ଗୋଟିଏ ପିଲା ପାଇଁ

ବିରୋଧୀ ଦଳଙ୍କ କହିବା ଅନୁଯାୟୀ ଓଡ଼ିଶାରେ ୧୪,୫୦୦ ସ୍କୁଲ (ସରକାରୀ ତଥ୍ୟ କହୁଛି ୭,୭୭୨) ବନ୍ଦ କରିଦେବା ପାଇଁ ସରକାର ନିଷ୍ପତ୍ତି ନେଉଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଧାନସଭାର ଶୀତକାଳୀନ ଅଧିବେଶନରେ ବିରୋଧୀ ୩ ଦିନ ଧରି ଶାସକ ଦଳକୁ ଟାର୍ଗେଟ୍‌ କରିଥିଲେ। ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ସଫେଇ ଦିଆଗଲା ଯେ, ସ୍କୁଲଗୁଡ଼ିକୁ ବନ୍ଦ କରାଯାଉ ନାହିଁ ବରଂ ୨୫ ନୁହେଁ, ୧୫ରୁ କମ୍‌ ପିଲା ଥିଲେ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରାଯିବ। ୨୦୧୩ ନିୟମ ଅନୁସାରେ ନନ୍‌-ସିଡ୍ୟୁଲ ଅଞ୍ଚଳରେ ୪୦ ପିଲା ଓ ସିଡ୍ୟୁଲ ଅଞ୍ଚଳରେ ୨୫ ପିଲାରୁ କମ୍‌ ଥିଲେ ସ୍କୁଲ ବନ୍ଦ କରିଦେବାର ବ୍ୟବସ୍ଥା କରାଯାଇଥିଲା। ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକତ୍ରୀକରଣ ପ୍ରକ୍ରିୟାରେ ସ୍ଥାନାନ୍ତରଣ ବାବଦକୁ ବିଦ୍ୟାର୍ଥୀଙ୍କୁ ୩ ହଜାର ଟଙ୍କା ଲେଖାଏ ଏକକାଳୀନ ରାଶି ପ୍ରଦାନ କରାଯିବ। ଛୋଟ ଛୋଟ ବିଦ୍ୟାଳୟକୁ ଏକତ୍ରୀକରଣ କରି ବୃହତ୍‌ ସ୍କୁଲ କଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ ବୋଲି ସରକାରୀ ଭାବେ କୁହାଯାଇଛି।
ଉପରଲିଖିତ ବିନ୍ଦୁଗୁଡ଼ିକୁ ଆଲୋଚନା କରାଗଲେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବେ ଛାତ୍ରୀଛାତ୍ର। କୁହାଯାଉଛି ପାଖ ସ୍କୁଲଗୁଡ଼ିକୁ ମିଶ୍ରଣ କରାଯିବାରେ ତାହା ଯଦି ସର୍ବନିମ୍ନ ଦୂରତା ୩ କିଲୋମିଟର ହୁଏ, ତଥାପି ପିଲାମାନେ ଯିବାଆସିବାରେ ଭୀଷଣ ଅସୁବିଧା ଭୋଗିବେ। ସ୍ଥାନାନ୍ତରଣ ଲାଗି ଏକକାଳୀନ ୩ ହଜାର ଟଙ୍କା ଲେଖାଏ ବିଦ୍ୟାର୍ଥୀଙ୍କୁ ଦିଆଗଲେ ସେହି ଅର୍ଥ ଅଭିଭାବକଙ୍କ ଦ୍ୱାରା ଖର୍ଚ୍ଚ ହୋଇଯିବ। ଭାବିବା ଦରକାର ଯେ, ସବୁ ସମସ୍ୟାର ସମାଧାନ ଅର୍ଥ ଦେଇ କରିହେବ ନାହିଁ। ଗୋଟେ ସ୍କୁଲ ସହ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଭାବାବେଗ ଜଡ଼ିତ ଥାଏ। ବିଦ୍ୟାଳୟ ନିକଟରେ ହୋଇଥିବାରୁ ଅଭିଭାବକ ପିଲାକୁ ସେଠାକୁ ଛାଡ଼ିବାକୁ ନିରାପଦ ମଣିଥାଆନ୍ତି। ଏହାଛଡ଼ା ଗ୍ରାମାଞ୍ଚଳରେ ପିଲାମାନଙ୍କୁ ପାଠ ପଢ଼ାଇବା ସକାଶେ ମାତାପିତାଙ୍କ ଆଗ୍ରହ ଯଥେଷ୍ଟ ପରିମାଣରେ ଦେଖିବାକୁ ମିଳେ ନାହିଁ। ପୁଣି ବିଦ୍ୟାଳୟକୁ ଏକତ୍ରୀକରଣ କରି ବୃହତ୍‌ ସ୍କୁଲ କରାଗଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ ବୋଲି ଯାହା କୁହାଯାଉଛି, ତାହା ମୌଳିକ ଶିକ୍ଷାର ଲକ୍ଷ୍ୟ ପୂରଣ କରିବ ବୋଲି ବିଶ୍ୱାସ ହେଉ ନାହିଁ। କାରଣ ଶୈକ୍ଷିକ ପରିବେଶ ସୁନ୍ଦର ଦିଶୁଥିବା କୋଠାବାଡ଼ିରେ ନ ଥାଏ, ତାହା ଉତ୍ତମ ଶିକ୍ଷକ ଓ ଶୃଙ୍ଖଳିତ ବାତାବରଣ ଯୋଗୁ ହୋଇଥାଏ।
ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଅଣାଯାଉଛି ବୋଲି କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ସର୍ବଦା କୁହାଚାଲିଛି। କିନ୍ତୁ ବାସ୍ତବତା ଭିନ୍ନ ଚିତ୍ର ଦର୍ଶାଉଛି। ସମସ୍ତେ ଜାଣନ୍ତି ଯେ, ସରକାରୀ ସ୍କୁଲଗୁଡ଼ିକର ଶୈକ୍ଷିକ ବାତାବରଣ ଦୁର୍ବଳ ରହୁଥିବାରୁ ଧନୀ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଘରୋଇ ବିଦ୍ୟାଳୟରେ ନାମ ଲେଖାଉଛନ୍ତି। ଫଳରେ ସରକାରୀ ସ୍କୁଲର ଉପସ୍ଥାନ କମିଯାଉଛି। ଏଥିସହିତ ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ଅତି ଦରିଦ୍ର ପରିବାରରୁ ଆସିଥାଆନ୍ତି, ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନର ଗୁରୁତ୍ୱ ଦେଖିବାକୁ ମିଳେ। ଯାହା ଜଣାପଡ଼ୁଛି, ଉଚ୍ଚ ପଦପଦବୀରେ ଥିବା ଅନେକ ଅମଲାତନ୍ତ୍ରୀ ଓଡ଼ିଆ ସ୍କୁଲ ଓ ଭାଷା ପ୍ରତି ଶ୍ରଦ୍ଧାଶୀଳ ହେଉ ନ ଥିବାରୁ ବ୍ୟବସ୍ଥାରେ ସୁଧାର ଆସିପାରୁ ନାହିଁ। ଏଭଳି ଏକ ସମୟ ୧୫ ବର୍ଷ ତଳେ ଦେଖାଦେଇଥିଲା। ୨୭ ମେ ୨୦୦୫ରେ ଏହି ସ୍ତମ୍ଭରେ ‘ପୂର୍ଣ୍ଣ, ମଧୁ ଏବଂ ଫକିରା କିଏ?’ ଶୀର୍ଷକରେ ଲେଖା ପ୍ରକାଶ କରିଥିଲୁ। ସେହି ସମୟରେ ଜଣେ ବଙ୍ଗାଳୀ ଲୋକ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ। ସେତେବେଳେ ଶିକ୍ଷା ବ୍ୟବସ୍ଥାର ପୁନର୍ଗଠନ ଓ ଖର୍ଚ୍ଚକାଟ କରିବାକୁ ଯାଇ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା ଯେ, ବିଭିନ୍ନ ମହାବିଦ୍ୟାଳୟରେ ଥିବା ପାଠ୍ୟକ୍ରମରୁ ଅନର୍ସ ବ୍ୟତୀତ ଯେଉଁ ଇଚ୍ଛାଧୀନ ବିଷୟଗୁଡ଼ିକ ପଢ଼ିବାକୁ ଆବଶ୍ୟକ ସଂଖ୍ୟକ ଛାତ୍ରୀଛାତ୍ର ନାହାନ୍ତି, ସେହି ବିଷୟଗୁଡ଼ିକୁ ପ୍ରତ୍ୟାହାର କରିନିଆଯିବ। ଏଣୁ ସର୍ବାଧିକ ଓଡ଼ିଆ ଭାଷା ଉପରେ ମାଡ଼ ପଡ଼ିବ ବୋଲି ଏହି ସ୍ତମ୍ଭରେ ଦର୍ଶାଇଥିଲୁ। ସେତେବେଳେ ଶିକ୍ଷା ବିଭାଗର ନିଷ୍ପତ୍ତି ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜ, ମଧୁସୂଦନ ଦାସ ଓ ଫକୀର ମୋହନ ସେନାପତିଙ୍କ ଭଳି ଓଡ଼ିଶା ଏବଂ ଓଡ଼ିଆ ଭାଷାର ଟେକ ରଖିଥିବା ମନୀଷୀମାନଙ୍କ ପ୍ରତି ଅପମାନ ବୋଲି କହିଥିଲୁ। ପୂର୍ବସୂରୀମାନେ ଯାହା କରିଯାଇଛନ୍ତି, ତାକୁ ସୁରକ୍ଷିତ ରଖିବାରେ ମଧ୍ୟ ଆମେ ଅପାରଗ ବୋଲି ପ୍ରମାଣିତ କରିଚାଲିଥିବା ବିଷୟ ଏହି ସ୍ତମ୍ଭରେ ଉଲ୍ଲେଖ କରିଥିଲୁ। ଆଜି ଯଦି ଓଡ଼ିଆ ସ୍କୁଲ ଓ ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ହେବ, ତାହାହେଲେ ସରକାରଙ୍କୁ ଚିନ୍ତାଧାରା ବଦଳାଇବାକୁ ହେବ। ନ ହେଲେ ଅଣଓଡ଼ିଆ ଅଧିକାରୀ ଓ ଓଡ଼ିଆ ଭାଷା ପ୍ରତି ସମ୍ମାନ ନ ଥିବା ବ୍ୟକ୍ତିମାନେ ଆମକୁ ଖୁବ୍‌ଶୀଘ୍ର ପଙ୍ଗୁ କରିଦେବେ।
ନ୍ୟାୟ ବ୍ୟବସ୍ଥାରେ କୁହାଯାଏ ‘ହଜାରେ ଦୋଷୀ ଖସିଯାଆନ୍ତୁ ପଛେ, ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ’। ସେହିଭଳି ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ଦେଖିବାକୁ ହେବ। ଏଠାରେ ଏହା ମଧ୍ୟ ମନେରଖିବାକୁ ହେବ ଯେ, ମାତ୍ର ଗୋଟିଏ ପିଲା ସରକାରୀ ସ୍କୁଲରେ ପାଠପଢ଼ି ଯଦି ଭବିଷ୍ୟତରେ ନିଜ ମାତୃଭାଷା ଜାଣିଥିବା ଭଲ ନାଗରିକ ହୋଇପାରିଲା, ତେବେ ଏହିସବୁ ଖର୍ଚ୍ଚ ଯଥାର୍ଥ ବୋଲି ବିବେଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?