ପଦଯାତ୍ରାରେ ଗାନ୍ଧିଜୀ

ଆଧୁନିକ ପଦଯାତ୍ରାର ଜନକ ମହାମାନବ ମହାତ୍ମା ଗାନ୍ଧୀ। ତାଙ୍କ ପୂର୍ବରୁ ଧର୍ମପ୍ରବର୍ତ୍ତକମାନେ ଅନୁଗତ ଶିଷ୍ୟଙ୍କୁ ନେଇ ଯେଉଁ ପଦଯାତ୍ରା କରୁଥିଲେ, ତାହା କେବଳ ଥିଲା ନିଜ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଉଦ୍ଦିଷ୍ଟ। ସତ୍ୟ ଓ ଅହିଂସାର ଆଜୀବନ ପୂଜାରୀ ଗାନ୍ଧିଜୀ ପ୍ରଥମକରି ଏହାକୁ ଅହିଂସ୍ର ଆନ୍ଦୋଳନ ସହିତ ଯୋଡ଼ିଲେ ଏକ ମହତ୍ତର କୌଶଳ ଭାବରେ। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଅନେକ ବାର ପଦଯାତ୍ରା କରି ସଫଳତା ପାଇଛନ୍ତି ଏବଂ ସେଠାରେ ତାଙ୍କର ଶେଷ ପଦଯାତ୍ରା ଥିଲା (୧୯୧୩ ଅକ୍ଟୋବର ୨୫) ଡର୍ବାନରୁ ଜୋହାନ୍ସବର୍ଗର ଟଲଷ୍ଟୟ ଫାର୍ମ ପର୍ଯ୍ୟନ୍ତ ତିନିଶହ ମାଇଲ ଦୂରତାର ଦୀର୍ଘଯାତ୍ରା। ଦୀର୍ଘ ଦୁଇ ଦଶନ୍ଧି କାଳ (୧୮୯୩-୧୯୧୪) ଦକ୍ଷିଣ ଆଫ୍ରିକାରେ ସଂଗ୍ରାମୀ ଜୀବନ ଅତିବାହିତ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ (୯ ଜାନୁୟାରୀ ୧୯୧୫)ର ଅଳ୍ପ କେତେମାସ ପରେ (୨୫ ମେ’ ୧୯୧୫) ଗାନ୍ଧିଜୀ ପ୍ରତିଷ୍ଠା କଲେ ‘ସତ୍ୟାଗ୍ରହ ଆଶ୍ରମ’। ଇଂରେଜମାନଙ୍କୁ ଏ ଦେଶରୁ ହଟେଇବା ପାଇଁ ସେଠାରେ ସେ ପ୍ରସ୍ତୁତ କଲେ ଅହିଂସ୍ର ଆନ୍ଦୋଳନର ବିସ୍ତୃତ ଖସଡ଼ା। କମ୍ପାନୀ ସରକାରଙ୍କ ଏହି ଏକଚାଟିଆ ଲବଣ ଆଇନ (୧୯୧୪) ବିରୋଧରେ ଆନ୍ଦୋଳନ ପାଇଁ ଅନ୍ତରାତ୍ମାର ଆହ୍ବାନକ୍ରମେ ସଂକଳ୍ପ ନେଲେ। ଗାନ୍ଧିଜୀ ପଦଯାତ୍ରା ମାଧ୍ୟମରେ ଆଇନ ଅମାନ୍ୟ ଆନ୍ଦୋଳନ ବା ଲବଣ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତ ହେଲା କାର୍ଯ୍ୟସୂଚୀ। ତଦନୁଯାୟୀ ୧୯୩୦ ମାର୍ଚ୍ଚ ୧୨ରେ ୭୮ ଜଣ ସହଯୋଗୀଙ୍କୁ ନେଇ ଗାନ୍ଧିଜୀ ଅହମ୍ମଦାବାଦରୁ ଆରମ୍ଭ କଲେ ଐତିହାସିକ ଦାଣ୍ଡିଯାତ୍ରା। ୨୪୧ ମାଇଲ ଯାତ୍ରା ପରେ ଏପ୍ରିଲ ୬ ରେ ସମୁଦ୍ରରୁ ଲୁଣ ମାରିଲେ ହଜାର ହଜାର ସତ୍ୟାଗ୍ରହୀ। ୨୪ ଦିନର ଏହି ପଦଯାତ୍ରାର ପ୍ରଭାବରେ ଓଡ଼ିଶାର ଇଞ୍ଚୁଡ଼ି ଓ କୁହୁଡ଼ି ସମେତ ଦେଶର ବିଭିନ୍ନ ସ୍ଥାନରେ ଚାଲିଲା ଲବଣ ସତ୍ୟାଗ୍ରହ। ବ୍ରିଟିଶ୍‌ ସାମ୍ରାଜ୍ୟରେ ସୃଷ୍ଟିହେଲା କମ୍ପନ। ମେ’ ୪ ମଧ୍ୟରାତ୍ରିରେ ଗିରଫ ହେଲେ ଗାନ୍ଧିଜୀ। ପରଦିନ ସକାଳେ ଏହି ଖବର ପ୍ରଚାର ହେବାମାତ୍ରେ ଆଇନ ଅମାନ୍ୟ କରି ପର୍ଯ୍ୟାୟକ୍ରମେ ଗିରଫ ହେଲେ ୬୦ ହଜାର ସତ୍ୟାଗ୍ରହୀ। ଫଳରେ ଗାନ୍ଧିଜୀଙ୍କୁ ଖଲାସ କରିବା ପାଇଁ ବାଧ୍ୟ ହେଲେ ସରକାର। ଶେଷରେ ଗାନ୍ଧୀ-ଇର୍‌ୱିନ ଚୁକ୍ତି ଅନୁଯାୟୀ ସରକାର ଭାରତୀୟଙ୍କ ଦାବି ମାନିନେବା ପରେ ପ୍ରତ୍ୟାହୃତ ହେଲା ଲବଣ ସତ୍ୟାଗ୍ରହ।
ପରାଧୀନତାର ନିର୍ଯାତନା ଗାନ୍ଧିଜୀଙ୍କୁ ଯେତିକି ଆଘାତ ଦେଇଥିଲା, ସେତିକି କଷ୍ଟ ଦେଇଥିଲା ଅସ୍ପୃଶ୍ୟତା ବ୍ୟାଧି। ଏହି ସାମାଜିକ ବ୍ୟାଧିର ନିରାକରଣ ପାଇଁ ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା ହରିଜନ ପଦଯାତ୍ରା। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗାନ୍ଧିଜୀ ରେଳଯୋଗେ ଆସି ପୁରୀରେ ପହଞ୍ଚତ୍ଲା (୧୯୩୪ ଜୁନ ୭ ତାରିଖ) ବେଳକୁ ସହରସାରା ହାଉହାଉ। ହିନ୍ଦୁଧର୍ମର ସର୍ବନାଶ ପାଇଁ ଗାନ୍ଧୀବୁଢ଼ା ଆସୁଛି ବୋଲି ଦଳେ ରକ୍ଷଣଶୀଳ ସନାତନୀ ବୁଲି ବୁଲି ପ୍ରଚାର କରୁଥିଲେ ଏବଂ କାନ୍ଥବାଡ଼ରେ ଲେଖିଥିଲେ- ‘ଫେରିଯାଅ ଗାନ୍ଧୀ, ତୁମେ ହିନ୍ଦୁଧର୍ମର ଶତ୍ରୁ’। ଏଭଳି ବିରୋଧକୁ ଦୃଷ୍ଟିରେ ରଖି ରେଳଷ୍ଟେଶନରେ ବହୁ ସଂଖ୍ୟକ ପୋଲିସ ମୁତୟନ ଥିଲେ । ଗାନ୍ଧିଜୀ ରେଳରୁ ଗୋଡ଼ କାଢ଼ୁକାଢ଼ୁ ଏଭଳି ସୁରକ୍ଷା ବ୍ୟବସ୍ଥା ଦେଖି ଖୁବ୍‌ ଗମ୍ଭୀର ହୋଇଗଲେ ଓ ଭାବିଲେ, ହରିଜନ ଯାତ୍ରା ଭଳି ଏକ ଧର୍ମଯାତ୍ରାରେ ପୋଲିସ ତାଙ୍କୁ ଜଗିରହିବା କ’ଣ ଦରକାର? ସମସ୍ତଙ୍କୁ ଚକିତ କରି ସେଠାରେ ସେ ଘୋଷଣା କଲେ- କୋଠି ପର୍ଯ୍ୟନ୍ତ ଗାଡ଼ିରେ ନୁହେଁ, ସେ ଚାଲିଚାଲି ଯିବେ ପୋଲିସର ବିନା ସହାୟତାରେ। ଗାନ୍ଧୀଙ୍କ ନିଷ୍ପତ୍ତିର ପ୍ରତିବାଦ କରିବ କିଏ? ନୀରବରେ ବାଟକଢ଼େଇ ନେଲେ ଗୋପବନ୍ଧୁ ଚୌଧୁରୀ ଓ ହରେକୃଷ୍ଣ ମହତାବ ପ୍ରମୁଖ ନେତାଗଣ। ଗାନ୍ଧୀଙ୍କ ପଛେ ପଛେ ଚାଲିଲା ସାରା ସହର।
ମେ’ ୯ ତାରିଖ ପୁରୀ ସିଂହଦ୍ବାରରୁ ଆରମ୍ଭ ହେଲା ‘ହରିଜନ ପଦଯାତ୍ରା’। ବୈଶାଖ ମାସ ମୁଣ୍ଡଫଟା ଖରାରେ ଉଚ୍ଚ ରକ୍ତଚାପ ଓ ଅଗ୍ନିମାନ୍ଦ୍ୟ ରୋଗରେ ପୀଡ଼ିତ ପଞ୍ଚଷଠି ବର୍ଷର ଜଣେ ଦୁର୍ବଳ ବୃଦ୍ଧଙ୍କର ଦୀର୍ଘ ପଦଯାତ୍ରାକୁ ସହଜରେ ଗ୍ରହଣ କରି ପାରୁନଥିଲେ କଂଗ୍ରେସ ନେତୃମଣ୍ଡଳୀ। ମାତ୍ର ଗାନ୍ଧିଜୀଙ୍କ ନିଷ୍ପତ୍ତି ଆଗରେ ସମସ୍ତେ ନାଚାର। ଦାଣ୍ଡିଯାତ୍ରା ବେଳୁ ଗାନ୍ଧିଜୀ ଅନୁଭବ କରିଥିଲେ ଖାଲି ବାଟ ଚାଲିଲେ ତାହା ପଦଯାତ୍ରା ହୁଏନି, ସେଥିପାଇଁ ଲୋଡ଼ା ନିର୍ଦ୍ଦିଷ୍ଟ ଆଭିମୁଖ୍ୟ। ସେଥିପାଇଁ ପଦଯାତ୍ରା ସହ ସେ ଯୋଡ଼ିଥିଲେ ଗ୍ରାମ ସଫେଇ ଓ ହରିଜନଙ୍କ ସହ ପଂକ୍ତିଭୋଜନ ଇତ୍ୟାଦି। ରହଣି ସ୍ଥାନରେ ସକାଳେ ସଞ୍ଜେ ପ୍ରାର୍ଥନା ସଭା ଅନୁଷ୍ଠିତ ହେଉଥିଲା ଏବଂ ସେଠାରେ ଉଚ୍ଚବର୍ଣ୍ଣର ଲୋକଙ୍କ ସହ ବିସ୍ତୃତ ଆଲୋଚନା କରୁଥିଲେ ସେମାନଙ୍କ ମନ ପରିବର୍ତ୍ତନ ପାଇଁ। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ତୁହାକୁ ତୁହା ବର୍ଷା ମାଡ଼କୁ ସମ୍ଭାଳି ନେଇ ସେ ଆଗକୁ ବଢ଼ିଥିଲେ ଏବଂ ଜୁନ ୫ରେ ପହଞ୍ଚତ୍ଥିଲେ ଭଦ୍ରକ ଗରଦପୁରସ୍ଥିତ କଲ୍ୟାଣଜୀଙ୍କ ଆଶ୍ରମରେ। ଏଠାରେ ତିନିଦିନ ରହଣି ମଧ୍ୟରେ କେବଳ ଛୁଆଁଅଛୁଆଁ ଭେଦଭାବ ନୁହେଁ, ଏଥିସହିତ ସେ ଲୋକଙ୍କୁ ବୁଝେଇଥିଲେ ହିନ୍ଦୁ-ମୁସଲମାନ ମଧ୍ୟରେ ଉତ୍ତମ ଭାଇଚାରା ପ୍ରତିଷ୍ଠା ତଥା ଅର୍ଥନୀତିକୁ ସୁଦୃଢ଼ କରିବା ନିମନ୍ତେ ଚାଷକାର୍ଯ୍ୟ, ଗୋପାଳନ ଓ ସୂତାକାଟିବାର ଉପକାରିତା ସମ୍ପର୍କରେ। ପ୍ରତିକୂଳ ପାଗ ଯୋଗୁ ଏହିଠାରୁ ହରିଜନ ପଦଯାତ୍ରା ବନ୍ଦ ହୋଇଗଲା ସତ, ହେଲେ ଏହି ବିରଳ ପଦଯାତ୍ରା ଯୋଗୁ ଓଡ଼ିଶାରେ ସୃଷ୍ଟି ହେଲେ ହଜାର ହଜାର ସତ୍ୟାଗ୍ରହୀ ଓ ରଚନାତ୍ମକ କର୍ମୀ।
ଗାନ୍ଧିଜୀଙ୍କ ତୃତୀୟ ପଦଯାତ୍ରା ଥିଲା ପୂର୍ବ ବଙ୍ଗର ନୂଆଖାଲିରେ। ୧୯୪୬ ରେ ନୂଆଖାଲିରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଥିଲା ଖୁବ ମର୍ମନ୍ତୁଦ। ଏହି ମୁସଲମାନବହୁଳ ଅଞ୍ଚଳରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଅବଗତ ହୋଇ ଗାନ୍ଧିଜୀ ଖୁବ୍‌ ବିମର୍ଷ ହୋଇପଡ଼ିଲେ ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ସେଠାରେ ପହଞ୍ଚତ୍ (୧୯୪୭ ଜାନୁୟାରୀ) ଆରମ୍ଭ କଲେ ପଦଯାତ୍ରା। ଏହି ଅବସରରେ ଗାଁ ଗାଁରେ ଯେଉଁ ସଦ୍ଭାବନା ସଭାମାନ ଆୟୋଜନ ହେଲା, ସେଠାରେ ଗାନ କରାଗଲା ରାମଧୁନ୍‌ ଓ ରଘୁପତି ରାଜାରାମ… ଆଦି ଗୀତ। ଦଙ୍ଗାବିଧ୍ବସ୍ତ ଗ୍ରାମଗୁଡ଼ିକୁ ପଦଯାତ୍ରାରେ ଯାଇ ଗାନ୍ଧିଜୀ ଲୋକଙ୍କୁ କେବଳ ଗୋଟିଏ କଥା କହି ଚାଲିଲେ- ସହିଷ୍ଣୁତା ଓ ଅହିଂସା ହେଉଛି ସବୁଧର୍ମର ସାରତତ୍ତ୍ବ।

  • ଡ. ପ୍ରଫୁଲ୍ଲ କୁମାର ସାହୁ
    ମୋ: ୬୩୭୧୬୪୨୪୬୪

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri