ଓଡ଼ିଶା ପ୍ରଗତିରେ ମତ୍ସ୍ୟକ୍ଷେତ୍ର

୧୯୫୭ ଜୁଲାଇ ୧୦ରେ ଅବିଭକ୍ତ ଢେଙ୍କାନାଳ ଜିଲା ଅନ୍ତର୍ଗତ ନାରାୟଣ ସାଗର ସରକାରୀ ମାଛ ଫାର୍ମରେ କାର୍ପ ମାଛର କୃତ୍ରିମ ପ୍ରଜନନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିଲା। ଭାରତର ବିଶିଷ୍ଟ ମତ୍ସ୍ୟବିଜ୍ଞାନୀ ଡ. କେ. ଏଚ୍‌. ଆଲିକୁନି ଏବଂ ଡ. ହୀରାଲାଲ ଚୌଧୁରୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ତଥା ତତ୍କାଳୀନ ମତ୍ସ୍ୟ ନିର୍ଦ୍ଦେଶକ ଡ. ଗଜେନ୍ଦ୍ର ନାଥ ମିତ୍ରଙ୍କ ସହଯୋଗରେ ଆମ ଦେଶକୁ ଏହି ଐତିହାସିକ ସଫଳତା ମିଳିଥିଲା। ଏହି ମହତ୍ତ୍ୱପୂର୍ଣ ଐତିହାସିକ ସଫଳତାକୁ ମନେରଖିବା ପାଇଁ ଏହି ଦିନଟିକୁ ସାରା ଭାରତରେ ଜାତୀୟ ମତ୍ସ୍ୟଚାଷୀ ଦିବସ ରୂପେ ପାଳନ କରାଯାଇଥାଏ । ଦେଶର ପ୍ରଗତି ଓ ବିକାଶରେ ମତ୍ସ୍ୟଚାଷୀ/ମତ୍ସ୍ୟଜୀବୀ/ମତ୍ସ୍ୟ ଉଦ୍ୟୋଗୀ ଓ ମତ୍ସ୍ୟ ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଅବଦାନକୁ ସ୍ମରଣ କରାଯିବା ସହ ଏହି କ୍ଷେତ୍ରକୁ ନୂତନ ଜ୍ଞାନକୌଶଳ ଯୁକ୍ତ କରିବା ଓ ପରିବେଶ ଅନୁକୂଳଯୁକ୍ତ ସମୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।
ମତ୍ସ୍ୟ ସମ୍ପଦ ଦୃଷ୍ଟିରୁ ଓ ଏକ ଉନ୍ନତ ରାଜ୍ୟ। ୭.୩୪ ଲକ୍ଷ ହେକ୍ଟର ମଧୁର ଜଳ କ୍ଷେତ୍ର, ୪.୧୮ ଲକ୍ଷ ହେକ୍ଟର ଖାରିଜଳ କ୍ଷେତ୍ର ଓ ସର୍ବୋପରି ୪୮୦ କିମି ଉପକୂଳ ଅଞ୍ଚଳକୁ ନେଇ ଓ ମତ୍ସ୍ୟ ସମ୍ପଦ ସମୃଦ୍ଧ। ଏବେ ପ୍ରାୟ ଦଶଟି ପ୍ରଜାତିର ମାଛ ଚାଷ ହେଉଥିବା ବେଳେ ତିନି ଦଶନ୍ଧି ପୂର୍ବରୁ ମାଛଚାଷ କହିଲେ କେବଳ ରୋହି, ଭାକୁର ଓ ମିରିକାଳୀ ମାଛଚାଷକୁ ବୁଝାଯାଉଥିଲା। ଏହି ତିନି ପ୍ରଜାତିର ମାଛକୁ ସାଧାରଣତଃ କାର୍ପ ମାଛ କୁହାଯାଇଥାଏ। କୃତ୍ରିମ ପ୍ରଜନନ ମାଧ୍ୟମରେ ମାଛ ଯାଆଁଳ ଉତ୍ପାଦନ ହେବା ପୂର୍ବରୁ ନଦୀ ସ୍ରୋତରୁ ମାଛ ଯାଆଁଳ ସଂଗ୍ରହ କରାଯାଇ ଚାଷୀମାନଙ୍କୁ ମାଛଚାଷ ନିମନ୍ତେ ଯୋଗାଇ ଦିଆଯାଉଥିଲା। ସାଧାରଣତଃ କାର୍ପ ଜାତୀୟ ମାଛମାନେ ସ୍ଥିର ଜଳରେ ଅଣ୍ଡା ଦିଅନ୍ତି ନାହିଁ। ପ୍ରବହମାନ ନଦୀର ଧାରରେ ସେମାନେ ବର୍ଷାଋତୁ ଆଗମନରେ ପ୍ରଜନନ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଗ୍ରୀଷ୍ମର ଉତ୍ତାପ ହ୍ରାସ କରି ବର୍ଷା ଯେତେବେଳେ ପ୍ରକୃତିକୁ ଶାନ୍ତ ଶୀତଳ କରିବା ଆରମ୍ଭକରେ ସେ ସମୟରେ ନଦୀବକ୍ଷରେ ବୟଃପ୍ରାପ୍ତ ଅଣ୍ଡିରା ଓ ମାଈମାଛର ମିଳନ ଆରମ୍ଭ ହୁଏ। ବାହ୍ୟ ଗର୍ଭାଧାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାପରେ ଅଣ୍ଡାଗୁଡ଼ିକ ନଦୀଜଳର ସ୍ରୋତରେ ଭାସିବୁଲନ୍ତି ଓ କ୍ରମେ ଏଥିରୁ ମାଛ ଯାଆଁଳଗୁଡ଼ିକ ସୃଷ୍ଟି ହୋଇଥାନ୍ତି। ଏହି କ୍ଷୁଦ୍ର ମାଛ ଯାଆଁଳକୁ ସଂଗ୍ରହ କରାଯାଇ ମତ୍ସ୍ୟଚାଷୀଙ୍କୁ ବିତରଣ କରାଯାଉଥିଲା। ନଦୀଜଳରୁ ସଂଗୃହୀତ ଏହି ମାଛ ଯାଆଁଳକୁ ନେଇ ଚାଷ କରୁଥିବା ଚାଷୀମାନେ ବିଶେଷ ଲାଭବାନ ହେଉ ନ ଥିଲେ। କାରଣ ଏଥିରେ ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ରହୁଥିଲା ଓ ସବୁଯାଆଁଳ ଉନ୍ନତ ବା ରୋଗମୁକ୍ତ ନ ଥିଲେ। ମାଛଚାଷୀମାନଙ୍କୁ କିପରି ଭାବରେ ଉନ୍ନତ, ସ୍ବାସ୍ଥ୍ୟକର ଓ ନୀରୋଗ ଯାଆଁଳ ପ୍ରଦାନ କରାଯାଇପାରିବ ସେଥିପାଇଁ ମତ୍ସ୍ୟବିଜ୍ଞାନୀମାନେ ଗବେଷଣା ଆରମ୍ଭ କରିଥିଲେ। ଯାଆଁଳ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ(ହାଚେରି) ପ୍ରଭାବିତ ପ୍ରଜନନ ପ୍ରକ୍ରିୟାରେ ଅଧିକ ଅମଳକ୍ଷମ ଓ ଲୋକପ୍ରିୟ ମାଛ ରୋହି, ଭାକୁର ଓ ମିରିକାଳୀ ମାଛ ଯାଆଁଳ ଉତ୍ପାଦନ ପାଇଁ ଗବେଷଣାକୁ ତ୍ୱରାନ୍ବିତ କରାଯାଇଥିଲା। କୃତ୍ରିମ ପ୍ରଜନନ ହେଉଛି ମାଛଙ୍କ ଦେହରେ ଏକ ନିର୍ଦ୍ଦିଷ୍ଟ ହରମୋନ ପ୍ରୟୋଗ କରାଯାଇ କୃତ୍ରିମ ଉପାୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରଜନନ ଅନୁକୂଳ ପରିବେଶ ସୃଷ୍ଟିକରି ଅଣ୍ଡାଦାନ ପ୍ରକ୍ରିୟାକୁ ସମ୍ପନ୍ନ କରିବା। ଏକ ନିର୍ଦ୍ଦିଷ୍ଟ ଉତ୍ତାପ, ଆଲୋକ, ଜଳର କୃତ୍ରିମ ସ୍ରୋତ ଓ ବର୍ଷା ମାଧ୍ୟମରେ ଏହା ସମ୍ପନ୍ନ ହୁଏ।
ମାଛମାନଙ୍କଠାରେ ପିଟୁଇଟାରୀ ଗ୍ରନ୍ଥିରୁ ସଂଗୃହୀତ ରସ ମାଧ୍ୟମରେ କୃତ୍ରିମ ପ୍ରଜନନ ପରୀକ୍ଷା ଆରମ୍ଭ ହୁଏ ଆର୍ଜେଣ୍ଟିନାରେ ୧୯୩୦ ମସିହାରେ ଜୀବବିଜ୍ଞାନୀ ବି. ଏ. ହୁସେଙ୍କ ଦ୍ୱାରା। ପରେ ୧୯୩୪ରେ ଏହା ଉପରେ ସଫଳତା ମିଳେ ବ୍ରାଜିଲକୁ। ଭାରତରେ କୃତ୍ରିମ ପ୍ରଜନନ କାର୍ଯ୍ୟ ବୈଜ୍ଞାନିକ ହାମିଦ ଖାନଙ୍କ ଦ୍ବାରା ଆରମ୍ଭହୁଏ ୧୯୩୭ରେ। ୧୯୫୫ରେ ଡ. ହୀରାଲାଲ ଚୌଧୁରୀ ଦଣ୍ଡକିରି ମାଛରେ ଏହା ପ୍ରୟୋଗ କରିଥିଲେ। ଏହି ବର୍ଷ ମାଗୁର ମାଛରେ କୃତ୍ରିମ ପ୍ରଜନନ ପ୍ରକ୍ରିୟା କରିଥିଲେ ରାମସ୍ବାମୀ ଓ ସୁନ୍ଦରରାଜ। ଇତିମଧ୍ୟରେ ଅନେକ ଦଶକ ବିତିଯାଇଛି ଓ ମାଛର କୃତ୍ରିମ ପ୍ରଜନନରେ ଅନେକ ଉନ୍ନତୀକରଣ ଓ ପାରଦର୍ଶିତା ହାସଲ କରାଯାଇପାରିଛି। ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ଉନ୍ନତ ମାଛ ଯାଆଁଳର ଆବଶ୍ୟକତା ରହିଛି ଓ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। କେବଳ ବର୍ଷାଋତୁ ନୁହେଁ, ତା’ ପୂର୍ବରୁ ଓ ବର୍ଷ ସାରା ସରକାରୀ ତଥା ଘରୋଇ ଫାର୍ମରୁ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ପୂର୍ବକ ମାଛ ଯାଆଁଳ ଉତ୍ପାଦନ କରାଯାଇ ମାଛଚାଷୀଙ୍କୁ ଯୋଗାଇ ଦିଆଯାଉଛି। ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ସହ ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ସାବଲମ୍ବୀ କରିବାପାଇଁ ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ବିଗତ ପାଞ୍ଚ ବର୍ଷ ମଧ୍ୟରେ ମାଛ ଯାଆଁଳ ଉତ୍ପାଦନ ୯୪.୭୨ କୋଟିରୁ ୩୧୦ କୋଟିରେ ପହଞ୍ଚିଛି। ଆମ ରାଜ୍ୟରେ ମାଛ ଉତ୍ପାଦନ ବିଗତ ୫ ବର୍ଷରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇ ୨୦୨୩ -୨୪ରେ ୧୧.