ଇନ୍ଦୋର,୯।୫: ଇନ୍ଦୋରର ସ୍ବର୍ଣ୍ଣବାଗ ଅଞ୍ଚଳରେ ଥିବା ଏକ ୩ ମହଲା ରେସିଡେନ୍ସିଆଲ ବିଲ୍ଡିଂରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ୨ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ହୋଇଥିଲେ। ଜଣେ ବିଫଳ ପ୍ରେମିକ ପ୍ରତିଶୋଧ ନେବା ଲାଗି ବିଲ୍ଡିଂରେ ନିଆଁ ଲଗାଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ସଞ୍ଜୟ ଓରଫ ଶୁଭମ ଦୀକ୍ଷିତ ନାମକ ଏହି ଯୁବକ ନିଆଁ ଲାଗିବାର କିଛି ସେକେଣ୍ଡ ପୂର୍ବରୁ ଉକ୍ତ ବିଲ୍ଡିଂ ପରିସରରୁ ବାହାରିଯାଉଥିବାରୁ ପଡୋଶୀ ବିଲ୍ଡ୍ିଂରେ ଲାଗିଥିବା ସିସିଟିଭି ଫୁଟେଜ୍ରୁ ଦେଖିବାକୁ ମିଳିଛି। ୬ ମାସ ପୂର୍ବରୁ ସଞ୍ଜୟ ଉକ୍ତ ବିଲ୍ଡିଂରେ ଭଡ଼ାରେ ରହୁଥିଲେ ଏବଂ ସେଠାରେ ରହୁଥିବା ଜଣେ ଝିଅ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ତେବେ ଝିଅର ଅନ୍ୟତ୍ର ବିବାହ ସ୍ଥିର ହୋଇଯିବାରୁ ଏଥିରେ କ୍ରୋଧାନ୍ବିତ ସଞ୍ଜୟ ବିଲ୍ଡିଂରେ ନିଆଁ ଲଗାଇଥିବା କୁହାଯାଉଛି। ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଥିବା ଲୋକେ ସିସିଟିଭି ଫୁଟେଜ୍ରୁ ସଞ୍ଜୟଙ୍କୁ ଚିହ୍ନଟ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ସେ ସାଙ୍ଗରେ କିରୋସିନ କିମ୍ବା ପେଟ୍ରୋଲ ନେଇ ଯାଇଥିଲେ ଏବଂ ବିଦ୍ୟୁତ୍ ମିଟର ତଳେ ରଖାଯାଇଥିବା ତାଙ୍କ ପୂର୍ବ ପ୍ରେମିକାଙ୍କ ସ୍କୁଟିରେ ନିଆଁ ଲଗାଇଦେଇଥିଲେ। ଫଳରେ ସେଠାରେ ଥିବା ୧୨ରୁ ଊର୍ଦ୍ଧ୍ୱ ଗାଡ଼ି ପୋଡ଼ିଯିବା ସହ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା। ରାତିରେ ଛାତ୍ରୀଛାତ୍ରମାନେ ଶୋଇଥିବାରୁ ଏବଂ ପ୍ରସ୍ଥାନ ପଥରେ ଗାଡ଼ିଗୁଡ଼ିକ ଜଳୁଥିବାରୁ ବିଲ୍ଡିଂରୁ ବାହାରି ନ ପାରି ୭ ଜଣଙ୍କ ମୃତ୍ୟୁ ଘଟିଥିଲା।