ଛତ୍ରପୁର,୧୯ା୧୧( ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଅକ୍ବାନର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଜିଲା ଜରୁରୀକାଳୀନ କାର୍ଯ୍ୟ ପରିଚାଳନା କେନ୍ଦ୍ର (ଡିଇଓସି)ରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟ ହାସଲ ପାଇଁ ସତର୍କତା, ସମନ୍ୱୟ ଓ ତ୍ୱରିତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜିଲାରେ ଅଦ୍ୟାବଧି ୮୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ବୈଠକରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଉପସ୍ଥିତ ଥିଲେ। ଜିଲାପାଳ ଭି. କୀର୍ତ୍ତି ଭାସନ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ବିଭିନ୍ନ ବିଭାଗୀୟ ଅଧିକାରୀ, ବିଡିଓ, ତହସିଲଦାର ଓ ଅଧୀକ୍ଷଣ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
ପରିସ୍ଥିତିକୁ ହାଲୁକା ଭାବେ ନ ନେଇ ଗୋପାଳପୁର, ଛତ୍ରପୁର, ଚିକିଟି ସମେତ ସମୁଦ୍ରତଟବର୍ତ୍ତୀ ଓ ବିପଦପ୍ରବଣ ଅଞ୍ଚଳରୁ ତୁରନ୍ତ ସ୍ଥାନାନ୍ତରଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଶ୍ରୟସ୍ଥଳୀରେ ରନ୍ଧା ଓ ଶୁଖିଲା ଖାଦ୍ୟ, ପାନୀୟ ଜଳ ଏବଂ ସମ୍ମାନଜନକ ରହଣି ବ୍ୟବସ୍ଥା ସହ ସ୍ଥାନାନ୍ତରଣରେ ପ୍ରଶାସନକୁ ସହଯୋଗ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।
ସମୀକ୍ଷା ବେଳେ ଚିକିଟି ବ୍ଲକ୍ର ରାମୟାପାଟଣା, ରଙ୍ଗେଇଲୁଣ୍ଡାର ନୂଆ ଗୋଳାବନ୍ଧ ଓ ଗଞ୍ଜାମ ବ୍ଲକ୍ର ୧୭ଟି ଗ୍ରାମରୁ ସ୍ଥାନାନ୍ତରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଛତ୍ରପୁର ବ୍ଲକ୍ରେ ୮,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ଥାନାନ୍ତରଣ, କାଳିପଲ୍ଲୀ, ବରଙ୍ଗ, ବଡ଼ମାଧପୁର ଓ ପୋଟଲାମପୁର ସ୍ଥିତି ସହ ଆବଶ୍ୟକ ସ୍ଥଳେ ଅଧିକ ଚୁଡ଼ା ଯୋଗାଇବାକୁ କୁହାଯାଇଛି । ଖଲ୍ଲିକୋଟର ସମଲ, ବଳରାମପୁରରେ ଖରଖରି ନାଳ ମରାମତି ଏବଂ ବ୍ରହ୍ମପୁରର ଗଜପତିନଗର ଓ ନୀଳାଞ୍ଚଳନଗର ଜଳ ନିଷ୍କାସନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଛି । ସେହିପରି ଧନେଇ ଓ ହରଭଙ୍ଗୀ ପ୍ରକଳ୍ପ, ଗୋକନପୁର, ପୁରୁଷୋତ୍ତମପୁର, ବଳରାମପଲ୍ଲୀ ପ୍ରସ୍ତୁତି ସହ ସୋରଡ଼ା, ଭଞ୍ଜନଗର ଓ ବାଘୁଆ ଧନେଇ ସମେତ ସମସ୍ତ ନଦୀନାଳର ଜଳସ୍ତର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିପଦପ୍ରବଣ ରାସ୍ତାରେ ବ୍ୟାରିକେଡ୍, ନାଳ ସଫା ଓ ଉଦ୍ଧାର ସମ୍ବଳ ପ୍ରସ୍ତୁତ ରଖିବା ସହ ଅଧିକାରୀଙ୍କ ପରିଶ୍ରମକୁ ପ୍ରଶଂସା କରି ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