୨୪ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ୨୦୦୧ରେ ମତ୍ସ୍ୟ ଉତ୍ପାଦନରେ ଅଷ୍ଟମ ସ୍ଥାନରେ ଥିବା ଓଡ଼ିଶା ଏବେ ସାରା ଦେଶରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇପାରିଛି। ଓଡ଼ିଶାର ପ୍ରାୟ ୧୫ ଲକ୍ଷ ଲୋକ ମତ୍ସ୍ୟକ୍ଷେତ୍ର ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରୋତ୍ସାହନ ତଥା ମତ୍ସ୍ୟଚାଷୀଙ୍କ ସଫଳ ଉଦ୍ୟମ ଓ ନିଷ୍ଠାପର ମନୋଭାବ ଯୋଗୁ ଆମ ରାଜ୍ୟ ମାଛ ଉତ୍ପାଦନରେ କ୍ରମାଗତ ପ୍ରଗତି ହାସଲ କରିଚାଲିଛି। ଖାଦ୍ୟ ନିରାପତ୍ତା, ଜୀବିକା ସୁରକ୍ଷା, ମତ୍ସ୍ୟଚାଷୀ/ମତ୍ସ୍ୟଜୀବୀଙ୍କ କଲ୍ୟାଣ ଓ ନିଯୁକ୍ତି ସୃଷ୍ଟିପାଇଁ ଜଳକୃଷିର ବିକାଶ ଓ ମତ୍ସ୍ୟ ସମ୍ପ୍ରସାରଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା ନିଜକୁ ପ୍ରତିଷ୍ଠିତ କରିପାରିଛି। ଆମ ରାଜ୍ୟରେ ମୁଣ୍ଡପିଛା ବାର୍ଷିକ ମାଛ ବ୍ୟବହାର ଜାତୀୟ ହାରଠାରୁ ଢେର ଅଧିକ। ଜାତୀୟ ସ୍ତରରେ ଏହା ବାର୍ଷିକ ୬.୩୧ କିଲୋଗ୍ରାମ ଥିଲାବେଳେ ଆମ ରାଜ୍ୟରେ ୧୮.୩୩ କିଲୋଗ୍ରାମ ଅଛି। ବୈଦେଶିକ ମୁଦ୍ରା ଅର୍ଜନରେ ମଧ୍ୟ ଓ ମତ୍ସ୍ୟ କ୍ଷେତ୍ରର ପ୍ରମୁଖ ଭୂମିକା ରହିଛି। ବିଦେଶକୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ଗତ ୫ ବର୍ଷ ମଧ୍ୟରେ ୩୩ % ବୃଦ୍ଧି ପାଇ ୨୦୧୮-୧୯ ରେ ୨୯୬୯ କୋଟି ଟଙ୍କାରୁ ୨୦୨୩ -୨୪ରେ ୩୯୫୪. ୬୦ କୋଟି ଟଙ୍କାରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ୨୭% ବୃଦ୍ଧି ପାଇ ୦.୬୬ ଲକ୍ଷ ମେଟ୍ରିକ ଟନ୍‌ରୁ ୦.୮୪ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି।
ନୂତନ ପୋଖରୀ ଖନନ କରି ଉଭୟ ମଧୁରଜଳ ମାଛ ଓ ଖାରିଜଳ ମାଛ/ଚିଙ୍ଗୁଡ଼ି ଚାଷ ନିମନ୍ତେ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଗ୍ରାମପଞ୍ଚାୟତ ପୋଖରୀକୁ ଦୀର୍ଘମିଆଦୀ ସୂତ୍ରରେ ଲିଜ ପ୍ରଦାନ ପୂର୍ବକ ମାଛ ଚାଷ ପାଇଁ ସୁଯୋଗ ଦିଆଯାଉଛି। ଏହାଦ୍ୱାରା ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ଗ୍ରାମାଞ୍ଚଳରେ ଅପପୁଷ୍ଟି ଦୂର ଓ ମହିଳାମାନଙ୍କୁ ଆର୍ଥିକ ସଶକ୍ତ କରାଯାଇପାରୁଛି। ଉନ୍ନତ ଜ୍ଞାନକୌଶଳ ଯୁକ୍ତ ଜଳଭଣ୍ଡାରରେ ପଞ୍ଜୁରି ମଧ୍ୟରେ ମାଛଚାଷ, ବାୟୋଫ୍ଲକ ପଦ୍ଧତିରେ ମାଛଚାଷ, ପୁନଃ ସଂଚାଳନ ପଦ୍ଧତିରେ ମାଛ ଚାଷ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ଏଥିରେ ସାବଲମ୍ବୀ ହେବାର ଦୃଢ଼ ସମ୍ଭାବନା ସୃଷ୍ଟି କରିଛି। ମତ୍ସ୍ୟଚାଷୀ/ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ସେମାନଙ୍କ ପରିବାରଙ୍କୁ ବୀମାଭୁକ୍ତ କରିବା, ସେମାନଙ୍କ ପୁଅ ଝିଅଙ୍କ ଉଚ୍ଚତର ଶିକ୍ଷାପାଇଁ ମେଧା ବୃତ୍ତି ପ୍ରଦାନ, ମାଛଧରା କଟକଣା ସମୟରେ ଜୀବିକା ସହାୟତା ପ୍ରଦାନ, ମତ୍ସ୍ୟ ପରିବହନ ପାଇଁ ଭିତ୍ତିଭୂମି ଯୋଗାଣ, ଡଙ୍ଗା ଓ ଜାଲ ନିମନ୍ତେ ସହାୟତା, ବରଫକଳ ପ୍ରତିଷ୍ଠା, ମାଛ/ଚିଙ୍ଗୁଡି ହାଚେରି ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ, ମତ୍ସ୍ୟଜୀବୀ ସୋସାଇଟିର ଦୃଢ଼ୀକରଣ, ମତ୍ସ୍ୟ ଅବତରଣ କେନ୍ଦ୍ର/ମତ୍ସ୍ୟ ବନ୍ଦରଗୁଡ଼ିକର ଆଧୁନିକୀକରଣ, ଆଧୁନିକ ମତ୍ସ୍ୟ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା, ନଦୀ ଓ ଜଳଭଣ୍ଡାରଗୁଡ଼ିକରେ ମାଛ ବଂଶ ବୃଦ୍ଧି ତଥା ଏହା ଉପରେ ନିର୍ଭର କରିଚାଲୁଥିବା ମତ୍ସ୍ୟଜୀବୀଙ୍କ ରୋଜଗାର ବୃଦ୍ଧି ପାଇଁ ଅଙ୍ଗୁଳିକା ମାଛ ଯାଆଁଳ ଛାଡ଼ିବା ଆଦି ସରକାରଙ୍କର ବିଭିନ୍ନ ପଦକ୍ଷେପ ରାଜ୍ୟର ମତ୍ସ୍ୟସମ୍ପଦ କ୍ଷେତ୍ରକୁ ସୁଦୃଢ଼ କରିଛି। ରାଜ୍ୟର ଅଗଣିତ ମତ୍ସ୍ୟ ଚାଷୀ/ମତ୍ସ୍ୟଜୀବୀ/ମତ୍ସ୍ୟ ଉଦ୍ୟୋଗୀମାନଙ୍କ ପ୍ରଗାଢ଼ ନିଷ୍ଠା ଓ ଦାୟିତ୍ୱସମ୍ପନ୍ନ ଆଭିମୁଖ୍ୟ ତଥା ରାଜ୍ୟ ସରକାରଙ୍କ ବହୁବିଧ ଯୋଜନାର ସଫଳ ରୂପାୟନ ଯୋଗୁ ରାଜ୍ୟକୁ ମତ୍ସ୍ୟସମ୍ପଦ ଅଭିବୃଦ୍ଧିରେ ମିଳିଛି ସାମଗ୍ରିକ ସଫଳତା ।

  • ପ୍ରକାଶ ତ୍ରିପାଠୀ
    ମୋ- ୯୪୩୭୨୩୨୪୬୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭି. ସହେଲି, ଲକ୍ଷ୍ୟ ଗୋସ୍ବାମୀ, ଉଦୟ ସିଂ, ସୌରିଶ ଗ୍ରୋଭର ଏବଂ ଅର୍ମାନ ଶରନ ଏକାବେଳକେ ଦୁଇଟି କାମ କରୁଥିବା ଏକ କୁଲିଂ ଡିଭାଇସ ଆବିଷ୍କାର...

ପ୍ରେରଣା ଓ ପ୍ରତାରଣା

ସମାଜରେ ଅସାମାଜିକ ତତ୍ତ୍ୱଙ୍କ ସଂଖ୍ୟା ବୃଦ୍ଧି ପାଇ ସମାଜକୁ ବିଶୃଙ୍ଖଳିତ କରିଦେଉଛି। ମଣିଷର ଭକ୍ତି ଓ କୃତି ମଧ୍ୟରେ ଭୟଙ୍କର ବ୍ୟବଧାନ। ଗତ ଶତାବ୍ଦୀର ମଧ୍ୟଭାଗ...

ପର ପାଇଁ ଜିଇବାର ସୁଖ

ଆମେ ସଭିଏଁ ନିଜ ପାଇଁ ଜିଇବାରେ ଏତେ ବ୍ୟସ୍ତ ଓ ଅଭ୍ୟସ୍ତ ଯେ ଆମ ଜୀବନ ପରିସର ବାହାରେ ଅନ୍ୟ କାହା ଜୀବନର ଦୁଃଖଯନ୍ତ୍ରଣା ବୁଝିବାକୁ...

ନାମ ନୁହେଁ ମାନ

ଆସିଲା ବର୍ଷା ଏବଂ ମୁଖ୍ୟତଃ ଉତ୍ତରଭାରତରେ ଆରମ୍ଭ ହେଲା ବୋଲବମ୍‌ ଯାତ୍ରା। ଓଡ଼ିଶାରେ ଆମେ ଯାହାକୁ ବୋଲବମ୍‌ କହୁ ସେମାନଙ୍କୁ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ...

ଏଇ ଭାରତରେ

କାର୍‌ କିମ୍ବା ବସ୍‌ ଭିତରେ ଏସି ଲାଗିବା ସାଧାରଣ କଥା। କିନ୍ତୁ ଟ୍ରାକ୍ଟରରେ ଏସି, ଶୁଣି ତାଜୁବ ଲାଗିବା ସ୍ବାଭାବିକ। ଏହା କରିଦେଖାଇଛନ୍ତି ଯୁବ ଚାଷୀ...

ଫିକା ପଡ଼ିଯାଉଛି ପର୍ବପର୍ବାଣି

ଡ. ଅନ୍ତର୍ଜିତା ନାୟକ ବହୁ ଧର୍ମ ଏବଂ ବିବିଧ ସଂସ୍କୃତିର ଦେଶ ଭାରତରେ ବର୍ଷସାରା ଅଗଣିତ ପର୍ବ ପାଳନ କରାଯାଏ। ଫସଲ ଅମଳ ହେଉ, ବସନ୍ତର...

ଆଗାମୀ ଓଡ଼ିଶା ବଜେଟର ଆର୍ଥିକ ଦିଗ

ନଟବର ଖୁଣ୍ଟିଆ ବିଜୁ ଜନତା ଦଳ (ବିଜେଡି) ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱରେ କ୍ରମାନ୍ବୟରେ ୨୦୦୦ ମସିହାରୁ ପାଞ୍ଚ ପାଞ୍ଚଟା ନିର୍ବାଚନ ଜିଣି ୨୦୨୪ ପର୍ଯ୍ୟନ୍ତ ୨୪...

ଆମେ ଶ୍ରେୟ ଦେଉନା

ଭାରତୀୟଙ୍କର ଅନ୍ୟ କାହାରିକୁ ଶ୍ରେୟ ଦେବାର ଚରିତ୍ର ଅଧିକାଂଶ ସମୟରେ ଦେଖିବାକୁ ମିଳେ ନାହିଁ। ଆମର ପୁରାଣଶାସ୍ତ୍ରରେ ରାବଣଙ୍କ ଭାଇ ବିଭୀଷଣଙ୍କୁ ଶ୍ରେୟ ଦେବା ପରିବର୍ତ୍ତେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri