ଅଭିଭାବକତ୍ୱରେ ଉତ୍ତରପିଢ଼ି

ଡ. ବାସନ୍ତୀ ମହାନ୍ତି

ସାରା ଭାରତରେ ଧର୍ମ ସଂସ୍ଥାପନା କରି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଦିନରାତି ଏକାକାର କରିଦେଇଥିବା ଶ୍ରୀକୃଷ୍ଣ ନିଜ ପରିବାରର ଯୁବପିଢ଼ିଙ୍କୁ ଆୟତ୍ତ କରିପାରି ନ ଥିଲେ। ସେମାନେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ମୁନି ଋଷିମାନେ ସୁଦ୍ଧା ସେମାନଙ୍କ ଦୌରାତ୍ମ୍ୟରୁ ମୁକ୍ତି ପାଉ ନ ଥିଲେ। ସେମାନଙ୍କୁ ଥଟ୍ଟା ପରିହାସ କରିବା ଯାଦବ ଯୁବକଙ୍କର ଥିଲା ଅନ୍ୟତମ କ୍ରୀଡ଼ା ବିଳାସ। ଏହି ବିଳାସ ଯଦୁବଂଶ ପାଇଁ କାଳ ହୋଇଥିଲା। ଯାଦବ ଯୁବକଙ୍କ ଉଶୃଙ୍ଖଳତା ପାଇଁ ଦ୍ୱାରକା ଧ୍ୱଂସ ହୋଇଥିଲା ସତ କିନ୍ତୁ ଏଥିପାଇଁ କୃଷ୍ଣ, ବଳରାମ ମୂଳତଃ ଦାୟୀ। ମହାଭାରତରେ ଶ୍ରୀକୃଷ୍ଣ ବିଶ୍ୱ କଲ୍ୟାଣ ପାଇଁ ଅହରହ ଚିନ୍ତିତ ଥିଲେ। ସେ ନିଜ ପରିବାରର ଉତ୍ତର ପିଢ଼ି ପାଇଁ ସମୟ ଦେଇ ପାରି ନ ଥିଲେ କିମ୍ବା ସେମାନଙ୍କ ପାଇଁ କୌଣସି ସୁଚିନ୍ତିତ ଯୋଜନା କରିଥିବା କେଉଁଠି ଉଲ୍ଲେଖ ନାହିଁ। ବଳରାମ କେତେବେଳେ ଆଳସ୍ୟ ବିଳାସରେ ତ ଆଉ କେତେବେଳେ ଧ୍ୟାନ ଧାରଣାରେ କାଳାତିପାତ କରୁଥିଲେ, ଫଳରେ ନୂଆ ପିଢିଙ୍କୁ ଠିକ୍‌ ଉପାୟରେ ଲାଳନପାଳନ କରାଯାଇ ନ ଥିଲା। କୌରବ ଶହେ ଭାଇଙ୍କ ଅବସ୍ଥା ମଧ୍ୟ ଠିକ୍‌ ସେୟା। ଧୃତରାଷ୍ଟ୍ର ଥିଲେ ଦୃଷ୍ଟିହୀନ। ମାତା ଗାନ୍ଧାରୀ ମଧ୍ୟ ଆଖିରେ ଅନ୍ଧପଟିକା ବାନ୍ଧି ସନ୍ତାନମାନଙ୍କର କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେଇପାରିଲେ ନାହିଁ। ଏତେ ବଡ଼ ବିଦୁଷୀ ମାଆର ସନ୍ତାନମାନେ ବିଗିଡ଼ିଗଲେ। ପାପପୁଣ୍ୟର ବିଚାର ରହିଲା ନାହିଁ। ନିଜ ବିନାଶକୁ ଆହ୍ବାନ କରି ଆଣିଲେ।
ଆମ ସମସ୍ତଙ୍କର ଅସନ୍ତୋଷ ଅଭିଯୋଗ ଆପତ୍ତି ଆଜି ଯୁବସମାଜ ଉପରେ ଲଦି ହୋଇପଡୁଛି। ସେମାନେ ଐତିହ୍ୟ ଓ ପରମ୍ପରା ଭୁଲୁଛନ୍ତି, ଗୁରୁଗୁରୁଜନ ମାନୁ ନାହାନ୍ତି। ଚୋରି, ଡକାୟତି, ହତ୍ୟା, ବ୍ୟାଙ୍କ ଲୁଟ୍‌, ପକେଟ୍‌ମାର କରୁଛନ୍ତି ତ ଆଉ କେହି ଗଣବଳାତ୍କାର ପରି ବର୍ବରୋଚିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଦୀର୍ଘସମୟବ୍ୟାପୀ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ପରେ ଯୁବପିଢ଼ି ଏବେ ବଞ୍ଚତ୍ବା ପାଇଁ ଅପରାଧ ଦୁନିଆକୁ ଖସି ଆସୁଛନ୍ତି। ଏବେ ଭୁବନେଶ୍ୱରରେ କୌଣସି ଆପରାଧିକ ଇତିହାସ ନ ଥାଇ ଦୁଇଦୁଇଟା ବ୍ୟାଙ୍କ୍‌ ଲୁଟ କରିଥିବା ଯୁବକଙ୍କ ବୟାନରୁ ଯେଉଁ ତଥ୍ୟ ମିଳିଥିଲା ସେଥିରୁ ଜଣାପଡୁଛି ସେମାନଙ୍କ ବିପଦ ସମୟରେ ଆନ୍ତରିକ ଆଶ୍ୱାସନା ଦେବା ପାଇଁ ତାଙ୍କ ପାଖରେ କେହି ନାହାନ୍ତି, ଯାହାଫଳରେ ସେମାନେ ବିଷାଦଗ୍ରସ୍ତ ହୋଇ ଯେକୌଣସି ଭୁଲ ପଦକ୍ଷେପ ନେଉଛନ୍ତି। ଯୁବକଙ୍କ ବୟାନ ଥିଲା, କରୋନା ସମୟରେ ତାଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହେବାରୁ ସେ ବ୍ୟାଙ୍କ ଋଣ ଶୁଝି ପାରି ନ ଥିଲେ, ସେଥିପାଇଁ ସେ ବ୍ୟାଙ୍କ ଲୁଣ୍ଠନ କରି ବ୍ୟାଙ୍କର ଋଣ ଶୁଝିବାକୁ ଚେଷ୍ଟା କରିଥିଲେ। ତା’ ପୂର୍ବରୁ କୌଣସି ଆପରାଧିକ ଇତିହାସ ନଥିଲା ବୋଲି ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଥିଲା।
ଇଚ୍ଛା ଅନୁସାରେ କର୍ମନିଯୁକ୍ତି ନ ମିଳିବାରୁ ଯୁବ ସମାଜ ବିଭ୍ରାନ୍ତ ହେଉଥିବା ବେଳେ ଆଉ କାହା ପାଖରେ ଗୁଡ଼ାଏ ଶିକ୍ଷାଗତ ଯୋଗ୍ୟ୍ୟତା ଥାଇ ସୁଦ୍ଧା ଚାକିରି ପାଉନାହାନ୍ତି। ଅନେକ ସାର୍ଟିଫିକେଟ୍‌ କେବଳ ପଇସା ଦେଇ କିଣାଯାଉଥିବା ବେଳେ କପି କିମ୍ବା ଅନ୍ୟ ଅସାଧୁ ଉପାୟରେ ହାସଲ କରୁଛନ୍ତି ଯୁବପିଢ଼ି। ମାତାପିତାଙ୍କ ଇଚ୍ଛା ପୂରଣ କରି ହେଉ କିମ୍ବା ନ କରିପାରି ହେଉ ସେମାନେ ଯେଉଁ ଜୀବିକା ଗ୍ରହଣ କରିଛନ୍ତି ତାହା ମଧ୍ୟ ସେମାନଙ୍କ ପାଇଁ ଦୁର୍ବିଷହ ହୋଇପଡୁଛି। ଯନ୍ତ୍ର ପରି ବଞ୍ଚୁଛନ୍ତି। ନିଜ ଜୀବନର ବିଫଳପଣକୁ ଅନ୍ୟମାନଙ୍କ ଉପରେ ଉଦ୍‌ଗାର କରନ୍ତି। ଉପରିସ୍ଥ ଅଫିସରଙ୍କ ପ୍ରତି ବିଶ୍ୱସ୍ତ ରହନ୍ତି ନାହିଁ। ସେମାନଙ୍କ ଭିତରେ ଥିବା ସୃଜନଶୀଳତା ନଷ୍ଟ ହୋଇଯାଏ। ଆବେଗ ଧ୍ୱଂସ ହୋଇଯାଏ। କେବଳ ବେଗକୁ ନେଇ ସେମାନେ ବଞ୍ଚନ୍ତି। ଇଲେକ୍ଟ୍ରୋନିକ୍‌ ଜଗତ ତ ଆହୁରି ବିପଜ୍ଜନକ ଜଗତ ହୋଇ ରହିଛି। ଯେଉଁମାନଙ୍କୁ କୁହାଯାଉଛି ସାଇବର କୁଲି। ଆଉ ସେଇମାନେ ବେଶି ଅବସାଦଗ୍ରସ୍ତ ହେଉଛନ୍ତି। ବିବାହ ବଚ୍ଛେଦ, ଆମତ୍ହତ୍ୟା, ଡ୍ରଗ୍ସ ସେବନ ଏସବୁ ହେଉଛି ତା’ର ପାର୍ଶ୍ୱ ପ୍ରତିକ୍ରିୟା। ଗୋଟାଏ ଅର୍ଥରେ କହିଲେ ଏମାନେ ଭଲ ମଣିଷ ହୋଇ ପାରୁନାହାନ୍ତି ନା ଭଲ ପରିବାର ଗଢ଼ି ପାରୁଛନ୍ତି।
ଯୁବପିଢ଼ିଙ୍କ ମଧ୍ୟରେ ଆଉ ଏକ ମାନସିକତା ପରିଲକ୍ଷିତ ହେଉଛି, ଯେଉଁମାନଙ୍କୁ ଆମେ ଫକୀର ମୋହନ ସେନାପତିଙ୍କ ‘ଡାକମୁନ୍‌ସୀ’ ପର୍ଯ୍ୟାୟଭୁକ୍ତ କରିପାରିବା। ସେମାନଙ୍କୁ ସୁଖସ୍ବାଚ୍ଛନ୍ଦ୍ୟ ଦେବା ପାଇଁ ମାତାପିତା ନିଜ ସୁଖ ସ୍ବାଚ୍ଛନ୍ଦ୍ୟ ବଳି ଦେଇଥାନ୍ତି। ନିଜ ପେଟରୁ କାଟି ସେମାନଙ୍କୁ ମଣିଷ କରିଥାନ୍ତି, ଅଥଚ ରୋଜଗାରକ୍ଷମ ହେବା ପରେ ସେମାନେ ଭୁଲିଯାଆନ୍ତି ମାତାପିତାଙ୍କ ତ୍ୟାଗ। ମାତାପିତା ସେମାନଙ୍କ ପାଇଁ ବୋଝ ହୋଇଯାଆନ୍ତି। ସେମାନଙ୍କ ଅନାଦର ଅବହେଳାରେ ନିର୍ଯାତିତର ଜୀବନ ବଞ୍ଚନ୍ତି ଅଥବା ବୃଦ୍ଧାଶ୍ରମରେ ଆଶ୍ରୟ ନିଅନ୍ତି। ସେମାନଙ୍କ ଭିତରୁ ସବୁ କୋମଳପଣ ଓ ଭାବପ୍ରବଣତା ମରି ମରି ଆସୁଛି।
ସନ୍ତାନମାନଙ୍କୁ ଉପଯୁକ୍ତ ମଣିଷ କରିବା ପରିବର୍ତ୍ତେ ସେମାନଙ୍କ ଆର୍ଥିକ ସୁରକ୍ଷା ଯଦି ଆମର ଲକ୍ଷ୍ୟ ହୁଏ, ତେବେ ସେମାନେ ମଣିଷ ହେବେ ନାହିଁ। ସେମାନେ ଅର୍ଥରୋଜଗାରକାରୀ ଯନ୍ତ୍ର ହିଁ ହୋଇଯିବେ। ଅଭିଜାତ ପରିବାରଗୁଡ଼ିକରେ ପିଲାମାନେ ପରିଚାରକମାନଙ୍କ ଦ୍ୱାରା ପ୍ରତିପାଳିତ ହୁଅନ୍ତି। ମଧ୍ୟବିତ୍ତ ପରିବାରଗୁଡ଼ିକରେ ପିଲାମାନଙ୍କୁ ହଷ୍ଟେଲରେ ଛାଡ଼ି ଦିଆଯାଇଥାଏ। ହଷ୍ଟେଲରେ ବଢ଼ିଥିବା ପିଲାଟିଏ ତା’ ବୃଦ୍ଧ ମାତାପିତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିବାବେଳେ ଆଦୌ ଭାବପ୍ରବଣ ହୋଇ ନଥାଏ, କାରଣ ପାରିବାରିକ ଭାବବନ୍ଧନ ପ୍ରତି ସେମାନଙ୍କର ଅଭିଜ୍ଞତା କମ୍‌ ଥାଏ।
ଯୁବପିଢ଼ିଙ୍କୁ ଦୋଷଦେବା ପୂର୍ବରୁ ଆମେ ବୁଝିବା ଦରକାର ଆମେ ସେମାନଙ୍କୁ କି ପ୍ରକାର ସଂସ୍କାର ଦେଇଛୁ। ସନ୍ତାନମାନଙ୍କୁ କେତେ ସ୍ନେହ ମମତା ଦେଇଛୁ, କେତେ ସମୟ ସେମାନଙ୍କ ପାଇଁ ଆମେ ବିନିଯୋଗ କରିଛୁ? ସାମ୍ପ୍ରତିକ ପରିସ୍ଥିତିରେ କେତେ ଭରସାଯୋଗ୍ୟ ଆଦର୍ଶ ବ୍ୟକ୍ତିତ୍ୱମାନଙ୍କୁ ସେମାନଙ୍କ ଆଗରେ ଆମେ ଠିଆ କରେଇଛୁ? ଯେଉଁ ମାର୍ଗଦର୍ଶକଙ୍କୁ ଅନୁସରଣ କରି ସେମାନେ ଆଗକୁ ବଢ଼ନ୍ତେ, ଆମ ଭିତରେ କେତେଜଣ ସେମିତି ନିଷ୍ପାପ ବ୍ୟକ୍ତିତ୍ୱ ଅଛନ୍ତି? ଆଜି ଲୋକପ୍ରିୟତାର ଶୀର୍ଷରେ ଛିଡାହୋଇଥିବା ବ୍ୟକ୍ତିର ସାମ୍ରାଜ୍ୟ ରାତି ପାହିଲେ କେମିତି କେଉଁ କେଳେଙ୍କାରୀରେ ଫସି ତଳିତଳାନ୍ତ ହେଉଛି ତା’ର ସୀମା ନାହିଁ। ମହାଜନ ‘ଯେନ ଗତଃ ସ ପନ୍ଥା’- କେଉଁ ମହତ୍‌ଜନଙ୍କୁ ଅନୁସରଣ କରି ଚାଲିବା ପାଇଁ ଆମେ ସେମାନଙ୍କୁ ଉପଦେଶ ଦେବା? ତଥାପି କ’ଣ ଏଇ ଯୁବ ବିଭ୍ରାନ୍ତି ପାଇଁ ଆମେ ଯୁବପିଢ଼ିଙ୍କୁ ଦୋଷ ଦେବା?
୨୧୩ ସି-ବ୍ଲକ୍‌, ଏମେରାଲ୍ଡ ଆପାର୍ଟମେଣ୍ଟ,
ଲକ୍ଷ୍ମୀସାଗର, ଭୁବନେଶ୍ୱର,
ମୋ-୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri