ପାରଦର୍ଶୀ ଗଣିତଜ୍ଞ

ଗଣିତ ପାଠ କଥା ଉଠିଲେ ଅନେକ ପିଲା ଡରି ଯାଇଥାଆନ୍ତି। ବିଶେଷକରି ଝିଅଙ୍କର ଏହି ବିଷୟ ଭଲ ହୋଇ ନ ଥାଏ ବୋଲି ଏକ ଧାରଣା ସୃଷ୍ଟି ହୋଇଛି। କିନ୍ତୁ ତାହା ଏକ ଭୁଲ୍‌ ଚିନ୍ତାଧାରା ବୋଲି ଭାରତୀୟ ଗଣିତଜ୍ଞ ନୀନା ଗୁପ୍ତା ପ୍ରମାଣ କରିଦେଇଛନ୍ତି। ୨୦୨୧ ମସିହା ଲାଗି ରାମାନୁଜନ୍‌ ପୁରସ୍କାର ବିଜେତା ନୀନା କହିଛନ୍ତି, ଗଣିତ ଏକ କଷ୍ଟ ବିଷୟ ନୁହେଁ। ଅନ୍ୟ ପାଠ ଭଳି ଏହାକୁ ଭଲ ଭାବେ ମନେରଖାଯାଇପାରିବ। ଯଦି ଏହା ଉପରେ ଜଣଙ୍କ କନ୍‌ସେପ୍ଟ ବା ଧାରଣା ସ୍ପଷ୍ଟ ଅଛି, ତେବେ ସେ ଗାଣିତିକ ସମସ୍ୟାର ସମାଧାନ କରିପାରିବେ। ଏହି ବିଷୟରେ ସିଦ୍ଧି ପାଇବା ପାଇଁ ଏକମାତ୍ର ମନ୍ତ୍ର ହେଉଛି ଅଭ୍ୟାସ। ଜଣେ ଯେତେ ଅଭ୍ୟାସ ବଜାୟ ରଖିବେ, ତାଙ୍କର ମସ୍ତିଷ୍କ ସେତେ ସକ୍ରିୟ ଓ ସମାଧାନର ସୂତ୍ର ବାହାର କରିଦେବ। ଗାଣିତିକ ସମସ୍ୟାର ସମାଧାନ ପାଇଁ ଦୃଢ଼ ଇଚ୍ଛାଶକ୍ତି ରଖି ଆଗେଇ ଆସିଲେ, ତାହା ଜଣଙ୍କୁ ଏଥିପ୍ରତି ଆଗ୍ରହୀ କରାଇଦେବ ଓ ସେ ଗଣିତ ପ୍ରେମରେ ପଡ଼ିଯିବେ। ମାତ୍ର ଦେଖାଯାଏ ଯେତେବେଳେ ଜଣେ ଏହାକୁ ଭୟ କରିବସିବେ ସେତେବେଳେ ତାହାକୁ ଅଣଦେଖା କରିଚାଲିବେ। ଗଣିତ ପ୍ରତି ଯୁବପିଢ଼ିଙ୍କ ମନରେ ଉତ୍ସାହ ଜାଗ୍ରତ କରିବା ଲାଗି ଏଭଳି ମନ୍ତ୍ର ଦେଇଥିବା ନୀନା ହେଉଛନ୍ତି ରାମାନୁଜନ୍‌ ପୁରସ୍କାର ପାଇବାରେ ଚତୁର୍ଥ ଭାରତୀୟ। ୨୦୦୬ରେ ରାମଦୋରାଇ ସୁଜାଥା, ୨୦୧୫ରେ ଅମଳେନ୍ଦୁ କ୍ରିଷ୍ଣା ଏବଂ ୨୦୧୮ରେ ରୀତାବ୍ରତ ମୁନ୍‌ସୀ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗଣିତ ବିଷୟରେ ସର୍ବୋତ୍ତମ ପ୍ରଦର୍ଶନ ଲାଗି ବିକଶିତ ଦେଶର ୪୫ ବର୍ଷରୁ କମ୍‌ ବୟସ୍କ ଗବେଷକଙ୍କୁ ୨୦୦୫ଠାରୁ ଏହା ପ୍ରଦାନ କରାଯାଇଆସୁଛି। ଇଟାଲୀର ଟ୍ରିଷ୍ଟେସ୍ଥିତ ଅବଦୁସ୍‌ ସାଲମ୍‌ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍‌ ଥିଓରିଟିକାଲ ଫିଜିକ୍ସ (ଆଇସିଟିପି), ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (ଡିଏସ୍‌ଟି) ଏବଂ ଇଣ୍ଟରନ୍ୟାଶନାଲ ମାଥ୍‌ମେଟିକାଲ୍‌ ୟୁନିୟନ (ଆଇଏମ୍‌ୟୁ)ର ମିଳିତ ସହଯୋଗରେ ଏହି ପୁରସ୍କାର ଦିଆଯାଉଛି। ତେବେ ନୀନା ୨୦୧୪ରେ ଇଣ୍ଡିଆନ୍‌ ନ୍ୟାଶନାଲ ସାଇନ୍ସ ଏକାଡେମୀ ପକ୍ଷରୁ ଜରିସ୍କି କ୍ୟାନ୍‌ସେଲେଶନ ପ୍ରୋବଲେମ୍‌ ସମାଧାନ ସକାଶେ ୟଙ୍ଗ୍‌ ସାଇଣ୍ଟିଷ୍ଟ ଆଓ୍ବାର୍ଡ ଓ ଏଫିନ୍‌ ଆଲ୍‌ଜେବ୍ରିକ୍‌ ଜିଓମେଟ୍ରି ଆଣ୍ଡ୍‌ କ୍ୟୁମିଟେଟିଭ୍‌ ଆଲ୍‌ଜେବ୍ରା ଉପରେ ଅତ୍ୟନ୍ତ ଦକ୍ଷତା ରଖିଥିବାରୁ ୨୦୧୯ରେ ତାଙ୍କୁ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର ମିଳିଥିଲା। ତେବେ
ଜରିସ୍କି କ୍ୟାନ୍‌ସେଲେଶନ ପ୍ରୋବଲେମ୍‌ ସମାଧାନ କରିବାରେ କୀର୍ତ୍ତିମାନ ରଚିଥିବା ନୀନା ଭାରତର ମହାନ୍‌ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ୍‌ଙ୍କ ନାମରେ ନାମିତ ଏହି ସମ୍ମାନ ପାଇବା ତାଙ୍କ ପାଇଁ ସର୍ବଶ୍ରେଷ୍ଠ ପୁରସ୍କାର ବୋଲି କହିଛନ୍ତି। ଆସନ୍ତା ୨୧ ତାରିଖରେ ତାଙ୍କୁ ଏହି ପୁରସ୍କାର ମିଳିବ। ଅର୍ଥରାଶି ଆକାରରେ ବିଜେତାଙ୍କୁ ୧୫,୦୦୦ ଆମେରିକୀୟ ଡଲାର ଦିଆଯିବାର ବ୍ୟବସ୍ଥା ରହିଛି।
ନୀନା ୧୯୮୪ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ଡନ୍‌ଲପ୍‌ସ୍ଥିତ ଖାଲ୍‌ସା ହାଇସ୍କୁଲରେ ପ୍ରାରମ୍ଭିକ ପାଠ ଶେଷ କରିବା ପରେ ସେ ବେଥୁନ୍‌ କଲେଜରୁ ଗଣିତ ସମ୍ମାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ୍‌ ଇନ୍‌ଷ୍ଟିଚ୍ୟୁଟ (ଆଇଏସ୍‌ଆଇ)ରୁ ୨୦୦୮ରେ ସ୍ନାତକୋତ୍ତର ଓ ୨୦୧୧ରେ ପିଏଚ୍‌.ଡି. ଡିଗ୍ରୀ ହାସଲ କରିଥିଲେ। ନିଜ ଉଚ୍ଚଶିକ୍ଷା ନେଇ ନୀନା କହନ୍ତି ଯେ, ତାଙ୍କ ପଢ଼ା ବେଳେ ଅନେକ ବାଧା ଆସିଥିଲା। କିନ୍ତୁ ମାତାପିତା ତାଙ୍କୁ ଦୃଢ଼ ସମର୍ଥନ ଦେବାରୁ ସେ ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି। ଗବେଷଣା କରିବାକୁ ବାହାରିବା ବେଳେ ପିଏଚ୍‌.ଡି. କେତେ ବର୍ଷରେ ସରିଯିବ ବୋଲି ପିତା ପଚାରିଥିଲେ। ଉତ୍ତରରେ ସେ କହିଥିଲେ ୫ ବର୍ଷ ଲାଗିବ। କିନ୍ତୁ ପିତାଙ୍କ ଆତ୍ମବିଶ୍ୱାସ ଥିଲା ତାଙ୍କ ଝିଅ ଦୁଇ ବର୍ଷରେ ତାହାକୁ ଶେଷ କରିଦେବ। ତାହା ହିଁ ହେଲା। ସେ ଦୁଇ ବର୍ଷରେ ଏହି ଡିଗ୍ରୀ ପାଇଯାଇଥିଲେ। ଗବେଷଣା ସମୟକୁ ମନେପକାଇ ସେ କହିଛନ୍ତି, ୨୦୦୯ରେ ଜରିସ୍କି କ୍ୟାନ୍‌ସେଲେଶନ ପ୍ରୋବଲେମ୍‌ ସମାଧାନ କରିବା ଲାଗି ପ୍ରଫେସରଙ୍କ ସହାୟତା ଚାହିଁଥିଲେ। ପ୍ରଫେସରଙ୍କ ଉତ୍ତର ଥିଲା ତାହା ଅତି କଷ୍ଟ। ତେଣୁ ସେଥିରେ ସମୟ ନଷ୍ଟ ନ କରି ତାହାକୁ ଅଣଦେଖା କରିଦିଅ। ସେହି ସମୟ ପାଇଁ ନୀନା ସେହି ପ୍ରୋବଲେମ୍‌ ସମାଧାନ କରି ନ ଥିଲେ ମଧ୍ୟ ତାଙ୍କ ମନରେ ତାହା ବସା ବାନ୍ଧି ରହିଥିଲା। ଅନବରତ ଉଦ୍ୟମ କରିବା ପରେ ସେ ୨୦୧୨ରେ ତାହାର ସମାଧାନର ସୂତ୍ର ପାଇଗଲେ ଓ ସେହି ‘ୟୁରେକା’ ବା ‘ପାଇଗଲି’ର ମୁହୂର୍ତ୍ତ ତାଙ୍କୁ ଅପାର ଆନନ୍ଦ ଦେଇଥିଲା ବୋଲି କହିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୧୯୪୯ରେ ରୁଷିଆ ଜନ୍ମିତ ଆମେରିକୀୟ ଗଣିତଜ୍ଞ ଓସ୍‌କାର ଜରିସ୍କି ପ୍ରଥମେ ଏହି ଗାଣିତିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ ତାହା ସର୍ବାଧିକ ପ୍ରଭାବଶାଳୀ ଆଲ୍‌ଜେବ୍ରିକ୍‌ ଜିଓମେଟ୍ରି ଭାବେ ଗଣାଯାଇଥିଲା।
ଆଇଏସ୍‌ଆଇରେ ପାଠ ପଢ଼ିଥିବା ନୀନା ଏବେ ସେହିଠାରେ ପ୍ରଫେସର ଭାବେ କାର୍ଯ୍ୟରତ। ନିଜେ ଗବେଷଣା ବେଳେ ସମ୍ମୁଖୀନ ହୋଇଥିବା ସମସ୍ୟାକୁ ସମାଧାନ କରିବା ଲାଗି ସେ ଯେତିକି ସହଯୋଗ ପାଇଥିଲେ, ତା’ଠାରୁ ଅଧିକ ଶ୍ରମ ତାଙ୍କ ଗବେଷଣାରତ ଛାତ୍ରୀଛାତ୍ରଙ୍କୁ ଦେବେ ବୋଲି ଏବେ କହିଛନ୍ତି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri