କ୍ଷୁଦ୍ର ଭୂଖଣ୍ଡର ଆର୍ତ୍ତନାଦ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ପ୍ରଶାନ୍ତ ମହାସାଗରରେ ବିଷୁବରେଖା ପାଖାପାଖି ରିପବ୍ଲିକ ଅଫ୍‌ ଦା ମା ମାର୍ଶଲ ଆଇଲାଣ୍ଡ୍ସ ନାମକ ଏକ ସ୍ବାଧୀନ ରାଷ୍ଟ୍ର ଅଛି। ଏହି ରାଜ୍ୟର ଜନସଂଖ୍ୟା ମୋଟେ ୫୮,୪୧୩ (୨୦୧୮ ମସିହାର ବିଶ୍ୱବ୍ୟାଙ୍କ ଜନଗଣନା ଅନୁସାରେ)। ମୁଖ୍ୟତଃ ପାଞ୍ଚଟି କ୍ଷୁଦ୍ର ଦ୍ୱୀପକୁ ନେଇ ଗଠିତ ଏହି ଦେଶରେ ୨୯ଟି ପ୍ରବାଳ ପ୍ରାଚୀର ପରିବେଷ୍ଟିତ ଉପହ୍ରଦ ଅଛି। ଏହାର ଅଞ୍ଚଳର ଶତକଡ଼ା ୯୭.୮୭ ଭାଗରେ ଜଳ ଅଛି। ଏହାର ଜଳଭାଗର ଶତାଂଶ ହେଉଛି ବିଶ୍ୱର ସର୍ବାଧିକ। ୨୦୧୧ ଜନଗଣନାରୁ ଜଣାପଡ଼େ ଯେ, ଏହାର ରାଜଧାନୀ ମଜୁରୋର ଜନସଂଖ୍ୟା ୨୭,୭୯୭। ଉକ୍ତ ଦେଶର ସର୍ବବୃହତ୍‌ ଏହି ସହରଟି ଗୋଟିଏ ପ୍ରବାଳ ବେଷ୍ଟିତ ଉପହ୍ରଦ, ଯେଉଁଥିରେ ୬୪ କ୍ଷୁଦ୍ର ଦ୍ୱୀପ ରହିଛି; ଯଦିଚ ଏହାର ଆୟତନ ମୋଟେ ୯.୭ ବର୍ଗ କିଲୋମିଟର। ଏହି ଭୌଗୋଳିକ ବର୍ଣ୍ଣନାରୁ ସ୍ପଷ୍ଟ ହୁଏ ଯେ କ୍ଷୁଦ୍ର ମାର୍ଶଲ ଦ୍ୱୀପପୁଞ୍ଜଟି କେମିତି କିମ୍ଭୂତକିମାକାର ଭାବେ ବିପଦସଙ୍କୁଳ ଅବସ୍ଥାରେ ରହିଛି ବିଶେଷତଃ ସମୁଦ୍ର ପତ୍ତନଠାରୁ ୨ ମିଟର ଉଚ୍ଚରେ ଅବସ୍ଥିତ ହୋଇଥିବାରୁ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଏହି ଦେଶ ଉପରେ ସର୍ବାଧିକ।
ନଭେମ୍ବର ୨୦୨୧ ପ୍ରଥମ ସପ୍ତାହରେ ଜାତିସଂଘ ତରଫରୁ ବ୍ରିଟେନର ଗ୍ଲାସ୍‌ଗୋଠାରେ ଷଡ଼ବିଂଶତି ଜଳବାୟୁ ସମ୍ମିଳନୀ (କପ୍‌-୨୬ ଅର୍ଥାତ୍‌ କ୍ଲାଇମେଟ୍‌ ଚେଞ୍ଜ କନ୍‌ଫରେନ୍ସ ଅଫ୍‌ ଦ ପାର୍ଟିସ୍‌) ଅନୁଷ୍ଠିତ ହୋଇଥିଲା। ସେଠାରେ ମାର୍ଶଲ ଦ୍ୱୀପପୁଞ୍ଜର ପ୍ରତିନିଧି ଯୋଗ ଦେଇଥିଲେ। ସେ ଉଦ୍‌ବେଗର ସହ ସତର୍କବାଣୀ ଶୁଣାଇଥିଲେ ଯେ ବିଶ୍ୱତାପନ ଯଦି ୧.୫ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ମଧ୍ୟରେ ସୀମିତ ରଖା ନ ଯାଏ, ତେବେ ତାଙ୍କ ଦେଶ ଜଳମଗ୍ନ ହୋଇଯିବ। କଡ଼ାକଡ଼ି ଭାବେ ୧.୧ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ପହଞ୍ଚତ୍ଲେ ବିପଦ ଘଣ୍ଟି ସେଠାରେ ସତର୍କତା ସକାଶେ ବାଜିବା କଥା, ଯାହାକି ସାରା ବିଶ୍ୱରେ ପ୍ରତିଧ୍ୱନିତ ହେବା ଉଚିତ।
ଏହି ଦ୍ୱୀପପୁଞ୍ଜର ସମସ୍ୟା ଉପସ୍ଥିତ ଦେଶ ସମୂହକୁ ଚିନ୍ତାମଗ୍ନ କଲା। ବିଷୟଟିକୁ ସମସ୍ତ ଦେଶ ଗମ୍ଭୀରତା ସହ ବିଚାରକଲେ। ଏହାର ସୁଫଳ ସ୍ବରୂପ ଆଇଆର୍‌ଆଇଏସ୍‌ (ଇନ୍‌ଫ୍ରାଷ୍ଟ୍ରକ୍‌ଚର ଫର୍‌ ରେଜିଲିଏଣ୍ଟ ଆଇଲାଣ୍ଡ ଷ୍ଟେଟ୍ସ) ନାମକ ଏକ ପରିକଳ୍ପନା ଭାରତ ଓ ବ୍ରିଟେନ୍‌ର ମିଳିତ ଉଦ୍ୟମରେ ଚାଲୁ କରାଯାଉଛି। ବିଶ୍ୱ ସ୍ତରରେ ତିନୋଟି ଭୌଗୋଳିକ ଅଞ୍ଚଳରେ ୫୮ଟି ଦ୍ୱୀପରାଷ୍ଟ୍ର ରହିଛି। ଯଦି ବିଶ୍ୱତାପନ ହ୍ରାସ ପାଇଁ ଫଳପ୍ରଦ ପଦକ୍ଷେପ ଯଥାଶୀଘ୍ର ନିଆ ନ ଯାଏ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରକୋପକୁ ରୋକା ନ ଯାଏ, ସର୍ବପ୍ରଥମେ ଏହି ରାଷ୍ଟ୍ରଗୁଡ଼ିକର ସଲିଳ ସମାଧି ସମ୍ପନ୍ନ ହେବ। କିନ୍ତୁ ଏହି ଆଂଶିକ ଧ୍ୱଂସ ସାଧନରେ ଏହା ସମାପ୍ତ ହେବ ନାହିଁ। ତେଣୁ ନବଗଠିତ ଆଇଆର୍‌ଆଇଏସ୍‌ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ତତ୍ପର। ଏଥିପାଇଁ ଅର୍ଥ ଯୋଗାଣ ସହ ଭିତ୍ତିଭୂମି ବିକାଶ ସମ୍ପର୍କିତ ଟେକ୍ନୋଲୋଜିର ପ୍ରୟୋଗ ଅପରିହାର୍ଯ୍ୟ। ଭାରତ ମଧ୍ୟ ଇସ୍ରୋ ସହାୟତାରେ ଏକ ସ୍ବତନ୍ତ୍ର ଡାଟା ଓ୍ବିଣ୍ଡୋ ପ୍ରତିଷ୍ଠା କରିବା ପ୍ରତିଶ୍ରୁତି ଦେଇଛି, ଯାହାକି ଏହି ଦ୍ୱୀପଗୁଡ଼ିକୁ ଯଥା ସମୟରେ ବାତ୍ୟା ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ସତର୍କ ସୂଚନା ଯୋଗାଇବ। ଅବଶ୍ୟ ଏହି ଯୋଜନାର ଉତ୍ତମ ପରିଣତି କେତୋଟି ଜଳ-ଦ୍ୱୀପକୁ ଉପକୃତ କରିବ ନାହିଁ। ଏହାର ସୁଦୂରପ୍ରସାରୀ ପ୍ରୟୋଗ ବିଭିନ୍ନ ଦେଶର ସମୁଦ୍ର ଉପକୂଳବର୍ତ୍ତୀ ଜନବସତିକୁ ଲାଭବାନ୍‌ କରିବ।
ଗୋଟିଏ ହିସାବରୁ ଜଣାଯାଏ ଯେ, ଆମ ଦେଶରେ ସାମୁଦ୍ରିକ ତଟରେଖାର ଦୈର୍ଘ୍ୟ ପ୍ରାୟ ୮,୧୧୮ କିଲୋମିଟର। ସମୁଦ୍ର ପାର୍ଶ୍ୱରେ ମୁମ୍ବାଇ, ସୁରଟ, ଚେନ୍ନାଇ, କୋଚି, କୋଲକାତା, ବିଶାଖାପାଟଣା, ପଣ୍ଡିଚେରୀ, କନ୍ୟାକୁମାରୀ, ଗୋକର୍ଣ୍ଣ୍‌(କର୍ନାଟକ),କୋଭାଲମ (କେରଳ), ଉଡ଼ୁପି (କର୍ନାଟକ), ଡିଉ ପରି ପ୍ରସିଦ୍ଧ ସ୍ଥାନଗୁଡ଼ିକ ରହିଛି। ଏହି ଜନାକୀର୍ଣ୍ଣ ବସତି, ବ୍ୟବସାୟ କେନ୍ଦ୍ର, ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଇତ୍ୟାଦି ପରି ସ୍ଥାନଗୁଡ଼ିକ ଦେଶର ଅମୂଲ୍ୟ ସମ୍ପଦ ଭାବେ ବିଶ୍ୱବିଦିତ। ସେମାନଙ୍କ ସୁରକ୍ଷା ଏକ ଜରୁରିକାଳୀନ ଜାତୀୟ ପ୍ରସଙ୍ଗ। ମାର୍ଶଲ ଆଇଲାଣ୍ଡ୍ସର ଆର୍ତ୍ତନାଦରୁ ଏହା ସୁସ୍ପଷ୍ଟ।
ଏହି ପରିପ୍ରେକ୍ଷୀରେ ଦ୍ୱାପରଯୁଗ ବିଷୟ ମନେପଡ଼େ। ବିଷ୍ଣୁଙ୍କ ଅଷ୍ଟମ ଅବତାର ଶ୍ରୀକୃଷ୍ଣ ଦ୍ୱାରକାରେ ନିଜ ରାଜଧାନୀ ପ୍ରତିଷ୍ଠା କରିଥିଲେ। ଗରୁଡ଼ ପୁରାଣର ଗୋଟିଏ ଶ୍ଳୋକରେ ଦ୍ୱାରକା ବିଷୟରେ ବର୍ଣ୍ଣନା କରାଯାଇଛି ଯେ ଅଯୋଧ୍ୟା, ମଥୁରା, ଗୟା (ହରିଦ୍ୱାର), କାଶୀ(ବାରାଣସୀ), କାଞ୍ଚତ୍ (କାଞ୍ଚତ୍ପୁରମ୍‌), ଅବନ୍ତିକା (ଉଜ୍ଜୟିନୀ), ଦ୍ୱାରାବତୀ (ଦ୍ୱାରକା) ଏହି ୭ଟି ସହର ହିନ୍ଦୁ ଧର୍ମାନୁସାରେ ମୋକ୍ଷଦାୟକ। ଶ୍ରୀକୃଷ୍ଣଙ୍କ ଏହି ରାଜଧାନୀଟି ଭାରତର ଚାରିଧାମ ମଧ୍ୟରେ ଅନ୍ୟତମ। ଏହାର ଆକ୍ଷରିକ ଅର୍ଥ ହେଉଛି ‘ସ୍ବର୍ଗର ଦ୍ୱାର।’ ମହାଭାରତ, ଶ୍ରୀମଦ୍‌ ଭଗବତ ଗୀତା, ହରିବଂଶ, ସ୍କନ୍ଦ ପୁରାଣ, ବିଷ୍ଣୁ ପୁରାଣ ଇତ୍ୟାଦି ଧର୍ମ ଶାସ୍ତ୍ରାନୁସାରେ ସେଠାରେ ୯ ଲକ୍ଷ ରାଜକୀୟ ପ୍ରାସାଦ ଥିଲା। ସ୍ଫଟିକ, ରୁପା, ଉଜ୍ଜ୍ୱଳ ସବୁଜ ରଙ୍ଗର ମରକତ ମଣି ଇତ୍ୟାଦି ମୂଲ୍ୟବାନ୍‌ ଦ୍ରବ୍ୟ ଦ୍ୱାରା ଏହା ସୁଶୋଭିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ କାଳରେ ଏହା ସମୁଦ୍ରରେ ଅନ୍ତଃ ପ୍ରବିଷ୍ଟ ହୋଇଗଲା।
ଗୁଜରାଟର ସମୁଦ୍ର ତଟ ନିକଟରେ ୩୬ ଫୁଟର ଗଭୀରତାରେ ସମୁଦ୍ର ମଧ୍ୟରେ ଦ୍ୱାରକାର ଧ୍ୱଂସାବଶେଷ ନିକଟ ଅତୀତରେ ଆବିଷ୍କୃତ ହୋଇଛି। କାର୍ବନ ଡେଟିଂ ସାହାଯ୍ୟରେ ଏହାର ସମୟକାଳ ୯୦୦୦ ବର୍ଷ ପୂର୍ବର ବୋଲି ଜଣା ପଡ଼ିଲା। ପୌରାଣିକ ମତରେ ଗୋମତୀ ନଦୀର ମୁହାଣ ଓ କଚ ଉପସାଗରର ମଧ୍ୟସ୍ଥିତ ଅଞ୍ଚଳରେ ଏହି ବୈଭବଶାଳୀ ନଗରଟି ପ୍ରତିଷ୍ଠିତ ହୋଇଥିଲା। କିନ୍ତୁ ପରିଶେଷରେ ଏହାକୁ ସମୁଦ୍ର ଗ୍ରାସକଲା। ଜଳ ପତ୍ତନରେ ବୃଦ୍ଧିର ଏହା ବିନାଶକାରୀ ପ୍ରଭାବ। ଆମ ମନରେ ଆଶଙ୍କା ଉପୁଜେ ଯେ, ଭାରତର ଅର୍ଥନୈତିକ ରାଜଧାନୀ, ଯାହାକି ଧନଧାନ୍ୟରେ ପରିପୂର୍ଣ୍ଣ, ଦିନେ ଏମିତି ଆରବ ସାଗର ଗର୍ଭକୁ ଚାଲିଯିବନି ତ ?
ଯଦି ସାମ୍ପ୍ରତିକ ବିଶ୍ୱତାପନ ଜାରି ରହେ ତେବେ ସମୁଦ୍ର ପତ୍ତନ ବୃଦ୍ଧି ପାଇବ ଏବଂ ଭାରତର ସହରଗୁଡ଼ିକର ନିମ୍ନରେ ଦର୍ଶାଯାଇଥିବା ତାଲିକା ଅନୁସାରେ ସମୁଦ୍ର ଜଳସ୍ତରର ନିମ୍ନଭାଗକୁ ଚାଲିଯାଇ ଜଳମଗ୍ନ ହୋଇଯିବେ (ଏହି ଶତାବ୍ଦୀ ଶେଷ ବେଳକୁ)-କାଣ୍ଡଲା (୧.୮୭ ଫୁଟ), ଓଖା (୧.୯୬ ଫୁଟ), ଭାବନଗର(୨.୭୦ ଫୁଟ), ମୁମ୍ବାଇ (୧.୯୦ ଫୁଟ), ମୋର୍ମୁଗାଓ (୨.୦୬ ଫୁଟ), ମାଙ୍ଗାଲୋର (୧.୮୭ ଫୁଟ), କୋଚିନ (୨.୩୨ ଫୁଟ), ପାରାଦୀପ (୧.୯୩ ଫୁଟ), ଖିଦିରିପୁର (୦.୪୯ ଫୁଟ), ବିଶାଖାପାଟଣା (୧.୭୭ ଫୁଟ), ଚେନ୍ନାଇ (୧.୮୭ ଫୁଟ), ଟୁଟିକୋରିନ (୧.୯ ଫୁଟ)। କହିବା ବାହୁଲ୍ୟ ଯେ, ଉକ୍ତ ତାଲିକା ପ୍ରସ୍ତୁତି ପାଇଁ ନାସା ଓ ଆଇପିସିସି (ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଆନ୍‌ କ୍ଲାଇମେଟ୍‌ ଚେଞ୍ଜ)ର ବିଶ୍ଳେଷଣକୁ ଭିତ୍ତିକରି ଗ୍ରହଣ କରାଯାଇଛି। ଏହା ମୁଖ୍ୟତଃ ଭାରତୀୟ ଭୂଖଣ୍ଡ ପ୍ରତି ପ୍ରଯୁଜ୍ୟ। ଉପରୋକ୍ତ ତାଲିକା ଦେଖି ହୁଏତ ଓଡ଼ିଶାବାସୀ ବିଶେଷ ଚିନ୍ତିତ ହୋଇ ନ ପାରନ୍ତି, କାରଣ ଏଥିରେ କେବଳ ପାରାଦୀପ ଉଲ୍ଲେଖ ହୋଇଛି। ହୁଏତ ପୁରୀ, ବ୍ରହ୍ମପୁର,ଗୋପାଳପୁର ଇତ୍ୟାଦି ସମୁଦ୍ର କୂଳିଆ ସହର ବାସିନ୍ଦାମାନେ ମନେ ମନେ ଭାବିପାରନ୍ତି- ସେ ଯାହା ହେଲେ ହେଉ, ଆମେ ତ ନିରାପଦ। ତେଣୁ ସେମାନେ ଆଶ୍ୱସ୍ତ ହୋଇପାରନ୍ତି। କିନ୍ତୁ ପାରାଦୀପ ଯେଉଁ ବାର୍ତ୍ତା ଦେଉଛି, ତା’ର ସ୍ପଷ୍ଟ ଇଙ୍ଗିତ ହେଉଛି:
”ତଳ ବାହୁଙ୍ଗା ଖସୁଛି,ଉପର ବାହୁଙ୍ଗା ହସୁଛି
ମଝି ବାହୁଙ୍ଗା କହୁଛି,ମୋ ଦିନ କାଳ ଆସୁଛି।“
ଯେଉଁ ବିପତ୍ତି ମାଡ଼ିଆସିଛି, ତାହା କେବଳ ତାଲିକାଭୁକ୍ତ ଅଞ୍ଚଳ କିମ୍ବା ସୁନ୍ଦର ମାର୍ଶଲ ଆଇଲାଣ୍ଡ୍ସରେ ତାଣ୍ଡବ ଉଠିବ ନାହିଁ। ବାସ୍ତବରେ ଏହା ହେଉଛି, ସାମଗ୍ରିକ ଜଳ-ପ୍ରଳୟର ସୂଚନା। ଏହା ସାରା ବିଶ୍ୱର ସଙ୍କଟ। ଏହାର ସୃଷ୍ଟିକର୍ତ୍ତା ହେଉଛି ମଣିଷ ଜାତି। ତେଣୁ ସାରା ମାନବ ସମାଜ ସମ୍ମିଳିତ ଭାବେ ନିଷ୍ଠାର ସହ ଅବିଳମ୍ବେ ଅଗ୍ରସର ହେବା ଜରୁରୀ। ନିଜର ପାପର ନିଜେ ପ୍ରାୟଶ୍ଚିତ୍ତ କରି ଭବିଷ୍ୟତ ପିଢ଼ିକୁ ନ୍ୟାୟ ଦେବା ଯୁକ୍ତିସଙ୍ଗତ।
ବଡ଼ଖେମୁଣ୍ଡି ବଙ୍ଗଳା, ଉତ୍କଳ ଆଶ୍ରମ ମାର୍ଗ, ବ୍ରହ୍ମପୁର, ମୋ:୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri