ମହାମହିମ ରାଜ୍ୟପାଳ

ଆମ ଦେଶର ସମ୍ବିଧାନର ଧାରା ୧୫୩ରେ ଲେଖାଯାଇଛି ଯେ, ପ୍ରତ୍ୟେକ ରାଜ୍ୟ ପାଇଁ ଜଣେ ରାଜ୍ୟପାଳ ରହିବେ। ମାତ୍ର ଏହି ଧାରାରେ ଜଣେ ବ୍ୟକ୍ତିକୁ ଦୁଇ ବା ତତୋଽଧିକ ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତି କରିବାରେ କୌଣସି ବାଧା ବା ପ୍ରତିବନ୍ଧକ ରହିନାହିଁ। ପୁଣି ଧାରା ୧୫୭ରେ ଲେଖାଯାଇଛି, ଜଣେ ରାଜ୍ୟପାଳ ହେବା ପାଇଁ ଯୋଗ୍ୟତା ହେଉଛି ସେ ଜଣେ ଭାରତର ନାଗରିକ ହୋଇଥିବେ ଓ ତାଙ୍କ ବୟସ ପଞ୍ଚତିରିଶ ବର୍ଷରୁ ଅଧିକ ହୋଇଥିବ। ବାସ୍‌, ଏତିକି ଯୋଗ୍ୟତା ଥିଲେ ଜଣେ ମହାମହିମ ରାଜ୍ୟପାଳ ପଦବୀ ମଣ୍ଡନ କରିପାରିବେ। ଦେଶ ସ୍ବାଧୀନ ହେବା ପରେ ବିଭିନ୍ନ ରାଜ୍ୟରେ ରାଜ୍ୟପାଳମାନେ ନିଯୁକ୍ତି ପାଇଥିଲେ। ରାଜ୍ୟପାଳମାନଙ୍କୁ ସମ୍ବିଧାନରେ ଅନେକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ଦାୟିତ୍ୱ ଓ ଅଧିକାର ଦିଆଯାଇଥିଲେ ହେଁ ସେମାନେ ସର୍ବଦା କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବେ କାର୍ଯ୍ୟ କରିଥାଆନ୍ତି। କାରଣ, ସେମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ହିଁ ନିଯୁକ୍ତି ପାଇଥା’ନ୍ତି ଓ କେନ୍ଦ୍ର ସରକାର ଯେତେବେଳେ ଚାହିଁବେ, ସେତେବେଳେ ରାଜ୍ୟପାଳମାନଙ୍କୁ ଅନ୍ତର କରିପାରିବେ।
ରାଜ୍ୟପାଳମାନେ ନିର୍ବାଚିତ ବ୍ୟକ୍ତି ନୁହନ୍ତି କି ରାଜ୍ୟପାଳ ପଦବୀ ଏକ ନିର୍ବାଚିତ ପଦବୀ ନୁହେଁ। କେନ୍ଦ୍ର ସରକାର ଯାହାକୁ ଇଚ୍ଛା କରନ୍ତି, ତାଙ୍କୁ ରାଜ୍ୟପାଳ ପଦବୀରେ ବସାଇଥାଆନ୍ତି। ମାତ୍ର ଭାରତର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହୋଇଥାଏ। ପାର୍ଲାମେଣ୍ଟ ସଦସ୍ୟ ଓ ବିଧାନସଭା ସଦସ୍ୟମାନେ ରାଷ୍ଟ୍ରପତିଙ୍କୁ ନିବର୍ର୍ାଚିତ କରିଥାଆନ୍ତି। ମାତ୍ର ଆମ ଦେଶର ସମ୍ବିଧାନରେ ଲେଖା ହୋଇନାହିଁ ଯେ, ରାଷ୍ଟ୍ରପତି କେନ୍ଦ୍ର ସରକାରକୁ ଭାଙ୍ଗି ଦେଇପାରିବେ ବା ରାଷ୍ଟ୍ରପତି ଶାସନ ବ୍ୟବସ୍ଥା କାଏମ କରିପାରିବେ। ମାତ୍ର ରାଜ୍ୟପାଳ ପଦବୀ, ନିର୍ବାଚିତ ନ ହୋଇ ମଧ୍ୟ ସେମାନେ ଏକ ନିର୍ବାଚିତ ରାଜ୍ୟ ସରକାରକୁ ଭାଙ୍ଗି ଦେଇ ରାଷ୍ଟ୍ରପତି ଶାସନ ଆଳରେ ନିଜେ ଶାସନ କରିପାରିବେ। ଏଭଳି କ୍ଷମତା ତାଙ୍କୁ ସମ୍ବିଧାନରେ ଅର୍ପଣ କରାଯାଇଛି।
ଏହି ପଟଭୂମିିରେ ରାଜ୍ୟପାଳମାନଙ୍କ କାର୍ଯ୍ୟକଳାପର ପର୍ଯ୍ୟାଲୋଚନା ଖୁବ୍‌ ଜରୁରୀ। ସ୍ବାଧୀନତା ପ୍ରାପ୍ତି ପରେ ପ୍ରଥମେ ୧୯୫୩ ରେ ପତିଆଲା ଓ ପୂର୍ବ ପଞ୍ଜାବର ମୁଖ୍ୟମନ୍ତ୍ରୀ ଜି.ଏସ୍‌. ରାରେୱାଲାଙ୍କୁ ସମ୍ବିଧାନର ୩୫୬ ଧାରା ପ୍ରୟୋଗ କରାଯାଇ କ୍ଷମତାଚ୍ୟୁତ କରାଯାଇଥିଲା। ତା’ପରେ ୧୯୫୯ରେ କେରଳର କମ୍ୟୁନିଷ୍ଟ ସରକାରଙ୍କୁ ୩୫୬ ଧାରା ପ୍ରୟୋଗ କରି ଭାଙ୍ଗି ଦିଆଯାଇ ରାଷ୍ଟ୍ରପତି ଶାସନକୁ ଲଦି ଦିଆଯାଇଥିଲା। ସେତେବେଳେ କେରଳର ମୁଖ୍ୟମନ୍ତ୍ରୀ ଥିଲେ ଇ.ଏମ୍‌.ଏସ୍‌. ନମ୍ବୁଦ୍ରିପଦ। କଂଗ୍ରେସ ଦଳ କେନ୍ଦ୍ର କ୍ଷମତାରେ ଥିବା ସମୟରେ ୯୩ଥର ୩୫୬ ଧାରା ପ୍ରୟୋଗ କରି ରାଜ୍ୟପାଳମାନଙ୍କ ଜରିଆରେ ରାଷ୍ଟ୍ରପତି ଶାସନ ଆଳରେ କେନ୍ଦ୍ର ନିଜର ଶାସନ ପ୍ରତିଷ୍ଠା କରିଥିଲା। ଗୋଆ, ହରିୟାଣା, ଓଡ଼ିଶା, କର୍ନାଟକ, ଗୁଜରାଟ, ମଣିପୁର, ତାମିଲନାଡୁ, ମେଘାଳୟ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ପୁଡୁଚେରୀ, ସିକ୍କିମ, ଜମ୍ମୁ-କଶ୍ମୀର, ଆନ୍ଧ୍ରପ୍ରଦେଶ, ମିଜୋରାମ, ଆସାମ, ହିମାଚଳପ୍ରଦେଶ, ପଶ୍ଚିମବଙ୍ଗ ଆଦି ସମସ୍ତ ରାଜ୍ୟର ନିର୍ବାଚିତ ସରକାରକୁ ଭଙ୍ଗାଯାଇ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିବାର ଦୃଷ୍ଟାନ୍ତ ବହୁବାର ଦେଖିତ୍ବାକୁ ମିଳିଥିଲା। କେନ୍ଦ୍ର ସରକାରଙ୍କ ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପ ବିରୋଧରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଥିଲେ ଏସ୍‌.ଆର. ବୋମାଇଙ୍କ ସରକାରଙ୍କୁ ପତନ ଘଟାଇବା ପରେ। ଭାରତର ଗଣତାନ୍ତ୍ରିକ ଇତିହାସରେ ଏହି ମାମଲା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ୧୯୯୪ରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଓ ଆଦେଶକୁ ନାକଚ କରି ବୋମାଇଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲେ।
ସର୍ବୋଚ୍ଚ ଅଦାଲତଙ୍କ ଏହି ଐତିହାସିକ ରାୟର ପ୍ରଭାବ ପଡିଥିଲା ରାଷ୍ଟ୍ରପତିଙ୍କ ଉପରେ। ରାଷ୍ଟ୍ରପତି କେ.ଆର. ନାରାୟଣନ୍‌ ୧୯୯୭ ରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଗ୍ରହଣ କରି ନଥିଲେ। ସେତେବେଳେ କେନ୍ଦ୍ରର ଯୁକ୍ତଫ୍ରଣ୍ଟ ସରକାର ଉତ୍ତରପ୍ରଦେଶ ସରକାରଙ୍କୁ ଭାଙ୍ଗିବା ପାଇଁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିଲେ। ତେବେ ରାଷ୍ଟ୍ରପତି କେ.ଆର. ନାରାୟଣନ୍‌ ତାହା କାର୍ଯ୍ୟକାରୀ କରି ନଥିଲେ। ଏହାର ବର୍ଷକ ପରେ ୧୯୯୮ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ନିଷ୍ପତ୍ତି ନେଇଥିଲେ ବିହାର ସରକାରଙ୍କୁ ଭାଙ୍ଗିବା ପାଇଁ, ସେଥିରେ ମଧ୍ୟ ସେ ରାଜି ହୋଇ ନଥିଲେ। ସେତେବେଳେ ବିହାରର ମୁଖ୍ୟମନ୍ତ୍ରୀ ଥିଲେ ରାବ୍ରି ଦେବୀ। କିନ୍ତୁ ୨୦୦୫ରେ ବିହାରର ରାଜ୍ୟପାଳ ବୁଟା ସିଂ ନିର୍ବାଚିତ ବିହାର ବିଧାନସଭା ଥରେ ହେଲେ ବସି ନ ଥିଲେ ହେଁ ବିଧାନସଭାକୁ ଭାଙ୍ଗି ଦେବାକୁ ସୁପାରିସ କରିଥିଲେ।
୨୦୧୪ରେ ଭାଜପା କେନ୍ଦ୍ର କ୍ଷମତାକୁ ଯିବା ପରେ ରାଜ୍ୟପାଳମାନଙ୍କୁ ବ୍ୟବହାର କରି ରାଜ୍ୟ ସରକାରମାନଙ୍କୁ ଅସ୍ଥିର କରାଉଛି। ଜମ୍ମୁ-କଶ୍ମୀରର ରାଜ୍ୟପାଳ, ଦିଲ୍ଲୀର ଲ୍ୟୁଟ୍‌ନାଣ୍ଟ ଗଭର୍ନର, ପଶ୍ଚିମବଙ୍ଗ ରାଜ୍ୟପାଳ ଓ କେରଳ ରାଜ୍ୟପାଳମାନଙ୍କର ଭୂମିକା ସମାଲୋଚନାଯୋଗ୍ୟ। ଏହି ରାଜ୍ୟପାଳମାନେ ନିଜ ପଦବୀ ଓ କ୍ଷମତା ପରିସରକୁ ଅତିକ୍ରମ କରି ଗଣମାଧ୍ୟମ ଜରିଆରେ ନିର୍ବାଚିତ ସରକାର ଓ ମୁଖ୍ୟମନ୍ତ୍ରୀମାନଙ୍କୁ କଟୁ ଭାଷାରେ ସମାଲୋଚନା କରୁଛନ୍ତିି, ଅଶାଳୀନ ମନ୍ତବ୍ୟ କରୁଛନ୍ତି। ଏପରିକି ବିରୋଧୀ ଦଳର ସଦସ୍ୟମାନେ ଏଭଳି କଟୁ ଓ ଅଶାଳୀନ ଭାଷା ପ୍ରୟୋଗ କରୁଥିବାର ଦୃଷ୍ଟାନ୍ତ ବହୁତ ବିରଳ। କେନ୍ଦ୍ର ସରକାରଙ୍କ ମଦତ୍‌ ପାଇ ଏମାନେ ନିର୍ବାଚିତ ରାଜ୍ୟ ସରକାରମାନଙ୍କ ବିରୋଧରେ ବୟାନ ଦେଉଛନ୍ତି। ରାଜ୍ୟପାଳମାନଙ୍କ ଏପରି ଆଚରଣ ଆଜି ଆମ ଦେଶରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛି। ରାଜ୍ୟପାଳମାନେ ବିଧାନସଭାର ସଦସ୍ୟ ନୁହନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳ ତରଫରୁ ପ୍ରସ୍ତୁତ ରିପୋର୍ଟକୁ ରାଜ୍ୟପାଳମାନେ ବିଧାନସଭା ଗୃହରେ ପାଠ କରିଥା’ନ୍ତି। ମାତ୍ର ଭାଜପା ଶାସନ କାଳରେ ରାଜ୍ୟପାଳମାନେ ଖୁଲମ୍‌ଖୁଲା ଅଣ-ଭାଜପା ବା ଭାଜପା ବିରୋଧୀ ଦଳର କ୍ଷମତାସୀନ ରାଜ୍ୟ ସରକାରମାନଙ୍କୁ ନିନ୍ଦିତ କରିବା ଏକ ଅଶୁଭ ସଂକେତ ପ୍ରଦାନ କରୁଛି। ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିବା ବୋଧହୁଏ ଠିକ୍‌ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ରାଜ୍ୟପାଳମାନଙ୍କ ଚକ୍ରାନ୍ତ ଓ କେନ୍ଦ୍ର ସରକାରଙ୍କ ଅର୍ଥବଳରେ ନିର୍ବାଚିତ ଅଣ-ଭାଜପା ବିଧାୟକମାନଙ୍କୁ ଖର୍ଦ୍ଦି କରାଯାଇ ଭାଜପା ସରକାର ପ୍ରତିଷ୍ଠା କରାଯାଉଛି ରାଜ୍ୟର ଭୋଟରମାନଙ୍କ ରାୟ ବିରୋଧରେ। କର୍ନାଟକ, ମଧ୍ୟପ୍ରଦେଶ, ମଣିପୁର, ଗୋଆ, ମହାରାଷ୍ଟ୍ର, ଅରୁଣାଚଳପ୍ରଦେଶ, ବିହାର, ରାଜସ୍ଥାନ, ପୁଡୁଚେରୀ ଆଦି ରାଜ୍ୟରେ ରାଜ୍ୟର ଜନସାଧାରଣ ଭାଜପାକୁ କ୍ଷମତାସୀନ ନ କରାଇଥିଲେ ହେଁ, ଭାଜପା ବିରୋଧୀ ନିର୍ବାଚିତ ବିଧାୟକମାନଙ୍କୁ ଗତ ୨୦୧୪ ପରଠାରୁ ବ୍ୟାପକ ଭାବେ ଖର୍ଦ୍ଦି କରାଯାଉଛି।
ପଶ୍ଚିମବଙ୍ଗ, କେରଳ, ଦିଲ୍ଲୀ, ତାମିଲନାଡୁ ଓ ତେଲଙ୍ଗାନା ଆଦି ରାଜ୍ୟ ସରକାରଙ୍କୁ ଭାଙ୍ଗିବାକୁ ବା ଅସ୍ଥିର କରିବାକୁ ମହାମହିମ ରାଜ୍ୟପାଳମାନଙ୍କ ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ ହୋଇ ଉଠିଛି। ଆର୍‌ଏସ୍‌ଏସ୍‌ର ମୁଖ୍ୟ ମୋହନ ଭାଗବତ କେରଳ ଗସ୍ତ କଲାବେଳେ ତାଙ୍କୁ କେରଳର ରାଜ୍ୟପାଳ ସାକ୍ଷାତ୍‌ କରିବା ସମ୍ପର୍କରେ ପ୍ରଶ୍ନ ହେବାରୁ ରାଜ୍ୟପାଳ ଉତ୍ତରଦେଲେ ମୋର ଆରଏସ୍‌ଏସ୍‌ ସହ ୧୯୯୮ଠାରୁ ସମ୍ପର୍କ। ଏବେ କ’ଣ ଆର୍‌ଏସ୍‌ଏସ୍‌ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କୁ କେବଳ ରାଜ୍ୟପାଳ କରାଯିବ? ଏହା ଆମ ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିବ, ଏଥିରେ ସନ୍ଦେହ ନାହିଁ। ସମଗ୍ର ଦେଶକୁ ସାମ୍ପ୍ରଦାୟିକ ଏକଚ୍ଛତ୍ରବାଦର ଯେଉଁ ଭୟଙ୍କର କଳାରାତି ମାଡ଼ିଆସୁଛି, କେରଳ ରାଜ୍ୟପାଳଙ୍କ ଭୂମିକା ତାହାର ଏକ ନଗ୍ନ ଉଦାହରଣ।

– ଜନାର୍ଦ୍ଦନ ପତି
ମୋ: ୯୪୩୭୦୦୭୭୭୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri