କା ରହିଛି। ଫଳରେ ଭାରୀଯାନଟି ବିପଦପୂର୍ଣ୍ଣ ଅବସ୍ଥାରେ ଘାଟି ରାସ୍ତାରେ ଅଟକି ରହିଛି। ଅନ୍ୟପକ୍ଷରେ, ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ଟ୍ରକ୍ଟିକୁ ଘାଟିରୁ ବାହାର କରିବାରେ ସମସ୍ୟା ଉପୁଜିଛି। ଟ୍ରକ୍ଟି ରାସ୍ତା ମଝିରେ ଅଟକି ରହିଥିବାରୁ ଏହି ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ସୂଚନାଯୋଗ୍ୟ ଯେ, ଗାଜଲବାଡ଼ି ଘାଟିରେ ଗତ ଏକ ମାସ ମଧ୍ୟରେ ଏଭଳି ଭାବେ ଭାରୀଯାନ ଅଟକିବା ଘଟଣା ୫ରୁ ଅଧିକ ଥର ଘଟିସାରିଲାଣି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ନେଇ ପୋଲିସ ଓ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ଦିନରେ ଘାଟି ରାସ୍ତାରେ ଭାରୀଯାନ ଅଟକିବା ଯୋଗୁ ବାଲିଗୁଡ଼ାରୁ ବ୍ରହ୍ମପୁର ମଧ୍ୟରେ ଯାତାୟାତ ବାରମ୍ବାର ପ୍ରଭାବିତ ହେଉଛି। ଏହାର ସ୍ଥାୟୀ ସମାଧାନ ସହ ଘାଟି ରାସ୍ତାରେ ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Dharitri – Odisha’s No.1 Odia Daily

