ଭୁବନେଶ୍ୱର, ୧୫।୧୦(ସୁନିତ୍ ମିଶ୍ର): ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା। ମାତ୍ର ଏହି ଡବଲ ଇଞ୍ଜିନ ଭାଜପା ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ହୋଇଛି। ଏ ସରକାର ଅମଳରେ ଚାଷୀ, ମହିଳା, ବୃଦ୍ଧ ଏବଂ ମଧ୍ୟବିତ୍ତ ସମସ୍ତେ ହଇରାଣ ହେଉଛନ୍ତି। ଏଥିସହ ‘ଜେନ୍-ଜି’ଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯାଉଛି ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି।
ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ନବୀନ କହିଛନ୍ତି, ରାଜ୍ୟରେ ଏବେ ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ବଢ଼ିଚାଲିଛି। ସମସ୍ତେ ହଇରାଣ ହେଉଛନ୍ତି। ମାତ୍ର ସରକାର ନିଦାବିଷ୍ଣୁ ସାଜିଛନ୍ତି। ଅପାରଗତାରେ ଓଡ଼ିଶା ସରକାର ସାରା ଦେଶରେ ନମ୍ବର ୧ ହୋଇଛନ୍ତି। ତେଣୁ ଲୋକମାନଙ୍କ ସହ ରହି ଏ ଅପାରଗ ସରକାରର ମୁଖା ଖୋଲିଦେବାକୁ ନବୀନ ଆହ୍ବାନ କରିଛନ୍ତି। ଏହି ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ବିଜେଡି ନେତା ମନ୍ମଥ ରାଉତରାୟ, ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ଏବଂ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

