ସେ ତ ଭକତ ଭାବରେ ବନ୍ଧା…

ରଞ୍ଜନ କୁମାର ଦାସ

 

କାଳେ କାଳେ ସେ ଗୋଟିଏ କଥା ରହିଛି ଯେ, ଭଗବାନ ସବୁବେଳେ ଭକ୍ତର ଭାବରେ ବନ୍ଧା। ଯାହାକୁ ସେ ଥରେ ଭଲ ପାଆନ୍ତି ତାକୁ ଅନ୍ତରରେ ନେଇ ସ୍ଥାନ ଦିଅନ୍ତି। ଧ୍ରୁବଙ୍କଠାରୁ ଆରମ୍ଭକରି ପ୍ରହଲ୍ଲାଦ ଯାଏ ଯେଉଁମାନେ ପ୍ରଭୁଙ୍କଠାରେ ନିଜକୁ ଲୀନ କରିଛନ୍ତି, ସେମାନେ ତାଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ଏବଂ ନିଜ ଜନ୍ମକୁ ସାର୍ଥକ କରିଛନ୍ତି। ମରଣ ପରେ ବି ମୃତ୍ୟୁଞ୍ଜୟୀ ହୋଇଛନ୍ତି। ସେମିତି ଜଣେ ଭକ୍ତ ହେଲେ ସନ୍ଥ ବଳରାମ ଦାସ। ଲକ୍ଷ୍ମୀପୁରାଣଠାରୁ ଆରମ୍ଭକରି ଦାଣ୍ଡି ରାମାୟଣ, ଜଗମୋହନ ରାମାୟଣ ଆଦି ଅନେକ ଧର୍ମଗ୍ରନ୍ଥର ପ୍ରଣେତା। ତାଙ୍କର ଅନ୍ୟାନ୍ୟ କୃତି ମଧ୍ୟରେ ଭାବସମୁଦ୍ର, ଗୁପ୍ତଗୀତା, ବଉଳାଗାଈ ଗୀତ, ବ୍ରହ୍ମଟୀକା, କମଳଲୋଚନ ଚଉତିଶା, ବ୍ରହ୍ମାଣ୍ଡ ଭୂଗୋଳ, ଗରୁଡ଼ ଗୀତା, ବଜ୍ରକବଚ, ଅମରକୋଷ, କାନ୍ତକୋଇଲି ଗୀତା, ଜ୍ଞାନ ଚୂଡାମଣି, ମୃଗୁଣୀ ସ୍ତୁତି ଆଦି ଅନ୍ୟତମ। ପୁରୀ ଜିଲାର ଗୋପ ବ୍ଲକ ପାଖରେ ଗୋଟିଏ ଛୋଟିଆ ଗାଁ ଏରବାଙ୍ଗରେ ତାଙ୍କ ଜନ୍ମ। ପଞ୍ଚସଖା ମଧ୍ୟରୁ ସେ ଥିଲେ ଅନ୍ୟତମ। କୁହାଯାଏ ସେ ଏକଦା ଗଜପତି ପ୍ରତାପରୁଦ୍ର ଦେବଙ୍କ ମନ୍ତ୍ରୀ ଥିଲେ। ମାତ୍ର ଶ୍ରୀଚୈତନ୍ୟଙ୍କ ଓଡ଼ିଶା ଆଗମନ ପରେ ସେ ରାଜକାର୍ଯ୍ୟ ଛାଡ଼ି ଧର୍ମକାର୍ଯ୍ୟରେ ବ୍ରତୀ ହେଲେ ଏବଂ ମତ୍ତ ବଳରାମ ଦାସ ନାମରେ ଖ୍ୟାତ ହେଲେ। କୃଷ୍ଣ ଭକ୍ତିରୁ ଆରମ୍ଭକରି ପରେ ସେ ଜଗନ୍ନାଥ ମହାପ୍ରଭୁଙ୍କର ପରମ ଭକ୍ତ ଭାବେ ସ୍ବୀକୃତି ପାଇଲେ। ମହାପ୍ରଭୁ କେମିତି ସବୁବେଳେ ଭକତ ଭାବରେ ବନ୍ଧା ତାହା ବଳରାମ ଦାସଙ୍କ ଦୁଇଟି କାହାଣୀରୁ ଅନୁମେୟ।
ଶୁଣାଯାଏ ଯେତେବେଳେ ତ୍ରେତୟା ଯୁଗ ଶେଷରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଲଙ୍କେଶ୍ବର ରାବଣର ନିଧନ କଲେ ଏବଂ ବିଭୀଷଣଙ୍କୁ ରାଜପଦାସୀନ କଲେ। ବିଭୀଷଣ ତାଙ୍କୁ କହିଲେ, ପ୍ରଭୁ ଆପଣ ଲଙ୍କା ଛାଡ଼ି ଯିବା ପରେ ଏହା ଶ୍ରୀହୀନ ହୋଇଯିବ। ଆପଣଙ୍କ ଦର୍ଶନ ବିନା ମୋ ଜୀବନ ଅସାର ହୋଇଯିବ। ରାମଚନ୍ଦ୍ର ସ୍ମିତହାସ୍ୟ କରି କହିଲେ, ନୀଳସିନ୍ଧୁ ମହୋଦଧି ତଟରେ ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ତମେ ମୋତେ ପାଇପାରିବ। ସେହିଦିନୁ ବିଭୀଷଣ କୁଆଡେ ପ୍ରତିଦିନ ନିଶାର୍ଦ୍ଧରେ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଯାଆନ୍ତି। ଦିନେ ବିଭୀଷଣ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ, କହିଲେ ମହାପ୍ରଭୁ ମୁଁ ନିତିଦିନ ତୁମ ଦ୍ୱାରକୁ ଆସୁଛି, ତମେ ଦିନେ ମୋ ଦ୍ୱାରକୁ ଆସନ୍ତ ନି? ଶ୍ରୀଜଗନ୍ନାଥ ତ ଭକତ ଭାବରେ ବନ୍ଧା, କହିଲେ ଯିବି ନିଶ୍ଚୟ। ମହାପ୍ରଭୁ ବଳରାମ ଦାସଙ୍କୁ ସ୍ବପ୍ନାଦେଶ କରି କହିଲେ, ବଳରାମ ମୁଁ ଲଙ୍କା ଯିବି, ତୁ ଯିବୁ ମୋ ସାଥିରେ। ବଳରାମ ନିଦରୁ ଉଠିପଡ଼ି କହିଲେ, ଯିବି ପ୍ରଭୁ। ଶ୍ରୀଜଗନ୍ନାଥ କହିଲେ, ସୁନାଗଡୁରେ ପାଣି ଧରି ମୋ ପଛେ ପଛେ ଆ। ଦୁହେଁ ଯାଇ ଲଙ୍କାରେ ପହଞ୍ଚିଲେ। ଲଙ୍କାପତି ବିଭୀଷଣ ତାଙ୍କୁ ଅତ୍ୟନ୍ତ ବିନମ୍ରତାର ସହ ସ୍ବାଗତ କରି ଏକ ବିରଳ କଳା ମଲ୍ଲୀଫୁଲର ମାଳ ଓ ମୋତିମାଳ ପିନ୍ଧାଇଦେଲେ। ବିଭୀଷଣଙ୍କୁ ଆଶୀର୍ବାଦ କରି ମହାପ୍ରଭୁ ଫେରିଲେ ଶ୍ରୀମନ୍ଦିରକୁ ଓ ବଳରାମ ଦାସ ଫେରିଗଲେ ମଠକୁ। ସୁନାଗଡୁ ଫେରାଇବାକୁ ଆଉ ତାଙ୍କର ମନେ ନ ଥିଲା। ସକାଳୁ ଯେତେବେଳେ ମହାପ୍ରଭୁଙ୍କ ସୁନାଗଡୁ ମିଳିଲା ନାହିଁ, ଚାରିଆଡ଼େ ଖୋଜା ଚାଲିଲା। ଖବର ପାଇ ବଳରାମ ଦାସ ତାକୁ ଫେରାଇବାକୁ ମନ୍ଦିର ଗଲେ। ବାଟରେ ତାଙ୍କ ହାତରେ ସୁନାଗଡୁ ଦେଖି ସୈନ୍ୟମାନେ ରାଜାଙ୍କ ପାଖକୁ ଧରିନେଲେ। ରାଜା ପ୍ରତାପରୁଦ୍ର ତାଙ୍କୁ ଅତ୍ୟନ୍ତ କଟୁ ଭାଷାରେ ଭର୍ତ୍ସନା କଲେ। ବଳରାମ ଦାସ ଗତ ରାତିର ଘଟଣା ବର୍ଣ୍ଣନା କଲେ। ପ୍ରଥମେ କେହି ତାଙ୍କୁ ବିଶ୍ବାସ କଲେ ନାହିଁ। ମାତ୍ର ରାଜା ନିଜେ ଗର୍ଭଗୃହକୁ ଯାଇ ଠାକୁରଙ୍କ ବେକରେ ଯେତେବେଳେ କଳା ମଲ୍ଲୀମାଳ ଓ ମୋତିହାର ଦେଖିଲେ, ନିଜ ଆଖିକୁ ବିଶ୍ବାସ କରିପାରିଲେ ନାହିଁ। ସେ ବଳରାମ ଦାସଙ୍କୁ ଯୋଡ଼ହସ୍ତରେ କ୍ଷମା ମାଗି ବିଦାୟ ଦେଲେ। ସେଇ ଦିନଠୁ ରଥଯାତ୍ରା ବେଳେ ଶ୍ରୀଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ ସମୟରେ ଗରୁଡ଼ସ୍ତମ୍ଭ ନିକଟରୁ ଦକ୍ଷିଣକୁ ମୁହଁକରି ବିଭୀଷଣଙ୍କ ପ୍ରଣାମ ଗ୍ରହଣ କରନ୍ତି। ଶୁଣାଯାଏ ବିଭୀଷଣ ଯେତେବେଳେ ପ୍ରତି ରାତିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତି, ସାଥିରେ କଳାମଲ୍ଲୀ ନେଇ ଆସନ୍ତି। ପ୍ରଭୁ ବିଭୀଷଣଙ୍କୁ ଯେମିତି ସ୍ବୀକୃତି ଦେଲେ, ବଳରାମ ଦାସଙ୍କୁ ମଧ୍ୟ ସେମିତି ସ୍ବୀକୃତି ଦେଇଥିଲେ। ଏକଦା ରଥଯାତ୍ରା ସମୟରେ ବଳରାମ ଦାସ ବଡ଼ଦାଣ୍ଡ ନିକଟରେ ବେଶ୍ୟା ପ୍ରଣୟରେ ଲିପ୍ତ ଥିଲେ। ମାତ୍ର ଜୟ ଜଗନ୍ନାଥ ଧ୍ବନି ଶୁଣି ସେ ଭାବବିହ୍ବଳ ହୋଇ ରଥକୁ ଯାଇ ଚଢ଼ିଗଲେ। ଅପବିତ୍ର ହୋଇଥିବାରୁ ରାଜାଙ୍କ ଆଦେଶରେ ତାଙ୍କୁ ରଥ ତଳକୁ ନିକ୍ଷେପ କରାଗଲା। ମାନସିକ ଆଘାତ ପାଇ ସେ ମହୋଦଧି କୂଳକୁ ଚାଲିଗଲେ ଓ ଗଢ଼ିଲେ ଏକ ବାଲିର ରଥ। ବଳରାମ ଦାସଙ୍କ ଆବାହନରେ ମହାପ୍ରଭୁ ନନ୍ଦିଘୋଷ ରଥ ଛାଡ଼ି ଚାଲିଗଲେ ବାଲିରଥକୁ। ଏଣେ ବଡ଼ଦାଣ୍ଡରେ ନନ୍ଦିଘୋଷ ଆଉ ଗଡ଼ିଲା ନାହିଁ। ରାଜା ହାତୀ ଲଗେଇ ଟାଣିଲେ। ମାତ୍ର ରଥଚକ ଗଡ଼ିଲା ନାହିଁ। ରାଜାଙ୍କ କାନକୁ କଥା ଗଲା। ସେ ଯାଇ ବଳରାମଙ୍କୁ କ୍ଷମା ମାଗି ତାଙ୍କୁ ରଥକୁ ଫେରାଇ ଆଣିଲେ। ବଳରାମ ଦାସ ଫେରିଲା ପରେ ପୁଣି ରଥ ଗଡ଼ିଲା।
ଆଉ ଗୋଟିଏ କାହାଣୀ ଅଛି ଯେ, ପ୍ରତି ଗୁରୁବାର ରାତିରେ ଶ୍ରୀମନ୍ଦିରରେ ଏକାନ୍ତରେ ଲକ୍ଷ୍ମୀନାରାୟଣ ଭେଟ ହୁଏ। ବଳରାମ ଦିନେ ଶ୍ରୀଜଗନ୍ନାଥଙ୍କୁ କହିଲେ, ପ୍ରଭୁ ଏକାନ୍ତରେ ଆପଣ କ’ଣ କରନ୍ତି, ଦେଖିବାକୁ ମନ ହେଉଛି। ବିଶେଷ କିଛି ଚିନ୍ତା ନ କରି ମହାପ୍ରଭୁ ତଥାସ୍ତୁ କହିଦେଲେ। ମାତ୍ର ମା ଲକ୍ଷ୍ମୀ ଏ କଥା ଶୁଣି କ୍ରୋଧାନ୍ବିତ ହୋଇପଡ଼ିଲେ। ସ୍ବପ୍ନରେ ଆସି ତାଙ୍କୁ କହିଲେ, ସନ୍ତାନ ହୋଇ ତୁ ପିତାମାତାଙ୍କ ରାତ୍ରରାସ ଦେଖିବାକୁ ମନ କରିଚୁ ? ମୁଁ ଅଭିଶାପ ଦେଉଛି ତୁ ଅନ୍ତିମ କାଳରେ ପୁରୀରେ ରହିପାରିବୁ ନାହିଁ। ବଳରାମ ଯାଇ ଶ୍ରୀଜଗନ୍ନାଥଙ୍କ ଶରଣ ପଶିଲେ। କହିଲେ, ପ୍ରଭୁ ଆପଣଙ୍କ ଦର୍ଶନ ଆଉ ପାଇବି ନାହିଁ ? ଶ୍ରୀକ୍ଷେତ୍ର ମାଟି ଛୁଇଁ ପାରିବି ନାହିଁ ? ମହାପ୍ରଭୁ କହିଲେ, ଲକ୍ଷ୍ମୀଙ୍କ କଥା ଅକାଟ୍ୟ। ମାତ୍ର ତୁ ତୋ ଗାଁରେ ଯାଇ ମୋର ମନ୍ଦିର ପ୍ରତିଷ୍ଠା କର। ସେଇଠି ମୋର ଦର୍ଶନ ପାଇବୁ। ବଳରାମ ଗାଁରେ ପ୍ରଭୁଙ୍କ ମନ୍ଦିର ତୋଳିଲେ। ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ନିତି ସଞ୍ଜରେ ସେଠି ବିଜେ କରନ୍ତି ବୋଲି ଶୁଣାଯାଏ। ମାତ୍ର ଶ୍ରୀକ୍ଷେତ୍ର ଯାଇ ନ ପାରୁ ଥିବାର କ୍ଷୋଭ ତାଙ୍କୁ ଘାରୁଥିଲା। ଦିନେ ସେ ଚିନ୍ତା କଲେ ଯାହା ହେଉପଛେ ସେ ଶ୍ରୀକ୍ଷେତ୍ର ଯିବେ। ବୟସ୍କ ଦେହ ଓ କ୍ଳାନ୍ତ ମନକୁ ନେଇ ସେ ଚାଲିଚାଲି ଯାଇ କୁଶଭଦ୍ରା ନଦୀ କୂଳରେ ପହଞ୍ଚିଲେ। ନଦୀରେ ପଶିବା ମାତ୍ରେ ତାଙ୍କ ଦେହ ଅବଶ ହୋଇପଡ଼ିଲା। ଶେଷ ଦର୍ଶନ ପାଇଁ ମହାପ୍ରଭୁଙ୍କୁ ଆବାହନ କଲେ। ଶୁଣାଯାଏ ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀ ଦୁହେଁ ଗରୁଡ଼ ବିମାନରେ ଯାଇ ଲକ୍ଷ୍ମୀନାରାୟଣ ବେଶରେ ଆବିର୍ଭୂତ ହେଲେ ତାଙ୍କ ସାମ୍ନାରେ। କହିଲେ, ତୁ ଶ୍ରୀକ୍ଷେତ୍ର ଯିବା ଲୋଡ଼ା ନାହିଁ। ଶ୍ରୀ ଯେଉଁଠି ଥାଆନ୍ତି ତାହା ହେଲା ଶ୍ରୀକ୍ଷେତ୍ର। ଏଇ ଜାଗା ଆଜି ଦ୍ବିତୀୟ ଶ୍ରୀକ୍ଷେତ୍ର ପାଲଟିଲା ତୋ ଯୋଗୁ। ସେଇ ଦିନଠାରୁ କୋଣାର୍କ ନିକଟରେ ସେଇ ଗ୍ରାମ, ଯାହାର ନାମ ଥିଲା ବେଗୁନିଆ। ଏହାକୁ ଗୁପ୍ତ ଶ୍ରୀକ୍ଷେତ୍ର କୁହାଯାଏ। ବଳରାମ ଦାସ ସେଇଠି ଦର୍ଶନ କରି ସମାଧି ନେଲେ। ତାଙ୍କର ସେ ସମାଧି କ୍ଷେତ୍ରକୁ ବଳରାମ ଗାଦି ମଧ୍ୟ କୁହାଯାଏ।
ଆମେ ଅନେକ ସମୟରେ ଭାବୁ ଈଶ୍ବର କେଉଁଠି ଅଛନ୍ତି, ଆଖିକୁ ଦିଶୁ ତ ନାହାନ୍ତି। ମାତ୍ର ସେ କେଉଁ ମନ୍ଦିରରେ ବାନ୍ଧିହୋଇ ଯେତେ ନ ଥାନ୍ତି, ତାଠୁ ବେଶି ଥାଆନ୍ତି ଭକ୍ତମାନଙ୍କ ଭାବ ବନ୍ଧନରେ। ଭକ୍ତଟିଏ କେଉଁଠି ଅସୁବିଧାରେ ପଡ଼ିଲେ ସେ ସହିପାରନ୍ତି ନାହିଁ। ଥରିଉଠେ ତାଙ୍କ ରତ୍ନସିଂହାସନ। କେବେ ଚକ୍ର, କେବେ ଗଦା ଧରି ସେ ଓହ୍ଲାଇ ଆସନ୍ତି ତାକୁ ସୁରକ୍ଷା ଦେବାକୁ। ସେ ଭକ୍ତଟି ହଉ ପଛେ ମୃଗୁଣୀଟିଏ କି ବଉଳା ଗାଈଟିଏ, ହଉପଛେ ବଳରାମ ଦାସ କି ବନ୍ଧୁ ମହାନ୍ତି, ସେ କୋଳେଇ ନିଅନ୍ତି ତାକୁ ତାଙ୍କ ଅଭୟ ଆଶ୍ରୟ ଭିତରକୁ।
ମୋ-୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?