
ନୂଆଦିଲ୍ଲୀ,୪।୨: ବଜେଟ-୨୦୨୫ କୁ ନେଇ ଦେଶବ୍ୟାପୀ ମନ୍ଥନ ଚାଲିଛି। ଏହାରି ମଧ୍ୟରେ ଖବରଦାତା ସମ୍ମିଳନୀ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ବଜେଟରେ ହୋଇଥିବା ଗୋଟିଏ ଗୋଟିଏ ଘୋଷଣାର ଲାଭ ଗଣାଇବାରେ ଲାଗିଛନ୍ତି। ସେ କହିଛନ୍ତି ଯେ, ଏହି ବଜେଟରେ ଅଭିବୃଦ୍ଧି ସହିତ ସାଧାରଣ ଲୋକଙ୍କ ଧ୍ୟାନ ମଧ୍ୟ ରଖାଯାଇଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ଯେ, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରଦାତାଙ୍କ ପାଇଁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବ। ଯାହା ଏକ ବିପୁଳ ପରିମାଣ ଏବଂ ଯଦି ସେମାନେ ଏହି ଟଙ୍କାକୁ ସିଷ୍ଟମରେ ଖର୍ଚ୍ଚ କରନ୍ତି, ତେବେ ଅଭିବୃଦ୍ଧି ମଧ୍ୟ ବୃଦ୍ଧି ପାଇବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ଧ୍ୟାନ ରେଳବାଇ, ସଡ଼କପଥ, ରାଜପଥ ଏବଂ ଗୃହ ଉପରେ ରହିଛି।
ଟାରିଫ୍ ସମ୍ପର୍କିତ ପ୍ରଶ୍ନରେ ଅର୍ଥମନ୍ତ୍ରୀଙ୍କ ଉତ୍ତର
ଆମେରିକୀୟ ଟାରିଫ୍ ର ପ୍ରଭାବ ବିଶ୍ୱର ବିଭିନ୍ନ ଶେୟାର ବଜାର ଉପରେ ଦେଖିବାକୁ ମିଳୁଛି। ଏହି ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘ଭାରତ ଏବଂ ଆମେରିକା ମଧ୍ୟରେ ଏପରି କୌଣସି ବାଣିଜ୍ୟ ନାହିଁ ଯାହା ଉପରେ ଆମେରିକା ଟାରିଫ୍ ଲଗାଇପାରିବ। କିନ୍ତୁ ଯଦି ସେମାନେ ଟାରିଫ୍ ଲାଗୁ କରନ୍ତି, ତେବେ ଆମେ ଏହା ଉପରେ ନଜର ରଖିଛୁ, ଯଦି ଆମେରିକା ଭାରତ ଉପରେ ଟାରିଫ୍ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଆମେ କ’ଣ କରିପାରିବା ଦେଖିବୁ, ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ।’