ମୁଣ୍ଡର ମୂଲ୍ୟ

ହରେକୃଷ୍ଣ ଦାସ

ସେଦିନ ପ୍ରାତଃ ଭ୍ରମଣରୁ ଫେରିବା ବେଳେ ରଥ ମଉସାଙ୍କୁ ତାଙ୍କ ଘର ଗେଟ୍‌ ପାଖରେ ଦେଖି ଅଟକିଯିିବା ମାତ୍ରେ ସେ ମୋ ସହ ଗପସପ ହେବା ଉଦ୍ଦେଶ୍ୟରେ ଭିତରକୁ ଡାକିଲେ। ତାଙ୍କ ଦେହ ମୁହଁରୁ ଗମ୍‌ଗମ୍‌ ଝାଳ ବାହାରୁଥାଏ। ‘ଆପଣ ଏତେ ବଡ଼ ଲୋକ, ପୁଣି ବୟସ ହୋଇଗଲାଣି। ଏମିତିଆ ପରିଶ୍ରମ କରି ବାଡ଼ି ସଫା କରି ଧଇଁସଇଁ ହୋଇଯାଉଛନ୍ତି- ଦେଖିବାକୁ ଭଲ ଲାଗୁନି ମଉସା।’
ମଉସା କହିଲେ, ବଡ଼ ଲୋକ କ’ଣ। ତା’ ଛଡ଼ା ନିଜ ବାଡ଼ି ସଫା କରିବାରେ ଖରାପ ଲାଗିବାର କ’ଣ ଅଛି? ଏମିତିଆ ସମୟ ବିତେଇଲେ ଟିକିଏ ଭଲ ଲାଗୁଛି। ପୁଅଟା ଘରେ ଅଛି ଯେ, ହେଲେ ତାକୁ ଏସବୁ କିଛି କହିବାକୁ ଭଲ ଲାଗୁନି। ଠିକ୍‌ କଥା, ପିଲାଏ ନିଜ ଆଡୁ ମା’ବାପାଙ୍କ ବୋଝ ହାଲୁକା ନ କଲେ ସେମାନଙ୍କୁ ଏ ବୟସରେ କହିବାକୁ ଭଲ ଲାଗିବନି। ଏମିତିରେ ବି ଆପଣ ଖୁବ୍‌ ସ୍ବାଭିମାନୀ ମଣିଷ…।
ଆମ ଗପସପର ଶବ୍ଦ ଶୁଣି ଘର ଭିତରୁ ମାଉସୀ ବାହାରି ଆସିଲେ। ସେ ମତେ କହିଲେ ‘ବୁଝିଲ ବାପା, ତୁମ ମଉସା ଜମା ବୁଝିଲା ଲୋକ ନୁହଁ। ଯେତେ ମନାକଲେ ସେ ଏ କାମ କରୁଛନ୍ତି।’ ‘ହଁ, ବାଡ଼ିଟା ଅରମା ହୋଇପଡିଥିବାରୁ ମଉସାଙ୍କୁ ଭଲ ଲାଗୁନି। ତେଣୁ କଷ୍ଟ ଲାଗୁ ପଛେ ତାକୁ ସଫା କରୁଛନ୍ତି। ପୁଅ ତ ଏବେ ଘରେ ଅଛି, ଟିକିଏ ମିଶି ଯାଇଥିଲେ…’। ମୋ ପାଟିରୁ କଥା ସରିଛି କି ନାହିଁ ମାଉସୀ କହିଲେ ‘ସେ କଥା କୁହନି ବାପା! ମୋ ପୁଅ କାଲି ସନ୍ଧ୍ୟା ବେଳେ ବାଡିରୁ କ’ଣ ଦିଇଟା ଲଟା ସଫା କଲା ଯେ ହାଲିଆ ହୋଇ ଏଯାଏ ଶୋଇଛି। କାଲି ମୁଁ ତାକୁ ପାଟି କଲି; ହଇରେ, ତୋର ଦି’ ଲକ୍ଷଟଙ୍କିଆ ମୁଣ୍ଡ। ତୁ ଯାଇ ଏଇ ଧୂଳିଧୂସର କାମ କରିବୁ!’
ଦି’ ଲକ୍ଷଟଙ୍କିଆ ମୁଣ୍ଡ କଥା ଶୁଣି ମୁଁ ଚମକି ପଡ଼ିଲି, ରାଗରେ ଜଳିଗଲି। କହିଲି, ଆଛା, ମଉସାଙ୍କ ଭଳିଆ ଜଣେ ବିଦ୍ବାନ, ଦେଶରେ ବିଖ୍ୟାତ ଜଣେ ଯଶବାନ୍‌ ମଣିଷ କେତେ ଲକ୍ଷଟଙ୍କିଆ ମୁଣ୍ଡ ହେବେ, ସେକଥା କେବେ ହିସାବ କରିଛନ୍ତି ମାଉସୀ? ମଉସାଙ୍କ ମୁଣ୍ଡ ପାଖରେ ଆପଣଙ୍କ ପୁଅ ମୁଣ୍ଡର ମୂଲ୍ୟ କ’ଣ?’ ମାଉସୀ ଜବାବ ଦେଲେ, ‘ତୁମ ମଉସା ଯେତେ ନଁା କମେଇଲେ ବି କେତେ ଟଙ୍କା ରୋଜଗାର କଲେ? କ’ଣଟା କରିପାରିଲେ? ଭଲ ଘର ଖଣ୍ଡେ ତ ଦୂରର କଥା, ସେଇ ଖଣ୍ଡିଆ ସାଇକେଲରେ ଜୀବନ ବିତିଲା। ମୋ ପୁଅ ହେଇଟି ବଡ଼ ଘରଟେ କିଣିଛି। ଗାଡ଼ିଟେ କିଣିବ ଯେ ତାକୁ ମଣିଷ ଚଲେଇବା ଦରକାର ନାହିଁ, ସୁଇଚ ଟିପିଲେ କାଳେ ସେ ମନକୁ ମନ ଚାଲିବ। ଅଟୋମେଟିକ ଗାଡ଼ି ବିଷୟରେ ତାଙ୍କ ମୂର୍ଖତା ଦେଖି ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ କହିଲି, ଆଛା ମାଉସୀ, ତା’ ହେଲେ ଆପଣ ଭାବୁଛନ୍ତି ଯେ ଜଣକର ମୁଣ୍ଡର ମୂଲ୍ୟ ତା’ର ଟଙ୍କା ରୋଜଗାର କରିବା ଅନୁସାରେ ହିଁ ବେଶି କିମ୍ବା କମ୍‌ ହୁଏ? ଠିକ୍‌ ବୁଝିଲ। ଏଇଟା ନିରାଟ ସତ କଥା। ଯଥେଷ୍ଟ ରୋଜଗାର ନ ଥାଇ ଶସ୍ତା ଫୁଟାଣି ଦେଖେଇ ଖାଲି ଯଶ ଅର୍ଜନ କଲେ ତା’ର କିଛି ମୂଲ୍ୟ ନାହିଁ। ତାଙ୍କ କଥା ଶୁଣି ଭୀଷଣ ବିରକ୍ତ ଏବଂ ଅପମାନିତ ଲାଗୁଥାଏ। କିନ୍ତୁ ନିଲଠା ହସଟେ ଦେଖେଇ କହିଲି, ଜାଣିଛନ୍ତି, ମୁକେଶ ଅମ୍ବାନୀଙ୍କ ଡ୍ରାଇଭରର ଦରମା ମାସକୁ ଦି’ ଲକ୍ଷରୁ ବେଶି। ପୁଣି ରହିବା ମାଗଣା। ତା’ ହେଲେ ଗୋଟେ ଡ୍ରାଇଭରର ମୁଣ୍ଡର ମୂଲ୍ୟ ଆପଣଙ୍କ ପୁଅର ମୁଣ୍ଡର ମୂଲ୍ୟଠାରୁ ବି ବେଶି! ଆମ ଗାଁର ସନା ରାଉତ, ସପ୍ତମ ଫେଲ୍‌। ତା’ ବାପା ଅର୍ଜିଥିବା ସମ୍ପତ୍ତିର ବାରଣା ଭାଗ ବିଲ୍‌ଡରକୁ ଦେଇ ଏତିକି ଟଙ୍କା ଆଉ ଶେୟାରିଂରେ ଏତିକି ଘର ପାଇଛି ଯେ, ସେ ଏଇନେ ଘରେ ବସି କାଳେ ମାସକୁ ତିନି ଚାରି ଲକ୍ଷ ଟଙ୍କା ପାଉଛି। ତା’ ହେଲେ ସନା ମୁଣ୍ଡର ମୂଲ୍ୟଠୁ ମଧ୍ୟ ଆପଣଙ୍କ ପୁଅ ମୁଣ୍ଡର ମୂଲ୍ୟ କମ୍‌! ଚୋର, ଡକାୟତ, ସ୍ମଗ୍‌ଲରଗୁଡ଼ାକ ମାସକୁ ଲକ୍ଷ ଲକ୍ଷ କ’ଣ କୋଟି କୋଟି ଟଙ୍କା କମଉଛନ୍ତି। ଆପଣ କହିଲା ଭଳିଆ ସୁଇଚ ଟିପିଲେ ଚାଲୁଥିବା ବହୁତ ଦାମୀ ଗାଡି ଚଢୁଛନ୍ତି। ସେମାନଙ୍କ ମୁଣ୍ଡର ମୂଲ୍ୟ ପାଖରେ ଆପଣଙ୍କ ପୁଅ ମୁଣ୍ଡର ମୂଲ୍ୟ କ’ଣ? ବୁଝିଲେ ମାଉସୀ, ମଉସା ଯେତିକି ଯଶ କୀର୍ତ୍ତି ସମ୍ମାନର ଅଧିକାରୀ ତାଙ୍କ ମୁଣ୍ଡର ମୂଲ୍ୟ ସହିତ କାହାକୁ ତୁଳନା କରିବା ଉଚିତ ନୁହେଁ। ଦୁନିଆରେ ଅନେକ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଗବେଷକ, ପ୍ରଶାସକ ଅଛନ୍ତି ଯେଉଁମାନେ ମାସକୁ ଦି’ ଲକ୍ଷ ଟଙ୍କା ରୋଜଗାର କରୁନାହାନ୍ତି। ସେମାନଙ୍କ ମୁଣ୍ଡର ମୂଲ୍ୟକୁ କେବେ ଟଙ୍କାରେ କଳି ହେବନି। ସେମାନେ ସମାଜର ପ୍ରଗତି ପାଇଁ, ଦେଶର ନିର୍ମାଣ ପାଇଁ ଜୀବନ ଉତ୍ସର୍ଗ କରିଦେଇଛନ୍ତି। ଜଣେ ଚେଷ୍ଟା କରି ବହୁତ ଟଙ୍କା ରୋଜଗାର କରିପାରେ, କିନ୍ତୁ ଚେଷ୍ଟା କରି ଯଶ କୀର୍ତ୍ତି ହାସଲ କରିହେବନି। ଯାହାର ସମାଜ ପାଇଁ କିଛି ଅବଦାନ ନାହିଁ ସେ ଯେତେ ଟଙ୍କା ରୋଜଗାର କଲେ ବି ତା’ ମୁଣ୍ଡର କିଛି ମୂଲ୍ୟ ନ ଥାଏ।
ଏତିକି ବେଳେ ଆମ କଥାବାର୍ତ୍ତା ଶବ୍ଦରେ ନିଦ ଭାଙ୍ଗିଯିବାରୁ ମଉସାଙ୍କ ପୁଅ ଉଠି ବାହାରକୁ ଆସି ଆମ ସମସ୍ତଙ୍କୁ ଟିକେ ଚାହିଁଲା। କ’ଣ ଗୋଟେ କହିବାକୁ ଚେଷ୍ଟା କରୁକରୁ ମଉସାଙ୍କ ତଣ୍ଟିରେ କିଛି ଲାଗିଗଲା କି କ’ଣ ସେ କାଶି କାଶି ଅଣନିଃଶ୍ବାସୀ ହୋଇଗଲେ। ମୁଁ ଧାଇଁଯାଇ ତାଙ୍କ ପିଠି ଆଉଁଶି ଦେଉଥାଏ। ସେ ହଠାତ୍‌ ବାନ୍ତି କରିପକେଇଲେ, ତାଙ୍କ ଶାର୍ଟ ଲୁଙ୍ଗି ଯେମିତି ପୂରା ବୁଡ଼ିଗଲା। ଦୂରରୁ ଥାଇ ଏ ଦୃଶ୍ୟ ଦେଖୁଥିବା ପୁଅକୁ ଚାହିଁ ମାଉସୀ କହିଲେ, ବାପାରେ, ଏ ଅସନା ଶାର୍ଟଟା ଖୋଲି ନେଇ ତୋ ନନାଙ୍କ ଦେହ ପୋଛି ଦେ। ଭଲ ଗାମୁଛାଟେ ଆଣି ଏଇଟା ବଦଳେଇଦେ। ଏତକ ଶୁଣିବା ମାତ୍ରେ ପୁଅ ମାଉସୀଙ୍କୁ ଚାହିଁ କହିଲା, ହେଃ, ମତେ କ’ଣ ଭାବିଲୁ କି! ଏମିତିଆ ଅସନା କାମ ମୋ ଭଳିଆ ପିଲା କରିବ ବୋଲି କହିବାକୁ ତୁ ସାହସ କେମିତି କଲୁ! ହୁଃ’। ଫଣଫଣ ହୋଇ ପୁଅ ମୁହଁ ବୁଲେଇ ଘର ଭିତରକୁ ପଶିଗଲା। ମଉସା ତ ନିସ୍ତେଜ ହୋଇପଡିଥିଲେ, ଏବେ ମାଉସୀ ଲଜ୍ଜା ଓ ଦୁଃଖରେ ମୁହଁ ତଳକୁ କରି ବସି ଥରୁଥାଆନ୍ତି। ଉଭୟଙ୍କର ଏ ଅବସ୍ଥା ଦେଖି ମୋ ଭିତରର ସବୁ କ୍ରୋଧ ପାଣି ପରି ତରଳି ଯାଇଥିଲେ ବି ମାଉସୀଙ୍କୁ କହିଲି, ବ୍ୟସ୍ତ ହୁଅନ୍ତୁନି। ଆପଣ ଯାଇ ଭଲ କପଡ଼ା ଆଣନ୍ତୁ। ଏ ଶାର୍ଟ ଲୁଙ୍ଗି ମୁଁ ବଦଳେଇ ଦଉଛି। ମାଉସୀ ସେଠୁ ଉଠି ଘରକୁ ଗଲା ବେଳକୁ ତାଙ୍କୁ ନ ଶୁଭିଲା ଭଳି ଅନୁଚ୍ଚ ସ୍ବରରେ ମୋ ପାଟିରୁ ବାହାରି ପଡିଲା, ବାପର ସେବା କରିବାକୁ ହେଲେ ପୁଅ ଦି’ ଲକ୍ଷଟଙ୍କିଆ ମୁଣ୍ଡ ହେବା ଉଚିତ ନ ଥିଲା।
ଅଧ୍ୟାପକ, ଇଂଲିଶ ବିଭାଗ
ନିଆଳି କଲେଜ, କଟକ
ମୋ:୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri