ମୋହନା,୨୯।୨୬..( ମନ୍ମଥ ମିଶ୍ର ) ରାସ୍ତାରୁ ଯୁବତୀଙ୍କୁ ଉଠାଇ ନେବା ମାମଲାରେ ବଡ଼ ସଫଳତା ପାଇଛି ପୋଲିସ। ଅପହୃତ ଯୁବତୀଙ୍କୁ ଉଦ୍ଧାର କରିବା ସହ ଗାଡ଼ି ଏବଂ ୩ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଗଞ୍ଜାମ-ଗଜପତି ସୀମାନ୍ତ କାନକଟା ନିକଟରେ ଗତ ୨୭ ତାରିଖ ରାତି ପ୍ରାୟ ୮ଟା ସମୟରେ ଘଟିଥିଲା ଏହି ଘଟଣା। ଯୁବତୀଙ୍କ ବାପା ମାଆଙ୍କ ସାମ୍ନାରେ କିଛି ଯୁବକ ତାଙ୍କୁ ଗାଡ଼ିରେ ଉଠାଇ ନେଇ ଚାଲିଯାଇଥିବା ଅଭିଯୋଗ ହୋଇଥିଲା।ଏନେଇ ଯୁବତୀଙ୍କ ବାପା ଆର୍. ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଆଜି ରାୟଗଡ଼ ବ୍ଲକ କେନ୍ତାସାହିରୁ ଯୁବତୀଙ୍କୁ ଉଦ୍ଧାର କରିଛି। ଏଥିସହ ଗାଡ଼ି ଜବତ କରି ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ପ୍ରାଥମିକ ସୂଚନା ଅନୁସାରେ, ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

