
ଭୋଗରାଇ, ୩ା୭ (ପ୍ରଦୀପ ଦାସ): ସୁବର୍ଣ୍ଣରେଖା ଉପରମୁଣ୍ଡରେ ବର୍ଷା କମିଥିବା ବେଳେ ଗାଲୁଡ଼ିହି ଜଳାଧାରରୁ ସମସ୍ତ ଗେଟ ବନ୍ଦ ହୋଇଥିବା ସିଡବ୍ଲ୍ୟୁସି ସୂଚନା ଦେଇଛନ୍ତି। ସୁବର୍ଣ୍ଣରେଖା ରାଜଘାଟ ଗେଜ୍ଠାରେ ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଇ ସତର୍କ ସୂଚନା ୯.୪୫ମିଟର ତଳେ ପ୍ରବାହିତ ହେଉଛି। ୩୦ ଗଁାରେ ବନ୍ୟାପାଣି ଛାଡ଼ିନି। ମନୁନଗର ଗାଁର ୨ ଶହ ପରିବାର ସହ ଗବଗାଁ ଏବେ ବି ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି। ବନ୍ୟାପ୍ଲାବିତ ଗାଁଗୁଡିକରେ ଅଦ୍ୟାବଧି ଲୋକେ ମାଟିଘର ଓ ଭଙ୍ଗାଘର ଛାଡି ପିଲାଛୁଆ ନେଇ ଅନ୍ୟ ଘରେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଗାଁଗୁଡିକରେ ନଳକୂପ ବୁଡିଯାଇଛି। ଏବେବି ତଳିଆ ଗାଁ ରାସ୍ତାଗୁଡିକରେ ବନ୍ୟାପାଣି ରାସ୍ତା ଉପରେ ଆଣ୍ଠୁଏରୁ ଅଣ୍ଟାଯାଏ ସ୍ରୋତ ଛୁଟୁଛି।
ବନ୍ୟା ଘେରରେ ଥିବା ବିପନ୍ନଙ୍କୁ ୯ଟି ସୁରକ୍ଷିତ ବାତ୍ୟାଶ୍ରୟସ୍ଥଳୀ ଓ ପ୍ରାଥମିକ ସ୍କୁଲରେ ଅଦ୍ୟାବଧି ୯୧୯ଜଣଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। କଚୁଆଡି ପଞ୍ଚାୟତର ବନ୍ୟାଞ୍ଚଳ ଗାଁଗୁଡିକରେ ସମସ୍ତ ବିପନ୍ନଙ୍କୁ ୩ ଓଳି ଖାଦ୍ୟ ଓ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାନ୍ତି ସରକାରଠାରେ ଦାବି ରଖିଛନ୍ତି। ବନ୍ୟା ବିପନ୍ନଙ୍କଠାରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଜିଲାପରିଷଦ ସଦସ୍ୟା କବିତା ମହାନ୍ତି, ଦମୟନ୍ତୀ ସାହୁ, ରାଜକିଶୋର ଜେନା, କଂଗ୍ରେସ ନେତା ସତ୍ୟଶିବ ଦାସ, ସୁଦର୍ଶନ ଦାସ, ସନ୍ତୋଷ କୁମାର ଜେନା, ମମତା ସାହୁ, ମୀନାରାଣୀ ସୁର, ରାଜେନ୍ଦ୍ର ପଣ୍ଡା, ଭାଜପା ନେତା ଆଶିଷ କୁମାର ପାତ୍ର, ରାଧାକାନ୍ତ ପ୍ରଧାନ, ଅମଳେନ୍ଦୁ ଦାସ, ସତ୍ୟବ୍ରତ ଜେନା, ନୀଳକଣ୍ଠ ଘୋଷ, ପରମାନନ୍ଦ ପରିଡା ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ଅପରପକ୍ଷରେ ସେଚ ବିଭାଗର ଏସ୍ଡିଓ ପ୍ରିୟବ୍ରତ ସିଂ, ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରା, ଡାକ୍ତର ସିଂ, ପ୍ରମଥ କୁମାର ଦେ, କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ସିଓଲଙ୍କ ସହ ଜଳସମ୍ପଦ ବିଭାଗର ଅଧିକାରୀମାନେ ଦୁର୍ବଳ ନଦୀବନ୍ଧ ଉପରେ ଅଦ୍ୟାବଧି ୨୪ ଘଣ୍ଟିଆ ନଜରଦାରି ରଖିଛନ୍ତି।