ସଙ୍କଟରେ ସବୁଜିମା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ବସ୍ତୁବାଦୀ ଜୀବନଶୈଳୀ ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛି ଉଦ୍ଭିଦ ଜଗତ ବା ସବୁଜିମା। ପୃଥିବୀରେ ବାର୍ଷିକ ଲୋପପାଇବାରେ ଲାଗିଛି ହାରାହାରି ପ୍ରାୟ ଦଶ ନିୟୁତ ହେକ୍ଟର ଅରଣ୍ୟ। ଏକଥା ସତ୍ୟ ଯେ ସାମାଜିକ ବିକାଶ ପାଇଁ ବୃକ୍ଷ ବଳିପଡ଼ିବା ପ୍ରକ୍ରିୟା ଜାରି ରହିଛି ସଭ୍ୟତା ଆରମ୍ଭରୁ। ଆଦିମ କାଳରେ ମଣିଷ ଯେତେବେଳେ ଧାତୁର ବ୍ୟବହାର ଜାଣି ନ ଥିଲା ଓ ବୃକ୍ଷଚ୍ଛେଦନ ପାଇଁ ଯନ୍ତ୍ର ତିଆରି କରି ନ ଥିଲା, ସେତେବେଳେ ସେ ନିଆଁ ସାହାଯ୍ୟରେ ଜଙ୍ଗଲକୁ ପୋଡ଼ି ଆରମ୍ଭ କରିଥିଲା କୃଷିକାର୍ଯ୍ୟ। ସେତେବେଳେ କିନ୍ତୁ ମଣିଷକୁ ଗ୍ରାସ କରି ନ ଥିଲା ଅତ୍ୟଧିକ ଭୋଗଲାଳସା। ଯେତିକି ଆବଶ୍ୟକ, ପ୍ରକୃତିଠାରୁ ସେତିକି ସଂଗ୍ରହ କରି ସେ ବଞ୍ଚୁଥିଲା ଏକ ସୁନ୍ଦର ଓ ସନ୍ତୁଳିତ ପୃଥିବୀରେ। ବିଶେଷ କରି ମାଟିରୁ ବାହାରି ଜଳ ଓ ତାପ ପାଇଁ ଆକାଶ ଆଡ଼କୁ ବିସ୍ତାରିତ ହୋଇଥିବା ବୃକ୍ଷ ଭିତରେ ସେ ଆବିଷ୍କାର କରିଥିଲା ବିଶ୍ୱ ପ୍ରକୃତିର ମୌଳିକ ପ୍ରତ୍ୟୟ। ବୃକ୍ଷ ନିଜ ମଥାରେ ରୌଦ୍ରତାପ ସହେ, ଅଥଚ ଆଶ୍ରିତ ପଥିକକୁ ପ୍ରଦାନ କରେ ଶୀତଳ ଛାୟା। ଫଳ ପୁଷ୍ପଠାରୁ ଆରମ୍ଭ କରି ଡାଳ, ପତ୍ର ଓ ଛାଲି ଯାଏ ବୃକ୍ଷ କେବଳ ଦେଇଚାଲେ ପରଆପଣାର ଭେଦାଭେଦ ନ ରଖି। ତା’ର ମୂଳ ଛେଦନ କରୁଥିବା କାଠୁରିଆକୁ ବି ସେ ପ୍ରଦାନ କରେ ଫଳ, ପୁଷ୍ପ ଓ ଛାୟା। ଏପରି କି ଚନ୍ଦନ ତରୁକୁ କର୍ତ୍ତନ କରୁଥିବା କୁଠାର ବି ନିଜେ ସୁରଭିତ ହୋଇଯାଏ ଚନ୍ଦନ ଗନ୍ଧରେ। ବୃକ୍ଷର ଏହି ସହିଷ୍ଣୁତା ଗୁଣରେ ଅଭିଭୂତ ହୋଇ ଏ ଦେଶର ମୁନିଋଷିମାନେ ଉଚ୍ଚାରଣ କରିଥିଲେ ‘ସବୁଜ ବନାନୀ ପ୍ଳାବନ ମନ୍ତ୍ର’। ବୃକ୍ଷକୁ ଦେବ ସଦନ ବୋଲି ଅଭିହିତ କରି ଉପାସନା କରିଥିଲେ, ଯାହା ଲିପିବଦ୍ଧ ହୋଇ ରହିଛି ଆମ ଶାସ୍ତ୍ରପୁରାଣରେ। ଏହି ଶାସ୍ତ୍ରବାଣୀରେ ଅନୁପ୍ରାଣିତ ହୋଇ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ କରୁଥିଲେ ଆମ ପୂର୍ବଜମାନେ। ଏବେ ବିକାଶ ନାମରେ ରାସ୍ତା କଡ଼ରୁ ଯେଉଁ ମହାଦ୍ରୁମ ସବୁକୁ ଡ୍ରୋଜର ଲଗାଇ ଉତ୍‌ଖାତ କରାଯାଉଛି, ତାକୁ ସେମାନେ ଦିନେ ରୋପଣ କରିଥିଲେ ଅତି ଯତ୍ନରେ। ଗାଁ ମୁଣ୍ଡରେ ବର ଓସ୍ତ ଗଛ ଲଗେଇ ପୂଜା କରୁଥିଲେ ଏବଂ ରୌଦ୍ରଦଗ୍ଧ ବୈଶାଖ ମାସରେ ସେ ଗଛମୂଳରେ ପାଣି ଢାଳୁଥିଲେ ଧର୍ମ ଅର୍ଜନ ପାଇଁ। ବୃକ୍ଷ ଦେବତାଙ୍କୁ ପୂଜା ଅର୍ଘ୍ୟ ବାଢ଼ିବାର ସେ ପ୍ରବଣତା ଆଜି ଆଉ କ’ଣ ଆମ ଭିତରେ ଅଛି ?
ମଣିଷର ସ୍ଥିତି, ଉନ୍ନତି ଓ ଆଧ୍ୟାତ୍ମିକତା ସହ ବୃକ୍ଷ ଅଙ୍ଗାଙ୍ଗୀଭାବେ ଜଡ଼ିତ। ପ୍ରାଣ ସଞ୍ଚାର ପାଇଁ ପ୍ରଶ୍ୱାସରେ ବାୟୁଠାରୁ ଆରମ୍ଭ କରି ଖାଦ୍ୟ, ବସ୍ତ୍ର ଆଦି ପ୍ରତ୍ୟେକ କ୍ଷେତ୍ରରେ ବୃକ୍ଷର ଅବଦାନ ଅତୁଳନୀୟ। ମଣିଷ ପାଇଁ ବୃକ୍ଷର ସବୁଠାରୁ ବଡ଼ ଅବଦାନ ଅମ୍ଳଜାନ। ଚିକିତ୍ସାଳୟରେ ତିନୋଟି ସିଲିଣ୍ଡରରେ ଥିବା ଅମ୍ଳଜାନ ଜଣେ ବ୍ୟକ୍ତିର ଦୈନିକ ଶ୍ବାସକ୍ରିୟା ପାଇଁ ଆବଶ୍ୟକ। ଗୋଟିଏ ସିଲିଣ୍ଡରର ବଜାର ମୂଲ୍ୟ ପାଖାପାଖି ଆଠ ଶହ ଟଙ୍କା। ଅର୍ଥାତ୍‌ ଜଣେ ବ୍ୟକ୍ତି ଦୈନିକ ୨୪୦୦ ଟଙ୍କାର ଅମ୍ଳଜାନ ଗ୍ରହଣ କରେ, ଯାହାକୁ ଉତ୍ପାଦନ କରନ୍ତି ଦୁଇଟି ୩୨ଫୁଟ ଉଚ୍ଚତା ବିଶିଷ୍ଟ ଗଛ। ଆମେରିକାର କୃଷି ମନ୍ତ୍ରଣାଳୟ ରିପୋର୍ଟ(୨୦୧୫) ଅନୁଯାୟୀ ଏକ ଏକର ପରିମିତ ଭୂମିରେ ଥିବା ବୃକ୍ଷରାଜି ବା ଅରଣ୍ୟ ପାଞ୍ଚ ଟନ୍‌ ସବୁଜଗୃହ ବାଷ୍ପ ଅଙ୍ଗାରକାମ୍ଳ ଶୋଷଣ କରେ ଓ ଚାରି ଟନ୍‌ ଅମ୍ଳଜାନ ନିର୍ଗମନ କରେ, ଯାହା ଅଠର ଜଣ ଲୋକଙ୍କ ଶ୍ବାସକ୍ରିୟା ପାଇଁ ଯଥେଷ୍ଟ।
ସ୍ବାସ୍ଥ୍ୟ ଓ ସୁସ୍ଥ ଜୀବନର ବୃହତ୍‌ ଉତ୍ସ ହେଉଛି ଅରଣ୍ୟ। ପରିବେଶ ବିଜ୍ଞାନୀଙ୍କ ମତରେ ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳର ବାୟୁମଣ୍ଡଳରେ କେବଳ ଅଧିକ ଅମ୍ଳଜାନ ନୁହେଁ, ଏଥିସହିତ ଥାଏ ବିଭିନ୍ନ ବୃକ୍ଷର ଫୁଲ, ପତ୍ର ଓ କଢ଼ରୁ ଝରୁଥିବା ସୂକ୍ଷ୍ମାତିସୂକ୍ଷ୍ମ ତୈଳ, ମଧୁକଣିକା ଓ ସୁଗନ୍ଧ। ତା’ର ସଂସ୍ପର୍ଶରେ ଆସିବା ଦ୍ୱାରା ସୁଦୃଢ଼ ହୁଏ ଆମ ଶରୀରର ପ୍ରତିରକ୍ଷା ବ୍ୟବସ୍ଥା। ଶାନ୍ତ ହୁଏ ସ୍ନାୟବିକ ଉତ୍ତେଜନା। ଦ୍ରୁତ ଅମ୍ଳଜାନ ସଂଶ୍ଳେଷଣ ଯୋଗୁ ଶରୀରର ଯାନ୍ତ୍ରିକ ପ୍ରକ୍ରିୟା ପାଇଁ ମିଳିଯାଏ ଆବଶ୍ୟକ ପୋଷଣ। ଫଳରେ କ୍ରିୟାଶୀଳ ହୋଇ ଉଠନ୍ତି ମରି ମରି ଯାଉଥିବା ମସ୍ତିଷ୍କର କୋଷିକା। ଆମ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ଏହା ହିଁ ଅରଣ୍ୟର ଏକ ସ୍ବୟଂକ୍ରିୟ ସୁରକ୍ଷା ବ୍ୟବସ୍ଥା । ବିଶ୍ବ ମାନସିକ ସ୍ବାସ୍ଥ୍ୟ ରିପୋର୍ଟ ଅନୁଯାୟୀ ଦୁନିଆର ପ୍ରାୟ ଏକ ହଜାର ନିୟୁତ ଲୋକ ମାନସିକ ବ୍ୟାଧିର ଶିକାର, ଯାହା ଫଳରେ ଗଭୀର ଭାବେ ପ୍ରଭାବିତ ହେଉଛି ପ୍ରତ୍ୟେକ ଦେଶର ଅର୍ଥନୀତି। ମନସ୍ତତ୍ତ୍ବବିତଙ୍କ ମତରେ ଏଥିରୁ ମୁକୁଳିବା ପାଇଁ ଆବଶ୍ୟକ ଅରଣ୍ୟ ସ୍ନାନ। ଶ୍ରୀମା କହିଥିଲେ, ”ଏକ ବିଶାଳ ବୃକ୍ଷ ଛାୟାରେ କେହି ଯଦି ଆଶ୍ରୟ ଗ୍ରହଣ କରେ ସେ ମର୍ମେ ମର୍ମେ ଏହା ଅନୁଭବ କରିପାରିବ ଯେ ବୃକ୍ଷଟିର ଶାଖାପ୍ରଶାଖା ଆଉ ପ୍ରତ୍ୟେକଟି ପତ୍ରରୁ ଶୀତଳତା ଝରିଆସି ତାକୁ ସ୍ପର୍ଶ କରୁଛି ଏବଂ ତା’ର ଅଶାନ୍ତ ଉତ୍ତପ୍ତ ମନରେ ଭରିଦେଉଛି ଅକଳ୍ପନୀୟ ଶାନ୍ତି।“ ଏହି କାରଣରୁ ଆମ ମୁନିଋଷିମାନେ ଅରଣ୍ୟରେ ବାସ କରିବାକୁ ପସନ୍ଦ କରୁଥିଲେ ଏବଂ ସେଠାରେ ଦୀର୍ଘାୟୁ ଓ ପ୍ରଜ୍ଞାବାନ ହେବା ସହିତ ସୁସ୍ଥ ଓ ସତେଜ ରହୁଥିଲେ ଶେଷ ପର୍ଯ୍ୟନ୍ତ।
ସଭ୍ୟତା ଆରମ୍ଭରୁ ଜଙ୍ଗଲ ହୋଇଛି ଖାଦ୍ୟର ପ୍ରଧାନ ଉତ୍ସ। ଏବେ ବି ଜଙ୍ଗଲରେ ଓ ତା’ର ଆଖପାଖରେ ରହୁଥିବା ଲୋକଙ୍କ ଖାଦ୍ୟ ଆବଶ୍ୟକତାର ପଚାଶ ଭାଗ ସଂଗୃହୀତ ହେଉଛି ଜଙ୍ଗଲରୁ। ଜଙ୍ଗଲ କ୍ଷୟ ହେବା ଦ୍ୱାରା ଉଜୁଡ଼ି ଯାଉଛି ବନ୍ୟପ୍ରାଣୀଙ୍କ ଆଶ୍ରୟସ୍ଥଳୀ। ଆମର ଭୁଲିଯିବା ଉଚିତ ନୁହେଁ ଯେ ପଶୁପକ୍ଷୀଙ୍କ ସୁନ୍ଦର ଦୁନିଆକୁ ନଷ୍ଟ କରିଦେବା ଅର୍ଥ ଖାଲି ଜୈବ ବିବିଧତାର ଅବକ୍ଷୟ ନୁହେଁ, ଏଥିସହିତ ଯୋଡ଼ି ହୋଇରହିଛି ମାନବ ସମାଜ ବିଲୁପ୍ତିର ପୂର୍ବାଭାସ। ଅର୍ଥାତ୍‌ ଜଙ୍ଗଲ କିଛି ସମ୍ପଦ ନୁହେଁ, ଏହା ଜୀବଜଗତର ଜୀବନ ନାଟିକା। ଯେଉଁ ସୂର୍ଯ୍ୟାଲୋକକୁ ଆମେ ଜୀବନର ମୂଳପିଣ୍ଡ ବୋଲି କହୁ, ସେଇ ମୂଳପିଣ୍ଡର ପିଣ୍ଡ ହେଉଛି ସବୁଜିମା। ଅଥଚ ତା’ର ବିନୀତ ଦାନ ପ୍ରତି ଆଉ ପ୍ରକାଶ ପାଉନି ଆମ ଆତ୍ମାର କୃତଜ୍ଞତା। ବୃକ୍ଷ ଚ୍ଛେଦନ କଥା ଭାବିବା ମାତ୍ରେ ପ୍ରାଣରେ ଜାଗିଉଠୁନି ଏକ ଜୀବନ୍ତ ସତ୍ତାକୁ ହତ୍ୟା କରିବାର ଅପରାଧବୋଧ। ସେଥିପାଇଁ ଉପକୂଳ ଲୁଣା ଜଙ୍ଗଲଠାରୁ ପର୍ବତ ଶିଖର ଯାଏ ସବୁ ଜଙ୍ଗଲ ଏବେ ଅବକ୍ଷୟମୁଖୀ। ଜଙ୍ଗଲ ବିଭାଗ କହେ ଗୋଟିଏ ଗଛ କାଟିଲେ ୧୦ଟି ଗଛ ଲାଗିବ। କିନ୍ତୁ ଗୋଟେ ମହାଦ୍ରୁମ ବଦଳରେ କି ଗଛ ଲାଗିବ? ସେ ଗଛ କେବେ ଧାରଣ କରିବ ଫଳ ଓ ପୁଷ୍ପ?
ପ୍ରତ୍ୟେକ କ୍ରିୟାର ଏକ ପ୍ରତିକ୍ରିୟା ସଂସାରର ନିୟମ। ତେଣୁ ଜଙ୍ଗଲ ହାନିଜନିତ ପ୍ରତିକ୍ରିୟା ସ୍ବରୂପ ସନ୍ତୁଳନ ହରାଉଛି ପରିବେଶ, ବଦଳୁଛି ଜଳବାୟୁ। ଘନ ଘନ ସୃଷ୍ଟି ହେଉଛି ପ୍ରାକୃତିକ ବିପର୍ଯ୍ୟୟ।
ଏପରି ସ୍ଥଳେ ପରିବେଶକୁ ପୁନଃ ସବୁଜିମାରେ ଭରିଦେବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜକୁ ଜଣେ ଜଣେ ସବୁଜ ସୈନିକ ଭାବି ଆଗେଇ ଆସିବା ଉଚିତ। ବିଶେଷକରି ପରିବେଶ ବିଜ୍ଞାନୀ ଓ ସାହିତି୍ୟକଙ୍କର ଭୂମିକା ବେଶି। ବିଜ୍ଞାନ ତଥ୍ୟ ଦିଏ ଏବଂ ତାକୁ ଆଧାର କରି ସାହିତ୍ୟ ସୃଷ୍ଟି କରେ ଆବେଗ। ତେଣୁ ପରିବେଶ ବିଜ୍ଞାନୀମାନେ ଯେଉଁ ତଥ୍ୟ ଓ ସତ୍ୟ ଉଦ୍‌ଘାଟନ କରୁଛନ୍ତି, ସାହିତି୍ୟକ ତାକୁ ହୃଦୟସ୍ପର୍ଶୀ ଭାଷାରେ ପରିବେଷଣ କରିବା ଉଚିତ। ସାହିତ୍ୟକୁ ଚିତ୍ତାକର୍ଷକ କରିଛି ପ୍ରାକୃତିକ ଶୋଭା। ସବୁଜ ସୁନ୍ଦର ପରିବେଶ ବିନା ମଣିଷ ହୃଦୟରୁ ଝରେନି କବିତାର ଧାରା। ତେଣୁ ସେମାନଙ୍କ ପାଇଁ ଏବେ ଏକ ବଡ଼ ଆହ୍ବାନ ହୋଇ ଉଭା ହୋଇଛି ପରିବେଶ ସୁରକ୍ଷା। ମାତ୍ର ସାହିତ୍ୟ ନାମରେ ଯେଉଁମାନେ ସାହିତି୍ୟକ ବାତାବରଣକୁ ବିଗାଡି ଦିଅନ୍ତି, ସେମାନଙ୍କ ଦ୍ବାରା ପରିବେଶ ସୁରକ୍ଷା କ’ଣ ସମ୍ଭବ?
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri