କ୍ଷତିକାରକ ପଲିଥିନ୍‌

ବ୍ୟସ୍ତ ଜୀବନ ଭିତରେ ବଜାରକୁ ଯିବା ସମୟରେ ମନେ ପକେଇ ସଉଦାଥଳି ନେବା ଆମ ପାଇଁ ଭାରି କଷ୍ଟ କାମ। ଆମର ଠିକ୍‌ ମନେପଡ଼ନ୍ତା, ଯଦି ଦୋକାନୀ ପଲିଥିନ୍‌ ବ୍ୟାଗ୍‌ରେ ପୂରେଇ ସଉଦା ନ ଦିଅନ୍ତା। ଅବଶ୍ୟ ଏବେ ଟିକେ ଟିକେ ମନେପଡୁଛି, କାହିଁକି ନା ଦୋକାନୀ ଭାଇମାନେ ପଲିଥିନ୍‌ ବ୍ୟାଗ୍‌ ଦେବାକୁ ମନା କଲେଣି। ଶପିଙ୍ଗ୍‌ ମଲ୍‌ରେ ବି ବ୍ୟାଗ୍‌ ପାଇଁ ପଇସା ମାଗିଲେଣି। ତଥାପି ଆମେ କିଣୁଛୁ। ପଲିଥିନ୍‌ ବ୍ୟାଗ୍‌ ଓ ପ୍ଲାଷ୍ଟିକ୍‌ ବୋତଲକୁ ଆମେ ଛାଡ଼ିପାରିବା ନାହିଁ। ସେ ପରା ଆମ ସୁନାପୁଅ। ଆମେ ୬୦ ଲକ୍ଷ ବର୍ଷ ତଳେ ପୃଥିବୀରେ ଆବିର୍ଭାବ ହେଲୁ, ୫୦୦୦ ବର୍ଷ ତଳେ ଚାଷ କାମ ଶିଖିଲୁ। ୨୫୦ ବର୍ଷ ତଳେ ଶିଳ୍ପ ବିପ୍ଳବ ଆରମ୍ଭ ହେଲା। କଳକାରଖାନା ଗଢ଼ି ଉଠିଲା। ଜନସାଧାରଣଙ୍କର ସୁଖସୁବିଧା ସକାଶେ ବୈଜ୍ଞାନିକମାନେ ଗବେଷଣା କଲେ ଓ ଆମ ସୁନାପୁଅ ପଲିଥିନ୍‌କୁ ଆମ ହାତରେ ଧରେଇ ଦେଲେ। ଆମକୁ ଭିନ୍ନ ଭିନ୍ନ ମୋଟେଇର ଭିନ୍ନ ଭିନ୍ନ ଆକାରର ରଙ୍ଗବେରଙ୍ଗର ହାଲୁକା ପଲିଥିନ୍‌ ଥଳି ମିଳିଗଲା।
ଆମ ସୁନାପୁଅର କରାମତି ବଖାଣିଲେ ସରିବନି। କାଚ ପରି ସ୍ବଚ୍ଛ, କିନ୍ତୁ କାଚ ତୁଳନାରେ ଢେର ହାଲୁକା। ତଳେ ପଡ଼ିଲେ ଭାଙ୍ଗିବନି କି ଫାଟିବନି। ପାଣିରେ ଭିଜିଗଲେ ଛିଣ୍ଡି ଯିବନି। ପୂରା ମଜଭୁତ, ମାତ୍ର ୩ ଗ୍ରାମ୍‌ ପଲିଥିନ୍‌ ବ୍ୟାଗ୍‌ ଭିତରେ ୫ କେଜି ଡାଲିଚାଉଳ ଝୁଲେଇ ଝୁଲେଇ ବଜାରରୁ ଫେରିହେବ। ଯେଉଁଠି ଅଧ କେଜି ବସ୍ତୁତ୍ୱର କାଚ ବୋତଲ ଭିତରେ ରହୁଥିଲା ମାତ୍ର କେଜିଏ ପାଣି, ସେଠି ମାତ୍ର ୨୦ ଗ୍ରାମ୍‌ ପଲିଥିନ୍‌ରୁ ତିଆରି ପ୍ଲାଷ୍ଟିକ୍‌ ବୋତଲରେ ରହୁଛି ୧ ଲିଟର ପାଣି। ଟେକି ପିଇବା ସହଜ, ଧରିକି ଯିବା ବି ସହଜ। ଏତେ ଗୁଣବାନ୍‌ ଚିଜଟା ସୁନାପୁଅ ହେବନି ତ ଆଉ କିଏ ହେବ? ୧୯୩୩ ମସିହାରେ ଇଂଲଣ୍ଡରେ ପଲିଏଥିଲିନ୍‌ ଜନ୍ମ ନେଲା। ୧୯୬୫ରେ ପଲିଥିନ୍‌ ବ୍ୟାଗ୍‌ ରୂପରେ ୟୁରୋପ ବଜାରକୁ ଆସିଲା। ୧୯୭୯ ବେଳକୁ ୟୁରୋପରେ ପଲିଥିନ୍‌ ବ୍ୟାଗ୍‌ର ବ୍ୟବହାର ୮୦ ପ୍ରତିଶତକୁ ଛୁଇଁଗଲା। ଧୀରେ ଧୀରେ ଆମେରିକା ଓ ଅନ୍ୟ ଦେଶରେ ଏହାର ଆଦର ବଢ଼ିଲା। ସୁନାପୁଅ ପ୍ରତି ଆମ ଆଦର ଦେଖି ବୈଜ୍ଞାନିକମାନେ ତାକୁ ଆହୁରି ଶସ୍ତା ଓ ସୁନ୍ଦର କରିବା ଦିଗରେ ମନ ଦେଲେ। ୨୦୧୧ ବେଳକୁ ସାରା ପୃଥିବୀରେ ୧ ମିନିଟ୍‌ରେ ୧୦ ଲକ୍ଷ ପ୍ଲାଷ୍ଟିକ୍‌ ଥଳି ବ୍ୟବହାର ହେଲା। ଆଜି ୨୦୨୦ ମସିହାରେ ବ୍ୟବହାର ୮ ଗୁଣକୁ ବୃଦ୍ଧି ପାଇଛି।
ପ୍ଲାଷ୍ଟିକ୍‌ରେ ଆଣ୍ଟିମନି, ବେନ୍‌ଜିନ୍‌, ଡାଇଅକ୍ସିନ୍‌, ସୀସା ଓ ଷ୍ଟାଇରିନ୍‌ ସହିତ ଆଲୁମିନିୟମ୍‌ ଓ ସିଆନାଇଡ୍‌ ଭଳି ବିଷ ରହିଛି। ଏସବୁ ବିଷାକ୍ତ ଉପାଦାନର ବାନ୍ତି, ଚର୍ମରୋଗ, ମୁଣ୍ଡବିନ୍ଧା, ପେଟରେ ଘା’ ଓ କର୍କଟ ସୃଷ୍ଟି କରାଇବା କ୍ଷମତା ରହିଛି। ଜୀବନକୁ ଦୁର୍ବିଷହ କରିବା ଲାଗି ଆଉ ଅଧିକ କ’ଣ ଦରକାର? ବୋତଲ ପାଣିରେ ମିଶୁଥିବା କ୍ଷୁଦ୍ରାତିକ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା (ମାଇକ୍ରୋ-ପ୍ଲାଷ୍ଟିକ୍‌) ପେଟ ଭିତରକୁ ଗଲା ପରେ ଅନ୍ତନାଡ଼ିର କାନ୍ଥ ଅତିକ୍ରମ କରି ରକ୍ତରେ ମିଶିବାର ଆଶଙ୍କା ରହିଛି। ମାଇକ୍ରୋକଣିକା ପାଇଁ ଏହା କିଛି ଅସମ୍ଭବ ନୁହେଁ।
ପଲିଥିନ୍‌ ଆସିବା ଆଗରୁ ବଜାର ପାଇଁ କନାରେ ତିଆରି ସଉଦାଥଳି ଥିଲା। କାଗଜ ଠୁଙ୍ଗାରେ ଡାଲିଚାଉଳ ପୂରେଇ ଦୋକାନୀ ଦେଉଥିଲା। ତାକୁ ଥଳିରେ ପୂରେଇ ମଣିଷ ବଜାରରୁ ଆସୁଥିଲା। ଘରକୁ ଆସିଲେ ଡାଲି ଚାଉଳକୁ ଟିଣ ଡବା ଭିତରେ ଢାଳିଦେଇ କାଗଜଠୁଙ୍ଗାକୁ ସାଇତି ରଖୁଥିଲା। ସାଇତି ନ ରଖି ବାହାରେ ଫିଙ୍ଗିଦେଲେ ବି ୨-୪ ସପ୍ତାହରେ କାଗଜଠୁଙ୍ଗା ଶଢ଼ିଯାଇ ମାଟିରେ ମିଶିଯାଉଥିଲା। କିନ୍ତୁ ପଲିଥିନ୍‌ ସେମିତି ପଡ଼ିରହିଥିବ ୫୦୦ ବର୍ଷ। ତା’ପରେ କ୍ଷୁଦ୍ର କଣିକା ରୂପରେ ମାଟିରେ ମିଶି ମୃତ୍ତିକା ପ୍ରଦୂଷଣ କରିବ। ଆଜି ତୈଳ ସଂପଦ ସରିବାକୁ ବସିଲାଣି। କିନ୍ତୁ ପଲିଥିନ୍‌ ତିଆରି ପାଇଁ ଏଥିରୁ ୮ ପ୍ରତିଶତ ଖର୍ଚ୍ଚ ହୁଏ। ତିଆରି ବେଳେ ପରିବେଶକୁ ଦୂଷିତ କରେ। ଜୀବନର ଶେଷ ପାହାଚରେ ମଧ୍ୟ ମାଟିରେ ପଡ଼ି ମାଟିକୁ ଖରାପ କରେ। ଆମେ ବି ଆବର୍ଜନା ସଫେଇ ନାମରେ ପଲିଥିନ୍‌କୁ ଏକାଠି କରି ଜାଳିଦେଉ। କିନ୍ତୁ ପଲିଥିନ୍‌ ଜଳିଲେ ଆହୁରି ବିପଦ। ବରଂ ପଲିଥିନ୍‌ ବା ପ୍ଲାଷ୍ଟିକ୍‌କୁ ଗୋଟିଏ ଗାତ ଭିତରେ ସେମିତି ପକେଇଦେଲେ, କମ୍‌ କ୍ଷତି ହେବ। ପଲିଥିନ୍‌ ଜଳିଲେ ସେଥିରୁ ବିଷାକ୍ତ ଡାଇଅକ୍‌ଜିନ୍‌, ପାରଦ, ବିସିପି ଓ ପ୍ୟୁରାନ୍‌ ବାହାରି ବାୟୁମଣ୍ଡଳରେ ମିଶେ। ଏହା ଉଭୟ ପ୍ରାଣିଜଗତ ଓ ଉଦ୍ଭିଦ ଜଗତ ଉପରେ କୁପ୍ରଭାବ ପକାଏ।
ସମୁଦ୍ର ଭିତରେ ଦିନକୁ ଦିନ ପ୍ଲାଷ୍ଟିକ୍‌ ଆବର୍ଜନା ବୃଦ୍ଧି ପାଉଛି। ୧୯୯୭ ମସିହାରେ ପ୍ରଶାନ୍ତ ମହାସାଗରରେ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ର ବୃହତ୍‌ ଆବର୍ଜନା ବିଷୟରେ ସୂଚନା ମିଳିଥିଲା। ଏହି ଆବର୍ଜନାକୁ ମାଛ, କଇଁଛ ଇତ୍ୟାଦି ଜଳଜୀବ ଖାଇ ମୃତ୍ୟୁମୁଖରେ ପଡ଼ନ୍ତି। ଏହା ସମୁଦ୍ର ଜଳକୁ ବିଷାକ୍ତ କରେ। ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ଆବର୍ଜନା ବଡ଼ ବଡ଼ ସହରର ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଚଳ କରୁଛି। ତେଣୁ ବର୍ଷା ହେଲେ ସହରର ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ଏମିତି ଅନେକ କାରଣକୁ ଆଧାର କରି ୨୦୦୨ ମସିହାରେ ପଲିଥିନ୍‌ ବ୍ୟାଗ୍‌କୁ ବର୍ଜନ କରିବା ପାଇଁ ସର୍ବପ୍ରଥମେ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ପରବର୍ତ୍ତୀ ସମୟରେ ପୃଥିବୀର ଅନ୍ୟ ଦେଶଗୁଡ଼ିକ ସୁନାପୁଅକୁ ବର୍ଜନ କରିବା ସକାଶେ ଆଗେଇ ଆସିଲେ। ୨୦୧୮ ମସିହା ଜୁନ୍‌ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମୁଖ୍ୟ ଚିନ୍ତନ ଥିଲା- ‘ପ୍ଲାଷ୍ଟିକ୍‌ ପ୍ରଦୂଷଣ କମ୍‌ କର’। ଏବେ ଆମ ସୁନାପୁଅ ଉପରେ ସମସ୍ତଙ୍କର କଡ଼ା ନଜର। ଗେଲବସରରେ ବଞ୍ଚତ୍ ଆସିଥିବା ଆମ ସୁନାପୁଅ ବିଚରାଟା ଆଜି ସମସ୍ତଙ୍କ ଘୃଣାର ପାତ୍ର ସାଜିଛି।
‘ଦ ଓ୍ବାର୍ଲଡ୍‌ କାଉଁଟ୍‌ସ ସାଇଟ୍‌’ର ଗଣତି ଅନୁଯାୟୀ ୨୦୨୦ ମସିହା ଡିସେମ୍ବର ୯ ତାରିଖ ସୁଦ୍ଧା ଏ ବର୍ଷ ପ୍ରାୟ ୪,୭୦,୯୯୦ କୋଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ ତିଆରି ସରିଛି ଓ ୧୧୯ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ସମୁଦ୍ରରେ ମିଶିଛି। ୨୦୦୪ ମସିହାରେ ପୃଥିବୀରେ ଅତି କମ୍‌ରେ ୩୦,୦୦୦ କୋଟି ପ୍ଲାଷ୍ଟିକ୍‌ ବୋତଲ ତିଆରି ହୋଇଥିଲା। ସେହିପରି ୨୦୧୪ରେ ୪୭,୫୦୦ କୋଟି, ୨୦୧୬ରେ ୪୮,୫୦୦ କୋଟି ତିଆରି ହୋଇଛି। ୨୦୨୧ରେ ୫୮,୦୦୦ରୁ ଅଧିକ ସଂଖ୍ୟକ ବୋତଲ ବଜାରକୁ ଆସିବାର ଯୋଜନା ରହିଛି। ଗତ ୭୦ ବର୍ଷ ଭିତରେ (୧୯୫୦ ମସିହାରୁ) ୮୩୦ କୋଟି ଟନ୍‌ ଆବର୍ଜନା ସୃଷ୍ଟି ହୋଇଛି। ଭାରତରେ ବର୍ଷକୁ ପ୍ରାୟ ୧୮୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ବ୍ୟବହୃତ ହେଉଛି ଓ ୯୫ ଲକ୍ଷ ଟନ୍‌ ଆବର୍ଜନା ସୃଷ୍ଟି ହେଉଛି। ଏକଥା ସତ, ଭାରତରେ ବ୍ୟବହୃତ ବୋତଲର ବ୍ୟବହାର ପ୍ରତି ବର୍ଷ ବଢ଼ୁଛି। କିନ୍ତୁ ପୁନଃ ଚକ୍ରୀକରଣ ପ୍ରକ୍ରିୟାରେ ଭାରତସାରା ପୃଥିବୀରେ ଆଗୁଆ ଅଛି। ବ୍ୟବହୃତ ପ୍ଲାଷ୍ଟିକ୍‌ର ପୁନଃ ଚକ୍ରୀକରଣ କରି ୮୦ ପ୍ରତିଶତ ଜିନିଷ ତିଆରି କରୁଛି। ଆମେରିକା ଓ ୟୁରୋପ ତୁଳନାରେ ମଧ୍ୟ ଆଗୁଆ ରହିଛି। ୨୦୨୪ ମସିହା ସୁଦ୍ଧା ୧୦୦ ପ୍ରତିଶତ ପୁନଃ ଚକ୍ରୀକରଣ ସମ୍ଭବ ହେବାର ଯୋଜନା ରହିଛି।
ଶେଷରେ ସୁନାପୁଅ ସମ୍ପର୍କରେ ଗୋଟିଏ କଥା କହିବି। ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ପଦାର୍ଥ ତିଆରି ହୋଇ ବଜାରକୁ ଆସିବା ପରେ ସାଧାରଣ ଜନତାଙ୍କୁ ସଚେତନ କରାଯାଉଛି ବ୍ୟବହାର ନ କରିବା ପାଇଁ। ଯଦି ମୂଳରୁ ତିଆରି ହୁଅନ୍ତା ନାହିଁ, ତେବେ ବାଉଁଶ ରହନ୍ତା ନାହିଁ କି ବଇଁଶୀ ବାଜନ୍ତା ନାହିଁ।
– ସହକାରୀ ପ୍ରଫେସର
କୋଅର୍ଡିନେଟର, ସ୍ନାତକୋତ୍ତର ପ୍ରାୟୋଗିକ ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri