ସତ୍ୟ ଓ ଜୀବନରେ ତା’ର ପ୍ରୟୋଗ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

‘ସତ୍ୟମେବ ଜୟତେ’ ଓ ‘ସତ୍ୟଂବଦ’ ହେଉଛି ଉପନିଷଦର ବାଣୀ। ମନୁ ସଂହିତାରେ ସତ୍ୟ କଥନକୁ ଧର୍ମାଚରଣର ଲକ୍ଷଣ ଭାବରେ ଗ୍ରହଣ କରାଯାଇଛି। ମନୁ ପରାମର୍ଶ ଦେଇଛନ୍ତି, ‘ସତ୍ୟଂ ବ୍ରୂୟାତ୍‌ ପ୍ରିୟଂ ବ୍ରୂୟାତ ନ ବୂୟାତ ସତ୍ୟମପ୍ରିୟମ୍‌/ ପ୍ରିୟଂ ଚନାନୃତମ୍‌ ବ୍ରୂୟାତ ଏଷ ଧର୍ମଃ ସନାତନଃ। ଅର୍ଥାତ୍‌ ସତ୍ୟ କୁହ, ପ୍ରିୟ କଥାକୁହ, ମାତ୍ର ଯେଉଁ ସତ୍ୟ ଅପ୍ରିୟ ତାହା କୁହ ନାହିଁ। ପୁନଶ୍ଚ ପ୍ରିୟକଥା କହିବାକୁ ଯାଇ ଅସତ୍ୟ କୁହନାହିଁ। ସବୁବେଳେ ସତ୍ୟ ସମସ୍ତଙ୍କ ପାଇଁ ପ୍ରିୟ ନ ହୋଇପାରେ। ଏଣୁ ମନୁ ଅନ୍ୟର ସହିତ ସାଧନ କରୁଥିବା ଭଳି ସତ୍ୟ କହିବାକୁ ବାରଣ କରିଛନ୍ତି। ମାତ୍ର ଅନ୍ୟକୁ ଖୁସି କରିବା ପାଇଁ ଅସତ୍ୟ କହିବା ଲାଗି ମଧ୍ୟ ମନା କରିଛନ୍ତି। ସତ୍ୟ ସବୁବେଳେ ସତ୍ୟ। ତାହା ପ୍ରିୟ ହୋଇପାରେ, ଅପ୍ରିୟ ବି ହୋଇପାରେ। ଏଣୁ ଅପ୍ରିୟ ସତ୍ୟ କହିବାକୁ ବାରଣ କରି ମନୁ ସତ୍ୟ ଉପରେ କୁଠାରାଘାତ କରିଛନ୍ତି ବୋଲି ଯୁକ୍ତି କରାଯାଇପାରେ। ମାତ୍ର ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଭାଷାରେ ଏହି ଯୁକ୍ତିକୁ ଖଣ୍ଡନ କରାଯାଇପାରେ। ”ସତ୍ୟକୁ ଏକ ନିଷ୍ପ୍ରାଣ ବା ଅଚେତନ ସୂତ୍ର ଭାବରେ ପ୍ରୟୋଗ କରାଯାଇପାରେନା। ସତ୍ୟ ଚେନତା ନିର୍ଭର ଶକ୍ତି। ଆମ ଚେତନା କୌଣସି ଲୌହବଳୟ ଭିତରେ ଆବଦ୍ଧ ନୁହେଁ। ତାହା ଗତିଶୀଳ ତଥା ପ୍ରଗତିଶୀଳ। ସତ୍ୟ ଯେହେତୁ ଚେତନା ନିର୍ଭର, ତେଣୁ ତାହା ଗତିଶୀଳ ତଥା ପ୍ରଗତିଶୀଳ ହେବା ଅନିବାର୍ଯ୍ୟ।“ ଆମେ ଯେତେବେଳେ କୌଣସି ମୂଲ୍ୟବୋଧରେ ବିଶ୍ୱାସ କରୁ ତା’ର ଭିତ୍ତି ହେଲା ଆମେ ହୃଦୟଙ୍ଗମ କରୁଥିବା ଏକ ସତ୍ୟ। ହୁଏତ ଆସନ୍ତାକାଲି ଆମେ ସେହି ସତ୍ୟରୁ ଉତ୍ତୀର୍ଣ୍ଣ ହୋଇପାରୁ ଓ ଅପେକ୍ଷାକୃତ ମହତ୍ତର ସତ୍ୟ ଉପରେ ନିର୍ଭରଶୀଳ ହୋଇପାରୁ। ଆଧ୍ୟାତ୍ମିକ ସ୍ତରରେ ସତ୍ୟ ପରିବର୍ତ୍ତନଶୀଳ ନୁହେଁ। ମାତ୍ର ସାମାଜିକ ସ୍ତରରେ ସତ୍ୟ ଗତିଶୀଳ କାରଣ ଆଇନକାନୁନ, ପରମ୍ପରା ଓ ନୀତିନିୟମ ସାମାଜିକ ସତ୍ୟର ଅନ୍ତର୍ଭୁକ୍ତ ଓ ଏସବୁ ବିଭିନ୍ନ ସମୟରେ ପରିବର୍ତ୍ତନଶୀଳ। ସ୍ଥାନ କାଳ ପାତ୍ର ଭେଦରେ ସାମାଜିକ ସତ୍ୟ ସ୍ଥିର ରହେ ନାହିଁ। ଥରେ ଜଣେ ଶିକ୍ଷକ ଓ ଛାତ୍ର ଏକ ଗନ୍ତବ୍ୟସ୍ଥଳକୁ ଯିବା ବାଟରେ ଜଣେ ଭଦ୍ରଲୋକଙ୍କ ଘରେ ଅତିଥି ହେଲେ। ଭଦ୍ରଲୋକ ପୋଷିଥାନ୍ତି ଅନେକ କୁକୁଡ଼ା। ରାତିରେ ଗୃହସ୍ବାମୀ ତାଙ୍କ ପରିଚାରକକୁ କହୁଥାନ୍ତି ଏହି ଧଳା କୁକୁଡାଟି ଆଉ ଅଣ୍ଡା ଦେଉନାହିଁ। ଏଣୁ ଏହା ଆଉ କାମରେ ଆସୁନାହିଁ। ତାକୁ ଆଜି କାଟିଦିଅ। ଶିକ୍ଷକ ଗୃହସ୍ବାମୀଙ୍କ ଏହି ମନ୍ତବ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରି ଛାତ୍ରକୁ କହିଲେ, ‘ବୁଝିଲୁ, ଯାହା କାମରେ ଆସୁନାହିଁ ତା’ର ବଞ୍ଚିବାର ଅଧିକାର ନାହିଁ।’ ଛାତ୍ରଜଣକ ଏହାକୁ ନୀତିବାଣୀ ଭାବରେ ମନେରଖିଲା। ପରଦିନ ଉଭୟ ଶିକ୍ଷକ ଓ ଛାତ୍ର ବଣ ଅତିକ୍ରମ କରୁଥାନ୍ତି। ଦଳେ କାଠୁରିଆଙ୍କୁ ସେମାନଙ୍କ ମୁନୀବ କହୁଥାଏ, ‘ଏହି ଗଛଟି ସୁନ୍ଦର ଭାବେ ବଢ଼ିଛି ସିନା, କିନ୍ତୁ କୌଣସି କାମରେ ଆସିବ ନାହିଁ। ଏହାକୁ କାଟ ନାହିଁ।’ ଛାତ୍ରଟି ଏହା ଶୁଣି ଶିକ୍ଷକଙ୍କୁ ପଚାରିଲା ”ଆପଣ ଗତ ରାତିରେ କହିଥିଲେ, ଯାହା କାମରେ ଆସେ ନାହିଁ ତା’ର ବଞ୍ଚିବାର ଅଧିକାର ନାହିଁ। ଆଜି ତ ଏହି ଗଛଟି କାମରେ ଆସୁ ନ ଥିବା କାରଣରୁ ବଞ୍ଚିଗଲା। ତା’ହେଲେ କେଉଁଟା ସତ୍ୟ?“ ଶିକ୍ଷକ କହିଲେ, ”ବ୍ୟାବହାରିକ ସ୍ତରରେ ସତ୍ୟର ବହୁଦିଗ ଅଛି। ଏକ ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀରେ ଗୃହସ୍ବାମୀଙ୍କ କଥା ଯେପରି ସତ୍ୟ ଅନ୍ୟ ପରିପ୍ରେକ୍ଷୀରେ କାଠୁରିଆମାନଙ୍କ ମୁନୀବଙ୍କ କଥା ମଧ୍ୟ ସେହିପରି ସତ୍ୟ। ସାମାଜିକ ଜୀବନରେ ସତ୍ୟ ସ୍ଥିର ରହିପାରେ ନାହିଁ। ପୁଣି ଆମ ନିଜ ଚେତନା ଅପରିପକ୍ୱ ଥାଇପାରେ। ଆମେ ସବୁବେଳେ ଅଜ୍ଞାନ ଅନ୍ଧକାର ଭିତର ଦେଇ ଜୀବନଯାତ୍ରା ଅବ୍ୟାହତ ରଖିଛୁ। ଆମର ଅପରିପକ୍ୱ ଚେନତାରେ କୌଣସି ଏକ ସମସ୍ୟାର ସମାଧାନ ଖୋଜି ଆମେ ଯେଉଁ ସିଦ୍ଧାନ୍ତରେ ପହଞ୍ଚି ଥାଉ ତାହା ଯେ ନିଶ୍ଚୟ ଠିକ୍‌ ହୋଇଥିବ ସେକଥା ଦୃଢ଼ତାର ସହ କହିହେବ ନାହିଁ। ଆଜି ଯାହା ଭ୍ରାନ୍ତ ମନେହୁଏ, ଦିନେ ତା’ ପଛରେ ବି ସତ୍ୟ ଥିଲା। ବ୍ୟବହାରିକ ଜୀବନରେ ସ୍ଥାନ କାଳ ପାତ୍ର ଭେଦରେ ସତ୍ୟ ବଦଳିପାରେ।“
ମନୁଙ୍କ ମତରେ ଅପ୍ରିୟ ସତ୍ୟ କାହିଁକି କୁହାଯିବା ଉଚିତ ନୁହେଁ ଏ ସମ୍ପର୍କରେ ମହାଭାରତରେ ବର୍ଣ୍ଣିତ କୌଶିକ ଋଷିଙ୍କ ଜୀବନର ଏକ ଘଟଣାକୁ ସ୍ମରଣ କରାଯାଇପାରେ। ଦିନେ ଆଶ୍ରମରେ ବସିଥିବା ବେଳେ ତପସ୍ବୀ ଦେଖିଲେ କେତେଜଣ ପଥିକ ଆତଙ୍କିତ ହୋଇ ନିକଟସ୍ଥ ନିଘଞ୍ଚ ବୁଦାରେ ଆମତ୍ଗୋପନ କରୁଛନ୍ତି। ସେମାନଙ୍କୁ ଅନୁସରଣ କରୁଥାନ୍ତି ଦଳେ ହିଂସ୍ର ଡାକୁ। ସେମାନେ ତପସ୍ବୀଙ୍କୁ ପଚାରିଲେ, ହେ ମହାମତ୍ା! କେତେଜଣ ପଥିକ ଆପଣଙ୍କ ଆଶ୍ରମ ନିକଟରେ ଲୁଚି ଥିବାର ଆମେ ଜାଣୁ। ଆପଣ ଦୟାକରି ସେମାନେ କେଉଁଠି ଲୁଚିଲେ କହିବେ କି? ତପସ୍ବୀ ସତ୍ୟକଥନକୁ ଧର୍ମ ଭାବେ ଗ୍ରହଣ କରିଥିବାରୁ ସେହି ଘଞ୍ଚ ବୁଦାଆଡ଼େ ଅଙ୍ଗୁଳି ନିର୍ଦ୍ଦେଶ କଲେ। ଡାକୁମାନେ ପଥିକମାନଙ୍କୁ ସେଠୁ ଟାଣିଆଣି ସେମାନଙ୍କ ମୂଲ୍ୟବାନ ଦ୍ରବ୍ୟ ହରଣ କଲେ ଓ ସେମାନଙ୍କୁ ହତ୍ୟା କଲେ। ତଥ୍ୟଗତ ସ୍ତରରେ ତପସ୍ବୀ ଅବଶ୍ୟ ସତ୍ୟ ପ୍ରତି ନିଷ୍ଠା ପ୍ରଦର୍ଶନ କଲେ। ମାତ୍ର ତଦ୍ଦ୍ବାରା ଅନେକ ନିରୀହ ପୃଥିକଙ୍କ ମୃତ୍ୟୁର କାରଣ ହେଲେ। ଏହି କ୍ଷେତ୍ରରେ ସତ୍ୟ କଥନ କେବଳ ଏକ ଯାନ୍ତ୍ରିକ ଉଚ୍ଚାରଣ ଥିଲା। ଏହାଦ୍ୱାରା କୌଣସି ମହତ୍ତର ଉଦ୍ଦେଶ୍ୟ ସାଧିତ ହୋଇ ନ ଥିଲା। ଶରଣାର୍ଥୀମାନଙ୍କ ଜୀବନକୁ ବିପଦାପନ୍ନ କରିଥିବା ସତ୍ୟ କଥନ କେବେ ବି ଗ୍ରହଣୀୟ ହୋଇ ନ ପାରେ। ତପସ୍ବୀ ସତ୍ୟ କହି ଧର୍ମାଚରଣ କରିଛନ୍ତି ବୋଲି ଆମତ୍ସନ୍ତୋଷ ଲାଭ କରି ଥାଇପାରନ୍ତି। ମାତ୍ର ସ୍ଥୂଳ କର୍ମ ଓ ନିଷ୍ପ୍ରାଣସୂତ୍ର ଅବଲମ୍ବିତ କର୍ମ ଧର୍ମ ଅଧର୍ମ ନିର୍ଦ୍ଧାରଣ କରେ ନାହିଁ। ପ୍ରତ୍ୟେକ କର୍ମ ଅନ୍ତରାଳରେ ନିହିତ ଥିବା ଚେତନା ହିଁ ଧର୍ମ ଅଧର୍ମର ନିର୍ଦ୍ଧାରକ। ମହାଭାରତର ବନପର୍ବରେ ସତ୍ୟର ସଂଜ୍ଞା ନିର୍ଦ୍ଧାରଣ କରି କୁହାଯାଇଛି ”ସତ୍ୟଂ ଲୋକହିତଂ ପ୍ରୋକ୍ତଂ ଅର୍ଥାତ୍‌ ଲୋକହିତ ପାଇଁ ସତ୍ୟ କୁହାଯିବା ଉଚିତ।“ ତପସ୍ବୀଙ୍କ ସତ୍ୟ କଥନ ନିରୀହ ଲୋକଙ୍କ ମୃତ୍ୟୁର କାରଣ ହୋଇଥିବାରୁ ତାହା ଅଧର୍ମ ପଦବାଚ୍ୟ ହେଲା ଓ ସେ ନର୍କଦଣ୍ଡ ଭୋଗ କଲେ। ବେଳେବେଳେ ଉଚ୍ଚାରିତ ଶବ୍ଦରାଶି ମିଥ୍ୟା ହେଲେ ମଧ୍ୟ ତା’ ଭିତରେ ସତ୍ୟ ନିହିତ ଥାଇପାରେ। ସେହିଭଳି ମିଥ୍ୟା ଯଦି ଏକ ମହତ୍ତର ଉଦ୍ଦେଶ୍ୟ ସାଧନ କରୁଥାଏ, ତାହା ଗ୍ରହଣୀୟ ହୁଏ। ମନେପଡ଼େ ଏକ କାହାଣୀ। ଜଣେ ତପସ୍ବୀଙ୍କ କୁଟୀରରେ ପ୍ରବେଶ କଲା ଜଣେ ଡାକୁ। ସେ ସେଠି କୌଣସି ମୂଲ୍ୟବାନ ଦ୍ରବ୍ୟ ନ ପାଇ ଚାଲି ଯାଉଥିବା ବେଳେ ତପସ୍ବୀ କହିଲେ, ‘ଶୁଣ ଆଜି ଜଣେ ଧନୀ ବ୍ୟକ୍ତି ମୋତେ ସୁନାଚେକାଏ ଦେଇଥିଲେ। ମୋର ସୁନା କ’ଣ ହେବ? ତାକୁ ଖୋଜି ନେଇଯାଅ।’ ଡାକୁ ତାକୁ ଖୋଜି ପାଇଲା ଓ ପଚାରିଲା, ‘ଏହା ଖାଣ୍ଟି ସୁନା ତ?’ ତପସ୍ବୀ ଉତ୍ତର ଦେଲେ ‘ଏହା ନକଲି ସୁନା।’ ତଥାପି ଡାକୁ ତାକୁ ନେଇଗଲା ଓ ପରୀକ୍ଷା କରି ଜାଣିଲା ଯେ, ତାହା ଥିଲା ପ୍ରକୃତରେ ଖାଣ୍ଟି ସୁନା, ଡାକୁ ତପସ୍ବୀଙ୍କ ପାଖରେ ଆହୁରି ସେଭଳି ସୁନା ଥାଇପାରେ ଚିନ୍ତାକରି ଆଶ୍ରମକୁ ଆସି ତପସ୍ବୀଙ୍କୁ ପଚାରିଲା, ”ଆପଣଙ୍କୁ କିଏ କହିଲା ତାହା ନକଲି ସୁନା? ତାହା ତ ଖାଣ୍ଟି ସୁନା।“ ମାତ୍ର ତପସ୍ବୀ ପୁଣି କହିଲେ ‘ତାହା ନକଲି ସୁନା।’ ତୁ ଖାଣ୍ଟି ସୁନାରୁ କ’ଣ ପାଇବୁ? ଡାକୁ ଉତ୍ତର ଦେଲା, ‘ସୁଖ।’ ତପସ୍ବୀ କହିଲେ, ସୁନା କେବେ କାହାକୁ ସୁଖ ଦେଇ ନାହିଁ। ଏଣୁ ଏହା ଖାଣ୍ଟି ନୁହେଁ। ଖାଣ୍ଟି ସୁନା ଅଛି ତୋ ନିଜ ଭିତରେ। ତା’ର ସନ୍ଧାନର ମାର୍ଗ ଭିନ୍ନ। ଏହି କଥାପଦକ ଡାକୁକୁ ଏତେ ପ୍ରଭାବିତ କଲା ଯେ ପରବର୍ତ୍ତୀ ସମୟରେ ସେ ହେଲା ଅଧ୍ୟାତ୍ମ-ସନ୍ଧାନୀ। ସ୍ଥୂଳ ଦୃଷ୍ଟିରୁ ତପସ୍ବୀ ମିଛ କହିଥିଲେ, କାରଣ ସୁନା ପ୍ରକୃତରେ ଥିଲା ଅସଲି। ମାତ୍ର ସୂକ୍ଷ୍ମ ଦୃଷ୍ଟିରୁ ତାହା ଥିଲା ସତ୍ୟ, କାରଣ ଜଣେ ତପସ୍ବୀ ଦୃଷ୍ଟିରେ ସୁନା ଥିଲା ମୂଲ୍ୟହୀନ। ମାତ୍ର ତାଙ୍କର ଏହି ମିଛ କଥା ଜଣେ ଡାକୁର ଜୀବନଧାରାକୁ ପରିବର୍ତ୍ତନ କରିଦେଲା। ଏଣୁ ଶବ୍ଦ ଉଚ୍ଚାରଣରୁ ସତ୍ୟ ମିଥ୍ୟା ଜଣାପଡ଼େ ନାହିଁ। ତା’ ପଛରେ ନିହିତ ଥିବା ଚେତନା ଓ ମହତ୍ତର ଉଦ୍ଦେଶ୍ୟ ହିଁ ଧର୍ମ ଅଧର୍ମର ନିର୍ଦ୍ଧାରକ।
ବ୍ୟାବହାରିକ ଜୀବନରେ ସତ୍ୟ ପରିବର୍ତ୍ତନଶୀଳ ହେଲେ ମଧ୍ୟ ମନୁ ପ୍ରିୟ କଥା କହିବାକୁ ଯାଇ ଅସତ୍ୟ କହିବାକୁ ବାରଣ କରିଛନ୍ତି। ମିଥ୍ୟାକଥନ ମଣିଷର କେବଳ ଚାରିତ୍ରିକ ଅଧଃପତନ କରେ ନାହିଁ। ତା’ର ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଏ। ୨୦୧୨ ମସିହାରେ ଗବେଷକ ଆନାଟି କେଲିଙ୍କ ନେତୃତ୍ୱରେ ଫ୍ରାନ୍ସର ନୋତରଦାମ ବିଶ୍ୱବିଦ୍ୟାଳୟରେ ମିଛ କହିବାର ପ୍ରଭାବ ସମ୍ପର୍କରେ ଗବେଷଣା କରାଗଲା। ଜଣାଗଲା ମିଥ୍ୟାକଥନ ଦ୍ୱାରା ସ୍ବାସ୍ଥ୍ୟ ଭାଙ୍ଗିପଡ଼େ ଓ ସେହି ମିଥ୍ୟାକଥନ ଅଭ୍ୟାସ ତ୍ୟାଗ କରି ସତ୍ୟ କହିବାକୁ ସ୍ଥିର କଲେ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୁଏ। ଏହା ଅଧିକାଂଶ ଲୋକଙ୍କ ଅନୁଭୂତିସିଦ୍ଧ ଯେ, ଗୋଟିଏ ମିଥ୍ୟାକୁ ଲୁଚାଇବା ପାଇଁ ଆମକୁ ଅନେକ ମିଥ୍ୟା କହିବାକୁ ପଡ଼େ ଓ ଶେଷରେ ମାନସିକ ସନ୍ତୁଳନ ହରାଇବାକୁ ପଡ଼େ। ପ୍ରକୃତରେ ସତ୍ୟ କହିବା ହେଉଛି ଆମ ବ୍ୟକ୍ତିତ୍ୱର ମୌଳିକ ଧର୍ମ। ଆମେ ଯେତେବେଳେ ମିଛ କହୁ ଆମର ସମଗ୍ର ସତ୍ତା ତାକୁ ଅନୁମୋଦନ କରେ ନାହିଁ। ଏହି ଅସଂହତି ଥାଏ ବୋଲି ମିଥ୍ୟା ଉନ୍ମୋଚନକାରୀ ଯନ୍ତ୍ର(ପଲିଗ୍ରାଫ୍‌) ପ୍ରୟୋଗ କଲେ ସତ୍ୟ କଥାଟି ଧରାପଡ଼ିଯାଏ। ଏହା ପ୍ରମାଣ କରେ ଯେ, ଆମର ମୌଳିକ ଧର୍ମ ହେଉଛି ସତ୍ୟ କଥନ। ପ୍ରତ୍ୟେକ ମିଥ୍ୟାକଥନ ଏହି ମୌଳିକ ଧର୍ମ ଉପରେ ଗୋଟିଏ ଗୋଟିଏ ଆଘାତ। ମିଥ୍ୟାକଥନ ମଣିଷର ମୌଳିକ ପ୍ରବୃତ୍ତି ହୋଇ ନ ଥିବାରୁ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଏହାର କୁପ୍ରଭାବ ଥିବାରୁ ମନୁ କହିଥିଲେ, ପ୍ରିୟ କଥା କହିବାକୁ ଯାଇ ମିଥ୍ୟା କୁହ ନାହିଁ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?