ଚାଷୀର ଚେତାବନୀ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

 

ଜ୍ଞାନୀ ବିଜ୍ଞାନୀ ବିଦ୍ୟା ବିଶାରଦ ବିଶେଷଜ୍ଞମାନଙ୍କ ଚେତାବନୀ ମଣିଷ ମନରେ ଭୟଙ୍କର କମ୍ପନ ସୃଷ୍ଟି କରାଇଥାଏ। ତା’ ଜୀବନଯାତ୍ରାର ଗତି ହଠାତ୍‌ ମନ୍ଥର ହୋଇପଡ଼େ। ଆଖି ଆଗରେ ଭାସିଉଠେ ସମ୍ଭାବ୍ୟ ବିଭୀଷିକାର କରାଳ ରୂପ। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ହେଉ କି କରୋନା ପରି ମହାମାରୀ ବ୍ୟାଧି, ଏମିତି ବହୁ ବିଘଟନର ଆଗାମୀ ସୂଚନା ମଣିଷକୁ ସତର୍କ କରିଦିଏ। ସେ ନିଜକୁ ଏକ ନିରାପଦ ବଳୟ ଭିତରେ ରଖିବାକୁ ଯଥାସାଧ୍ୟ ଉଦ୍ୟମ କରେ। ମାତ୍ର ଯେଉଁଠି ଜୀବନ ପାଇଁ ଏକ ନିଶ୍ଚିତ ବିପଦର ଚେତାବନୀ କୌଣସି ବିଜ୍ଞାନୀ ପଣ୍ଡିତଙ୍କଠୁ ନ ଆସି ବିଦ୍ୟା ଓ ବିଜ୍ଞାନଠାରୁ ଏକ ଅପହଞ୍ଚ ଦୂରରେ ଥିବା ଜଣେ ଗାଉଁଲି ଅପାଠୁଆ ଚାଷୀ ପାଖରୁ ଆସିଥାଏ, ସେଠି ଏବେକାର ସହରୀ ଶିକ୍ଷିତ ମଣିଷଙ୍କ ଚେତନାରେ ଯେ ଚମକ ସୃଷ୍ଟି ହେବ, ଏଭଳି କିଛି ଆଶା କରାଯାଇପାରେନା। ଏହି ଚାଷୀ ଜଣଙ୍କର ଚେତାବନୀ କିଛି ବିଜ୍ଞାନସମ୍ମତ ନୁହେଁ କି ବିଦ୍ୟା ସମର୍ଥିତ ନୁହେଁ। ଉକ୍ତ ଚାଷୀ ଜଣକ କେହି ବିଶେଷଜ୍ଞ ନୁହନ୍ତି କି ବିଶେଷ ବୁଦ୍ଧିଦୀପ୍ତ ବି ନୁହନ୍ତି। ଅଥଚ ତାଙ୍କ ଚେତାବନୀରେ ଭରିରହିଛି ଏକ ଭୟଙ୍କର ଭବିଷ୍ୟତର ଇଙ୍ଗିତ; ଦାରୁଣ ବିଘଟନ ଓ ବିପର୍ଯ୍ୟୟର ସଙ୍କେତ!
ଚାଷବାସ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଏକ ଦୂର ଗଁାର ଏଇ ଚାଷୀ ଜଣକ ନିକଟରେ ସସ୍ତ୍ରୀକ ପୁରୀ ଆସିଥିଲେ। ଜଗନ୍ନାଥ ଦର୍ଶନ ସାରି ଗଁାକୁ ଫେରିବା ବାଟରେ ଭୁବନେଶ୍ୱରରେ ଘେରାଏ ବୁଲିଯିବା ପାଇଁ ରାଜଧାନୀରେ ରହୁଥିବା ଏ ଲେଖକର ବନ୍ଧୁଙ୍କ ଘରେ ପହଞ୍ଚତ୍ଲେ। ଅନ୍ୟ କେବେ ହୋଇଥିଲେ ବନ୍ଧୁ ନିଶ୍ଚୟ ଖୁସି ହୋଇଥା’ନ୍ତେ ସମ୍ପର୍କୀୟ ନାରଣ କକାଙ୍କୁ ସପତ୍ନୀକ ନିଜ ଘରେ ଅତିଥି ହେବାର ଦେଖି। ମାତ୍ର ମହଙ୍ଗା ବଜାର ମାଡ଼ ମଧ୍ୟରେ ଘରର ରୋଷେଇଶାଳ ଯେଉଁଠି କରୁଣ ହୋଇଉଠିଛି, ସେଠି ଅତିଥି ସତ୍କାର ଭଳି ଏକ ସଂଭ୍ରାନ୍ତ ସଉକକୁ ଲାଳିତ କରିବା ବେଶ୍‌ କଷ୍ଟସାଧ୍ୟ। ଟମାଟୋ କିଲୋ ପିଛା ଦେଢ଼ଶହ, ବାଇଗଣ ଅଶୀ, ଭେଣ୍ଡି, କଲରା ଓ ପୋଟଳ ଆଦି ପରିବାର ଦର ଆକାଶଛୁଅଁା ସହିତ ଡାଲି, ଚାଉଳ ମଧ୍ୟ ଅଦର ଦର। ସୁତରାଂ, ଏମନ୍ତ ବିଷମ ବେଳାରେ ଜଣେ ନିମ୍ନ ମଧ୍ୟବିତ୍ତ ବେତନଭୋଗୀ ଲୋକର ଅନ୍ତରରୁ ଅତିଥି ସତ୍କାରର ଦିବ୍ୟ ଅନୁଭବ ଟିକକ ନିର୍ବାସିତ ହୋଇଯିବାର କିଛି ବୈଚିତ୍ର ନାହିଁ। ତଥାପି ମୁହଁରେ କୃତ୍ରିମ ହସ ଫୁଟାଇ ବନ୍ଧୁ ତାଙ୍କ ସମ୍ପର୍କୀୟଙ୍କୁ ସ୍ବାଗତ କରିଥିଲେ।
ସେଇ ସନ୍ଧ୍ୟାରେ ପରିବା ହାଟରୁ ସାତଶହ ଟଙ୍କା ବିନିମୟରେ ତଥାପି ନିଜ ଝୁଲା ପୂରାଇବାରେ ଅସମର୍ଥ ବନ୍ଧୁଙ୍କ ବିଷଣ୍ଣ ବଦନ ଦେଖି ନାରଣ କକା ମୁରବିସୁଲଭ ମନ୍ତବ୍ୟ ଦେଲେ, ”ଘରକୁ ଲାଗି ଏତେ ଜାଗା ଥାଉ ଥାଉ ବଜାରରୁ ପୁଣି ଶାଗ କିଣୁଛ? ଶାଗ ମନ୍ଦାଏ କି ଭଣ୍ଡାଗଛ ଦୁଇଟା ଛିଡ଼ା କରାଇଥିଲେ ଏବେ ତ ପରିବା ଖର୍ଚ୍ଚ କିଛି କମିଯାଇଥା’ନ୍ତା।“ କକାଙ୍କ କଣ୍ଠରେ ସହୃଦୟତାର ଆଭାସ ପାଇ ବନ୍ଧୁ କହିଲେ, ”ରାଜଧାନୀ ଏକ ଅସତ୍ୟ ସହର କକା! ଏଠି ପ୍ରତ୍ୟେକ ବଜାରରେ ଦୁଇ ପ୍ରକାର ଗରାଖ ଥାଆନ୍ତି। ବିଲାତି କିଲୋ ଦେଢ଼ଶହ ନ ହୋଇ ଅଢ଼େଇ ଶହ ହେଲେ ବି କିଛି ଲୋକଙ୍କର ପରବାୟ ନ ଥାଏ। ସେମାନଙ୍କ ଉପରେ ଦରବୃଦ୍ଧି କୌଣସି ପ୍ରଭାବ ପକାଇ ପାରୁ ନ ଥିବା ବେଳ ଅଢ଼େଇ ଶହ ଗ୍ରାମ୍‌ ଟମାଟୋ ପାଇଁ ଆମକୁ ପକେଟ ଅଣ୍ଡାଳିବାକୁ ପଡ଼ୁଥାଏ।“
ବନ୍ଧୁଙ୍କ କଥାରେ ସନ୍ତୁଷ୍ଟ ହେଲେନାହିଁ ନାରଣ କକା। କହିଲେ, ”ଯିଏ ଯେଉଁ କିସମର ଗରାଖ ହୁଅନ୍ତୁ, ଜିନିଷ ଥିଲେ ସିନା ଟଙ୍କା ଦେଇ କିଣିବ। ଖାଲି ବିଡ଼ା ବିଡ଼ା ନୋଟ୍‌ ଥିଲେ ପେଟ ପୂରିଯାଏନା। ପେଟ ନ ପୂରିଲେ ମଗଜର ବିଦ୍ୟାବୁଦ୍ଧି ନିମିଷକେ କୁଆଡ଼େ ହଜିଯିବ। ମଗଜକୁ ତୁମ ସହରରେ ରଖି ପେଟର ଦାୟିତ୍ୱ ଆମ ଗଁା ହାତରେ ଟେକି ଦେଇଥିବାରୁ ତ ଆଜି ଟମାଟୋ କିଲୋ ଦେଢ଼ଶହ, ବାଇଗଣ ଅଶୀ ଓ ଶାଗ ବିଡ଼ାକୁ ଦଶଟଙ୍କା।“ ବନ୍ଧୁ ସ୍ତମ୍ଭୀଭୂତ ହୋଇଯାଇଥିଲେ ଜଣେ ଗାଉଁଲି ବୁଢ଼ାଙ୍କଠାରୁ ଜଟିଳ ଗ୍ରାମ୍ୟ ଅର୍ଥନୀତି ସମ୍ପର୍କରେ ଏପରି ମନ୍ତବ୍ୟ ଶୁଣି। ଗଁା ଓ ସହର ମଧ୍ୟରେ ଥିବା ବ୍ୟବଧାନ ବୌଦ୍ଧିକ ପରିସରରେ ଯେଉଁ ବିତର୍କର ସୂତ୍ରପାତ କରେ ଓ ଏହାକୁ ନେଇ ବିଶ୍ୱବିଦ୍ୟାଳୟ ସଭାଗୃହରେ ଯେଉଁ ଆଲୋଚନାଚକ୍ର ଆୟୋଜିତ ହୁଏ; ତାହା ନାରଣ କକାଙ୍କ ପରି ଚାଷୀଙ୍କ ଚେତନାକୁ ଯେ ଆଲୋଡ଼ିତ କରିପାରେ, ଏହା ଜାଣି ସେ ଆଶ୍ଚର୍ଯ୍ୟ ହେଲେ।
ନାରଣ କକାଙ୍କ ଅସନ୍ତୋଷର ଯେମିତି ଶେଷ ନ ଥିଲା। ସେ କହୁଥିଲେ, ”ସହରର ସୁଖସ୍ବାଚ୍ଛନ୍ଦ୍ୟରେ ସିନା ଆମର ଅଧିକାର ନାହିଁ, ହେଲେ ଦୁଃଖ ଦୁର୍ଦ୍ଦଶାରେ କିନ୍ତୁ ଆମର ସମାନ ଭାଗ, ବରଂ ଅଧିକ। ତୁମର ଭତ୍ତା ବଢ଼ିଲେ ବଜାରରେ ଯେଉଁ ଦର ବୃଦ୍ଧି ହୁଏ, ତାହାର ଚାପ ପଡ଼େ ଆମ ଉପରେ। ଦରମା ଭତ୍ତା ବଢ଼ିବ ତୁମର, ଅଥଚ ଦର ବଢ଼ିବ ଆମର। ଦର ବଢ଼ିବ ତ ତୁମ ସାମ୍ପୁ, ସାବୁନ, ପେଷ୍ଟ, ପାଉଡରର ବଢୁ, ଆମ ଡାଲି ଓ ତେଲର କାହିଁକି ବଢ଼ିବ? ଆମ ଜିରା, ସୋରିଷ ବା ଅଦା ରସୁଣ କାହିଁକି ମହଙ୍ଗା ହେବ?“
କକାଙ୍କ କ୍ରୋଧ ଓ ଅଭିମାନକୁ ବନ୍ଧୁ ବୁଝୁଥିଲେ। ନିତ୍ୟବ୍ୟବହାର୍ଯ୍ୟ ଓ ବିଳାସ ସାମଗ୍ରୀ ମଧ୍ୟରେ ସେ ଦେଖୁଥିବା ଫରକ୍‌କୁ ଠିକ୍‌ ଚିହ୍ନୁଥିଲେ। ତେବେ ଗଁା ଓ ସହରର ବହୁବିଧ ବ୍ୟବଧାନ ଭିତରେ ଯେଉଁ କଥାଟି ତାଙ୍କର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଥିଲା, ସେ କଥାଟି ମଧ୍ୟରେ ଲୁଚି ରହିଥିଲା ସାମ୍ପ୍ରତିକ ସାମାଜିକ ଜୀବନର ସବୁଠୁ ବଡ଼ ବିଡ଼ମ୍ବନା। ସେ କହୁଥିଲେ, ”ଗଁାଗୁଡ଼ିକରେ ମାଳମାଳ ବିଲବାଡି ଚାଷ ନ ହୋଇ ଖାଲିପଡ଼ିଛି। ପିଲାମାନେ ଚାଷବାସ ଭୁଲି ଗଁା ଛାଡ଼ି ସହରମୁହଁା ହେଉଛନ୍ତି। ପୁଣି ଗଁାରେ ମିଳୁଥିବା ଟଙ୍କିକିଆ ଚାଉଳ ଓ ସହରର ପାଞ୍ଚଟଙ୍କିଆ ଭୋଜନ ସେମାନଙ୍କ ଜୀବନକୁ ଏମିତି କର୍ମକୋଢ଼ି କରିଦେଇଛି ଯେ ବିଲବାଡ଼ିରେ ଚାଷ କରିବାକୁ ଜମିଥିବା ଲୋକର ଆଗ୍ରହ ନାହିଁ କି ଜମି ନ ଥିବା ଲୋକଟି ମୂଲ ଖଟିବାକୁ ପ୍ରସ୍ତୁତ ନୁହେଁ। ସବୁ ଯଦି ସହରରେ ରହି ଚାକିରି କରିବେ, ତେବେ ଚାଷ କରିବ କିଏ?
ନାରଣ କକାଙ୍କ ଦୁଇଦିନ ରହଣି ମଧ୍ୟରେ ସେ ଯେଉଁ ଏମିତି କିଛି ପ୍ରଶ୍ନ ଏ ଲେଖକର ବନ୍ଧୁଙ୍କ ପାଖରେ ଛାଡ଼ିଦେଇ ଯାଇଥିଲେ, ତାହା ମଧ୍ୟରେ ପ୍ରତିବିମ୍ବିତ ହେଉଥିଲା ଏକ ଭୟଙ୍କର ଭବିଷ୍ୟତ। ସେଇ ଜଗତ, ଯେଉଁଠି ଶିକ୍ଷା ଅଛି, ସଭ୍ୟତା ଅଛି, ବିଦ୍ୟା ଅଛି, ବିଜ୍ଞାନ ଅଛି, ପୁଣି ମୋବାଇଲ ଅଛି, କମ୍ପ୍ୟୁଟର ଅଛି; ଅଥଚ ଆଧୁନିକ ଜୀବନର ଏ ସକଳ ପୂର୍ଣ୍ଣତା ମଧ୍ୟରେ ଦୁଷ୍ପାପ୍ୟ ହୋଇଯାଇଛି ମୁଠାଏ ଚାଉଳ, ଦୁଇଟି ବାଇଗଣ ଓ ବିଡାଏ ଶାଗ।“
ମନେପଡ଼ୁଥିଲା ବାଲ୍ୟକାଳରେ ପଢ଼ିଥିବା ଏକ ରୋଚକ କାହାଣୀ। ଗୁରୁକୁଳରେ ସାତବର୍ଷ କାଳ ବିଦ୍ୟା ଅଧ୍ୟୟନ କରି ଘରକୁ ଫେରୁଥିବା ଜଣେ ତରୁଣ ବିଦ୍ୟାର୍ଥୀ ନୌକାରେ ନଦୀ ପାର ହେଉଥିବା ବେଳେ ନାଉରୀକୁ ସେ କେଉଁ କେଉଁ ବେଦ ଅଧ୍ୟୟନ କରିଛି ବୋଲି ପଚାରିଲେ। ବିଚରା ମୂର୍ଖ ନାଉରୀ ଜଣକ ସେ କିଛି ବି ବେଦ ପଢ଼ିନାହିଁ ବୋଲି ପଣ୍ଡିତଙ୍କୁ ଜଣାଇବା ପରେ ପଣ୍ଡିତେ ଆସ୍ଫାଳନର ସହ ଘୋଷଣା କଲେ – ”କେଡ଼େ ମୂର୍ଖ ତୁମେ। କିଛି ବି ବେଦ ପଢ଼ିନାହିଁ! ତୁମର ଏହି ଅଜ୍ଞତା ପାଇଁ ତୁମ ଜୀବନର ଚାରିଭାଗରୁ ତିନିଭାଗ କଟିଗଲା।“ ପଣ୍ଡିତଙ୍କ ଚେତାବନୀକୁ ନାଉରିଆ ସ୍ବୀକାର କରି ଆସୁଥିବା ବେଳେ ଆକାଶରେ କଳାମେଘ ଘୋଟିଆସିଲା। ନାଉରୀ ପଣ୍ଡିତଙ୍କୁ ପଚାରିଲା- ”ବର୍ଷା ହେବା ନିଶ୍ଚିତ। ତା’ ସାଙ୍ଗକୁ ଯଦି ପବନ ହୁଏ, ତେବେ ନାଆ ଟଳମଳ ହୋଇପାରେ। ସେପରି ସ୍ଥଳେ ଆପଣ ପହଁରା ଶିଖିଛନ୍ତି ତ?“ ତରୁଣ ନାହିଁ କରିବାରୁ ନାଉରୀଟି ଘୋଷଣା କଲା, ”ତେବେ ତ ଏକାଥରେ ତୁମ ଜୀବନର ସମ୍ପୂର୍ଣ୍ଣ ଚାରିଭାଗ କଟିଯିବ!“ କାହାଣୀର ସେଇ ନାଉରିଆ ଓ ନାରଣ କକାଙ୍କ ମୁହଁ ଏକାପରି ଲାଗୁଥିଲା ଏ ଲେଖକକୁ!
ଚକେଇସିହାଣୀ, ଭୁବନେଶ୍ୱର,
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri