ନୂଆଦିଲ୍ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ କମିଶନରମାନଙ୍କ ନିଯୁକ୍ତିକୁ ନେଇ ନିଜର ପୁରୁଣା ଅସମ୍ମତି ପତ୍ର (Dissent Note) ବିଷୟରେ ଉଲ୍ଲେଖ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଦିଙ୍କ ସହ ହୋଇଥିବା କଥିତ ବାର୍ତ୍ତାଳାପ ବିଷୟରେ ମଧ୍ୟ ସେ କହିଥିଲେ।
ତେବେ ସରକାରୀ ସୂତ୍ରରୁ ଏବେ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ ବୈଠକରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନାମ ନେଇ ଯେଉଁ କଥାବାର୍ତ୍ତା ଉଲ୍ଲେଖ କରିଛନ୍ତି, ସେଭଳି କୌଣସି କଥା ହୋଇନଥିଲା। ଏହି ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ କିମ୍ୱା ଗୃହମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ଏପରି କିଛି କହିନଥିଲେ।
୨୯ ସେପ୍ଟେମ୍ୱରରେ ହୋଇଥିବା CWC ବୈଠକରେ ରାହୁଲ ଗାନ୍ଧୀ ନିର୍ୱାଚନ ଆୟୋଗ ଏବଂ SIR ବିଷୟରେ ଦଳୀୟ ନେତାମାନଙ୍କ ସମ୍ମୁଖରେ ନିଜ ମତ ରଖିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ କହିଥିଲେ ଯେ କଂଗ୍ରେସ ବିଗତ କିଛି ଦିନ ହେବ ର୍ନିବାଚନ ଆୟୋଗ ସମ୍ପର୍କିତ ପ୍ରସଙ୍ଗ ଉଠାଇ ଆସୁଛି ଏବଂ ବର୍ତ୍ତମାନ ଦଳ ଏହି ପ୍ରସଙ୍ଗରେ ନିଜର ବିରୋଧ ଜାରି ରଖିବା ଉଚିତ। ରିପୋର୍ଟ ମୁତାବକ, ରାହୁଲ ଗାନ୍ଧୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ କଥା ମଧ୍ୟ ଉଲ୍ଲେଖ କରିଥିଲେ।
ଫେବୃଆରୀ ୨୦୨୫ରେ ରାହୁଲ ଗାନ୍ଧୀ ନୂତନ ମୁଖ୍ୟ ନିର୍ୱାଚନ କମିଶନର ଚୟନକୁ ନେଇ ଏକ ଅସମ୍ମତି ପତ୍ର (Dissent Note) ଦେଇଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମିଲ ଥିଲେ। କମିଟି ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ର୍ନିବାଚନ କମିଶନର ଭାବେ ନିଯୁକ୍ତ କରିବାକୁ ସୁପାରିସ କରିଥିଲା। ରାହୁଲ ଗାନ୍ଧୀ ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଥିଲେ।
ରାହୁଲ ଗାନ୍ଧୀ ତାଙ୍କ ଅସମ୍ମତି ପତ୍ରରେ ର୍ନିବାଚନ କମିଶନରମାନଙ୍କ ନିଯୁକ୍ତି ପ୍ରକ୍ରିୟା ଏବଂ ଚୟନ କମିଟିର ଗଠନ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଚୟନ କମିଟିରୁ ପ୍ରଧାନ ବିଚାରପତି (CJI)ଙ୍କୁ ହଟାଇ ଦିଆଯିବା ଦ୍ୱାରା ର୍ନିବାଚନ ଆୟୋଗର ସୱାଧୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

