ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା ରୁଜୁ ହୋଇଛି। ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଏତଲା ଆଧାରରେ ଦିଗପହଣ୍ଡି ପୋଲିସ ଜଣେ ଯୁବକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୯ ଅନୁଯାୟୀ ମାମଲା ରୁଜୁ କରିଛି।
ଅଭିଯୋଗ ଅନୁଯାୟୀ, ଦିଗପହଣ୍ଡି ଥାନା ଅଧୀନ ଓଡ଼ାସିଙ୍ଗି ଗ୍ରାମର ୨୨ ବର୍ଷୀୟ କାଳିଆ ବାଡତ୍ୟା ନାୟକଙ୍କ ସହ ଜଣେ ଯୁବତୀଙ୍କର କିଛି ବର୍ଷ ପୂର୍ବେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ସମ୍ପର୍କ ସ୍ଥାପନ କରିଥିଲେ। ପରେ ଅଭିଯୁକ୍ତ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଇଥିବା ନେଇ ସେ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଏତଲା ପରେ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ମାମଲା ନଂ. ୪୧୩/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
ମାମଲାର ତଦନ୍ତକାରୀ ଅଧିକାରୀ ଏସ.ଆଇ. ମହାପ୍ରସାଦ ମହାନ୍ତି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରାଇଛନ୍ତି। ଏହାପରେ ମହିଳା ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା ଏବଂ ପରେ ବିବାହ କରିବା ନେଇ ଆଲୋଚନା ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ବିବାହ କରିବାକୁ ମନା କରିଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି। ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଯୁବକ ଫେରାର ଥିବା ପୋଲିସ କହିଛି। ତାଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily

