Posted inଫୁରସତ

ବାପା

ଶ୍ରଦ୍ଧା ଓ ଭଲ ପାଇବାର ସଶକ୍ତ ଉଚ୍ଚାରଣ ବାପା। ତାଙ୍କୁ ଜାଣିହୁଏ ସିନା ଜଣେଇ ହୁଏନି। ସନ୍ତାନ ପାଇଁ ସମସ୍ତଙ୍କ ସହ ଲଢ଼ିବାର ସାହସ ରଖୁଥିବା ମଣିଷ କେବଳ ବାପା ହିଁ ହୋଇପାରନ୍ତି…

 

ତାଙ୍କୁ ଜାଣି ହୁଏ ହେଲେ ଜଣେଇ ହୁଏନି। ତାଙ୍କ କାଖରେ ଥାଇ ଜହ୍ନକୁ ତୋଳିବାର ଜିଦ୍‌ ଆସେ। ତାଙ୍କ କାନ୍ଧରେ ବସି ଆକାଶକୁ ହାତ ବଢ଼େଇ ହୁଏ। ଦୁନିଆର ସବୁ ଭୟଙ୍କର ଶକ୍ତିକୁ ପରାସ୍ତ କରିବାର ସାହସ ଓ ବଳ ଅଛି ତାଙ୍କର। ସେ ବାପା। ବାପାଙ୍କ ପାଇଁ କେବଳ ବାପା ଶବ୍ଦଟି ହିଁ ବିଶାଳ, ଯେହେତୁ ପିତୃତ୍ୱର ଅନୁଭବରେ ତିଆରି ହୋଇଥାଏ ବାପାଙ୍କ ଶରୀର। ପିତୃତ୍ୱ ଏକ ଭାର ନୁହେଁ ବରଂ ଅସ୍ତିତ୍ୱର ସମ୍ପ୍ରସାରଣ।
ଦାୟିତ୍ୱର ଚାପରେ ନଇଁ ଯାଏନି ପିତୃତ୍ୱ ବରଂ ସନ୍ତାନର ସମ୍ଭାବନାକୁ ଫୁଟେଇବାରେ ନିଜକୁ ନିଃଶେଷ କରି ତୃପ୍ତିର ହସ ଫୁଟାଉଥିବା ବ୍ୟକ୍ତି ହିଁ ଯଥାର୍ଥ ପିତା। ମା’ ସିନା ଦଶ ମାସ ଗର୍ଭରେ ଧାରଣ କରେ ଶିଶୁକୁ ହେଲେ ବାପା ଶିଶୁଟି ପାଇଁ ସ୍ବପ୍ନ ଖଞ୍ଜୁଥାନ୍ତି ସେହି ସମୟତକ ନିଜ ଦାୟିତ୍ୱବତ୍ତାରେ। ମା’ବାପା ମିଶି ପିଲାଙ୍କ ଡେଣା ଗଜୁରେଇବାରେ ବିତେଇ ଦିଅନ୍ତି ସମୟ। ସେମାନଙ୍କ ଖଣ୍ଡିଉଡ଼ା ଦେଖି ମୁଗ୍ଧ ହେଉ ହେଉ ପାସୋରି ଯାଆନ୍ତି ନିଜ ଉଡିବା। ଆଉ ତା’ର ଡେଣାକୁ ବଳ ଯୋଗେଇବା ପାଇଁ ଖଟି ଖଟି ନିଜକୁ ମିଶେଇ ଦିଅନ୍ତି ମାଟିରେ। ସତରେ କ’ଣ ସେ ଶାବକଟି, ସନ୍ତାନଟି ବୁଝିପାରେ ପିତୃତ୍ୱର ଏ ଅବିଜ୍ଞପିତ ତ୍ୟାଗ?
ବଡ଼ ହୋଇ ଏହି ସଂସାରରେ ଟାଣ କରି ପାଦ ଥାପିଲାବେଳେ ସତରେ କ’ଣ ସନ୍ତାନମାନେ କେବେ ଭାବିପାରନ୍ତି ସେମାନଙ୍କ ସାମର୍ଥ୍ୟ ପଛରେ ଥିବା ପିତାଙ୍କ ଅକ୍ଳାନ୍ତ ଉଦ୍ୟମ?
