ସ୍ବାସ୍ଥ୍ୟ ଓ ଆର୍ଥିକ ବିକାଶ ଉତ୍ସ

ଡା. ଲିପିସ୍ମିତା ସାମଲ

ଚଳିତ ବର୍ଷ ଅକ୍ଟୋବର ୧୪ରେ ୨୭ତମ ‘ବିଶ୍ୱ ଅଣ୍ଡା ଦିବସ’ ପାଳିତ ହେଉଛି। ଚଳିତ ବର୍ଷ ‘ବିଶ୍ୱ ଅଣ୍ଡା ଦିବସ’ର ଅଭିବ୍ୟକ୍ତି ହେଉଛି ଉତ୍ତମ ଜୀବନ ପାଇଁ ଅଣ୍ଡା। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଲା ଦେଶ ତଥା ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି ଏବଂ ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ ଅଣ୍ଡାର ଉପାଦେୟତା ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା। ଗର୍ଭବତୀ ମହିଳା ତଥା ଶିଶୁମାନଙ୍କଠାରୁ ଆରମ୍ଭ କରି ବୃଦ୍ଧ ଓ ରୋଗଣା ଲୋକମାନଙ୍କ ପାଇଁ ଅଣ୍ଡାର ଆବଶ୍ୟକତା ଅଧିକ ରହିଛି। ଅଣ୍ଡା ମନୁଷ୍ୟର ଶାରୀରିକ ତଥା ମାନସିକ ବିକାଶରେ ସାହାଯ୍ୟ କରି ସମାଜରୁ ଅପପୁଷ୍ଟି ଦୂର କରିଥାଏ।
ଗୋଟିଏ କୁକୁଡ଼ା ଅଣ୍ଡାରେ ୭୮ କିଲୋକ୍ୟାଲୋରି ବା ୩୨୪ କିଲୋଜୁଲ ଶକ୍ତି, ୬.୫ ଗ୍ରାମ୍‌ ପୁଷ୍ଟିସାର, ୫.୮ ଗ୍ରାମ୍‌ ସ୍ନେହସାର, ୧ ଗ୍ରାମ୍‌ ଶ୍ୱେତସାର, ୨୧୨ ମିଲିଗ୍ରାମ୍‌ କୋଲେଷ୍ଟରଲ ଉପଲବ୍ଧ ଅଛି। ଏହାବ୍ୟତୀତ ଅଣ୍ଡାରେ ଭିଟାମିନ୍‌-ଏ, ଭିଟାମିନ୍‌-ଡି, ଭିଟାମିନ୍‌-ସି, ଭିଟାମିନ୍‌-ଇ, ଭିଟାମିନ୍‌-ବି୧, ୨, ୫, ୬, ୧୨, ଫୋଲିକ୍‌ ଏସିଡ୍‌, ସେଲେନିୟମ, ସୋଡିୟମ, ପୋଟାସିୟମ, ଆୟୋଡିନ୍‌, ଜିଙ୍କ୍‌, ଲୌହ ଓ ମାଗ୍ନେସିୟମ ମଧ୍ୟ ଥାଏ। ଅଣ୍ଡାର ଧଳା ଅଂଶରେ ମୁଖ୍ୟତଃ ପୁଷ୍ଟିସାର, ଭିଟାମିନ୍‌-ବି ଓ ଖଣିଜ ପଦାର୍ଥ ଥାଏ ଏବଂ କେଶରରେ କୋଲେଷ୍ଟରଲ, ଭିଟାମିନ୍‌-ଏ, ଡି, ଇ, କେ ଓ ଲେସିଥିନ ଥାଏ। ଅଣ୍ଡାରେ ଶରୀର ପାଇଁ ଆବଶ୍ୟକ ହେଉଥିବା ୯ଟି ଅତ୍ୟାବଶ୍ୟକ ଆମିନୋ ଏସିଡ୍‌ ଥାଏ, ଯାହାକି ସୁସ୍ଥ କେଶ ଓ ନଖ ବୃଦ୍ଧିରେ ସହାୟକ ହୋଇଥାଏ। ଜୈବିକ ମୂଲ୍ୟ ଦୃଷ୍ଟିକୋଣରୁ ବିଚାର କଲେ ଗୋଟିଏ ଅଣ୍ଡାରେ ଜୈବିକ ମୂଲ୍ୟ ୯୪ ଥିବାବେଳେ କ୍ଷୀରରେ ୮୫, ମାଛରେ ୭୬ ଓ ମାଂସରେ ୭୪ ଭାଗ ରହିଥାଏ ।
ଅର୍ଥନୈତିକ ସର୍ଭେ ଅନୁଯାୟୀ, ୨୦୦୮-୦୯ରେ ଓଡ଼ିଶାରେ ଅଣ୍ଡା ଉତ୍ପାଦନ ୧୯,୯୩୨.୬ ଲକ୍ଷ ହୋଇଥିବା ବେଳେ ମୁଣ୍ଡପିଛା ଉପଲବ୍ଧ ଅଣ୍ଡା ଥିଲା ୫୧ଟି, ଯାହା ଜାତୀୟ ହାର (୪୮)ଠାରୁ ଅଧିକ ଥିଲା। କିନ୍ତୁ ୨୦୧୪-୧୫ରେ ଓଡ଼ିଶାରେ କମ୍‌ ଅଣ୍ଡା ଉତ୍ପାଦନ ହୋଇଥିଲା (୧୯,୨୪୫ ଲକ୍ଷ) ଏବଂ ମୁଣ୍ଡପିଛା ଉପଲବ୍ଧ ଅଣ୍ଡା ଥିଲା ମାତ୍ର ୪୩। ସରକାର ବିଭିନ୍ନ ଯୋଜନା ହାତକୁ ନେବା ଫଳରେ ୨୦୨୦-୨୧ରେ ଓଡ଼ିଶାରେ ଅଣ୍ଡା ଉତ୍ପାଦନ ୨୮,୬୧୬ ଲକ୍ଷକୁ ବୃଦ୍ଧି ହୋଇଥିବା ବେଳେ ମୁଣ୍ଡପିଛା ଉପଲବ୍ଧ ଅଣ୍ଡା ମଧ୍ୟ ୫୪କୁ ବୃଦ୍ଧି ପାଇଛି। ଓଡ଼ିଶାର ମୁଣ୍ଡପିଛା ଉପଲବ୍ଧ ଅଣ୍ଡାର ହାର ଆନ୍ଧ୍ରପ୍ରଦେଶ (୩୭୨), ତାମିଲନାଡୁ (୨୬୫), ହରିୟାଣା (୨୨୪), ପଞ୍ଜାବ (୧୯୧), କର୍ନାଟକ (୯୫) ଏବଂ ପଶ୍ଚିମବଙ୍ଗ (୮୮) ଠାରୁ ବହୁତ କମ୍‌। ଅଣ୍ଡା ଉତ୍ପାଦନରେ ଓଡ଼ିଶା ଦେଶରେ ୧୦ମ ସ୍ଥାନରେ ଅଛି।
ଲୋକମାନଙ୍କୁ କୁକୁଡ଼ା ପାଳନ ପାଇଁ ପ୍ରୋତ୍ସାହିତ କରିବା ଲାଗି ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି।
ରାଜ୍ୟ ସରକାର ନୂତନ ବ୍ୟବସାୟିକ ଓ ଅର୍ଦ୍ଧ ବ୍ୟବସାୟିକ କୁକୁଡ଼ା ଫାର୍ମ ପାଇଁ ରିହାତି ଯୋଗାଇ ଦେଉଛନ୍ତି। ରାଜ୍ୟ କୃଷିନୀତି-୨୦୧୩ ଅନୁଯାୟୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଅଣ୍ଡା ଉତ୍ପାଦନ ବୃଦ୍ଧି ନିମନ୍ତେ ଅନ୍‌ଲାଇନ ପ୍ରକ୍ରିୟାରେ ଅନୂ୍ୟନ ୧୦ ହଜାର କ୍ଷମତାବିଶିଷ୍ଟ ଅଣ୍ଡାଦିଆ କୁକୁଡ଼ା ଫାର୍ମ, ଦୈନିକ ୩୦ ମେଟ୍ରିକ୍‌ ଟନ୍‌ ଦକ୍ଷତାବିଶିଷ୍ଟ କୁକୁଡ଼ା ଖାଦ୍ୟ ପ୍ଲାଣ୍ଟ ଆଦି ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଶା କୁକ୍କୁଟ ନୀତି-୨୦୧୫ ମଧ୍ୟ ପ୍ରଣୟନ କରାଯାଇଛି। ଏଥିରେ କୁକୁଡ଼ା ପାଳନକୁ କୃଷିର ମାନ୍ୟତା ଦିଆଯାଇଛି। ରାଜ୍ୟରେ ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ଉଦ୍ୟୋଗ ପ୍ରତିଷ୍ଠା ପାଇଁ ନାବାର୍ଡ ଋଣ ପ୍ରଦାନ କରୁଛି। ରାଜ୍ୟରେ ମୁଣ୍ଡପିଛା ଅଣ୍ଡାର ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ୨୦୧୮-୧୯ ରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଡିପ୍‌ ଲିଟର ପଦ୍ଧତିରେ ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶାକୁ ଅଣ୍ଡା ଉତ୍ପାଦନରେ ସାବଲମ୍ବନଶୀଳ କରିବାକୁ ହେଲେ ଭଲ ପ୍ରଜାତିର କୁକୁଡ଼ା ଚୟନ ସହିତ ସମୂହ ପରିପାଳନର ମହତ୍ତ୍ୱ ରହିଛି। ଓଡ଼ିଶା ଅଣ୍ଡା ଉତ୍ପାଦନରେ ସ୍ବାବଲମ୍ବନଶୀଳ ହେଲେ ଲୋକମାନଙ୍କର ସାମାଜିକ ତଥା ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସିପାରିବ।
ସହକାରୀ ପ୍ରଫେସର, ଓୟୁଏଟି, ଭୁବନେଶ୍ୱର, ମୋ:୮୮୪୭୮୬୦୬୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri