Posted inଫୁରସତ

ଦରମା ଟଙ୍କା ବାପା, ମା’ଙ୍କ ହାତରେ ଦେଇଥିଲି: ଧନେଶ୍ୱର ପୃଷ୍ଟି

ସେଦିନ ଥିଲା ୧୯୬୭ ମସିହା ଜୁଲାଇ ୨୫ ତାରିଖ। ପୂର୍ବରୁ ବି.ଏ. ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। କିନ୍ତୁ କୌଣସି କାରଣରୁ ଇତିହାସ ଅନର୍ସ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିଲା। ସେଦିନ ଖବରକାଗଜରୁ ମୋର କ୍ରମିକ ନମ୍ବରଟି ଦ୍ୱିତୀୟ ଶ୍ରେଣୀ ଅନର୍ସରେ ସ୍ଥାନିତ ହୋଇଥିବାର ଦେଖି ମୋର ଆନନ୍ଦର ସୀମା ରହିଲା ନାହିଁ। କାରଣ ସେ ସମୟରେ ଅନର୍ସ ସ୍ନାତକମାନଙ୍କ ସଂଖ୍ୟା ଖୁବ୍‌ କମ୍‌ ଥିଲା। ପରବର୍ତ୍ତୀ କାଳରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ମୋର ବି.ଏ. ସାର୍ଟିଫିକେଟ୍‌ ଓ ସି.ଏଲ୍‌.ସି. ନେଇ ମୋ ଗାଁ ରାଜସୁନାଖେଳାକୁ ଫେରିଲି ଏବଂ ୧ା୮ା୧୯୬୭ରୁ ନୟାଗଡ଼ ଜିଲା ରଣପୁର ଅନ୍ତର୍ଗତ ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଜୀବନ ଆରମ୍ଭକଲି। ସେ ସମୟରେ ବି.ଏ. ପାସ୍‌ କରିଥିବା ଶିକ୍ଷକମାନଙ୍କର ଦରମା ଥିଲା ୧୭୧ଟଙ୍କା (ବେତନ ୧୧୦ଟଙ୍କା ଓ ମହଙ୍ଗାଭତ୍ତା ୬୧ଟଙ୍କା)। ହେଲେ ବିଦ୍ୟାଳୟର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ୧୫୧ଟଙ୍କାରେ ପରିଚାଳନା କମିଟି ମୋ ସହିତ ଚୁକ୍ତିବଦ୍ଧ ହୋଇଥିଲେ। ସେତେବେଳେ ଗ୍ରାଣ୍ଟ-ଇନ୍‌-ଏଡ୍‌ ପାଉଥିବା ବିଦ୍ୟାଳୟଗୁଡ଼ିକୁ ବର୍ଷରେ ଦୁଇଥର ଦରମା ପ୍ରଦାନର ବ୍ୟବସ୍ଥା ଥିଲା। ପୁରୀ ସି.ଆଇ. କାର୍ଯ୍ୟାଳୟରୁ ଦଶହରା ପୂର୍ବରୁ ଆଡ୍‌ଭାନ୍‌ସଡ ପେମେଣ୍ଟ ଓ ମାର୍ଚ୍ଚ ମାସ ପରେ ଫାଇନାଲ୍‌ ପେମେଣ୍ଟ ଦେବାର ବ୍ୟବସ୍ଥା ଥିଲା। ସେହିପରି ଛାତ୍ରୀଛାତ୍ରମାନେ ସେମାନଙ୍କ ସ୍କୁଲ୍‌ ଦେୟ ପ୍ରତ୍ୟେକ ମାସ ୧୫ ତାରିଖରେ କିମ୍ବା ଶେଷ କାର୍ଯ୍ୟଦିବସରେ ପୈଠ କରିବାର ବି ବ୍ୟବସ୍ଥା ଥିଲା। ବିଦ୍ୟାଳୟର ସମ୍ପାଦକ ତଥା ପ୍ରତିଷ୍ଠାତା ମୌଲବୀ ଇବ୍ରାହିମ୍‌ ଖାଁ ମାସର ଶେଷ କାର୍ଯ୍ୟ ଦିବସରେ ଛାତ୍ରୀଛାତ୍ରଙ୍କଠାରୁ ଆଦାୟ ହୋଇଥିବା ଅର୍ଥରୁ ମୋତେ ୧୦୦ ଟଙ୍କା ପ୍ରଦାନ କରି କହିଲେ, ‘ପୃଷ୍ଟି ବାବୁ, ମୁଁ ତଥା ଆମ ଅଞ୍ଚଳବାସୀ ଆପଣଙ୍କ ପଢ଼ାରେ ବିଶେଷ ଖୁସି। ଆପଣଙ୍କ ପଠନଶୈଳୀ ପିଲାମାନଙ୍କୁ ଖୁବ୍‌ ଭଲ ଲାଗିଛି। ସେମାନେ ଆପଣଙ୍କର ଖୁବ୍‌ ପ୍ରଶଂସା ବି କରୁଛନ୍ତି, ତେଣୁ ଆପଣ ଏହି ଟଙ୍କା ରଖନ୍ତୁ।’ ଉକ୍ତ ଟଙ୍କା ପାଇବା ପରେ ମୋର ଆନନ୍ଦର ସୀମା ରହିଲା ନାହିଁ। ବିଦ୍ୟାଳୟରୁ ଆମ ଗ୍ରାମର ଦୂରତା ଥିଲା ପ୍ରାୟ ୧୬ କି.ମି.। ସେବେ ରାସ୍ତାଘାଟ ଅତି ନିମ୍ନମାନର ବି ଥିଲା। ସେଦିନ ସାଇକେଲ୍‌ ଯୋଗେ ଘରକୁ ଫେରିବା ପରେ ମୋର ବାପା ଉଚ୍ଛବ ପୃଷ୍ଟି ଓ ମା’ ଲଳିତା ଦେଈଙ୍କୁ ଉକ୍ତ ଅର୍ଥ ପ୍ରଦାନ କରିଥିଲି। ସେମାନେ ଉକ୍ତ ଅର୍ଥରେ ପୂର୍ବରୁ ଖରିଦ ହୋଇଥିବା ସାଇକେଲର୍‌ ଦେୟ ପରିଶୋଧ କରିଥିଲେ। ତେବେ ଉକ୍ତ ବିଦ୍ୟାଳୟରେ ମୁଁ ପ୍ରାୟ ୩୦ ବର୍ଷ ୪ ମାସ ୧୬ ଦିନ ଶିକ୍ଷକତା କରିଥିଲି। ଆଉ ତା’ରି ଭିତରେ ମୁଁ ରାଧାନାଥ ଟ୍ରେନିଂ କଲେଜ, କଟକରୁ ବି.ଇଡି. ତାଲିମ୍‌ ମଧ୍ୟ ନେଇସାରିଥିଲି; ଯେଉଁଥିପାଇଁ ପରେ ମୋର ବେତନ ବୃଦ୍ଧି ହୋଇ ୩୦୭ ଟଙ୍କା ହୋଇଥିଲା। ଶିକ୍ଷକତା କରିବା ସହ ଉକ୍ତ ବିଦ୍ୟାଳୟର କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରିବା, ପରିଭ୍ରମଣରେ ନେତୃତ୍ୱ ନେବା, ବାର୍ଷିକ ଉତ୍ସବ, ଗଣେଶ ପୂଜା ଓ ସରସ୍ବତୀ ପୂଜା ଆଦିରେ ସକ୍ରିୟ ଭୂମିକା ନେବା ସହ ମୋ ନିର୍ଦ୍ଦେଶନାରେ ଏକାଧିକ ନାଟକ ଓ ଏକାଙ୍କିକା ବି ବିଦ୍ୟାଳୟରେ ମଞ୍ଚସ୍ଥ ହୋଇଥିଲା; ତନ୍ମଧ୍ୟରୁ କେତେକ ନାଟକରେ ଛାତ୍ରମାନଙ୍କ ସହ ମୁଁ ମଧ୍ୟ ଅଭିନୟ କରିଥିଲି। ତେବେ ୧୯୯୭ ମସିହା ଡିସେମ୍ବର ୧୬ ତାରିଖରେ ମୋର ସୁର୍କାବାଡି ଉଚ୍ଚବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ରୂପେ ଯୋଗଦାନ କରିବା ପାଇଁ ଡିପିଆଇ କାର୍ଯ୍ୟାଳୟରୁ ପଦୋନ୍ନତି ଆଦେଶନାମା ଆସିଥିଲା। କିନ୍ତୁ ସେ ସମୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ପ୍ରଧାନ ଶିକ୍ଷକମାନେ ଓଡ଼ିଶା ଉଚ୍ଚନ୍ୟାୟାଳୟରୁ ଷ୍ଟେ ଅର୍ଡର ଆଣିଥିବାରୁ ମୁଁ ଉକ୍ତ ଉଚ୍ଚବିଦ୍ୟାଳୟରେ ଯୋଗଦାନ କରି ନ ପାରି ସିଆଇ କାର୍ଯ୍ୟାଳୟରେ ଯୋଗ ଦେଇଥିଲି। କିଛିଦିନ ପରେ ଡିପିଆଇ କାର୍ଯ୍ୟାଳୟରୁ ଅନ୍ୟ ଏକ ଆଦେଶନାମା ଆସିବାରୁ ମୁଁ ଖୋର୍ଦ୍ଧା ସର୍କଲ ଅନ୍ତର୍ଗତ ବାଙ୍କୋଇ ଉଚ୍ଚ ବିଦ୍ୟାଳୟରେ ୨୩ା୧ା୧୯୯୯ରେ ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଥିଲି। ସେଠାରେ ମଧ୍ୟ ଶିକ୍ଷକତା କରିବା ସହ ପ୍ରାଚୀର ନିର୍ମାଣ କରି ଛାତ୍ରୀଛାତ୍ରଙ୍କ ଦ୍ୱାରା ଚାରାଗଛ ଲଗାଇ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କରିବା ସଙ୍ଗେସଙ୍ଗେ ନିୟମିତ ତର୍କସଭା, ପରିଭ୍ରମଣ, ନାଟକ ମଞ୍ଚସ୍ଥ କରିବା, ବାର୍ଷିକୋତ୍ସବ ଓ ବିଜ୍ଞାନମେଳା ଇତ୍ୟାଦି କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ମଧ୍ୟ କରୁଥିଲି। ଶେଷରେ ୨୦୦୩ ଜୁନ୍‌ ୩୦ରେ ଉକ୍ତ ବିଦ୍ୟାଳୟରୁ ଅବସର ନେଲି। ଜୀବନରେ ଦୁଇଟି ଦିଗ ପ୍ରତି ମୁଁ ବିଶେଷ ଆଗ୍ରହୀ ଥିଲି। ଗୋଟିଏ ‘ଶିକ୍ଷାଦାନ’ ଓ ଅନ୍ୟଟି ‘ମଞ୍ଚ ନାଟକରେ ଅଭିନୟ’। ରାଜସୁନାଖଳାସ୍ଥିତ ଭାରତୀ ପାଠାଗାର ଓ ଭକ୍ତ ଚରଣ କ୍ଲବ ତରଫରୁ ମଞ୍ଚସ୍ଥ ନାଟକରେ ଅଧିକାଂଶ ସମୟ ନାୟକ ଭୂମିକାରେ ଅଭିନୟ କରି ଦର୍ଶକମଣ୍ଡଳୀ ଦ୍ୱାରା ବିଶେଷ ଆଦୃତ ଓ ପ୍ରଶଂସିତ ହେଉଥିଲି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?