ଆଜି ବି କେହି ନନାଙ୍କ ନାଁରେ ମୋ ପରିଚୟ ଦେଲେ ମନ ଖୁସି ହୋଇଯାଏ: ହିରଣ୍ମୟୀ ମିଶ୍ର (ସାହିତି୍ୟକା)
ପଣ୍ଡିଚେରୀ ଯାଇଥିଲି କେତେଜଣ ସାଙ୍ଗଙ୍କ ସହ କୋଭିଡ୍‌ ସମୟ ପୂର୍ବରୁ, ୨୦୨୦ ଜାନୁୟାରୀରେ। ବିଶିଷ୍ଟ ଲେଖକ ମନୋଜ ଦାସଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଯାଇଥିଲୁ। ଦେଖୁ ଦେଖୁ ସେ କହିଲେ,”ପୂରା ମଦନବାବୁଙ୍କ ଭଳି ମୁହଁ ଓ ହସ ତମର। ମୋ ବନ୍ଧୁଙ୍କ କନ୍ୟା, ତେଣୁ ମୋର ବି କନ୍ୟା।“ ଭାରି ଖୁସି ହେଇଗଲି ମୁଁ। ମୋ ବାପା ଯାହାଙ୍କୁ ମଁୁ ନନା ବୋଲି ଡାକେ, ଶ୍ରୀଯୁକ୍ତ ମଦନ ମୋହନ ମିଶ୍ର ଖୁବ୍‌ ପ୍ରତିଷ୍ଠିତ ମଣିଷ ଥିଲେ। ସେ ତାଙ୍କର ଉପନ୍ୟାସ ”ବହ୍ନି ବଳୟ“ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କିନ୍ତୁ ସବୁଠୁ ବଡ଼ କଥା ଯେ ସେ ଜଣେ ସାହିତି୍ୟକ ଭଳି ବଞ୍ଚିଥିଲେ। ତାଙ୍କର ଖୋଲା ହସ, ସମସ୍ତଙ୍କୁ ଭଲ ପାଇବା ଓ ଜ୍ଞାନଗର୍ଭକ ଆଲୋଚନା ଏବଂ ସମ୍ବେଦନଶୀଳ ହୃଦୟ ତାଙ୍କୁ ସବୁଠି ପ୍ରିୟପାତ୍ର କରି ପାରୁଥିଲା। ସେ ସମୟର ପ୍ରାୟ ସବୁ ସାହିତି୍ୟକ ଓ ଶିକ୍ଷାବିତ୍‌ମାନଙ୍କ ସହ ତାଙ୍କର ସମ୍ପର୍କ ଥିଲା। ଦୀର୍ଘବର୍ଷ ଧରି ଅଧ୍ୟକ୍ଷ ଥିଲେ ବି ସେ ଶ୍ରେଣୀ ଗୃହରେ ପାଠ ପଢେଇବାକୁ ଯେମିତି ଭଲ ପାଉଥିଲେ, ସାଂସ୍କୃତିକ ଅନୁଷ୍ଠାନ ସବୁରେ ସେତିକି ସକ୍ରିୟ ଥିଲେ। ମୋ ନନାଙ୍କ ବିୟୋଗ ପରେ ଯେଉଁ ସ୍ମୃତିସଭା ହେଇଥିଲା, ସେଥିରେ ଆମ ପରିବାରର ସମ୍ପୂର୍ଣ୍ଣ ଅପରିଚିତ ତାଙ୍କର ଅନେକ ଛାତ୍ର, ସହକର୍ମୀ ଓ ପରିଚିତମାନେ ନିଜେ ନିଜେ ଆସି ନନାଙ୍କ ସହ ତାଙ୍କ ପରିଚୟ ଓ ସମ୍ପର୍କର କଥା କହିଥିଲେ। ମୋ ନନା ମୋର ସବୁଠୁ ପ୍ରିୟ ମଣିଷ। ଜୀବନ ବଞ୍ଚିବାର କଳା ସେ ମତେ ଶିଖେଇଛନ୍ତି। ଯେତେ କଷ୍ଟରେ ଥିଲେ ବି ହସି ହସି ଜୀବନକୁ ସାମ୍ନା କରିବାକୁ ସେ ମତେ ଶିଖେଇଛନ୍ତି। ଆଜି ବି କେହି କେହି ନନାଙ୍କ ନାଁରେ ମୋର ପରିଚୟ କରିଦେଲେ ମୋର ମନ ଖୁସି ହୋଇ ଯାଏ। ଏବେ ଦୁଇ ଦିନ ତଳେ ଭଞ୍ଜ କଳାମଣ୍ଡପରେ ଗୋଟିଏ ସାହିତ୍ୟ ସଭାରେ କବି ପ୍ରସନ୍ନ ପାଟ୍ଟଶାଣୀ ସମସ୍ତଙ୍କୁ ବାରମ୍ବାର କହୁଥାନ୍ତି ଯେ ”ହିରଣ୍ମୟୀ ପ୍ରଫେସର ମଦନ ମୋହନ ମିଶ୍ରଙ୍କର କନ୍ୟା। ତାଙ୍କ ଭଳି ସାହିତ୍ୟ ସହ ଅଛି ସେ ।“ ଏତିକି ଗୌରବ ନେଇ ମୁଁ ବଞ୍ଚିବାକୁ ଚାହେଁ । ମୋ ବାପାଙ୍କୁ ଆମେ ନନା ଡାକୁଥିଲୁ। ନନା ମତେ ଭାରି ଭଲ ପାଉଥିଲେ। ତାଙ୍କରି ଜନ୍ମ ମାସରେ ମୋର ଜନ୍ମ। ପୁଣି ଆମେ ପାଞ୍ଚ ଭାଇ ଭଉଣୀ ଭିତରେ ମୁଁ ହିଁ ତାଙ୍କ ଭଳି ଦେଖିବାକୁ । ଏମିତି ହେଲା ଯେ ତାଙ୍କ ଭଳି ମୁଁ ବି ଅଧ୍ୟାପନା ବୃତ୍ତିକୁ ଆସିଲି। ସାହିତ୍ୟରେ ଆଜି ଯାହା ବି ପରିଚୟ ମିଳିଛି, ସବୁ ନନାଙ୍କ ଆଶୀର୍ବାଦରୁ । ଘରେ ଆମର ଏତେ ବହି ଯେ ବହିର ପୃଥିବୀରୁ ମୁଁ ପ୍ରଥମେ ଜୀବନକୁ ଚିହ୍ନି ଥିଲି। ମୋ ନନାଙ୍କର ଅଗାଧ ପାଣ୍ଡିତ୍ୟରୁ ମୁଁ ବିନ୍ଦୁଏ ବି ପାଇ ପାରିଲିନି। ତାଙ୍କ ମୁହଁରେ ଥିଲା ଅନେକ କବିତା, ଅନେକ ଶ୍ଳୋକ ଓ ଅନେକ ଗପ। ମୋର ମାଟ୍ରିକ ପରୀକ୍ଷା ବେଳକୁ ଟାଇଫଏଡ୍‌ ଜ୍ୱର ହେଇଗଲା ମତେ। ମୁଁ ବିକଳ ହେଇ ପଚାରିଲି ‘ନନା, ମୁଁ ଆଉ ପରୀକ୍ଷା ଦେଇ ପାରିବିନି’? ନନା ସେତେବେଳେ ରାତି ରାତି ଅନିଦ୍ରା ରହି ମୋ ମୁଣ୍ଡ ପାଖରେ ବସିଥାନ୍ତି। ହାତରେ ବହିଟିଏ ଥାଏ। ସାରା ରାତି ସେମିତି ଜଗି ବସିଥିବେ। କିନ୍ତୁ ମୋ ପ୍ରଶ୍ନରେ ସେ ବିଚଳିତ ନ ହେଇ କହିଲେ, ” ଜୀବନ ଏମିତି ପରୀକ୍ଷା ନେଉଛି ମା, ତୁ ବହୁ ଆଗକୁ ଯିବୁ। “ ମୁଁ ଖୁବ୍‌ କାନ୍ଦୁଥିଲି। କିନ୍ତୁ ନନାଙ୍କ କଥା ଶୁଣି ବିଶ୍ୱାସ ଆସିଲା ମନରେ।
ନନାଙ୍କୁ ଯେତେ ବେଳେ ସବୁଠୁ ବେଶି ବୁଝିବାର ବୟସ ହେଲା, ସେତେବେଳେ ହିଁ ନିୟତି ଗୋଟେ ଅଲଂଘ୍ୟ ପ୍ରାଚୀର ଠିଆ କରେଇଲା । କେହି କାହାକୁ କିଛି ନ କହି ପାରି, ଅନେକ ଦିନ ନ ଦେଖି ପାରି କେବଳ ଝୁରି ହେଲୁ। ପୁଣି ନନା ମୋ ପାଖକୁ ଫେରିଲେ ତ, ଆଉ ସମୟ ନ ଥିଲା ତାଙ୍କ ପାଖରେ। ଜୀବନରେ ଗୋଟିଏ ବି ଦିନ ଯାଏନି, ଯେଉଁ ଦିନ ମୁଁ ମୋ ନନାଙ୍କୁ ମନେ ପକେଇନି। ଆଜି ବି ମତେ ଲାଗେ, ମୋ ନନା ଅପେକ୍ଷା କରିଥିବେ ମତେ, ଯେଉଁଠି ବି ଥିବେ।
ବାପାଙ୍କ ଭରସା, ବିଶ୍ୱାସ ମୋ ପାଇଁ ଶକ୍ତି : ଅନ୍ତର୍ଯ୍ୟାମୀ ପଣ୍ଡା (ଅଭିନେତା)
ଆମ ପାଞ୍ଚ ଭାଇଙ୍କ ଭିତରେ ବାପା ପଦ୍ମନାଭ ପଣ୍ଡାଙ୍କର ମୁଁ ସବୁଠୁ ଅଧିକ ପ୍ରିୟ ଥିଲି କି ନା ସେକଥା କହି ପାରିବିନି। କିନ୍ତୁ ଏକଥା ନିହାତି ସତ ଯେ, ସମସ୍ତଙ୍କ ଭିତରେ ନନାଙ୍କର ମୋ ଉପରେ ଟିକେ ଭରସା ଓ ବିଶ୍ୱାସ ବେଶି ଥିଲା। ଆମ ଘର ବାଲେଶ୍ୱରର ଖନ୍ତାପଡ଼ାରେ। ଛୋଟବେଳୁ ଚିତ୍ର କରିବା, ମୂର୍ତ୍ତି ଗଢ଼ିବା, ନାଟକ କରିବା ଷ୍ଟେଜ୍‌ ସଜାଇବା ଏଇଥିରେ ମୋର ସଉକ। ଦିନେ ଆମ ଘରେ କାମ କରୁଥିବା ଜଣେ ଲୋକଙ୍କ ଘରେ ବସି ହାରମୋନିୟମ ବଜାଉଥିବା ଦେଖି ମୋ କକା(ଦାଦା) ବିରକ୍ତ ହୋଇ ଆସି ବାପାଙ୍କୁ କହିିଲେ, କାହିଁକି ତାକୁ ମୁହଁ ଦଉଛ? କିନ୍ତୁ ବାପା ଶୁଣି ଚୁପ୍‌ ରହିଲେ। ଅର୍ଥାତ୍‌ ବାପା ଏସବୁରେ ମତେ ନୀରବରେ ସମର୍ଥନ କରୁଥିଲେ। ମୁଁ ଚତୁର୍ଥ ପଞ୍ଚମରେ ପଢୁଥିବାବେଳେ ଆମ ଘରେ ଗଜଲକ୍ଷ୍ମୀ ପୂଜା ହୁଏ। କାରିଗର ଆସି ମୂର୍ତ୍ତି ତିଆରି କରନ୍ତି। ବାପା ସବୁ ଭାଇଙ୍କୁ ଶୋଇବାକୁ କହି ମତେ କହିବେ ଯା କାରିଗର ପାଖରେ ରହ। ସେ କେମିତି ମୂର୍ତ୍ତି ଗଢୁଛି ଦେଖ। ୧୯୭୮-୭୯ ମସିହା କଥା- ନାଟ୍ୟକାର ବିଜୟ ମିଶ୍ର ଯାଇଥାନ୍ତି ଆମଘର ପାଖ ଡାକ୍ତର ପଦ୍ମନାଥ ଆଚାର୍ଯ୍ୟଙ୍କ ପାଖକୁ। ଡାକ୍ତର ମୋ ବିଷୟରେ କହିଲେ ବିଜୟ ମିଶ୍ରଙ୍କୁ। ଆଉ ସେ ପରାମର୍ଶ ଦେଲେ ଓଡ଼ିଶା ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ପଢ଼ିବା ପାଇଁ। ନନାଙ୍କୁ ଏକଥା କହିବାରୁ ବାପା କହିଥିଲେ, ‘ତୁ ଯା’ ପଢ଼। ତୋ ଉପରେ ମୋର ଭରସା ଅଛି। ’ ମୁଁ ଆସି ଷ୍ଟେଜ୍‌ କ୍ରାଫ୍ଟ ବା ମଞ୍ଚ ସଜ୍ଜାରେ ପାଠ ପଢିଲି। ଆଉ କଲେଜର ଟପ୍ପର ବି ହେଲି। ଏଠାରେ କାମ କରିବା ସହ ୧୯୮୪- ୮୮ ମଧ୍ୟରେ ବମ୍ବେ ଯାଇ ରବି କିନ୍ନାଗିଙ୍କ ସହ କାମ ବି କଲି। ବାପା ଥରେ କହିଥିଲେ ତୁ ଏଯେଉଁ ପାଠ ପଢିଲୁ ଏଥିରେ ସରକାରୀ ଚାକିରି କରି ହେବ ନାହିଁ? ବାପାଙ୍କ କଥା ମନରେ ରଖି ସରକାରୀ ଚାକିରି ପାଇଁ ଆପ୍ଲାଏ କଲି ଓ ଏସ୍‌ଆଇଇଟିରେ ଜଏନ୍‌ ବି କଲି। ଏହାସହିତ ଅଭିନୟ ବି ଚାଲିଥାଏ। ଥରେ ବାପାଙ୍କୁ ଯାଇ କହିଲି ଏତେ ବଡ ନାଁ ଅନ୍ତର୍ଯ୍ୟାମୀ କାହିଁକି ରଖିଲ? ଦୁଇ ତିନି ଅକ୍ଷରରେ ନାଁ ଦେଇଥିଲେ ଭଲ ଲାଗିଥାନ୍ତା। ବାପା ମତେ ଅନ୍ତର୍ଯ୍ୟାମୀ ନାଁ ରଖିବାର କାରଣ କହିବା ସହ କହିଲେ ନାଁରେ କ’ଣ ଅଛି? ଦେଖି ନ ପାରୁଥିବା ଲୋକଙ୍କ ନାଁ ବି ତ୍ରିଲୋଚନ ଅଛି। ଦେଖ ମୁଁ ତତେ ଯେଉଁ ନାଁରେ ଡାକୁଛି(ପୁଣ୍ଟୁ) ସେହି ନାଁ ଯେ ଦିନେ ପ୍ରସିଦ୍ଧି ନ ଆଣି ଦେବ କିଏ କହିବ? ବାପାଙ୍କ କଥା ସତ ହୋଇଥିଲା। ପୁଣ୍ଟୁ ନନାଙ୍କ ପେଟ ଯାତ୍ରା ବେଶ୍‌ ପ୍ରସିଦ୍ଧି ଆଣିଦେଲା। କିନ୍ତୁ ଦୁଃଖର କଥା ବାପା କିନ୍ତୁ ନ ଥିଲେ ତାଙ୍କ କଥାର ସତ୍ୟତାକୁ ଦେଖିବାକୁ। ମୋ ବାପା ମା’ ମୋ ପାଇଁ ମହା ସମ୍ପତ୍ତି। ଆଜି ବି ପ୍ରତ୍ୟେକ ଥର ଷ୍ଟେଜ୍‌କୁ ଯିବା ପୂର୍ବରୁ ବାପାଙ୍କୁ ମନେ ପକାଏ। ତାଙ୍କର ମୋ ପାଇଁ ଥିବା ଭରସା, ବିଶ୍ୱାସ ମୋ ପାଇଁ ଶକ୍ତି ହୋଇଯାଏ। ଆଉ ସଫଳତାର ରାସ୍ତା ହୋଇଯାଏ।
ବାପା ମୋର ଢାଳିଦିଅ ଆକାଶର ଆଶୀର୍ବାଦ: ପିନାକୀ ମିଶ୍ର (କବି)
ମୋ ବାପା କବିଚନ୍ଦନ ପଣ୍ଡିତ ମଦନ ମୋହନ ମିଶ୍ର, ଧୋବ ଫରଫର ପଞ୍ଜାବି, ଶାନ୍ତିପୁରୀ ଧୋତିପିନ୍ଧା ଜଣେ ହସହସ ସରଳ ମଣିଷ। ମୋତେ ଲାଗେ କି ସେ କବି ଜନ୍ମ ପାଇ ଆସିଥିଲେ। ଡାଏରୀର ସବା ଉପରେ ‘ଓମ୍‌ ନୀଳାଚଳ ନାଥ’ ଲେଖି ସାହିତ୍ୟ ରଚନା ଆରମ୍ଭ କରନ୍ତି। ହାଇସ୍କୁଲ୍‌ର ସଂସ୍କୃତ ଶିକ୍ଷକ, ସେ ସମୟରେ ଅଳ୍ପ ଦରମା, ବଡ଼ କୁଟୁମ୍ବ, କେନ୍ଦୁଝର ପରି ବଣପାହାଡ ଘେରା ଗଡଜାତ ଅଞ୍ଚଳ, ତା’ରି ଭିତରେ ସାହିତ୍ୟ ସାଧନାକୁ ଜୀବନର ବ୍ରତ କରିଥିଲେ।
୧୯୨୭ ଅକ୍ଟୋବର ୧ ତାରିଖରେ ରାଜପୁରୋହିତ ପରିବାରର ବଡ଼ପୁଅ ହୋଇ ଜନ୍ମ ନେଇଥିଲେ କେନ୍ଦୁଝରଗଡ଼ ବିଶ୍ବେଶ୍ବରପୁର ଶାସନରେ। ମୁଁ ସବାସାନପୁଅ, ବାପାଙ୍କ ସୃଜନଯାତ୍ରା ଜାଣିଲା ବେଳକୁ ସେ ମିଳନୀ ସାହିତ୍ୟ ସଂସଦର ସଭାପତି, ଏକାଧାରରେ କବି, ଗାଳ୍ପିକ, ଆକାଶବାଣୀ ଗୀତିକାର, ପ୍ରାବନ୍ଧିକ, ଐତିହାସିକ, ତାଳପତ୍ର ପୋଥି ଉଦ୍ଧାରକ। ଗତ ୨୦୨୧ ଡିସେମ୍ବର ୧୭ ତାରିଖରେ ବାପା ଦେହ ଛାଡିଲେ, ଥମିଗଲା ପାଦ, ପଡିଗଲା କଳାବତୀ ରାତିର କବାଟ।
ତାଙ୍କର ପଠନ ସ୍ପୃହା ଅଧିକ। ତାଳପତ୍ର ପୋଥି ବହୁତ ଅଧ୍ୟୟନ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ବାପାଙ୍କର ବହୁ କବିତା, ପ୍ରବନ୍ଧ, ଲଳିତନିବନ୍ଧ ଆଦି ଅନେକ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ବାପାଙ୍କର ଜଣେ ଘନିଷ୍ଠ ବନ୍ଧୁ ପଦ୍ମଶ୍ରୀ ହରମାନ୍‌ କୁଲ୍‌ କେ; ଯିଏକି ଜର୍ମାନ୍‌ର ଐତିହାସିକ ପ୍ରଫେସର୍‌ ବହୁବାର କେନ୍ଦୁଝର ଗସ୍ତରେ ଆସି ବାପାଙ୍କ ସହ ଐତିହାସିକ କୀର୍ତ୍ତିରାଜି, ଭଗ୍ନାବଶେଷ, ମଠ ମନ୍ଦିର ସବୁ ବୁଲିଛନ୍ତି। ସେତେବେଳେ କେନ୍ଦୁଝର ରାଜାଙ୍କର ଶିକ୍ଷାଗୁରୁ ଭାବେ ବାପା ବହୁ ବିଦ୍ବାନ ପଣ୍ଡିତ ଅତିଥିମାନଙ୍କୁ ତଥ୍ୟ ପ୍ରଦାନରେ ସାହାଯ୍ୟ କରିଛନ୍ତି।
ବାପା ଅନୁରାଗ ପ୍ରବଣର କବି। କଳାବତରଣ, ରସହଂସୀ, ମଣିପଦ୍ମା, ଶୂନ୍ୟନୀଳ, ପଦ୍ମପଥିକ, ମେଘମାୟା ଇତ୍ୟାଦି କବିତା ପୁସ୍ତକର ସେ ହେଉଛନ୍ତି ରଚୟିତା। ‘ମଦନ ମୋହନ କବିତା ସମଗ୍ର’ ତାଙ୍କ କାବ୍ୟଯାତ୍ରାର ସାରସ୍ବତ ଅର୍ଘ୍ୟ। ସେହିପରି କେନ୍ଦୁଝର ଭୂୟାଁ ବିଦ୍ରୋହର ଇତିହାସ ସମ୍ବନ୍ଧିତ ଧରଣୀ ବିପ୍ଳବ, ରତନାମେଳି, ଫକୀରମୋହନ ସେନାପତିଙ୍କ ଦଓ୍ବୋନ୍‌ କାର୍ଯ୍ୟକାଳ ସମୟର ସତ୍ୟଘଟଣା ଉପରେ ସେ ଲେଖିଛନ୍ତି ଐତିହାସିକ ଉପନ୍ୟାସ ‘ଅରଣ୍ୟ ହୁଂକାର’, ଆଗ୍ନେୟ ସବୁଜ, ଧନୁର୍ଜୟ ବଳୟ ବିଚିତ୍ରା। ତା’ସହିତ କେନ୍ଦୁଝର ଇତିହାସର ୧ମ ଓ ୨ୟ ଭାଗ ତାଙ୍କ ସାଧନା ଓ ସନ୍ଧାନର ସାରସ୍ବତ ଅବଦାନ।
ହସହସ ମୁହଁ ସାଙ୍ଗକୁ ତାଙ୍କର ଧୀର କଥା ସମସ୍ତଙ୍କୁ ମୋହିତ କରିଥାଏ। ସବୁବେଳେ ସଂସ୍କୃତି ପରମ୍ପରା ଐତିହ୍ୟ ଲୋକାଚାର ଉପରେ ଆଲେଚନା କରିବାକୁ ସେ ଭଲ ପାଆନ୍ତି। ବାପା ଜଣେ ସୁବକ୍ତା ଥିଲେ। କିନ୍ତୁ ମୁଁ ଜାଣିଛି କବି ଭାବରେ ସେ ବେଶି ଆତ୍ମସନ୍ତୋଷ ପାଉଥିଲେ। ବାପାଙ୍କର ମୋ ଉପରେ ବିଶ୍ୱାସ ଯେତିକି ଭଲ ପାଇବା ବି ସେତିକି। ଘରକୁ ତାଙ୍କର କେହି ବନ୍ଧୁ ଆସିଲେ ସେ ତାଙ୍କୁ ମୋର ‘ଗୁଣବାନ୍‌ ପୁଅ’ ବୋଲି କହି ମୋତେ ଚିହ୍ନାଉଥିଲେ; ଯାହା ଭାବିଲେ ଏବେ ବି ମୋ ଆଖିରେ ଲୁହ ଆସିଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?