ବିଶ୍ୱସ୍ତରୀୟ ଶିକ୍ଷା ଅପରିହାର୍ଯ୍ୟ

ଦିବ୍ୟଜ୍ୟୋତି ପାଣି

ଭାରତରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ ପ୍ରତିବର୍ଷ ପ୍ରତିଭା ଚାଲାଣ ହୁଏ ବିଦେଶକୁ। ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଆଦି ରାଷ୍ଟ୍ରକୁ ପ୍ରତିବର୍ଷ ଭାରତରୁ ଲକ୍ଷାଧିକ ଶିକ୍ଷାର୍ଥୀ ଉଚ୍ଚଶିକ୍ଷା ପାଇଁ ଗସ୍ତ କରନ୍ତି। ଆମ ଦେଶରେ ଶିକ୍ଷାର ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବ କିମ୍ବା ସରକାରୀ ପ୍ରୋତ୍ସାହନର ଅଭାବ ହେଉ ଅବା ଉଚ୍ଚାକାଂକ୍ଷା ହେଉ ଶିକ୍ଷାର୍ଥୀମାନେ ନିଜ ଦେଶ ଛାଡ଼ି ବିଦେଶ ଯାଉଛନ୍ତି। ଭାରତରେ ଅଗଣିତ ପ୍ରତିଭାସଂପନ୍ନ ଶିକ୍ଷାର୍ଥୀ ଥିଲେ ହେଁ କେଉଁ ପରିସ୍ଥିତିରେ ଉଚ୍ଚଶିକ୍ଷା ପାଇଁ ନିଜ ମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ତାହା ବିଚାର୍ଯ୍ୟ। ସଂପ୍ରତି ସେହି ପ୍ରଶ୍ନ ପ୍ରାସଙ୍ଗିକ ହୋଇପଡ଼ିଛି ଯେତେବେଳେ ଆମେରିକାର ବିଶ୍ୱବିଦ୍ୟାଳୟରେ ପଢୁଥିବା ବିଦେଶୀ ଛାତ୍ରୀଛାତ୍ରମାନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ତରଫରୁ ଏକ ଜୋର୍‌ଦାର୍‌ ଝଟ୍‌କା ଲାଗିଛି। ଆମେରିକାରେ ଶିକ୍ଷାରତ ବିଦେଶୀ ଶିକ୍ଷାର୍ଥୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ବହୁ ଅଧିକ। ଚାଇନା ପରେ ଭାରତରୁ ହିଁ ସର୍ବାଧିକ ଛାତ୍ରୀଛାତ୍ର ଆମେରିକା ପଢ଼ିବା ପାଇଁ ଯାଇଥାନ୍ତି। ଆମେରିକାରେ ୨ ଲକ୍ଷରୁ ଅଧିକ ଭାରତୀୟ ଅଧ୍ୟୟନ କରୁଛନ୍ତି।
କରୋନାକୁ କାରଣ ଦର୍ଶାଇ ଆମେରିକୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନ କରୁଥିବା ବିଦେଶୀ ଶିକ୍ଷାର୍ଥୀମାନଙ୍କୁ ସ୍ବଦେଶ ଫେରିଯିବା ପାଇଁ ଆମେରିକା ସରକାର ନିଷ୍ପତ୍ତି ନେଇଛନ୍ତି। ଆମେରିକାର ଫେଡେରାଲ ଇମିଗ୍ରେଶନ୍‌ ଅଧିକାରୀ ଘୋଷଣା କରିଛନ୍ତି, ଯଦି ବିଶ୍ୱବିଦ୍ୟାଳୟ ଗୁଡ଼ିକ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ଶିକ୍ଷାବ୍ୟବସ୍ଥାକୁ ସ୍ଥାନାନ୍ତର ହୁଅନ୍ତି ତେବେ ଏସବୁ ଶିକ୍ଷାନୁଷ୍ଠାନରେ ପଠନରତ ବିଦେଶୀ ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିବ କିମ୍ବା ଅନ୍ୟ ବିଶ୍ୱବିଦ୍ୟାଳୟକୁ ଟ୍ରାନ୍ସଫର ନେବାକୁ ହେବ। ଯେଉଁମାନେ ନିର୍ଦ୍ଦେଶ ଅବମାନନା କରିବେ ସେମାନଙ୍କୁ ଜବରଦସ୍ତ ସେମାନଙ୍କ ଦେଶକୁ ପଠାଇ ଦିଆଯିବ ବୋଲି ଆମେରିକା କହିଛି। ଆମେରିକାର ଏଭଳି ନିଷ୍ପତ୍ତି ଦ୍ୱାରା ଭାରତୀୟ ବିଦ୍ୟାର୍ଥୀମାନେ ସର୍ବାଧିକ ପ୍ରଭାବିତ ହେବେ। ତେବେ ଅଣପ୍ରବାସୀ ଏଫ୍‌-ଓାନ୍‌ ଓ ଏମ୍‌-ଓ୍ବାନ୍‌ ଛାତ୍ର ଯେଉଁମାନେ ଅନ୍‌ଲାଇନ କ୍ଲାସ କରିପାରୁ ନାହାନ୍ତି, ସେମାନେ ଆମେରିକାରେ ରହିପାରିବେ ବୋଲି କୁହାଯାଇଛି।
କରୋନା କାରଣରୁ ଆମେରିକାରେ ଏବେ ପ୍ରାୟତଃ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଅନ୍‌ଲାଇନ୍‌ ପାଠପଢ଼ା ଚାଲୁଛି। ଟ୍ରମ୍ପ ପ୍ରଶାସନର ନିଷ୍ପତ୍ତି ଯଦିଓ ଚୂଡ଼ାନ୍ତ ନୁହେଁ, କିନ୍ତୁ ଏହା ଶୁଣିବାପରେ ଲକ୍ଷାଧିକ ଭାରତୀୟ ଛାତ୍ରଙ୍କ ନିଦ ହଜିଯାଇଛି। ପ୍ରଶ୍ନ ଉଠୁଛି; ଆମ ଦେଶର ଶିକ୍ଷାର ସ୍ତର କ’ଣ ସେଭଳି ହୋଇପାରୁନି, ଯେଉଁଥିପାଇଁ କି ଏଠାରୁ ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ବିଦେଶ ଯାଉଛନ୍ତି? ଆମେ କ’ଣ ଆମ ଶିକ୍ଷା ସଂସ୍ଥାନଗୁଡ଼ିକରେ କୁଶଳୀ-ଅଭଜ୍ଞ-ଅନୁଭବୀ-ସୁଦକ୍ଷ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇପାରିବା ନାହିଁ? ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି କରିପାରିବା ନାହିଁ? ଭାରତରେ ଉପଲବ୍ଧ ତଥ୍ୟାନୁସାରେ ୨୦୧୮-୧୯ ମସିହାରେ ଭାରତରୁ ବିଦେଶକୁ ପଢ଼ିବା ପାଇଁ ୬ଲକ୍ଷ ୨୦ହଜାର ବିଦ୍ୟାର୍ଥୀ ଯାଇଛନ୍ତି। ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରଦତ୍ତ ଏହି ତଥ୍ୟ ଅଟେ। ୨୦୧୭-୧୮ ମସିହାରେ ଆମ ଦେଶର ୭ଲକ୍ଷ ୮୬ହଜାର ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ। ପ୍ରତିବର୍ଷ ଏତେ ସଂଖ୍ୟକ ଛାତ୍ରୀଛାତ୍ର ପଢ଼ିବାକୁ ବିଦେଶ ଯାଉଥିବାରୁ ଭାରତକୁ ବିଦେଶୀ ମୁଦ୍ରା ଆକାରରେ ବିପୁଳ ଅର୍ଥ ଅନ୍ୟଦେଶକୁ ଜମା କରିବାକୁ ପଡୁଛି।
ଆମେରିକାରେ ପ୍ରତିଷ୍ଠିତ ଅନେକ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରର ଶିକ୍ଷାନୁଷ୍ଠାନ। ଯେଉଁଠାରେ ପର୍ଯ୍ୟାପ୍ତ ଅଧ୍ୟାପକ ଓ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ଅଛି। ବ୍ରିଟେନର ଅକ୍ସଫୋର୍ଡ ହେଉ ଅବା କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ସେହି ଶ୍ରେଣୀର ଅଟନ୍ତି। ଆମେରିକାର ହାର୍ଭାର୍ଡ, ଏମ୍‌ଆଇଇଟି କିମ୍ବା କଲୋରାଡୋ ବିଶ୍ୱବିଦ୍ୟାଳୟ ଆଦିରେ ବାସ୍ତବରେ ଯଦି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନେଇ ଛାତ୍ରୀଛାତ୍ରମାନେ ଶିକ୍ଷାଗ୍ରହଣ କରିବାକୁ ଯାଉଛନ୍ତି କିଛି ଅପ୍ରାସଙ୍ଗିକ ନ ହୋଇପାରେ। ଉପରୋକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନେକ ନୋବେଲ ପୁରସ୍କାର ବିଜେତା ଗୁଣୀ ଅଧ୍ୟାପକମାନେ ଅଧ୍ୟାପନା କରୁଛନ୍ତି। ଏହି କାରଣରୁ ସେଠାରେ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବାରେ ଅସୁବିଧା ନାହିଁ। କିନ୍ତୁ ଦେଖାଯାଉଛି ଆମ ଦେଶର ଆର୍ଥିକ ସ୍ବଚ୍ଛଳ ଥିବା ଛାତ୍ରୀଛାତ୍ରମାନେ ହୋଟେଲ ମ୍ୟାନେଜ୍‌ମେଣ୍ଟ, ଏମ୍‌ବିଏ ଏବଂ ସାମାନ୍ୟ ସ୍ନାତକ ଡିଗ୍ରୀ ହାସଲ କରିବା ପାଇଁ ଆମେରିକା, ବ୍ରିଟେନ, କାନାଡା, ୟୁକ୍ରେନ୍‌ ପ୍ରଭୃତି ଦେଶକୁ ଗସ୍ତ କରୁଛନ୍ତି।
ସାଧାରଣ ଶିକ୍ଷା ପାଇଁ ବିଦେଶ ଯାତ୍ରା କରୁଥିବା ଶିକ୍ଷାର୍ଥୀମାନଙ୍କୁ ଯଦି ପ୍ରକୃତ କାରଣ ପଚରାଯାଏ ସେମାନେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇପାରିବେ ନାହିଁ। ଯେଉଁ ଶିକ୍ଷାର୍ଥୀମାନେ ବିଦେଶରେ ପଢ଼ୁଛନ୍ତି ସେମାନଙ୍କୁ ମଧ୍ୟ ଅନେକ ସମୟରେ ହଇରାଣ ହରକତ ହେବାକୁ ପଡୁଛି। ସେହି ମହତ୍ତ୍ୱାକାଂକ୍ଷୀ ଛାତୀଛାତ୍ରମାନଙ୍କୁ ବିଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅବଶ୍ୟ ସେମାନଙ୍କ ପାଖକୁ ନିମନ୍ତ୍ରଣ କରନ୍ତି। ଯେତେବେଳେ ଆମ ବିଦ୍ୟାର୍ଥୀମାନେ ସେଠାରେ ଅଧ୍ୟୟନରତ ଥା’ନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ନଜରକୁ ଆସେ। ବିଦ୍ୟାର୍ଥୀମାନଙ୍କର ଅଭିଭାବକମାନେ ଶିକ୍ଷା ଋଣ ନାମରେ ବହୁତ ମୋଟା ଅଙ୍କର ଅର୍ଥରାଶି ବ୍ୟାଙ୍କରୁ ନେଇଯାଇଥାନ୍ତି।
ଆମ ଦେଶର ବିଦ୍ୟାର୍ଥୀ ସେତିକିବେଳେ ବିଦେଶରେ ପଢ଼ିବାକୁ ଅନିଚ୍ଛୁକ ହେବେ, ଯେତେବେଳେ ଆମେ ସେମାନଙ୍କୁ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଇପାରିବା। କିନ୍ତୁ ସେପରି ବ୍ୟବସ୍ଥା ଆମର ଏଠି ନାହିଁ। ଆଇଆଇଟି ଦିଲ୍ଲୀ, ମୁମ୍ବାଇ, ମାଡ୍ରାସ, କୋଲକାତା, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆଦି କତିପୟ ଶିକ୍ଷାନୁଷ୍ଠାନକୁ ଛାଡ଼ିଦେଲେ ଅଧିକାଂଶ ବିଶ୍ୱବିଦ୍ୟାଳୟର ଅବସ୍ଥା ନ କହିବା ଭଲ। କେଉଁଠି ଆବଶ୍ୟକ ଅଧ୍ୟାପକ ନାହାନ୍ତି ତ କେଉଁଠି ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ। ଆଉ କେଉଁଠି ବର୍ଷସାରା ରାଜନୀତି ହୋଇ ପରିସର ଅଶାନ୍ତ ରହୁଛି। ଏବେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଆଦି ରାଜ୍ୟର କଥା ବିଚାର କରାଯାଉ। ଏଠାକାର ହଜାର ହଜାର ବିଦ୍ୟାର୍ଥୀ ପ୍ରତିବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଶ୍ରୀରାମ କଲେଜ ଅଫ୍‌ କମର୍ସ, ଲେଡି ଶ୍ରୀରାମ, ରାମଜସ, ହଂସରାଜ, ସେଣ୍ଟ ଷ୍ଟିଫେନ୍ସ, ହିନ୍ଦୁ କଲେଜକୁ ପଢ଼ିବାକୁ ଯାଆନ୍ତି। ସେଠାରେ ଅଧ୍ୟୟନରତ ପିଲାମାନଙ୍କ ମଧ୍ୟରୁ ଅବଶ୍ୟ ଅଳ୍ପ ସଫଳତା ପ୍ରାପ୍ତ ହୁଅନ୍ତି। ସଂପୃକ୍ତ ବିଦ୍ୟାର୍ଥୀମାନେ କିନ୍ତୁ ନିଜ ରାଜ୍ୟର ମହାବିଦ୍ୟାଳୟ କିମ୍ବା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।
ଦିଲ୍ଲୀକୁ ଆସୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମାତ୍ର ଦଶପ୍ରତିଶତଙ୍କୁ ସେଠାକାର ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଛାତ୍ରାବାସରେ ରହିବାକୁ ସୁବିଧା ମିଳିଥାଏ। ଯେଉଁମାନଙ୍କୁ ଛାତ୍ରାବାସରେ ରହିବାକୁ ସୁଯୋଗ ନ ମିଳେ ସେମାନେ ରାଜଧାନୀରେ ବିଭିନ୍ନ ଜାଗାରେ ବଡ଼ କଷ୍ଟରେ ଜୀବନ ନିର୍ବାହ କରନ୍ତି। ଯଦି ସେହି ଶିକ୍ଷାର୍ଥୀମାନଙ୍କୁ ନିଜ ରାଜ୍ୟରେ ଦିଲ୍ଲୀ ସଦୃଶ ଶିକ୍ଷାନୁଷ୍ଠାନ ମିଳେ ସେମାନେ ହୁଏତ ସେଠାକୁ ଯିବାକୁ ମନ ବଳାନ୍ତେନି। ଏପରି ଭାବନା କେବେ କୌଣସି ସରକାରଙ୍କ ପାଖରେ ଦେଖାଯାଉଛି କି ? ଯେତିକି ଅର୍ଥ ଆମେ ଆମର ପିଲାଙ୍କୁ ବିଦେଶରେ ପଢ଼ାଇବା ପାଇଁ ଖର୍ଚ୍ଚ କରୁଛେ ତାହାର ଅଧା ଯଦି ଏଠାକାର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଦିଗରେ ବିନିଯୋଗ ହୋଇପାରନ୍ତା ତେବେ ଆମର ପିଲାମାନଙ୍କୁ ବାହାରକୁ ଯିବାକୁ ପଡୁ ନ ଥାନ୍ତା। ଏହାର ଏକ ଜ୍ୱଳନ୍ତ ଉଦାହରଣ ଉଲ୍ଲେଖ କରିବା ପ୍ରାସଙ୍ଗିକ ମନେହୁଏ। ପ୍ରତିବର୍ଷ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କଲେଜଗୁଡ଼ିକରେ ର଼୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ ହୋଇଥାଏ। ଏହି ସୂଚକାଙ୍କରେ ଦେଶର ସବୁଠାରୁ ଉନ୍ନତ କଲେଜଗୁଡ଼ିକର ସୂଚୀ ପ୍ରଦାନ କରାଯାଇଥାଏ। କିଛି ବର୍ଷ ହେବ ଦେଖାଯାଉଛି ପ୍ରଥମ ୨୦ଟି ମଧ୍ୟରେ ସେହି ନିର୍ଦ୍ଦିଷ୍ଟ କେତୋଟି କଲେଜର ନାମ ସ୍ଥାନ ପାଉଛି।
୨୦୨୦ ମସିହାରେ ପ୍ରସ୍ତୁତ ସୂଚକାଙ୍କରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିଜର ଆଧିପତ୍ୟ ବଜାୟ ରଖିଛି। ପ୍ରଥମ ୧୦ ମଧ୍ୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ୫ଟି ଓ ୨୦ ମଧ୍ୟରେ ୧୨ଟି କଲେଜର ନାମ ପ୍ରକାଶ ପାଇଛି। ଏହି ସୂଚୀରେ ମାଡ୍ରାସ ବିଶ୍ୱବିଦ୍ୟାଳୟର ପ୍ରେସିଡେନ୍ସି କଲେଜ, ଲୟୋଲା କଲେଜ, କଲିକତା ବିଶ୍ୱବିଦ୍ୟାଳୟର ସେଣ୍ଟ ଜାଭିଅର୍ସ କଲେଜ ଅନ୍ତର୍ଭୁକ୍ତ ଅଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ମାନକ ଆଧାରରେ ସର୍ବଶ୍ରେଷ୍ଠ ସରକାରୀ କଲେଜର ସୂଚୀ ପ୍ରସ୍ତୁତ ହୋଇଥାଏ। କ୍ରମାଙ୍କ ଅଦଳ ବଦଳ ହୋଇପାରେ, ମାତ୍ର ପ୍ରଥମ ୨୦ଟି କଲେଜର ନାମ ପ୍ରାୟତଃ ସୂଚୀରେ ସେପରି ରହୁଛି। ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା ମନୋଭାବକୁ ବଢ଼ାଇବା ଦରକାର, ଯାହାଫଳରେ ଅନ୍ୟ ଶିକ୍ଷାନୁଷ୍ଠାନ ବି ଆଗକୁ ଆସିବେ। ସରକାରଙ୍କ ତରଫରୁ ଏଥିପାଇଁ ସକାରାତ୍ମକ, ଯୋଜନାବଦ୍ଧ ଓ ସମୟାନୁବଦ୍ଧ ପ୍ରଚେଷ୍ଟା କରିବା ବାଞ୍ଛନୀୟ।
ହାଉସିଂବୋର୍ଡ କଲୋନୀ, ଏମ୍‌-୬, ଚାରବାଟିଆ, କଟକ
ମୋ: ୯୪୩୮୧୭୫୭୧୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri