ବାପା: ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ

ସଂଗ୍ରାମ କେଶରୀ ପୃଷ୍ଟି

 

ଅସରା ଅସରା ଦୁଃଖକୁ ହୃଦୟରେ ଚାପି, ଛାତିକୁ ପଥରକରି ସନ୍ତାନକୁ ଏ ଦୁନିଆରେ ପରିଚିତ କରାଇବା ପାଇଁ ନିଜର ଲୁହ ଲହୁ ଢାଳି ଚାଲିଥିବା ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ ହେଉଛନ୍ତି- ବାପା। ଯାବତୀୟ ଝଡ଼ଝଞ୍ଜା ଭିତରେ ସେ ଘରକୁ ଆଣିଦେଇଥାନ୍ତି ଖୁସି। ଏଥିପାଇଁ ତାଙ୍କ ଦିନ ସରେନା କି ରାତି ବିତେନା। ନିର୍ଧୂମ ଖରାର ତାତି, ବାଦଲଫଟା ବର୍ଷାମାଡ଼, ମାଘ ମାସର ହାଡ଼ଭଙ୍ଗା ଜାଡ଼କୁ ଏକାକାର କରି ଜୀବନ ସହିତ ବାଜି ଖେଳନ୍ତି ସେ ନିଜ ପିଲାଙ୍କ ପାଇଁ। ଛୁଆଙ୍କୁ ଛାଇରେ ରଖି ଖରାରେ ଜଳିପାରନ୍ତି ବୋଲି ତ ସେ ବାପା। ସୁତରାଂ ଛୋଟ ଛୋଟ ବିପତ୍ତି କାଳରେ ମୁହଁରୁ ଆମର ଯେତେବେଳେ ବାହାରିଆସେ- ‘ମରିଗଲି ଲୋ ମା’, ବଡ଼ ବିପତ୍ତି ବେଳେ ସ୍ବତଃ ଉଚ୍ଚାରିତ ହୋଇଥାଏ- ‘ଆରେ ବାପରେ ବାପ’। ପ୍ରତ୍ୟେକ ସନ୍ତାନର ସାହସ, ଇଜ୍ଜତ, ସମ୍ମାନ, ଶକ୍ତି, ପୁଞ୍ଜି ଓ ପରିଚୟ ହେଉଛି- ବାପା। ସମ୍ଭବତଃ ସେଇଥିପାଇଁ କୁହାଯାଇଥାଏ, ବାପା ଥିଲା ପୁଅ ସଭାରେ ହାରେନା।
ତ୍ୟାଗ, ଶକ୍ତି ଓ ସାମର୍ଥ୍ୟର ପ୍ରତୀକ ହେଉଛନ୍ତି ବାପା। ଆଖିରେ ତାଙ୍କର ଥାଏ ଆଖିଏ ସ୍ବପ୍ନ। ତେବେ ସ୍ବପ୍ନ ଦେଖନ୍ତି ସନ୍ତାନମାନେ; ହେଲେ ସେସବୁ ସ୍ବପ୍ନକୁ ସେମାନଙ୍କ ଅଜାଣତରେ ଲୁଚେଇ ପୂରଣ କରିଥାନ୍ତି ବାପା। ଏଥିରେ ନ ଥାଏ ସ୍ବାର୍ଥପଣିଆ ନତୁବା ଅହଙ୍କାର। ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଇ ଅକାତର ଚିତ୍ତରେ ନିଜକୁ ତିଳ ତିଳ କରି ଦଗ୍ଧୀଭୂତ କରିପାରୁଥିବା ଏ ମଣିଷ ଜଣକ ବାପାଙ୍କ ଛଡ଼ା ଆଉ କିଏ ହୋଇପାରେ! ମୁଣ୍ଡ ଝାଳ ତୁଣ୍ଡରେ ମାରି, ଆଖି ଲୁହ ଆଖିରେ ମାରି ପରିବାର ପାଇଁ ନିଜକୁ ସମର୍ପିତ କରିଥିବା ଏହି ମହାନ୍‌ ବ୍ୟକ୍ତିତ୍ୱ ଜଣକ ହିଁ ସନ୍ତାନସନ୍ତତିମାନଙ୍କ ଜୀବନର ପ୍ରଥମ ହିରୋ ପାଲଟି ଯାଇଥାନ୍ତି। ନିଜର ଦୁଃଖକୁ ଲୁଚେଇ ସନ୍ତାନ ପାଇଁ ମହଣ ମହଣ ଖୁସି ଆଣି ଦେଉଥିବା ବ୍ୟକ୍ତି ଜଣେ ଆଦର୍ଶର ପ୍ରତିମୂର୍ତ୍ତି, ଏହାକୁ ପ୍ରତ୍ୟେକଟି ସନ୍ତାନ ସ୍ବୀକାର କରିବେ ନିଶ୍ଚିତ।
ପରିବାର ପାଇଁ ଶୀତଳ ଛାଇଟିଏ ସାଜି ବିରାଟ ବଟବୃକ୍ଷ ଭୂମିକାରେ ଅବତୀର୍ଣ୍ଣ ହୋଇପାରୁଥିବା ମଣିଷ ହେଉଛନ୍ତି- ବାପା। ଇଏ ସେହି ବାପା, ଯିଏ କି ଯେତେ ଝଡ଼ଝଞ୍ଜା ଆସିଲେ ମଧ୍ୟ ହାତ ଛାଡ଼ନ୍ତିନି ବରଂ ହାତକୁ ଆହୁରି ଦୃଢ଼କରି ଚାପି ଧରନ୍ତି। କେତେବେଳେ କ୍ରୋଧ ତ ପୁଣି କେତେବେଳେ ଭଲପାଇବା- ଏହା ହିଁ ବାପାଙ୍କ ପରିଚୟ। ସବୁଠୁ ମହତ୍ତ୍ବପୂର୍ଣ୍ଣ କଥା ହେଉଛି, ବାପା ହେଉଛନ୍ତି ଏକମାତ୍ର ମଣିଷ ଜଣେ, ଯିଏ ଆମକୁ ବହୁତ ଭଲ ପାଆନ୍ତି ଅଥଚ ଏହାକୁ କେବେ ପ୍ରଦର୍ଶନ କରନ୍ତି ନାହିଁ। ତାଙ୍କ ଗାଳି ମଧ୍ୟରେ ଥାଏ ନିଚ୍ଛକ ଭଲ ପାଇବା ଓ ଠିକ୍‌ ମାର୍ଗରେ ଯିବା ପାଇଁ ବିବେକର ଛାଟ।
ଜଣେ ସ୍ବାମୀ ପାଇଁ ତା’ର ସ୍ତ୍ରୀ ରାଣୀ ହେଉ କି ନ ହେଉ କିନ୍ତୁ ଜଣେ ବାପା ପାଇଁ ତାଙ୍କ ଝିଅ ହୋଇଥାଏ ରାଜକୁମାରୀ। ଅଭାବ ଅନଟନ ଏଥିପାଇଁ ଅନ୍ତରାୟ ସାଜିପାରେନା। ବାପାଙ୍କ ପରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ଝିଅଟି ନିଜକୁ ଭାଗ୍ୟବତୀ ମନେକରେ। ଏ ସଂସାରରେ ବାପା ଏପରି ଜଣେ ବ୍ୟକ୍ତି, ଯିଏ ସବୁବେଳେ ଚାହାନ୍ତି ଯେ ତାଙ୍କ ପିଲାମାନେ ତାଙ୍କଠାରୁ ବହୁତ ଆଗକୁ ଯାଆନ୍ତୁ। ଜୀବନରେ ଭଲ ମଣିଷ ହୁଅନ୍ତୁ। ଏ ସଂସାରରେ ସେମାନେ ଭାଗ୍ୟବାନ୍‌, ଯାହାଙ୍କ ମୁଣ୍ଡରେ ଅନବରତ ରହିଥାଏ ବାପାଙ୍କ ହାତ। ଜିଦ୍‌ ମଧ୍ୟ ପୂରଣ ହୋଇଯାଏ ଯଦି ବାପାଙ୍କ ସାଥ୍‌ ଥାଏ। ପରିବାର ପ୍ରତି, ଈଶ୍ୱରଙ୍କ ପ୍ରତି ସମର୍ପିତ ତଥା ବିଶ୍ୱସ୍ତ ବ୍ୟକ୍ତି ହେଉଛନ୍ତି କେବଳ ବାପା।
ଏ ଦୁନିଆରେ ସ୍ବର୍ଗ ଅଛି କି ନାହିଁ, ସେକଥା ଜଣା ନାହିଁ। କିନ୍ତୁ ଏକଥା ସତ ସ୍ବର୍ଗ ବୋଲି ଯାହା ଆମେ ଅନୁଭବ କରୁ , ତାହା ହେଉଛି ମାଆବାପାଙ୍କ ପାଦତଳ। ସେମାନେ ହେଉଛନ୍ତି, ଗୋଟିଏ ମୁଦ୍ରାର ଦୁଇଟି ପାଶର୍‌ବ। ଜଣେ ଦେହ, ଆଉ ଜଣେ ଛାଇ। ମାଆଙ୍କ ବିନା ଘର ଲାଗେ ଅନ୍ଧାର ଆଉ ବାପାଙ୍କ ବିନା ଦୁନିଆଟା ଲାଗେ ଅନ୍ଧାର । ମାଆ ହାତଧରି ଦୁନିଆକୁ ଚିହ୍ନେଇ ଦିଅନ୍ତି, କିନ୍ତୁ ବାପା ନିଜ ସନ୍ତାନକୁ ଦୁନିଆରେ ପରିଚିତ କରାନ୍ତି। ଯିଏ ଆଖି ବନ୍ଦ ହେଲା ପର୍ଯ୍ୟନ୍ତ ଭଲ ପାଉଥାନ୍ତି ସେ ମାଆ, କିନ୍ତୁ ଯିଏ ଆଖିରେ ପ୍ରେମ ନ ଦେଖାଇ ମଧ୍ୟ ଭଲ ପାଆନ୍ତି ସେ ବାପା। ସେଇଥିପାଇଁ ତ କୁହାଯାଏ :
”ପିତା ଧର୍ମ ପିତା ସ୍ବର୍ଗ ପିତାହୀ ପରମ ତପଃ
ପିତରେ ପ୍ରିତିମାପର୍ଣ୍ଣେ ପ୍ରିୟତୀ ସର୍ବ ଦେବତାଃ।“
ବାପାଙ୍କର ସ୍ନେହ- ପ୍ରେମ ସବୁବେଳେ ପାଉଥାଉ ବୋଲି ତ ପାଖରେ ଥାଇ ମଧ୍ୟ ଆମେ କେବେ କେବେ ତାଙ୍କୁ ଗୁରୁତ୍ୱ ଦେଇ ନ ଥାଉ। ବାପା ସବୁବେଳେ ପାଖରେ ଥିବା କାରଣରୁ ତାଙ୍କୁ ଅନୁଭବ ମଧ୍ୟ କରିପାରୁନା, କିନ୍ତୁ ସେତେବେଳେ ଅନୁଭବ କରୁ, ଯେତେବେଳେ ସେ ପାଖରେ ନ ଥାନ୍ତି। ଦୁଃଖ ଜର୍ଜରିତ ଜୀବନର ମରୁଭୂମିରେ ମନେପଡ଼ନ୍ତି ଆଶ୍ୱାସନାର ବାରିଧାରଟିଏ- ବାପା। ବିଷାଦଗ୍ରସ୍ତ ମନକୁ ଯେତେବେଳେ କେହି ବୁଝିପାରନ୍ତି ନାହିଁ, ବୁଝିବାକୁ ଚେଷ୍ଟା ମଧ୍ୟ କରନ୍ତି ନାହିଁ ସେତେବେଳେ ମନେପଡ଼ନ୍ତି- ବାପା। କେତେ ସମ୍ମୋହନ, କେତେ ଶିହରଣ, କେତେ ଆବେଗ ପୁଣି କେତେ ପୁଲକ ସତେ ଏ ଡାକରେ!
ବାପା ଥିଲେ ଦୁନିଆର ସବୁ ଖୁସି ଆସିଯାଏ ହାତମୁଠାକୁ। ତାଙ୍କ ହାତ ଧରିଥିଲେ ସାତ ସମୁଦ୍ର ତେର ନଈ ଲଙ୍ଘିବାକୁ ଭୟ ନ ଥାଏ। ତାଙ୍କ ଆଙ୍ଗୁଠି ଧରିଥିଲେ ଅବାଟ ବି ବାଟ ପାଲଟିଯାଏ। ବାଘ ବି ଫାଘ ବନିଯାଏ। ଛୁ ମାରେ ଭୟ। ସାରା ଦୁନିଆଟା ଲାଗେ ନିଜର ନିଜର। ସନ୍ତାନସନ୍ତତିମାନଙ୍କ ପାଇଁ ଏ ଦୁନିଆର ସବୁଠାରୁ ଧନୀ ହେଉଛନ୍ତି- ବାପା। ଯିଏକି ପକେଟ ଖାଲି ଥାଇ ମଧ୍ୟ କୌଣସି ଜିନିଷ ପାଇଁ କେବେ ମନା କରନ୍ତି ନାହିଁ। ବାପାଙ୍କ ବିନା ମୂଲ୍ୟହୀନ ଏ ଜୀବନ। ସେ ବସୁଧା, ସେ ପୁଣି ଆକାଶ।
ଶିକ୍ଷକ, କିଶୋରନଗର ଉଚ୍ଚ ବିଦ୍ୟାଳୟ
ରାଜକିଶୋରନଗର, ଅନୁଗୋଳ
ମୋ:୯୪୩୭୫୪୭୧୪୬


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri